ଗୋଲାପ ବଦଳରେ ଗୋଲାପଗଛ: ଭାଲେଂଟାଇନ୍ ଡେ ରେ ସ୍ୱେଚ୍ଛାସେବୀଙ୍କ ଅଭିନବ ଅଭିଯାନ

rosebakulରଙ୍ଗ ବେରଙ୍ଗର ଗୋଲାପ । ସୁନ୍ଦର ଭାବେ ସଜାହୋଇଥିବା ଗୋଲାପ ଗଛ ଧରି ରାଜଧାନୀ ରାଜରାସ୍ତାରେ ଘୁରି
ବୁଲୁଥିଲେ ବକୁଳ ଫାଉଣ୍ଡେସନର ଯୁବ ସ୍ୱେଚ୍ଛାସେବୀ । ଦିନିକିଆ ପ୍ରେମ ଓ ଦିନିକିଆ ଗୋଲାପ ବଦଳରେ ଏକ ଦୀର୍ଘସ୍ଥାୟୀ
ସଂପର୍କର ଆରମ୍ଭ ଗଛ ଲଗେଇ କରିବାର ବାର୍ତାକୁ ଲୋକଙ୍କ ପାଖକୁ ପହଂଚାଇବାର ଚେଷ୍ଟା କରିଥିଲେ ଏମାନେ ।
ଯେ କୈାଣସି ଅବସରରେ ଫୁଲତୋଡା ବଦଳରେ ଫୁଲଗଛଟିଏ ଉପହାର ଦେବାର ସଚେତନତାକୁ ଅତି ଅଭିନବ ଭାବରେ
ଲୋକଙ୍କ ପାଖକୁ ନେଇଆସିଥିଲେ ଏହି ସ୍ୱେଚ୍ଛାସେବୀ ମାନେ । ଅଦ୍ୟାବଧୀ ସମୁଦାୟ ୨୦୦ଟି ଗଛ ବିକ୍ରି କରିଥିବା ଏହି
ସ୍ୱେଚ୍ଛାସେବୀ ମାନେ ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ପ୍ରଚାର କରିବେ ବୋଲି କହିଛନ୍ତି । ଆଜି ଏହି ପ୍ରକାର ସୁସଜ୍ଜିତ
ଗଛ ଉପହାର ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଦୁଇଟି ଭିନ୍ନ ଭିନ୍ନ ଷ୍ଟଲରେ ବିକ୍ରି ହେଉଥିବା ବେଳେ ରାଜଧାନୀର ୧୦ଟି ଭିନ୍ନ ଫୁଲ
ଦୋକାନୀଙ୍କ ପାଖରେ ମଧ୍ୟ ଉପଲବ୍ଧ ଥିବା କଥା କହିଛନ୍ତି ବକୁଳର ଅନ୍ୟତମ ସଦସ୍ୟା ସୁଲଗ୍ନା ।
ଏଠାରେ ସୂଚନାଯୋଗ୍ୟ ଯେ ଆଜିର ଏହି କାର୍ଯ୍ୟକ୍ରମଟି ବକୁଳର “ମାଇ ଟ୍ରି କ୍ୟାମ୍ପେନ୍” ବା “ମୋ ଗଛ ଅଭିଯାନ”ର ଏକ ଛୋଟ
ପ୍ରୟାସ । ଏହି ଅଭିଯାନରେ ଗଛ ସହିତ ମଣିଷ ଜୀବନକୁ ଯୋଡିବାକୁ ପ୍ରୟାସ ଆରମ୍ଭ କରାଯାଇଛି । ଯାହା ଫଳରେ
ସର୍ବସାଧାରଣରେ ଗଛ ପାଇଁ ଅଙ୍ଗୀକାରବଦ୍ଧତା ସୃଷ୍ଟି ହବ । ଏହି ଅଭିଯାନରେ ବିଭିନ୍ନ ସମୟରେ ଆମେ ଦେଉଥିବା ଦାମୀ
ଉପହାର ବଦଳରେ ଏକ ଗଛ ଚାରା ଟିଏ ଉପହାର ଦେବାର ଅଭ୍ୟାସକୁ ସମସ୍ତେ ଆଦରି ନେବାକୁ ସଚେତନତା ସୃଷ୍ଟି କରୁଛନ୍ତି
ସ୍ୱେଚ୍ଛାସେବୀମାନେ ।
ଅଦ୍ୟାବଧୀ ୮୫୦୦ରୁ ଅଧିକ ଚାରା ବଂଟନ ସରିଛି ବକୁଳ ଦ୍ୱାରା ଏବଂ ଅନେକ ପୁନର୍ବାର ଆସୁଛନ୍ତି ଚାରା ନେଇ ବୃକ୍ଷରୋପଣ
କରିବାକୁ । ୨୦୦୯ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଇଂଟରନେଟର ଫେସ୍ବୁକ ଭଳି ସାଇଟରେ ଏକ ସ୍ୱତନ୍ତ୍ର ପରିଚିତି
ହାସଲ କରିଛି । ଏହା ଛଡା ରାଜଧାନୀର ବିଭିନ୍ନ ବିଦ୍ୟାଳୟ, କଲେଜ ତଥା ଆପାର୍ଟମେଂଟ ମାନଙ୍କରେ ପରିବେଶ ସମ୍ବନ୍ଧୀୟ
ଭ୍ରାମ୍ୟମାନ ଚଳଚିତ୍ର ଉତ୍ସବ ଆୟୋଜନ କରାଯାଉଛି । “୨୦୧୪ ନଭେମ୍ବର ରୁ ଜୁନ୍ ୨୦୧୫ ମଧ୍ୟରେ ନୁ୍ୟୟର୍କରେ
ଆୟୋଜିତ ମୁ୍ୟଜିୟମ ଅଫ ମର୍ଡନ ଆର୍ଟରେ ମଧ୍ୟ ଏହି ଅଭିଯାନକୁ ସ୍ୱତନ୍ତ୍ର ସ୍ଥାନ ମିଳିଥିଲା । ଆମେ ଆମ ତରଫରୁ ଆବେଦନ
କରିନଥିଲେ ମଧ୍ୟ ଏହି ସମ୍ମାନଜନକ ସମାରୋହର ଆୟୋଜକ ତାଙ୍କ ତରଫରୁ ଏହାକୁ ଗ୍ରହଣ କରିଥିଲେ ।” ଏହା କହିଛନ୍ତି
ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ସୁଜିତ ମହାପାତ୍ର ।

Share in top social networks!