କେବଳ କେନ୍ଦ୍ରୀୟ ଟିକସ ଅଂଶ ବାବଦରେ ୫ ବର୍ଷରେ ଓଡ଼ିଶା ପାଇବ ୧୯୨୦୭୦ କୋଟି ଟଙ୍କା

10492515_789422551098190_3195679484887579701_nଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂହଦେଓ ଅଭିନନ୍ଦନ ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହାଦ୍ୱାରା ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ଲାଭାନ୍ୱିତ ହୋଇପାରିବେ । ପୂର୍ବରୁ କେନ୍ଦ୍ରୀୟ ଟିକସରୁ ରାଜ୍ୟଙ୍କୁ ୩୨% ଅଂଶ ଅର୍ଥ ମିଳୁଥିବାବେଳେ ଏବେ ତାହା ୪୨%କୁ ବୃଦ୍ଧି ପାଇଛି । ଫଳରେ ଆଗାମୀ ୫ଟି ଆର୍ଥିକ ବର୍ଷରେ ଓଡ଼ିଶା ୧ ଲକ୍ଷ ୯୨ ହଜାର ୭୦ କୋଟି ଟଙ୍କା ପାଇପାରିବ ବୋଲି ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି । ଏହାଛଡ଼ା କୋର୍ଟ ନିର୍ମାଣ, ଏସଡ଼ିଆରଏଫ ପାଣ୍ଠି ଓ ପଂଚାୟତ ଏବଂ ପୌରାଚଂଳ ପାଣ୍ଠି ବାବଦରେ ମଧ୍ୟ ଓଡ଼ିଶା ହଜାର ହଜାର କୋଟିର ଫାଇଦା ପାଇପାରିବ ।

ଶ୍ରୀ ସିଂହଦେଓ କହିଛନ୍ତିଯେ, ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ- ବିନା କେନ୍ଦ୍ରୀୟ ଟିକସ ଅଂଶରେ ୨୦୧୫-୧୬ ଆର୍ଥିକ ବର୍ଷରୁ ୨୦୧୯- ୨୦ ଆର୍ଥିକ ବର୍ଷରେ ଓଡ଼ିଶା ଯଥାକ୍ରମେ ୨୧୦୦୭ କୋଟି, ୨୩୦୫୯ କୋଟି, ୨୫୦୭୩ କୋଟି, ୨୬୯୪୭ କୋଟି ଓ ୩୦୪୨୫ କୋଟି ଟଙ୍କାର ରାଜସ୍ୱ ନିଅଂଟିଆ ପରିସ୍ଥିତିର ସାମ୍ନା କରିବେ । ତେବେ ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ସୁପାରିଶ୍ ଆଧାରରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଟିକସ ଅଂଶ ଅର୍ଥ ପ୍ରଦାନ କଲେ ଓଡ଼ିଶା ଏହି ୫ଟି ଆର୍ଥିକ ବର୍ଷରେ ଯଥାକ୍ରମେ ୫୯୯୪ କୋଟି, ୮୦୯୯ କୋଟି, ୧୦୯୩୨ କୋଟି, ୧୪୭୦୯ କୋଟି ଓ ୧୭୮୨୫ କୋଟି ଟଙ୍କାର ରାଜସ୍ୱ ବଳକା ରାଜ୍ୟ ଭାବେ ପରିଗଣିତ ହୋଇପାରିବ । ଅର୍ଥାତ୍ ୨୦୧୫-୧୬ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ଅଂଶ ବାବଦରେ ପ୍ରାୟ ୨୭୦୦୧ କୋଟି, ୨୦୧୬-୧୭ରେ ୩୧୧୫୮ କୋଟି, ୨୦୧୭-୧୮ରେ ୩୬୦୦୫ କୋଟି, ୨୦୧୮-୧୯ରେ ୪୧୬୫୬ କୋଟି ଓ ୨୦୧୯-୨୦ରେ ୪୮୨୫୦
କୋଟି ଟଙ୍କାର ଟିକସ ଅଂଶ ପାଇବେ ବୋଲି ଆକଳନ କରାଯାଇଛି ।

ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଉପସ୍ଥାପିତ କରିଥିବା ବଜେଟ୍ରେ ୧୯୫୮୦ କୋଟି ଟଙ୍କା କେନ୍ଦ୍ରୀୟ ଟିକସ ଅଂଶ ପାଇବେ ବୋଲି ଆକଳନ କରିଥିଲେ । କିନ୍ତୁ ଓଡ଼ିଶାକୁ ଏହାର ଆକଳନଠାରୁ ଅଧିକ ଅର୍ଥାତ ପ୍ରାୟ ସାଢ଼େ ୭ ହଜାର କୋଟିରୁ ଅଧିକ ଅର୍ଥ ମିଳିବ । ତେଣୁ ରାଜ୍ୟ ସରକାର ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ଦରକାର । ସେହିପରି ରାଜ୍ୟ ସରକାର ପାଇବାକୁ ଥିବା ଅଧିକ ଅର୍ଥକୁ ଭୋଟ୍ ପାଇଁ ଜନଲୋଭାନ୍ୱିତ ଯୋଜନା ପ୍ରସ୍ତୁତ ନକରି କୃଷି ଓ କୃଷକର ପ୍ରକୃତ ବିକାଶ ଓ ବେରୋଜଗାରୀ ସମସ୍ୟା ଦୂରୀକରଣ ପାଇଁ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାରତ ସରକାର ସବୁ ରାଜ୍ୟକୁ ସାଙ୍ଗରେ ନେଇ ଚାଲିବା ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଥିବାବେଳେ ନାମ୍କେ ୱାସ୍ତେ କେନ୍ଦ୍ର ଅବହେଳାର ନାରା ଦେଇ ରାଜନୈତିକକରଣ ନକରିବା ପାଇଁ ଶ୍ରୀ ସିଂହଦେଓ ମତବ୍ୟକ୍ତ କରିଛନ୍ତି । ଚତୁର୍ଦ୍ଧଶ ଅର୍ଥ କମିଶନ ପଂଚାୟତ ଓ ପୌରପାଳିକାଗୁଡ଼ିକୁ ୨.୮୭ ଲକ୍ଷ କୋଟି ଟଙ୍କାର ଅନୁଦାନ ଦେବା ପାଇଁ ସୁପାରିଶ୍ କରିଥିବାବେଳେ କେନ୍ଦ୍ର ସରକାର ତାହାକୁ ମଧ୍ୟ ଗ୍ରହଣ କରିଛନ୍ତି । ଫଳରେ ଏବାବଦରେ ଓଡ଼ିଶା ପ୍ରାୟ ୧୦୬୨୨ କୋଟି ଟଙ୍କା ପାଇବ ବୋଲି ଆକଳନ କରାଯାଇଛି । ଖାଲି ସେତିକିନୁହେଁ ରାଜ୍ୟକୁ ମଧ୍ୟ ନିଜସ୍ୱ ଯୋଜନା ପ୍ରସ୍ତୁତି ପାଇଁ କେନ୍ଦ୍ର ସରକାର କ୍ଷମତା ପ୍ରଦାନ କରିଛନ୍ତି । ସେହିପରି ବିତୀୟ ନିଅଂଟର ସାମ୍ନା କରୁଥିବା ୧୧ଟି ରାଜ୍ୟକୁ ୧.୪୯ ଲକ୍ଷ କୋଟି ଟଙ୍କା ଦେବାପାଇଁ ଥିବା ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ
କରିଛନ୍ତି । ଫଳରେ ଉକ୍ତ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ । ସବୁଠାରୁ ବଡ଼ କଥା ହେଉଛି ଉକ୍ତ ୧୧ଟି ରାଜ୍ୟ ମଧ୍ୟରୁ ଅଧିକାଂଶ ଭାଜପା 10492515_789422551098190_3195679484887579701_nଶାସିତ ରାଜ୍ୟ ନୁହେଁ । ତେଣୁ ଦଳୀୟ ମନୋଭାବରୁ ଉଦ୍ଧ୍ୱର୍ରେ ରହି ମୋଦି ସରକାର କାର୍ଯ୍ୟ କରୁଥିବା ପ୍ରମାଣିତ ହୋଇଯାଇଛି ।
ଏତଦବ୍ୟତୀତ ସୁଶାସନ ଓ ସ୍ୱଚ୍ଛତାକୁ ମୋଦି ସରକାର ଗୁରୁତ୍ୱାରୋପ କରୁଥିବାବେଳେ ଖଣି ଓ କୋଇଲା ବ୍ଲକର ନିଲାମ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହାଦ୍ୱାରା ଓଡ଼ିଶା ମଧ୍ୟ ହଜାର ହଜାର କୋଟିର ଅଧିକ ରାଜସ୍ୱ ପାଇବ ବୋଲି ଆକଳନ କରାଯାଇଛି । ତେଣୁ ଦଳୀୟ ସଂକୀର୍ଣ୍ଣତା ମନୋଭାବକୁ ପରିତ୍ୟାଗ କରି ରାଜ୍ୟର ବିକାଶ ପାଇଁ ଓଡ଼ିଶା ସରକାର ମଧ୍ୟ କାର୍ଯ୍ୟ କରିବା ଦରକାର ବୋଲି ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି ।

Share in top social networks!