ମଧୂମେହ ନିୟନ୍ତ୍ରଣ କାର୍ଯ୍ୟକ୍ରମ : ଆସନ୍ତା ଏକ ବର୍ଷ ମଧ୍ୟରେ ୧୦ ଟି ଜିଲ୍ଲାର ୪୬ ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ପରୀକ୍ଷା କରାଯାଇ ମଧୂମେହ ଆକ୍ରାନ୍ତ ଚିହ୍ନଟ କରାଯିବ

ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ୧୦ ଟି ଜିଲ୍ଲାରେ ମଧୂମେହ ଚିହ୍ନଟ ବ୍ୟାପକ ଭାବେ କରାଯିବ । ୩୦ ବର୍ଷ ବୟସରୁ ଉଦ୍ଧ୍ୱର୍ ପ୍ରାୟ ୪୬ ଲକ୍ଷରୁ ଅଧିକ ଲୋକଙ୍କର ମଧୂମେହ ପରୀକ୍ଷା କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଠାରୁ ପ୍ରକାଶ । ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ସାମ୍ପ୍ରତିକ ସମାଜରେ ଜୀବନଶୈଳୀରେ ପରିବର୍ତନ ଯୋଗୁ ଲୋକମାନେ ମଧୂମେହ , କର୍କଟ , ହୃଦ୍ଘାତ ଭଳି ଅଣସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ସେଥିରୁ ମଧୂମେହ ଏକ ନିରବ ଘାତକ । ଏକ ଆକଳନ ଅନୁଯାୟୀ ଆଗାମୀ କିଛିବର୍ଷ ମଧ୍ୟରେ ଭାରତ ବର୍ଷ ସମଗ୍ର ବିଶ୍ୱରେ ମଧୂମେହ ରୋଗୀଙ୍କ ରାଜଧାନୀ ହୋଇ ଯାଇପାରେ । ସେଥି ପାଇଁ ପ୍ରାଥମିକ ସ୍ଥରରୁ ଯଦି ଏହାକୁ ଚିହ୍ନଟ କରି ଚିକିତ୍ସା କରାଯାଏ ତାହା ହେଲେ ଜଣେ ମଧୂମେହ ଜନିତ ସ୍ୱାସ୍ଥ୍ୟଗତ ଜଟିଳତାରୁ ଦୁରେଇ ରହି ସୁସ୍ଥ ନିରାପଦ ଜୀବନ ଯାପନ କରିପାରିବ । ଏଥି ନିମନ୍ତେ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା କର୍କଟ , ମଧୂମେହ ଏବଂ ଷ୍ଟ୍ରୋକ୍ ନିୟନ୍ତ୍ରଣ ଜାତୀୟ କାର୍ଯ୍ୟକ୍ରମ ମାଧ୍ୟରେ ଏହି ଚିହ୍ନଟ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଚିହ୍ନଟ ଲୋକଙ୍କୁ ରାଜ୍ୟର ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ମାଗଣାରେ ଚିକିତ୍ସା ତଥା ଔଷଧ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।
ପ୍ରକାଶ ଥାଉକି ରାଜ୍ୟର ନବରଙ୍ଗପୁର , ମାଲକାନଗିରି , ବଲାଙ୍ଗିର , କୋରାପୁଟ ଏବଂ ନୂଆପଡା ଭଳି ୫ ଟି ଜିଲ୍ଲାରେ ଏହି ଜାତୀୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇତିବା ବେଳେ ପର୍ଯ୍ୟାୟକ୍ରମେ ୩୦ଟି ଯାକ ଜିଲ୍ଲାକୁ ସମ୍ପ୍ରସାରିତ ହେବ । ବର୍ତମାନ ଆଉ ୧୦ ଟି ଜିଲ୍ଲାରେ ପୁରୀ , ଖୋର୍ଦ୍ଧା , କଟକ , ସମ୍ବଲପୁର , ରାୟଗଡା , ମୟୁରଭଞ୍ଜ , କଳାହାଣ୍ଡି , ସୁନ୍ଦରଗଡ , ଗଞ୍ଜାମ ଏବଂ ଅନୁଗୋଳ ଜିଲ୍ଲାରେ ୩୦ ବର୍ଷ ବୟସରୁ ଉଦ୍ଧ୍ୱର୍ ଲୋକଙ୍କର ମଧୂମେହ ଚିହ୍ନଟ କରାଯିବ । ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା ୫ ଟି ଜିଲ୍ଲାରେ ପରୀକ୍ଷା କରାଯାଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୬ ରୁ ୭ ପ୍ରତିଶତ ମଧୂମେହରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଥିବା ବେଳେ ବର୍ତମାନ ଏହି ୧୦ ଟି ଜିଲ୍ଲାରେ ଯଥେଷ୍ଟ ସଂଖ୍ୟକ ଲୋକ ଚିହ୍ନଟ ହେବାର ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଗର୍ଭବତୀ ମହିଳା , ବୟସ୍କ ଲୋକ , ଯକ୍ଷ୍ମା ତଥା ଏଚ୍.ଆଇ.ଭି ଓ ଏଡସ୍ ଆକ୍ରାନ୍ତଙ୍କର ପରୀକ୍ଷା କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ଅଣସଂକ୍ରରାମକ ରୋଗ ନିୟନ୍ତ୍ରଣ ନୋଡାଲ ଅଫିସର ଡାଃ ପି.କେ.ବି ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏ ନେଇ ଏହି ୧୦ ଟି ଜିଲ୍ଲାକୁ ଗାଇଡଲାଇନ୍ ପଠାଯାଇ ସାରିଛି ଏବଂ ସଂପୃକ୍ତ ଜିଲ୍ଲାର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର , ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆବଶ୍ୟକ ପରିମାଣର ଗ୍ଲୁକୋମିଟର , ଗ୍ଲୁକୋଷ୍ଟ୍ରିପ୍ ଏବଂ ଲାନସେଟ୍ ଖୁବ୍ଶୀଘ୍ର ଯୋଗାଇ ଦିଆଯିବ । ଚିହ୍ନଟ ଲୋକମାନଙ୍କୁ ନିକଟସ୍ଥ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ବା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ରେଫର କରାଯିବ । ସେଠାରେ ଅଧିକ ସଠିକ ନିରୂପଣ ପୂର୍ବକ ଆବଶ୍ୟକ ମାଗଣା ଚିକିତ୍ସା ଏବଂ ଔଷଧ ପ୍ରଦାନ କରାଯିବ ଏବଂ ସୁସ୍ଥ ନିରାପଦ ଜୀବନ ଯାପନ ପାଇଁ ପରାମର୍ଶ ଦିଆଯିବ ।
ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ପ୍ରାଥମିକ ସ୍ଥରରୁ ମଧୂମେହ ଏବଂ ରକ୍ତଚାପ ରୋଗୀଙ୍କର ଚିକିତ୍ସା ସୁବିଧା କରାଗଲେ ସେକେଣ୍ଡାରୀ ଏବଂ ଶିର୍ଶ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ଏ ଭଳି ରୋଗୀଙ୍କର ଭିଡ ହ୍ରାସ ପାଇ ପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା ଆଶାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଏ ନେଇ ଡାକ୍ତରମାନଙ୍କର ସ୍ୱତନ୍ତ୍ର ତାଲିମ୍ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରାଥମିକ ସ୍ଥରରୁ ମଧୂମେହ ଚିହ୍ନଟ ସହ ଉପଯୁକ୍ତ ଚିକିତ୍ସା ଏବଂ ଜୀବନଶୈଳୀରେ ପରିବର୍ତନ ଆଣି ପାରିଲେ ମଧୂମେହ ଜନିତ ଜଟିଳତାରୁ ମୁକ୍ତ ରହି ଏକ ସୁସ୍ଥ ନିରାପଦ ଜୀବନ ଯାପନ କରିପାରିବା ।

Share in top social networks!