ସଡ଼କ ଦୁର୍ଘଟଣା: ୧୧ବର୍ଷରେ ମରିଛନ୍ତି ୩୭ହଜାର ଲୋକ; ୪୨୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ନଷ୍ଟ

10320505_1597258027165171_6545123164237290834_n ସଡ଼କ ଦୁର୍ଘଟଣା ଯୋଗୁ ଓଡ଼ିଶାରେ ୧୧ ବର୍ଷ ଭିତରେ ପ୍ରାୟ ୩୭ହଜାର ଲୋକ ମରିଥିବା ବେଳେ ୪୨୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି । ଏହି ସମୟ ଭିତରେ ଲକ୍ଷାଧିକ ଲୋକ ଆହତ ହୋଇଥିବା ବେଳେ ଏମାନଙ୍କ ଭିତରୁ ଗୁରୁତର ଆହତଙ୍କ ସଂଖ୍ୟା ୫୩ହଜାରରୁ ଅଧିକ ।
ବିଜେପି ବିଧାୟକ ଦିଲିପ କୁମାର ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଆଜି ବିଧାନସଭାରେ ଦେଇଥିବା ତଥ୍ୟରୁ ଏହି ଉଦ୍‍ବେଗଜନକ ପରିସଂଖ୍ୟାନ ମିଳିଛି । ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ବର୍ଷକୁ ବର୍ଷ ଆମ ରାଜ୍ୟରେ ସଡ଼କ ଦୁର୍ଘଟଣାର ସଂଖ୍ୟା ବଢ଼ିଚାଲିବା ସହିତ ଆନୁପାତିକ ହାରରେ ଧନଜୀବନ କ୍ଷତି ବି ବୃଦ୍ଧି ପାଉଛି ।
୨୦୦୪ ମସିହାରେ ଆମ ରାଜ୍ୟରେ ୭୨୭୮ଟି ସଡ଼କ ଦୁର୍ଘଟଣା ପଞ୍ଜୀକୃତ ହୋଇଥିବା ବେଳେ ଏଥିରେ ୨୪୫୩ ଲୋକ ମରିଥିଲେ ଏବଂ ୨୨ କୋଟି ଟଙ୍କାରୁ ଊଦ୍ଧ୍ୱର୍ ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ୯ହଜାର ଲୋକ ଆହତ ହୋଇଥିଲେ । ତେବେ ୨୦୧୪ ବର୍ଷରେ ଓଡ଼ିଶାରେ ୯୬୪୮ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଉକ୍ତ ବର୍ଷରେ ୩୯୩୧ ଲୋକ ମରିଛନ୍ତି ଏବଂ ପାଖାପାଖି ୭୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ୧୧ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିଧାନସଭାରେ ପରିବହନ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ୨୦୦୪ରୁ ୨୦୧୪ ମଧ୍ୟରେ ଓଡ଼ିଶାରେ ୯୫,୩୧୪ଟି ସଡ଼କ ଦୁର୍ଘଟଣା ପଞ୍ଜୀକୃତ ହୋଇଥିବା ବେଳେ ଏଥିରେ ୩୬,୬୬୮ ଲୋକ ମରିଛନ୍ତି ଏବଂ ୪୨୦କୋଟି ୪୭ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି । ଏହି ୧୧ ବର୍ଷ ଭିତରେ ୧,୧୮,୧୩୦ ଲୋକ ଆହତ ହୋଇଥିବା ସ୍ଥଳେ ସେମାନଙ୍କ ଭିତରୁ ଗୁରୁତର ଆଘାତପ୍ରାପ୍ତ ଲୋକଙ୍କ ସଂଖ୍ୟା ୫୩,୬୦୩ । ତେବେ ଏତେ ସଂଖ୍ୟକ ସଡ଼କ ଦର୍ଘଟଣା ସହିତ ବ୍ୟାପକ ଧନଜୀବନ ହାନୀ ଘଟିଥିବା ବେଳେ ଏହି ୧୧ ବର୍ଷ ଭିତରେ ମାତ୍ର ୧୫୩ ଜଣ ଗାଡ଼ିଚାଳକଙ୍କ ଲାଇସେନ୍ସ ସସ୍‍ପେଣ୍ଡ କରାଯାଇଛି । ୨୦୦୪ ବର୍ଷରେ ୯୬୪୮ଟି ଦୁର୍ଘଟଣା ଘଟିଥିବା ବେଳେ ମାତ୍ର ଜଣେ ଗାଡ଼ିଚାଳକଙ୍କ ଲାଇସେନ୍ସ ସସ୍‍ପେଣ୍ଡ ହୋଇଛି ।
ଏହି ବର୍ଷଗୁଡ଼ିକରେ ମୋବାଇଲ୍‍ କୋର୍ଟ, ମୋଟରଯାନ ସଂସ୍ଥା ୩୦କୋଟି ଟଙ୍କାରୁ ଊଦ୍ଧ୍ୱର୍ ଜରିମାନା ସଂଗ୍ରହ କରିଥିବା ବେଳେ ୨୦୧୧ରୁ ୨୦୧୪ ବର୍ଷ ମଧ୍ୟରେ ଭୁବନେଶ୍ୱର-କଟକ କମିଶନରେଟ୍‍ ପୋଲିସ ପାଖାପାଖି ୯ କୋଟି ଟଙ୍କାର ଜରିମାନା ଗାଡ଼ିଚାଳକଙ୍କ ଠାରୁ ଆଦାୟ କରିଛି । ୨୦୦୯ରୁ ୨୦୧୪ ମାର୍ଚ୍ଚ ପର୍ଯ୍ୟନ୍ତ ମାତ୍ର ୨୧୩ଜଣ ଗାଡ଼ିଚାଳକଙ୍କ ଲାଇସେନ୍ସ ରଦ୍ଧ କରାଯାଇଥିବା ବେଳେ ଏହି ସମୟ ମଧ୍ୟରେ ପରିବହନ ବିଭାଗ ନିଶାଡ଼ି ଗାଡ଼ିଚାଳକଙ୍କ ଠାରୁ ମାତ୍ର ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିଛି । ତେବେ ଭୁବନେଶ୍ୱର-କଟକ କମିଶନରେଟ୍‍ ପୋଲିସ କିନ୍ତୁ ଏ କ୍ଷେତ୍ରରେ ନିଶାଡ଼ି ଗାଡ଼ିଚାଳକଙ୍କ ଠାରୁ ଢେର୍‍ ଅଧିକ ପରିମାଣର ଜରିମାନା ଆଦାୟ କରିଛି । ବିଧାୟକ ଶ୍ରୀ ରାୟଙ୍କୁ ମନ୍ତ୍ରୀ ଶ୍ରୀ ମାଝୀ ବିଧାନସଭାରେ ଆଜି ଯେଉଁ ଉତ୍ତର ଦେଇଛନ୍ତି ସେଥିରୁ ଓଡ଼ିଶାରେ ସଡ଼କ ଦୁର୍ଘଟଣା ସହିତ ଧନଜୀବନ କ୍ଷତିର ପରିମାଣ ବର୍ଷକୁ ବର୍ଷ ଉଦ୍‍ବେଗଜନକ ଭାବେ ବଢ଼ି ଚାଲୁଥିବା ସ୍ପଷ୍ଟ ହୋଇଛି ।

Share in top social networks!