ଓଡିଶାରେ ଓଡିଆ

subrat prustyଡକ୍ଟର ସୁବ୍ରତ କୁମାର ପୃଷ୍ଟି
ଓଡିଶା ହେଉଛି ଗୋଟିଏ ଭୂଖଣ୍ଡ, ଯାହା ଉପରେ ବାସ କରୁଥିବା ଏକ ଜାତିର ନାମ ଅନୁସାରେ ଭୌଗୋଳିକ ପରିସୀମା ଚିହ୍ନଟ କରାଯାଇଛି । ଏହା ଇତିହାସରେ ଚିହ୍ନିତ ଅତୀତର କଳିଙ୍ଗ ସାମ୍ରାଜ୍ୟର ବିଭାଜିତ ଆଧୁନିକ ରୂପ ।ଗଙ୍ଗାଠାରୁ ଗୋଦାବରୀ ଏବଂ ନର୍ମଦାଠାରୁ କଳିଙ୍ଗସାଗର (ବର୍ତ୍ତମାନର ବଙ୍ଗୋପସାଗର)ପର୍ଯ୍ୟନ୍ତ ବ୍ୟାପିଥିବା କଳିଙ୍ଗ ଅଞ୍ଚଳ କାଳକ୍ରମେ ବିଭିନ୍ନ ଶାସକଙ୍କ ଅପାରଗତା ଫଳରେ ଖଣ୍ଡବିଖଣ୍ଡିତ ହୋଇ ବିଭିନ୍ନ ନାମରେ ପରିଚିତ ହୋଇଥିବାବେଳେ ଖାରବେଳ,ଶତ୍ରୁଭଞ୍ଜ, କପିଳେନ୍ଦ୍ରଙ୍କଭଳି ଓଡିଆ ଶାସକଙ୍କଦ୍ୱାରା ପୂର୍ବ ରୂପ ପରିବର୍ଦ୍ଧିତ ହୋଇ ଓଡିଶାର ସ୍ପର୍ଦ୍ଧିତ ଗୌରବ ବୈଜୟନ୍ତୀ ଉଡାଇବାରେ ସଫଳ ହୋଇଛନ୍ତି । ତେବେ ଇଂରେଜ ଶାସନ କାଳରେ ୩ଟି ପର୍ଯ୍ୟାୟରେ ଓଡିଶାକୁ ଅଧିକାର କରି ତିନୋଟି ଭାଷାଭାଷାୀ ଶାସିତ ଅଞ୍ଚଳରେ ମିଶାଇବା ଏବଂ ଓଡିଆଙ୍କ ଆକ୍ରମଣାତ୍ମକ ମାନସିକତାକୁ ଅବଦମିତ କରିବାପାଇଁ ସେମାନଙ୍କଦ୍ୱାରା ସୃଷ୍ଟ ନଅଙ୍କ ଦୁର୍ଭିକ୍ଷ ମାଧ୍ୟମରେ ଓଡିଆଜାତିର ମୂଳପିଣ୍ଡକୁ ହତ୍ୟା କରି ଯେଉଁ ଗୋଲାମୀ ମାନସିକତାଟିଏ ତିଆରି କରିଦେଲେ, ତାହା ପରବର୍ତ୍ତୀକାଳରେ ଓଡିଶାକୁ ସଂକୁଚିତ କରିଦେଉଛି ସିନା, ବର୍ତ୍ତମାନର ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ଅପୂର୍ବ ସୁଯୋଗ ଥିଲେ ମଧ୍ୟ ଆଉ ପୂର୍ବର ଗୌରବ ଫେରାଇ ଆଣିବାରେ ସାହାଯ୍ୟ କରୁନାହିଁ ।

ଓଡିଆ କହିଲେ ୨ଟି ପରିଚୟକୁ ଇଙ୍ଗୀତ କରେ । ଗୋଟିଏ ହେଉଛି ଭାଷା ଓ ଅନ୍ୟଟି ହେଉଛି ଏହି ଭାଷା କହୁଥିବା ଏକ ଜାତି । ବିଡମ୍ବନାର ବିଷୟ,ଏହି ଭାଷା ଆଗ କି ଜାତି ଆଗ, ତାହା ନିର୍ଣ୍ଣୟ କରିବା ବର୍ତ୍ତମାନର ଓଡିଆ ପଣ୍ଡିତମାନଙ୍କପାଇଁ ହୋଇଯାଇଛି କାଠିକର ପାଠ । ଯଦିଓ ପ୍ରଚୁର ପ୍ରମାଣ ଆମ ପାଖରେ ରହିଛି ଏବଂ ଓଡିଆ ଏକ ପ୍ରାଚୀନ ଜାତି ଓ ଭାଷା ବୋଲି ପ୍ରମାଣ କରାଯାଇ ଏହାକୁ ସଂସ୍କୃତ ସମକକ୍ଷ ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ମିଳିପାରିଥିବାରୁ କେବଳ ଭାରତ ନୁହେଁ, ବରଂ ସମଗ୍ର ବିଶ୍ୱରେ ଏହାର ପ୍ରାଚୀନତା ସ୍ୱୀକୃତ ହୋଇସାରିଛି; ତଥାପି ଆମ ପଣ୍ଡିତମାନେ ଏହାକୁ ୫୦୦ ବର୍ଷ (ସାରଳା ଦାସ) ତଳର କିମ୍ବା ୧୫୦୦ବର୍ଷ (ଗୁପ୍ତକାଳୀନ ରଚନା ନାଟ୍ୟଶାସ୍ତ୍ର) ତଳର କହି ଏହି ଗୌରବକୁ ସଂକୁଚିତ କରିବାରେ ଲାଗିଛନ୍ତି । ଏମାନେ ଏହାର କାଳ ନିର୍ଣ୍ଣୟ ବେଳେ କଳିଙ୍ଗର ସମୃଦ୍ଧ ଇତିହାସକୁ ଗୁରୁତ୍ୱର ସହ ବିଶ୍ଳେଷଣ କରିନାହାଁନ୍ତି । ଅବଶ୍ୟ ସେମାନଙ୍କ ସମ୍ମୁଖରେ ଓଡିଶା ଇତିହାସର ପୂର୍ଣ୍ଣ ପୃଷ୍ଠା ବଦଳରେ ଛିନ୍ନପୃଷ୍ଠା ଥିବାରୁ ଏଭଳି ସମସ୍ୟା ଉପୁଜିଛି ।

କାହିଁକି ଏଭଳି ସମସ୍ୟା ସୃଷ୍ଟି ହେଲା?
ଏଥିପାଇଁ ୨ଟି କାରଣ ମୁଖ୍ୟତ ଦାୟୀ । ଓଡିଶାର ଶିକ୍ଷାବ୍ୟବସ୍ଥାରୁ ପାରମ୍ପରିକ ଶୈଳୀ ଦୂରେଇଯିବା ଏବଂ ଅନ୍ୟଟି ହେଉଛି ଉପନିବେଶିକ ଶାସନରୁ ମୁକ୍ତ ହୋଇ ସ୍ୱାଧୀନତା ପ୍ରାପ୍ତି ପରେ ଓଡିଶାର ପ୍ରଶାସନ ଓ ନ୍ୟାୟ ବ୍ୟବସ୍ଥାରେ ଓଡିଆଭାଷାର ପ୍ରଚଳନ ପରିବର୍ତ୍ତେ ପୂର୍ବାପେକ୍ଷା ସବୁ ସ୍ତରରେ ଇଂରାଜୀ ଭାଷାର ବ୍ୟାପକ ପ୍ରଚଳନ କରାଇଲେ । ଯେତେବେଳ ପର୍ଯ୍ୟନ୍ତ ଚାକିରି ମାନସିକତା ଓଡିଆଙ୍କର ନ ଥିଲା, ସେ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ବିଶେଷ କିଛି କÿୁପ୍ରଭାବ ଦେଖା ଦେଇ ନ ଥିଲା । ମାତ୍ର ୧୯୯୦ ପରେ ଉଦାରିକରଣ ଆର୍ଥôକ ନୀତିର ଆଗମନ ହେଲା, ସେତେବେଳେ ଚାକିରି ପାଇବାପାଇଁ ଇଂରାଜୀ ପଢିବା ମାନସିକତା ଏଭଳି ଭାବରେ ବୃଦ୍ଧିପାଇଲା ଯେ, ବର୍ତ୍ତମାନ ଓଡିଶାର ଭବିଷ୍ୟତ ବଂଶଧର ଓଡିଆ କହିବାକୁ ଘୃଣାବୋଧ କଲେଣି । ଯାହା ଫଳରେ ବହୁ ସମୃଦ୍ଧ ଓ ପ୍ରାଚୀନ ଜାତି ଭାବରେ ଓଡିଆ ତାର ଅସ୍ତିତ୍ୱ ହରାଇବାକୁ ଯାଉଛି ।

ଶିକ୍ଷାବ୍ୟବସ୍ଥାରେ ଓଡିଆ
ଓଡିଆ ସାହିତ୍ୟର ପ୍ରାଚୀନତା ଆମ ନିକଟରେ ବର୍ତ୍ତମାନ ଅଗୋଚର । ବହୁ କଷ୍ଟରେ ଏହାକୁ ଖାରବେଳଙ୍କ ଶିଳାଲେଖର ଭାଷା ଓ ଶୈଳୀକୁ ପ୍ରମାଣ ଭାବରେ ଉପସ୍ଥାପନ କରି ଏହା ୨୦୦୦ବର୍ଷ ତଳର ବୋଲି ଗ୍ରହଣୀୟ ହେଲା । ତେବେ ମିଳିଥିବା ସାହିତ୍ୟକୃତି ଯଥା- ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ, ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଆଦି ପ୍ରମାଣ କରେ ପ୍ରାଚୀନ ଓଡିଆ ସାହିତି୍ୟକମାନେ କେବଳ ଭାଷା ବା ଶବ୍ଦଗୁମ୍ଫନରେ ଦକ୍ଷ ନ ଥିଲେ, ବରଂ ଏମାନେ ଭୁଗୋଳ, ଖଗୋଳ, ଇତିହାସ, ବିଜ୍ଞାନ, ସମାଜ ବିଜ୍ଞାନ, ଅର୍ଥନୀତି, କୃଷି, ପଶୁ ପାଳନ ଓ ଚିକିତ୍ସାଶାସ୍ତ୍ର ବିଷୟରେ ଯଥେଷ୍ଟ ଜ୍ଞାନ ଥିଲା । କାବ୍ୟ ଶୈଳୀରେ କାହାଣୀ ମାଧ୍ୟମରେ ଏହି ଗୂଢ ବିଷୟଗୁଡିକ ଏଭଳି ସରଳ ଭାବରେ ସଂଯୋଜନା କରାଯାଉଥିଲା ଯେ, ଏହା ଧର୍ମ ନୁହେଁ, ବରଂ ଶିକ୍ଷାଶାସ୍ତ୍ର ଭାବରେ ଗୃହୀତ ହେବାରୁ ପିଲାଟି ବେଳରୁ ବିଦ୍ୟାଶିକ୍ଷା ସହିତ ନିତିଦିନିଆ ଜୀବନର ଆବଶ୍ୟକତାକୁ ପୂରଣ କରିବାର ସାମର୍ଥ୍ୟ ସୃଷ୍ଟିହେଉଥିଲା । ଏହି ବ୍ୟବସ୍ଥା ୧୮୬୬ ପର୍ଯ୍ୟନ୍ତ ଠିକଠାକ ଚାଲିଥିଲା ।

ମାତ୍ର ୧୮୬୬ର ନଅଙ୍କ ଦୁର୍ଭିକ୍ଷରେ ଓଡିଆମାନେ ଚାହୁଁଚାହୁଁ ୪ମାସ ଭିତରେ ଦୁଇତୃତୀୟାଂଶ(୩୦ଲକ୍ଷରୁ ୨୦ଲକ୍ଷ) ଓଡିଆ ଖାଇବାକୁ ନ ପାଇ ଭୋକ ବିକଳରେ ଛଟପଟ ହୋଇ ମରିବା ଏବଂ କୌଣସି ଉପାୟରେ ବଞ୍ଚôଥିବା ବାକି ୧୦ଲକ୍ଷରୁ ପ୍ରାୟ ଅର୍ଦ୍ଧାଧିକ ନିଜର ସ୍ୱାଭିମାନକୁ ପବଳି ଦେଇ କଲିକତାରେ ବଙ୍ଗାଳିଙ୍କର ଚାକର ହେବା ପରିସ୍ଥିତି ଏକ ନୂଆ ସମୀକରଣକୁ ଜନ୍ମ ଦେଲା । ତାହାର ପ୍ରଥମ ଚୋଟ ଶିକ୍ଷା ବ୍ୟବସ୍ଥା ଉପରେ ପଡିଲା । ଓଡିଆମାନଙ୍କୁ ବଙ୍ଗାଳୀ, ତେଲେଙ୍ଗା ଓ ହିନ୍ଦିଭାଷାୀ କିରାଣୀଗଣ ଶାସନ କରୁଥିବାରୁ ସେମାନଙ୍କ ସ୍ଥାନ ଦଖଲପାଇଁ ଇଂରାଜୀ ଶିକ୍ଷାପଦ୍ଧତିକୁ ଆପଣେଇ ନିଆଗଲା । ପୂର୍ବରୁ ଇଂରେଜ ଶାସକଙ୍କ ଓଡିଆ ଶିକ୍ଷାପାଇଁ ସଂସ୍କୃତ ପଣ୍ଡିତଙ୍କଦ୍ୱାରା ରଚିତ ସଂସ୍କୃତ ବ୍ୟାକରଣର ଓଡିଆ ଅନୁବାଦକୁ ଓଡିଆଭାଷାର ବ୍ୟାକରଣ ଭାବରେ ଗ୍ରହଣ କରାଗଲା । ବର୍ଣ୍ଣଶିକ୍ଷାର ପ୍ରଥମ ବ୍ୟବସ୍ଥା ଷୋଡଶା ଓ
ଚଉତିଶା ବଦଳରେ ବଙ୍ଗଳାର ବର୍ଣ୍ଣବୋଧିକା ଅନୁକରଣରେ ବର୍ଣ୍ଣବୋଧ ଲେଖାଗଲା । ସେତେବେଳେ ଓଡିଶା ଶିକ୍ଷା କ୍ଷେତ୍ରରେ ସଂସ୍କୃତ ପଣ୍ଡିତମାନଙ୍କର ପ୍ରଭାବ ଥିବାରୁ ସେମାନଙ୍କ ତୁଷ୍ଟିକରଣପାଇଁ ଏହା ଓଡିଆ କମ ଓ ସଂସ୍କୃତକୁ ଅଧିକ ପ୍ରାଧାନ୍ୟ ଦେଲା । ଯଦିଓ ଏହି ବର୍ଣ୍ଣବୋଧ ତକ୍ରାଳୀନ ହାଡିଂଜ ସ୍କୁଲ ବା ବର୍ତ୍ତମାନର ଓଡିଆମାଧ୍ୟମ ବିଦ୍ୟାଳୟରେ ବର୍ଣ୍ଣ ଶିକ୍ଷା କରିବାର ପ୍ରଥମ ସ୍ରୋତ ଥିଲା ତଥା ଏହାର ବିଦ୍ୟାର୍ଥି ବଙ୍ଗାଳୀମାନେ ଥିବାରୁ ପ୍ରଥମରୁ ଓଡିଆମାନେ ବିରୋଧ କରି ନ ଥିଲେ । ଅନ୍ୟ ପକ୍ଷରେ ଗୋବିନ୍ଦ ରଥ ଭଳି ଅନେକ ବ୍ୟକ୍ତି ମୌଳିକ ଓଡିଆ ବର୍ଣ୍ଣବୋଧ ଲେଖିଥିଲେ ମଧ୍ୟ ତାହା ବିଦ୍ୟାଳୟଗୁଡିକରେ ପଢାଯାଉ ନ ଥିଲା । କାରଣ ଏହି ଆଧୁନିକ
ବିଦ୍ୟାଳୟର ମୁଖ୍ୟ ବା ଇନିସପେକ୍ଟର ଥିଲେ ସ୍ୱୟଂ ମଧୁସୂଦନ ରାଓ । କାଳକ୍ରମେ ଏହି ଶିକ୍ଷା ବ୍ୟବସ୍ଥା ଜନାଦୃତ ହେବାରୁ ପାରମ୍ପରିକ ଚାଟଶାଳୀ ପାଠର ସ୍ଥାନ ମଧୁସୂଦନ ରାଓଙ୍କ ଲିଖିତ ବର୍ଣ୍ଣବୋଧ ନେଲା ।

ବର୍ତ୍ତମାନ ଓଡିଶାରେ ଦେଖାଦେଇଥିବା ସମସ୍ତ ଶିକ୍ଷିତମାନେ ସେହି ବର୍ଣ୍ଣବୋଧକୁ ହିଁ ବିଦ୍ୟାଶିକ୍ଷାର ପ୍ରଥମ ଗ୍ରନ୍ଥ ଭାବରେ ଗ୍ରହଣ କରିନେଇ ଥିବାରୁ ଆଜିର ବର୍ଣ୍ଣଶଙ୍କର ଭାଷାଶିକ୍ଷା ବ୍ୟବସ୍ଥା ସୃଷ୍ଟି ହୋଇଛି । ଫଳରେ ଓଡିଆଭାଷା ୩ଟିଭାଷାର ପ୍ରଶାସନିକ ଆକ୍ରମଣରୁ ମୁକୁଳିବାକୁ ଯାଇ ଆଉ ୨ଟି ଭାଷାର ଦାସତ୍ୱକୁ ଆଦରି ନେଲା । ତେବେ ଇଂରେଜ ଶାସନ କାଳରେ ପ୍ରଶାସନିକ କ୍ଷେତ୍ରରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେଉଥିବାରୁ ଓଡିଆ ପ୍ରଶାସନ ଓ ନ୍ୟାୟର ଭାଷା ହୋଇଥିବାବେଳେ ସଂସ୍କୃତ ପାଲଟିଗଲା ଜ୍ଞାନର ଭାଷା । ପରିସ୍ଥିତି ଏଭଳି ସୃଷ୍ଟି ହୋଇଗଲା, ଓଡିଆ ଯେ ସଂସ୍କୃତର ଏକ ଅଂଶ ତାହା ବିଚାର କରାଯାଇ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଓଡିଆ ହୋଇଗଲା ସଂସ୍କୃତ ବିଭାଗର ଗୋଟିଏ ଅଂଶ । ସଂସ୍କୃତ ଅଧ୍ୟାପକମାନେ ଓଡିଆ ବିଭାଗର ମୁଖ୍ୟ ହେଲେ । ଫଳରେ ମୌଳିକ ଓଡିଆର ବିଲୋପ ଘଟି ଏହା ଅଧିକ ସଂସ୍କୃତାୟିତ ହୋଇଗଲା । ଅର୍ଥାତ ଭାଷା ଶିକ୍ଷାରେ ଆମକୁ ଗତ ଶତାବ୍ଦୀରେ ବିଦେଶୀ ଇଂରାଜୀ ନୁହେଁ, ବରଂ ସ୍ୱଦେଶୀ ସଂସ୍କୃତ ସହିତ ସଂଘର୍ଷ କରିବାକୁ ପଡିଲା ।

ସେହିଭଳି ନ୍ୟାୟ ଓ ପ୍ରଶାସନ କ୍ଷେତ୍ରରେ ଗତ ଶତାବ୍ଦୀର ଆରମ୍ଭରୁ ଓଡିଆଭାଷାର ପ୍ରଚଳନ ଥିଲା । ଆଜି ବି ବହୁ ସରକାରି ଦଲିଲ ଓଡିଆଭାଷା ଓ କରଣି ଲିପିରେ ଦେଖିବାକୁ ମିଳେ । ଏହା ହିଁ ଆମକୁ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାର ବାଟ ଫିଟାଇଥିଲା । ଆମ ଶିକ୍ଷିତବର୍ଗଙ୍କ ନିକଟରେ ସ୍ୱାଭିମାନକୁ ଜାଗରିତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା, ଯାହାର ପରିଣାମ ସ୍ୱରôୁପ ବଙ୍ଗଳାରୁ ବିଚ୍ଛିନ୍ନ ହୋଇ ବିହାର ସହିତ ମିଶି ତିଆରି ହୋଇଥିବା ବିହାର- ଓଡିଶା ପ୍ରଦେଶର ପ୍ରଥମ ବିଧାୟକ ସଭାରେ ଓଡିଆ ସଦସ୍ୟ ଭାରତବର୍ଷରେ ପ୍ରଥମକରି ୧୯୧୨ରେ ଶାସନ ବିଧାୟକ ସଭାରେ ନିଜ ଭାଷାରେ ବକ୍ତବ୍ୟ ଜଣେ ଓଡିଆ ସଦସ୍ୟ ରଖିଥିଲେ । ବିହାରି ସଦସ୍ୟଗଣ ଆପତ୍ତି କରି ଇଂରାଜୀରେ ବକ୍ତବ୍ୟ ରଖିବାକୁ ଦାବି କରିଥିଲେ ମଧ୍ୟ ସେହି ସ୍ୱାଭିମାନୀ ସଦସ୍ୟ ପଣ୍ଡିତ ବିଶ୍ୱନାଥ କର ଉଚ୍ଚ ସ୍ୱରରେ ଘୋଷଣା କରିଥିଲେ – “ମୋ ଜିଭ କାଟିଦିଆଗଲେ ବି ମୁଁ କେବଳ ମୋ ମାତୃଭାଷାରେ କହିବି । ମୋର ଏହି ଅଧିକାରକୁ କେହି ଛଡାଇ ନେଇପାରିବେନାହିଁ ।” ତାଙ୍କର ଅକାଟ୍ୟ ଯୁକ୍ତିକୁ ଇଂରେଜ ସରକାର ଗ୍ରହଣ କରି ଓଡିଆରେ ବକ୍ତବ୍ୟ ରଖିବାକୁ ଅନୁମତି ଦେଇଥିଲେ ।

ଭାଷାପ୍ରତି ଏହି ମମତା ହିଁ ଭାରତବର୍ଷରେ ଭାଷାକୁ ନେଇ ସ୍ୱତନ୍ତ୍ର ରାଜ୍ୟ ଭାବରେ ସର୍ବପ୍ରଥମେ ଓଡ଼ିଶା ଗଠନ ୧୯୩୬ ମସିହାରେ ହୋଇଥିଲା । ଓଡିଆରେ କାମ କରିବାପାଇଁ ପଣ୍ଡିତନୀଳକଣ୍ଠଙ୍କ ଅଧ୍ୟକ୍ଷତାରେ କମିଟି ମଧ୍ୟ ଗଠିତ ହୋଇଥିଲା । ଓଡିଆରେ ଉଚ୍ଚଶିକ୍ଷାପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲା । ମାତ୍ର ଦୁଃଖର କଥା ଓଡିଶା ଗଢିବାର ସୁନାମ ନେବାପାଇଁ ବାଡିଆପିଟା ହେବାଫଳରେ ମାତୃଭାଷାର ବିଲୟ ଘଟି ପୁଣି ସେହି ଗୋଲାମୀ ଭାଷାର ଦାସତ୍ୱ ଅଲକ୍ଷ୍ୟରେ ଆଦରି ନିଆଗଲା । ଦୁର୍ଭାଗ୍ୟକୁ ୨୦୦୦ ମସିହା ବେଳକୁ ଓଡିଶାର ଶାସନଭାର ଓଡିଆ ହୋଇଥିଲେ ମଧ୍ୟ ଜଣେ ଓଡିଆଭାଷା ସଂସ୍କୃତିଠାରୁ ବହୁ ଦୂରରେ ଥିବା ବ୍ୟକ୍ତି ହାତରେ ପଡିଲା । ଏହି କ୍ଷମତା ପିପାସୁ ବ୍ୟକ୍ତି ଜଣକ ଉଷ୍ମ ଓଡିଆତ୍ୱକୁ କିଭଳି ଭାବରେ ଅତି ସତର୍କତାର ସହିତ ଶୀତଳିକରଣ କରାଯାଇପାରିବ, ଦୀର୍ଘ ୧୪ବର୍ଷ ଧରି ସେ କେବଳ ତାହା ହିଁ କରିଛନ୍ତି ।

ସ୍ୱାଧୀନତା ପରେ ଓଡିଆଭାଷା ପ୍ରଚଳନ
ଓଡ଼ିଆକୁ ରାଜଭାଷାର ମାନ୍ୟତା ଦେଇ ମାତୃଭାଷାରେ ସମସ୍ତ କାର୍ଯ୍ୟ କରିବାର ନିଷ୍ପତ୍ତି ଭାରତବର୍ଷରେ ସର୍ବପ୍ରଥମେ ଓଡ଼ିଶାର ବିଧାନସଭା ୧୯୫୪ ମସିହାରେ ନେଇଥିଲା । ଅବଶ୍ୟ ଏହା ପଛରେ ଅନ୍ୟ ଏକ ରାଜନୈତିକ କାରଣ ନିହିତ ଥିଲା । ୧.୧୦.୧୯୫୩ରେ ଭାଷାଭିତ୍ତିକରାଜ୍ୟ ଆନ୍ଧ୍ରପ୍ରଦେଶ ଗଠନ ହେବାପରେ ଭାରତର ଅନ୍ୟ ଅଞ୍ଚଳରେ ଭାଷାଭିତ୍ତିକ ରାଜ୍ୟଗଠନପାଇଁ ଆନେ୍ଦାଳନ ହେବାରୁ ୨୨.୧୨.୫୩ରେ କେନ୍ଦ୍ର ସରକାର ରାଜ୍ୟପୁନର୍ଗଠନ ଆୟୋଗ ଓଡିଶାର ରାଜ୍ୟପାଳ ନ୍ୟାୟମୂର୍ତ୍ତୀ ଫଜଲଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଗଠନ କଲେ । ଏହି ଆୟୋଗ ପୂର୍ଣ୍ଣାଙ୍ଗ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବା ପୂର୍ବରୁ ବିଚ୍ଛିନ୍ନ ଓଡିଆ ଅଞ୍ଚଳକୁ ଏକତ୍ର କରିବାର ସୁଯୋଗ ପୁଣି ଥରେ ଉପସ୍ଥିତ ଥିବାରୁ ଓଡିଆଙ୍କ ପ୍ରାଣରେ ଜାତୀୟତାଭାବ ସୃଷ୍ଟିପାଇଁ ଓଡିଶାର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ୧୪.୧୦.୧୯୫୪ରେ ଓଡିଶା କାର୍ଯ୍ୟାଳୟ ଭାଷାଆଇନ-୧୯୫୪ ପ୍ରଣୟନ କଲେ । ଏହାର କାରଣ ଥିଲା ଓଡିଆଙ୍କ ଜାତୀୟତାବୋଧ ଅଭାବ ଯୋଗୁଁ ୬.୨.୫୪ରେ ଉକ୍ରଳ ସମ୍ମିଳନୀର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ପ୍ରସଙ୍ଗରେ କଳାହାଣ୍ଡି ରାଜା ପ୍ରତାପ କେଶରୀ ଦେବ ଓ ପଣ୍ଡିତ ଗୋଦାବରୀଶ ମିଶ୍ର ମାଡଖାଇବା ଘଟଣା । ଏହାପରେ ଓଡିଆଭାଷା ସବୁ କ୍ଷେତ୍ରରେ ପ୍ରଚଳନ ହେବାର ବାଟ ଫିଟିଲା । ସେହିଭଳି ଭାରତର ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବରେ ଓଡିଶା ଇଂରାଜୀଭାଷାକୁ ପ୍ରତ୍ୟାଖ୍ୟାନ କରି ୩.୮.୧୯୬୪ରେ ଓଡିଶା ସରକାରଙ୍କ ଘରୋଇ ବିଭାଗଦ୍ୱାରା ସରକାରି ସଂକେତ ଗୃହୀତ କରାଇଲେ । ଏଥିରେ “ଓଡିଶା ଶାସନ” ଓଡିଆ ଓ ନାଗରି ଲିପିରେ ଲେଖିବାଦ୍ୱାରା ରାଜ୍ୟସରକାର ଓଡିଆରେ ସବୁକାମ କରିବାପାଇଁ ଯେ ବଦ୍ଧପରିକର, ତାହା ପୁଣିଥରେ ପ୍ରମାଣ କଲେ ।
ଏହାପରେ ବିଭିନ୍ନ ନିଦେ୍ର୍ଧଶନାମା ଜାରି କରାଗଲା । ଯଥା-

୧. ପଲିଟିକାଲ ଆଣ୍ଡ ସର୍ଭିସେସ ନୋଟିଫିକେସନ ୮୧୮୯/୧୪-୪-୧୯୬୬ ଅନୁସାରେ ୧୬.୫.୧୯୬୬ମସିହାଠାରୁ ରାଜ୍ୟ ଗୋଷ୍ଠୀ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ, ରାଜସ୍ୱ ବିଭାଗ ଆଦିବାସୀ ଓ ଗ୍ରାମ ଉନ୍ନୟନ ବିଭାଗ, ଶିକ୍ଷା ବିଭାଗ, ଜଙ୍ଗଲ ବିଭାଗର ସମସ୍ତ କାର୍ଯ୍ୟ ଓଡିଆରେ କରାଯିବାକୁ ନିଦେ୍ର୍ଧଶ ଦିଆଗଲା ।
୨. ପଲିଟିକାଲ ଆଣ୍ଡ ସର୍ଭିସେସ ବିଜ୍ଞପ୍ତି ୭୧୧୩/ ୭.୪.୬୮ ଅନୁସାରେ ସମସ୍ତ ବିଭାଗୀୟ ମୁଖ୍ୟ ଦପ୍ତର କାର୍ଯ୍ୟ ଓଡିଆରେ କରିବାପାଇଁ ଓଡିଶା ସର୍ଭିସ କୋର୍ଡ ଧାରା-୨୦ ଅନୁଯୟୀ ନିଦେ୍ର୍ଧଶ ଦିଆଯାଇଥିଲା ।
୩. ରାଜ୍ୟ ଆଇନ ବିଭାଗର ପତ୍ର ୮୯୪/୧୬.୬ ୧୯୭୨ ମସିହାରେ ପ୍ରଦତ୍ତ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଓଡିଶାର ସମସ୍ତ ନ୍ୟାୟିକ କାର୍ଯ୍ୟ ଓଡିଆରେ କରିବାପାଇଁ ନିଦେ୍ର୍ଧଶ ଲୋକଭାଷାରେ ନ୍ୟାୟ ପ୍ରଦାନର ବାଟ ଫିଟାଇ ସମଗ୍ର ଭାରତର ଅନ୍ୟ ପ୍ରଦେଶମାନଙ୍କର ପଥପ୍ରଦର୍ଶକ ପାଲଟିଗଲା ।
୪. ୨୯.୩.୧୯୮୫ ବିଜ୍ଞପ୍ତି ଅନୁସାରେ ଓଡିଶା କାର୍ଯ୍ୟାଳୟ ଭାଷାଆଇନ-୧୯୫୪ ସଂଶୋଧନ କରାଯାଇ କେଉଁ କ୍ଷେତ୍ରରେ ଓଡିଆଭାଷା ପ୍ରଚଳନ ହେବ, ସେ ବିଷୟରେ ନିର୍ଦ୍ଧାରଣ କରାଗଲା ।
୫. ୨୩.୯.୮୫ରେ ଓଡିଶା କାର୍ଯ୍ୟାଳୟଭାଷା ଅଧିନିୟମ-୧୯୫୪, ଧାରା-୨, ଉପଧାରା-୧ରେ ସଂଶୋଧନ ଆଣି ସରକାରି କାର୍ଯ୍ୟାଳୟରେ ଓଡିଆସଂଖ୍ୟା ବଦଳରେ ଆନ୍ତର୍ଜାତିକ ଗଣନସଂଖ୍ୟା ବ୍ୟବହାରପାଇଁ ନିଦେ୍ର୍ଧଶ ଦିଆଗଲା । ଯଦିଓ ଏହା ରୋମାନ ଅକ୍ଷରକୁ ଲକ୍ଷ୍ୟ କରି କୁହାଯାଇଛି, ମାତ୍ର ଆନ୍ତର୍ଜାତିକ ଗଣନସଂଖ୍ୟା ୫ଟି ରହିଛି ଓ ଏହାକୁ ମିଳିତ ଜାତିସଂଘ ସ୍ୱୀକୃତି ଦେଇଛି ।
୬. ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ୪୩୩୩ /୨.୯.୧୯୯୪ ଅନୁସାରେ ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଓଡିଆକୁ ବାଧ୍ୟତାମୂଳକ ବିଷୟ ଭାବରେ ପଢାଇବାକୁ ନିଦେ୍ର୍ଧଶ ଦିଆଗଲା ।
୭. ୨୧.୩.୧୯୯୫ରେ ଓଡିଶାର ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ପତ୍ର ଲେଖି ଓଡିଆରେ ସମସ୍ତ କାମ କରିବାକୁ ଅନୁରୋଧ କରିଥିଲେ । ମାତ୍ର ସମସ୍ତ ଫାଇଲ ଇଂରାଜୀରେ ଆସୁଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରୁଛନ୍ତି ଓ କୌଣସି ନଥି ଇଂରାଜୀରେ ଆସିଲେ ତାହାକୁ ଫେରାଇ ଦିଆଯିବ ବୋଲି ୨୪.୪.୧୯୯୫ରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କ ପତ୍ରରୁ ଜଣାପଡେ ।
୮. ରାଜସ୍ୱ ଓ ଅବକାରୀ ବିଭାଗ ପତ୍ରସଂଖ୍ୟା ୧୪୨୮/୯.୧.୯୧, ୨୮୩୯୮/୧୮.୬.୯୭, ୪୯୧୪୮/୧୮.୯.୧୯୯୮ ଏବଂ ୫୦୦୩୮/ ୨୩.୯.୯୯ଅନୁସାରେ ରାଜ୍ୟ ଭିତରେ ସମସ୍ତ କାର୍ଯ୍ୟ ଶତପ୍ରତିଶତ ଓଡିଆଭାଷାରେ କରାଯିବ ଓ ଏହାର ଖିଲାପକାରୀଙ୍କ ବିରୁଦ୍ଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଗଲା ।
୯. କେନ୍ଦ୍ରାଞ୍ଚଳ ରାଜସ୍ୱ ବିଭାଗ ପତ୍ର ୬୯୭/୩୧.୮.୨୦୦୧ ଅନୁସାରେ ସମସ୍ତ ନାମଫଳକ ୩୦.୧୦.୨୦୦୧ ସୁଦ୍ଧା ଓଡିଆରେ ଲେଖିବାକୁ ନିଦେ୍ର୍ଧଶ ଦେବାସହ ଏହାର କାର୍ଯ୍ୟ କାରିତାପାଇଁ ଶ୍ରମବିଭାଗକୁ ଦାୟିତ୍ୱ ଦିଆଗଲା । ଏପରିକି ଏହି ନିର୍ଦ୍ଧଶ ପାଳନ କରୁ ନ ଥିବା ଅନୁଷ୍ଠାନ ବିରୁଦ୍ଧରେ କଡାକଡି ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଧଶ ଦିଆଗଲା ।
୧୦. ୧୯.୧.୨୦୦୫ରେ ରାଜ୍ୟ ବିଧାନସଭା ସଚିବାଳୟ କାର୍ଯ୍ୟାଳୟ ପତ୍ର ଅନୁସାରେ ବିଧାନସଭାର ସମସ୍ତ କାର୍ଯ୍ୟ ଓଡିଆରେ କରାଯିବ ବୋଲି ନିଦେ୍ର୍ଧଶ ଦିଆଗଲା ।
୧୧. ଓଡିଆରେ ସରକାରି କାମ କେଉଛି କି ନାହିଁ, ପ୍ରଥମ କରି ସମୀକ୍ଷା ବୈଠକ ୨.୧.୨୦୧୦ରେ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା । ଓଡିଆରେ ସରକାରି କାମ ହେଉ ନ ଥିବା ଦେଖି ପୁଣି ଏକ ପତ୍ର ସମସ୍ତ ଅଧିକାରୀଙ୍କୁ ଲେଖାଗଲା ।
୧୨. ତେବେ ଏସବୁ କାମ ହେଉ ନ ଥିବାରୁ ତଥା ଏହି କାମ କରୁଥିବା କର୍ମଚାରୀ ବା ଅଧିକାରୀ ମନୋନୟନ ପରୀକ୍ଷା ଓଡିଆରେ ହେଉ ନ ଥିବାରୁ ଏହା ସମ୍ବିଧାନର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଇଛି ଦର୍ଶାଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ମୁଁ ତା ୯.୫ ୧୨ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାଖଲ କଲି । ଡ.ଚ (ଉ) ଚଓଖ ଘଙ- ୮୭୭୮ ଙୠ ୨୦୧୨ ମାମଲାର ବିଚାର କରି ସମସ୍ତ କାର୍ଯ୍ୟ ଓଡିଆରେ କରିବା ସହିତ ରାଜ୍ୟର ସମସ୍ତ ନିଯୁକ୍ତିଭିତ୍ତିକ ପ୍ରତିଯୋଗିତାମୂଳକ ପରୀକ୍ଷା ଓଡିଆରେ ପରିଚାଳନା କରିବାକୁ ତଥା କାର୍ଯ୍ୟର ଅଗ୍ରଗତି ବିଷୟରେ ଆବେଦନକାରୀ ଭାବରେ ମୋତେ ଜଣାଇବାକୁ ଓଡିଶା ଲୋକସେବା ଆୟୋଗ ଓ ସାଧାରଣ ପ୍ରଶାସନ ବିଭାଗକୁ ୩୦-୧୧-୧୨ ରିଖରେ ନିଦେ୍ର୍ଧଶ ଦେଲେ ।

୧୩. ଉଚ୍ଚନ୍ୟାୟାଳୟର ନିଦେ୍ର୍ଧଶ ଅନୁସାରେ ସମସ୍ତ କାର୍ଯ୍ୟ ଓଡିଆରେ କରିବା ସହିତ ରାଜ୍ୟର ସମସ୍ତ ନିଯୁକ୍ତିଭିତ୍ତିକ ପ୍ରତିଯୋଗିତାମୂଳକ ପରୀକ୍ଷା ଓଡିଆରେ ପରିଚାଳନା କରିବାପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଚିବ ସମସ୍ତ ଜିଲ୍ଲାପାଳ ଓ ରାଜ୍ୟ ଲୋକସେବା ଆୟୋଗ ସମେତ ଅନ୍ୟ ନିଯୁକ୍ତି ସଂସ୍ଥା, ସମସ୍ତ ବିଭାଗକୁ ୨୮୩୧୫/ ୧.୧୨.୨୦୧୨ରେ ନିଦେ୍ର୍ଧଶ ଦେଲେ ।

୧୪. ଏହି ନିଦେ୍ର୍ଧଶ କାର୍ଯ୍ୟକାରୀ ହେଉ ନ ଥିବାର ପ୍ରମାଣ ସହ ବାରମ୍ବାର ପତ୍ର ସାଧାରଣ ପ୍ରଶାସନ ବିଭାଗକୁ ପ୍ରଦାନ କଲେ ମଧ୍ୟ କୌଣସି ଉତ୍ତର ନ ମିଳିବାରୁ ଆଇନ ଅବମାନନା ମାମଲା ଦାଖଲ କରିବି ବୋଲି ଶେଷପତ୍ରରେ ଉଲ୍ଲେଖ କରିବାରୁ ଶେଷରେ ସାଧାରଣ ପ୍ରଶାସନ ପକ୍ଷରୁ ପତ୍ରସଂଖ୍ୟା ୧୦୫୫୨/୧୭.୪.୨୦୧୩, ୧୨୪୮୮/୬.୫.୨୦୧୩, ୧୬୦୮୬/ ୧୨.୬.୨୦୧୩ ରିଖରେ ବିଭିନ୍ନ ଚିଠି ଓଡିଶାର କାର୍ଯ୍ୟାଳୟମାନଙ୍କୁ ପଠାଗଲା । ଲୋକସେବା ଆୟୋଗ ନିଜ ଉପରୁ ଦୋଷ ଛଡାଇବାକୁ ଯାଇ ଓଡିଶା ପ୍ରଶାସନିକ ପରୀକ୍ଷା-୨୦୧୧ର ମୁଖ୍ୟ ପରୀକ୍ଷା ଓଡିଆରେ ଲେଖିହେବ ବୋଲି ଏକ ସଂକ୍ଷିପ୍ତ ସୂଚନା ଦେଲେ । ମାତ୍ର ଓଡିଆରେ ପରୀକ୍ଷା ଉତ୍ତର କିପରି ଲେଖାଯିବ, ସେ ବିଷୟରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ନ ଦେଇ ପ୍ରଶ୍ନପତ୍ର କେବଳ ଇଂରାଜୀରେ ଛାପି ପିଲାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଦେଲେ । ଏହାବ୍ୟତୀତ ଆଉ କୌଣସି ପଦକ୍ଷେପ ନିଆ ନ ଯିବାରୁ ପୁଣି ଏକ ରିଟ ପିଟିସନ ଗତବର୍ଷ ଫେବୃଆରିରେ କରିଥିଲି । ଉଚ୍ଚ ନ୍ୟାୟାଳୟର ନିଦେ୍ର୍ଧଶ ଅମାନ୍ୟ କରିଥିବାରୁ ଏହାର କାରଣ ସମ୍ପର୍କରେ ଏକମାସ ଭିତରେ ସତ୍ୟପାଠ ଜରିଆରେ ମତ ରଖିବାକୁ ଓଡିଶା ଲୋକସେବା ଆୟୋଗ, ରାଜ୍ୟ ସାଧାରଣ ପ୍ରଶାସନ ବିଭାଗକୁ ଜୁଲାଇ ମାସରେ ନିଦେ୍ର୍ଧଶ ଦିଆଗଲା । ମାତ୍ର ଏପର୍ଯ୍ୟନ୍ତ ସରକାର ବା ଲୋକସେବା ଆୟୋଗ କୌଣସି ଉତ୍ତର ଦେଇନାହାନ୍ତି ।

୧୫. ଗତ ଡିସେମ୍ବର୨୦୧୪ରେ ରାଜ୍ୟ ବିଧାନସଭାରେ ଓଡିଆଭାଷାରେ ବିଲ ଉପସ୍ଥାପନ ଓ ସମସ୍ତ କାର୍ଯ୍ୟ ଓଡିଆରେ କରିବାପାଇଁ ବିରୋଧିଦଳର ସଦସ୍ୟମାନେ ଦାବି କରିବାରୁ ଏହାକୁ ପ୍ରଶମିତ କରିବାପାଇଁ ପୁଣି ଥରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୩୨୬୯୮/ ୮.୧୨.୨୦୧୪ ଅନୁସାରେ ସମସ୍ତ ବିଭାଗର ସଚିବ ଓ ଜିଲ୍ଲାପାଳମାନଙ୍କୁ ଓଡିଆରେ କାମ କରିବାପାଇଁ ଅନୁରୋଧ କରାଗଲା (ନିଦେ୍ର୍ଧଶ ନୁହେଁ) । ଏହି ପତ୍ର ଆଧାରରେ ଚଳିତ ବିଧାନସଭାର ୭ ତାରିଖରେ ଏ ବିଷୟରେ ପୁଣି ଥରେ ମାନ୍ୟବର ସଦସ୍ୟଗଣ ପ୍ରଶ୍ନ ପଚାରିବାରୁ ମୁଖ୍ୟମନ୍ତ୍ରୀ ଏହାର ଉତ୍ତରରେ କହିଲେ ସମସ୍ତ ସରକାରି କାମ ଓଡିଆରେ କରିବାପାଇଁ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।

ଏଠାରେ କହିରଖେ, ଓଡିଆରେ ସରକାରି କାମ କରିବାପାଇଁ ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦୀର୍ଘ ୧୪ବର୍ଷକାଳ ଅଧିନସ୍ତ କର୍ମଚାରିମାନଙ୍କୁ ଏତେ ଚିଠି ଲେଖିଲେଣି ଯେ, ତାହା ଗିନିସ ବୁକ ଅଫ ରେକର୍ଡରେ ସ୍ଥାନ ପାଇଯିବ । ଅଥଚ ସେ କେତେ ପାରିବାର, ତାଙ୍କର ଏହି ନିଦେ୍ର୍ଧଶନାମା କାର୍ଯ୍ୟକାରି ନ ହେବା ହିଁ ପ୍ରମାଣ କରିଥାଏ । ଏସବୁ ଘଟଣାକୁ ଲକ୍ଷ୍ୟ କରିଥରବା ନିନ୍ଦୁକମାନେ କହିଲେ ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଚିଠିଲେଖା ମୁଖ୍ୟମନ୍ତ୍ରୀ ।
ଓଡିଆରେ ସରକାରି କାମ କରିବାପାଇଁ ଆଇନ, ନିଦେ୍ର୍ଧଶ ସହିତ ଓଡିଆପ୍ରାଣତା ରହିବା ଦରକାର । ଏହା ନ ଥିଲେ ଓଡିଆରେ କାମ ହୋଇପାରିବନାହିଁ । ଦୃଷ୍ଟାନ୍ତ ସ୍ୱରୂପ, ୧୯୮୫ରେ ନବକଳେବର ପାଇଥିବା ଓଡିଶା କାର୍ଯ୍ୟାଳୟ ଭାଷାଆଇନ-୧୯୫୪ ଓଡିଶାର ଜନସାଧାରଣ ନିଜଭାଷାରେ ନ୍ୟାୟ, ପ୍ରଶାସନ, ଶିକ୍ଷା ଆଦି ପ୍ରଦାନ କରିବାର ବ୍ୟବସ୍ଥା ଉପରେ ପ୍ରଥମ ଅଙ୍କୁଶ ପ୍ରଦାନ କଲା । ଏହି ସଂଶୋଧନ ଅନୁସାରେ-
୧. ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟାର କାର୍ଯ୍ୟାଳୟ, ଟ୍ରୁ୍ୟବନାଲ କୋର୍ଟ, ଜଜ କୋର୍ଟ, ତଳକୋର୍ଟ, ନ୍ୟାୟିକ ଓ ଉପନ୍ୟାୟିକ କାର୍ଯ୍ୟରେ ଓଡିଆଭାଷା ପ୍ରଚଳନ ହେବ ନାହିଁ ।
୨. ବୈଷୟିକ କ୍ଷେତ୍ର, ଆର୍ଥôକ କ୍ଷେତ୍ର, ଟ୍ରାଫିକ ସଂକେତ, ବେସରକାରି ବା ବ୍ୟକ୍ତିଗତ ଚିଠିପତ୍ର, ଫାର୍ମ, କମ୍ପାନୀ, ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ସହ ପତ୍ରାଳାପ ଓଡିଆରେ ହେବନାହିଁ ।
୩. ଇଂରାଜୀଭାଷା ପ୍ରଚଳନ ଆବଶ୍ୟକ ଥିବା କ୍ଷେତ୍ରରେ ଓଡିଆଭାଷା ବ୍ୟବହାର ହେବନାହିଁ ।
୪. ଓଡିଆଭାଷା ପ୍ରଚଳନପାଇଁ ଓଡିଶା କାର୍ଯ୍ୟାଳୟଭାଷା ଅଧିନିୟମ-୧୯୫୪ ଏବଂ ଏହି ତାରିଖ ପର୍ଯ୍ୟନ୍ତ ଏହି ଉପଧାରା ଅନ୍ତର୍ଗତ ଯେତେସବୁ ନିଦେ୍ର୍ଧଶାବଳୀ/ ବିଜ୍ଞପ୍ତି ପ୍ରକାଶିତ ହୋଇଛି, ସେସବୁକୁ ପ୍ରତିହତ କରି ଏହି ସଂଶୋଧିତ ଅଧିନିୟମ ୧.୪.୧୯୮୫ ମସିହାରୁ ସମସ୍ତ କାର୍ଯ୍ୟାଳୟରେ ପ୍ରଚଳିତ ହେବ ବୋଲି ରାଜ୍ୟ ସରକାର ନିଦେ୍ର୍ଧଶ ଦେଉଛନ୍ତି ।

୧୯୮୫ ମସିହାର ସଂଶୋଧିତ କାର୍ଯ୍ୟାଳୟ ଭାଷା ଆଇନର ଗଳାବାଟ ଦେଇ ଇଂରାଜୀ ଭାଷାର ପ୍ରଚଳନ ପୂର୍ଣ୍ଣମାତ୍ରାରେ ଚାଲିଲା । ଏପରିକି ଜନସାଧାରଣଙ୍କ ଦାବିକୁ ଗ୍ରହଣ କରି ସରକାର ବିଭିନ୍ନ ସମୟରେ ଓଡିଆରେ କାମ କରିବାପାଇଁ ଦେଉଥିବା ନିଦେ୍ର୍ଧଶକୁ କେତେକ ଅଣଓଡିଆ ଅଧିକାରୀ ଗ୍ରହଣ କରୁଥିବାବେଳେ ଓଡିଆ ଅଧିକାରୀଗଣ ଏହି ଆଇନର ଆଳ ଦେଖାଇ ଇଂରାଜୀରେ ସମସ୍ତ କାମ କରୁଛନ୍ତି । ତେଣୁ ଓଡିଆରେ ଶିକ୍ଷା, ପ୍ରଶାସନ ଓ ନ୍ୟାୟ ବ୍ୟବସ୍ଥା ପ୍ରଚଳନପାଇଁ ଓଡିଶା କାର୍ଯ୍ୟାଳୟ ଭାଷା ଆଇନ-୧୯୮୫ର ପୂର୍ଣ୍ଣ ଉଚ୍ଛେଦ ସହିତ ସାମ୍ପ୍ରତିକ ସ୍ଥିତିକୁ ଅନୁଶୀଳନ କରି ଆଉ ଏକ ଭାଷାଆଇନ ପ୍ରଚଳନ କରିବା ଆବଶ୍ୟକ ହୋଇପଡିଛି ।

ଓଡିଆ ଏକ ପ୍ରାଚୀନ ଓ ଗୌରବମୟ ଭାଷା ହୋଇଥିବାରୁ କେନ୍ଦ୍ରିୟ ଭାଷା ବିଶେଷଜ୍ଞ କମିଟି ସୁପାରିଶ ଅନୁସାରେ ଦେଶର ଷଷ୍ଠ ଶାସ୍ତ୍ରୀୟଭାଷାର ଗୌରବ ପାଇଛି । ଏବେ ଭାଷାକୁ ସମୃଦ୍ଧ କରିବା ଦାୟିତ୍ୱ ବଢିଯାଇଛି । ମାତ୍ର ଆମେ ସମୃଦ୍ଧି ବଦଳରେ ସୁରକ୍ଷାପାଇଁ ଚିନ୍ତିତ । ଏହା ହିଁ ସୂଚାଇଦିଏ ଆମ ଭାଷାର ବର୍ତ୍ତମାନ ସ୍ଥିତି । ଆଜି ଭାଷା ସୁରକ୍ଷାପାଇଁ ଯେଉଁମାନେ ଚିନ୍ତିତ, ସେମାନେ କେବଳ ଓଡିଆ ଭାଷା ବ୍ୟବହାରର ବାହାର ରୂପ ଦେଖି ଏହାର ପ୍ରତିକାରପାଇଁ ଦାବି କରୁଛନ୍ତି ।

ଭିତରକଥାକୁ ବୁଝିବାପାଇଁ କେହି ରାଜି ନୁହଁନ୍ତି । ଏମାନଙ୍କର ଗୋଟିଏ ଦାବି ସରକାରୀ କାମ ଓଡିଆରେ ହେଉ । କିନ୍ତୁ ଏହି କାମ କରିବାପାଇଁ ନିଯୁକ୍ତ କର୍ମଚାରୀ ଯଦି ଓଡିଆରେ ପଢି ନ ଥିବ କିମ୍ବା ଓଡିଆ ମାଧ୍ୟମରେ ନିଯୁକ୍ତି ପରୀକ୍ଷା ଦେଇ ନ ଥିବ, ତେବେ ଓଡିଆରେ ନଥି ଲେଖିବାପାଇଁ ତାହାର ଭାଷା ଦକ୍ଷତା କେଉଁଠାରୁ ଆସିବ?
ଓଡିଆରେ ସରକାରି କାମ କରିବାପାଇଁ ପ୍ରଶାସନିକ ଭାଷାକୋଷ କିମ୍ବା ଅନ୍ୟ କୌଣସି ଅଭିଧାନ ଯଥେଷ୍ଟ ନୁହେଁ । ଏଥିପାଇଁ ବ୍ୟବହାରିକ ଜ୍ଞାନର ଯଥେଷ୍ଟ ଆବଶ୍ୟକ ରହିଛି । ସେଇଥିପାଇଁ ଯେକୌଣସି କାର୍ଯ୍ୟପାଇଁ କର୍ମଚାରୀ ନିଯୁକ୍ତିବେଳେ ଭାଷା ଦକ୍ଷତା ବିଭିନ୍ନ ବିଷୟକ ପରୀକ୍ଷା ମାଧ୍ୟମରେ ମପାଯାଏ । ଏହା ସବୁ ଭାହାରେ ହେଉଛି । ଓଡିଶାରେ ମଧ୍ୟ ହେଉଛି । ମାତ୍ର ଇଂରାଜୀରେ କାମ କରିବାପାଇଁ, ଓଡିଆରେ ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀ ଯେତେ ଚିଠି ଲେଖିଲେ କିମ୍ବା ସ୍ୱତନ୍ତ୍ର ଆଇନ ପ୍ରଣୟନ କଲେ ମଧ୍ୟ ଓଡିଆ ମାଧ୍ୟମରେ ଶିକ୍ଷା ଓ ନିଯୁକ୍ତି ପରୀକ୍ଷା ଆୟୋଜନ ନ କରିବା ପର୍ଯ୍ୟନ୍ତ ଓଡିଆରେ ସରକାରୀ କାମ ହେବା ସମ୍ଭବ ନୁହେଁ ।

ଓଡିଆଭାଷା ଓ ଜାତିର ଦୁର୍ଭାଗ୍ୟର ବିଷୟ ଓଡ଼ିଶାର ଶାସକଗଣ ରାଜ୍ୟଭାଷା ବଦଳରେ ବିଶ୍ୱଭାଷା ଆଳରେ ପୁଣି ସେହି ଇଂରାଜୀକୁ ଶିକ୍ଷା ଓ ପ୍ରଶାସନର ଭାଷା ଭାବରେ ପ୍ରଚଳନ କରୁଥିବାରୁ ଓଡ଼ିଶା ଆଜି ପ୍ରଗତି ବଦଳରେ ଦରିଦ୍ରତମ ରାଜ୍ୟ ଭାବରେ ପରିଣତ ହୋଇସାରିଛି । ଉଚ୍ଚଶିକ୍ଷାର ପ୍ରମାଣପତ୍ର ଥିଲେ ମଧ୍ୟ ନିଯୁକ୍ତି କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପାରୁ ନ ଥିବାରୁ ସାଧାରଣ ଓଡ଼ିଆ ଯୁବକ କେବଳ ଶିକ୍ଷିତ ବେକାରୀ ଶ୍ରେଣୀରେ ଗଣାଯାଉଛନ୍ତି । ମାତୃଭାଷାକୁ ଶିକ୍ଷାର ମାଧ୍ୟମ ରୂପେ ଗ୍ରହଣ ନ କରିବା ଫଳରେ ଓଡ଼ିଶାର ଭାଷା, ସଂସ୍କୃତି ଏବଂ ଇତିହାସ ଆଜି ହୋଇ ପଡିଛି ଅନାଲୋଚିତ । କେନ୍ଦ୍ରିୟ ନୀତି ଅନୁସାରେ ଜଣେ ବିଦ୍ୟାର୍ଥୀ ଓଡିଆରେ ଆଇ.ଏ.ଏସ. ପରୀକ୍ଷା ଦେଇ ସର୍ବଭାରତୀୟ ସ୍ତରରେ ସଫଳ ହୋଇ ବିଭିନ୍ନ ରାଜ୍ୟରେ ପ୍ରଶାସନିକ ଅଧିକାରୀ ରୂପେ ନିଯୁକ୍ତି ପାଉଥିବାବେଳେ, ରେଳବାଇ ଏବଂ
ସଂଘ କର୍ମଚାରୀ ଚୟନ ଆୟୋଗ ଭଳି ଅନ୍ୟ ସର୍ବଭାରତୀୟ ପରୀକ୍ଷା ଓଡିଆରେ ଲେଖି ସଫଳ ହେଉଥିବାବେଳେ ଏମାନଙ୍କୁ ଓଡିଶାର ପ୍ରଶାସନିକ /ଶିକ୍ଷା / ନ୍ୟାୟିକ ଅଧିକାରୀ ଭାବରେ ନିଯୁକ୍ତିପାଇଁ ଅନୁଷ୍ଠିତ ପରୀକ୍ଷା ଓଡିଆରେ ଦେବା ସୁଯୋଗରୁ ବଞ୍ଚିତ କରାଯାଉଛି । ଫଳରେ ପ୍ରତିବର୍ଷ ଓଡିଆମାଧ୍ୟମର ୯୩ଭାଗ (୫ଲକ୍ଷ ୫୦ ହଜାର) ବିଦ୍ୟାର୍ଥୀଙ୍କ ବଦଳରେ ଇଂରାଜୀ ମାଧ୍ୟମର ମାତ୍ର ୭ଭାଗ(୧୯ହଜାର) ବିଦ୍ୟାର୍ଥୀଙ୍କ ନିଯୁକ୍ତିପାଇଁ ରାଜ୍ୟ ସରକାର ସାମ୍ବିଧାନିକ ନିୟମ ଉଲଙ୍ଘନ କରି ସମସ୍ତ ସୁବିଧା ପ୍ରଦାନ କରୁଛି ।

ଓଡିଶା ଲୋକସେବା ଆୟୋଗଦ୍ୱାରା ପରିଚାଳିତ ସମସ୍ତ ପ୍ରକାରର ପରୀକ୍ଷା ପ୍ରଶ୍ନପତ୍ର ଓଡିଆଭାଷାରେ ମୁଦ୍ରଣ ଓ ପରୀକ୍ଷା ଉତ୍ତର ଓଡିଆରେ ଲେଖିବା ଓ ସମସ୍ତ କାର୍ଯ୍ୟ ଓଡିଆରେ କରିବାପାଇଁ ଗତ ୩୦.୧୧.୧୨ ରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ମାମଲାର ବିଚାର କରି ସମସ୍ତ ପରୀକ୍ଷା ଓଡିଆରେ ପରିଚାଳନା କରିବାପାଇଁ ସାଧାରଣ ପ୍ରଶାସନ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ । ଏହି ନିଦେ୍ର୍ଧଶ ଦେବାର ୨ବର୍ଷ ବିତିଯାଇଥିଲେ ମଧ୍ୟ ଓଡିଶା ଲୋକସେବା ଆୟୋଗ ସମେତ ରାଜ୍ୟ ସମସ୍ତ ନିଯୁକ୍ତି ଭିତ୍ତିକ ପରୀକ୍ଷା ସହିତ ଆବେଦନପତ୍ର (କେବଳ ସାକ୍ଷାତକାରପାଇଁ ଆବେଦନପତ୍ର ବ୍ୟତୀତ) ୱେବସାଇଟ, ଆୟୋଗର ଚିଠିପତ୍ର ଆଦାନପ୍ରଦାନ ଓ ଯୋଗାଯୋଗ ଆଦି ସମସ୍ତ କାର୍ଯ୍ୟ କେବଳ ଇଂରାଜୀରେ ହେଉଛି ।

ଆଜି ଇତିହାସ ରଚନାପାଇଁ ଓଡିଆଙ୍କ ନିକଟରେ ପୁଣି ଏକ ସୁଯୋଗ ଆସି ପହଞ୍ଚôଛି । ଶାସ୍ତ୍ରୀୟତା ପରେ ଓଡିଆଙ୍କ ଭାଷାପାଇଁ ମମତା ବହୁଗୁଣରେ ବଢିଯାଇଛି । ଖବରକାଗଜ, ପତ୍ରପତ୍ରିକାରୁ ଜଣାପଡୁଛି ଆମ ସମାଜଚିନ୍ତକଙ୍କ ହୃଦୟର ବ୍ୟଥା ଓ ବେଦନା । ତେବେ ଏଥିରେ ଭାଷାର କୌଣସି ବିକାଶ ହେବନାହିଁ ।

ବିକାଶ ଘଟିବ ସେତିକିବେଳେ, ଯେତେବେଳେ ଓଡିଆରେ ଶିକ୍ଷା, ଗବେଷଣା ,କାର୍ଯ୍ୟ ପ୍ରଚଳିତ ହେବ । ଏତକ ହୋଇଗଲେ ଆପେଆପେ ନିଯୁକ୍ତିର ବାଟ ଫିଟିବ । ଓଡିଆ ମାଧ୍ୟମରେ ପଢି ଓ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ନିଯୁକ୍ତ କିରାଣି କିମ୍ବା ଅଧିକାରିକୁ ଓଡିଆରେ ସରକାରି କାମ କରିବାକୁ ଆଉ ଅସୁବିଧା ହେବନାହିଁ । ଓଡିଆଭାଷାରେ ହୋଇଥିବା ଶିକ୍ଷା ଓ ଗବେଷଣା ଓଡିଆଙ୍କ ବିକାଶପାଇଁ କାମରେ ଲାଗିବ । ନଚେତ ଭାଷାପାଇଁ ଆମେ କାନ୍ଦୁଥିବା ସିନା ଭାଷା ଆମଠାରୁ ଆମରି ଆଖି ଆଗରେ ଲୋପ ପାଇଯିବାର କରୁଣ ଦୃଶ୍ୟକୁ ଆମେ କେବଳ ଜଳକାଙ୍କ ଭଳି ଚାହିଁ ରହିଥିବା ।

ସଦସ୍ୟ ସଚିବ
ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା
ଦୂରଭାଷା- ୯୦୯୦୪୬୫୭୫୮
Email id: subratodia@gmail.com

Share in top social networks!