ବିଜେପି ବିଧାୟକ ଦଳ ବୈଠକ, ବଜେଟ୍ ଅଧିବେଶନ ପାଇଁ ଦଳର ରଣନୀତି ନିର୍ଦ୍ଧାରଣ

bjplspଆସନ୍ତାକାଲି ଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନରେ ବିଜେପି ବିଧାୟକ ଓ ବିଧାୟିକାମାନେ କେଉଁ କେଉଁ ପ୍ରସଙ୍ଗ ଉପସ୍ଥାପନ କରିବେ ସେନେଇ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଦଳ ନେତା ବସନ୍ତ ପଣ୍ଡାଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂହଦେଓ, ସାଧାରଣ ସମ୍ପାଦକ (ସଂଗଠନ) ପ୍ରସନ୍ନ ମିଶ୍ର, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ମୁଖପାତ୍ର ସମୀର ମହାନ୍ତି ଓ ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବିଧାୟିକା ରାଧାରାଣୀ ପଣ୍ଡା, ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ, ନୀତେଶ ଗଙ୍ଗଦେବ, ପ୍ରଦୀପ ପୁରୋହିତ, ଗୋବିନ୍ଦ ଚନ୍ଦ୍ର ଦାସ ଓ ରବି ନାରାୟଣ ନାୟକ ମଧ୍ୟ ଉପସ୍ଥିତ ରହି ବଜେଟ୍ ଅଧିବେଶନ ପାଇଁ ଦଳର ରଣନୀତି ନିର୍ଦ୍ଧାରଣ କରିଥିଲେ ।

ବିଧାୟକ ଦଳ ବୈଠକ ସମ୍ପର୍କରେ ସୂଚନା ଦେଇ ବିଧାୟକ ଦଳ ନେତା ବସନ୍ତ ପଣ୍ଡା କହିଛନ୍ତିଯେ, ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ବିଜେପି ଅଧିକ ଗୁରୁତ୍ୱ ପ୍ରଦାନ କରିବ । ସେହିପରି ଖଣି ନିଲାମ ପାଇଁ କେନ୍ଦ୍ର ସରକାର ଯେଉଁ ଐତିହାସିକ ଅଧ୍ୟାଦେଶ ଆଣିଛନ୍ତି ତାହାଦ୍ୱାରା ଓଡ଼ିଶା ହଜାର ହଜାର କୋଟିର ରାଜସ୍ୱ ପାଇପାରିବ । କୋଇଲା ନିଲାମୀରୁ ଓଡ଼ିଶା ମଧ୍ୟ ହଜାର ହଜାର କୋଟି ରାଜସ୍ୱ ପାଇବ । ଏନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦିଆଯିବ ବୋଲି ସେ
କହିଛନ୍ତି । ବିଗତ ଦିନମାନଙ୍କରେ କେନ୍ଦ୍ର ସରକାର ରାଜ୍ୟର ବିକାଶ ପାଇଁ ଯେଉଁସବୁ ପଦକ୍ଷେପମାନ ଗ୍ରହଣ କରିଛନ୍ତି ତାହା ମଧ୍ୟ ଦଳ ବିଧାନସଭାରେ ଉପସ୍ଥାପିତ କରିବ ।

ସେ କହିଲେଯେ, ଚିଟ୍ଫଣ୍ଡ ଠାରୁ ନେଇ ଖଣି ଓ ଜମି ପର୍ଯ୍ୟନ୍ତ ଅନେକ ଦୁର୍ନୀତିରେ ରାଜ୍ୟ ସରକାର ଘାଂଟି ହେଉଥିବାବେଳେ ବିଜେପି ବିଧାନସଭାରେ ଶାଣିତ ଭାବେ ଏହା ଉପସ୍ଥାପନ କରିବ । ଚାଷୀମାନେ ଅଭାବୀ ଧାନ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ବିଜେପି ଏନେଇ ବାରବାର ଚେତାଇ ଦେବା ସତ୍ୱେ ସରକାର ଠୋସ୍ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏହି ପ୍ରସଙ୍ଗକୁ ଦଳ ଗୁରୁତର ସହ ଗ୍ରହଣ କରିଛି । ସେହିପରି ଚିଟ୍ଫଣ୍ଡ ଠକେଇରେ ସରକାରୀ ଦଳର
ନେତା, ପ୍ରଶାସକ ଓ ପୁଲିସ୍ର ସଂପୃକ୍ତି ପଦାକୁ ଆସିଛି । ସର୍ବୋପରି ଚିଟ୍ଫଣ୍ଡରେ ନିବେଶ କରି ସର୍ବସ୍ୱାନ୍ତ୍ୱ ହୋଇଯାଇଥିବା ଜମାକାରୀମାନଙ୍କୁ କିଭଳି ନ୍ୟାୟ ମିଳିବ, କିଭଳି ସେମାନେ ଅର୍ଥ ଫେରସ୍ତ ପାଇବେ ସେନେଇ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ମଧ୍ୟ ଦାବି ଉପସ୍ଥାପନ କରିବ । ରାଜ୍ୟରେ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି । ଝିଅ ଓ ମହିଳାଙ୍କୁ ନ୍ୟାୟ ଦେବାରେ ସରକାର ବିଫଳ ହୋଇଛନ୍ତି ।

ଏତଦ୍ବ୍ୟତୀତ ରାଜ୍ୟରେ ବେକାରୀ ସମସ୍ୟା ବଢ଼ିଚାଲିଥିବାବେଳେ ରାଜ୍ୟରୁ ଲକ୍ଷ ଲକ୍ଷ ଯୁବକ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି । ଦଳ ଏହି ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉପସ୍ଥାପିତ କରିବା ସହ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ମଧ୍ୟ ଉପସ୍ଥାପନ କରାଯିବ । ବିଶେଷକରି ଶୁଦ୍ଧ ପାନୀୟ ଜଳ ଯୋଗାଣରେ ସରକାରଙ୍କ ବିଫଳତା ଯୋଗୁଁ ଜଣ୍ଡିସ୍ ଓ ମାଲେରିଆ ମହାମାରୀ ରୂପ ଧାରଣ କରିଛି । ଜମି ଦୁର୍ନୀତିରେ ସରକାର ତାଳୁରୁ ତଳିପା ପର୍ଯ୍ୟନ୍ତ ବୁଡ଼ି ରହିଛନ୍ତି ।
ଇଡ଼୍କୋ ଓ ଜିଏ ବିଭାଗର ହଜାର ହଜାର ଏକର ଜମି ଦୁର୍ନୀତି ଓ ଜମି ବନ୍ଧକ ରଖି ଶିଳ୍ପପତିଙ୍କ ଦ୍ୱାରା ଅର୍ଥ ଲୁଟ୍ ନେଇ କାଗ୍ ଟିପ୍ପଣୀ ଦେଇଥିବାବେଳେ ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ସେହିପରି ଶିକ୍ଷା କଥା ନକହିଲେ ଭଲ । ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ମରୁଡ଼ି ଠାରୁ ଆରମ୍ଭ କରି ମୂଲ୍ୟାୟନ ତ୍ରୁଟି ପର୍ଯ୍ୟନ୍ତ ଅନେକ ସମସ୍ୟା ପରିଲକ୍ଷିତ ହେଉଛି । ଏହି ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉପସ୍ଥାପିତ ହେବବୋଲି ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।

କେନ୍ଦ୍ର ସରକାର ବାରବାର ଡିଜେଲ ମୂଲ୍ୟ ହ୍ରାସ କରାଉଥିଲେ ମଧ୍ୟ ରାଜ୍ୟ ସରକାର ସେହି ଅନୁଯାୟୀ ବସ୍ ଭଡ଼ା ହ୍ରାସ କରୁନାହାନ୍ତି । ଇତିମଧ୍ୟରେ ଡିଜେଲ ମୂଲ୍ୟ ଲିଟର ପିଛା ପ୍ରାୟ ୧୩ ଟଙ୍କା ହ୍ରାସ ପାଇଥିଲେ ମଧ୍ୟ ବସଭଡ଼ା ମାତ୍ର ୪ ପଇସା କମିଛି । ଫଳରେ ଜନସାଧାରଣମାନେ ଡିଜେଲ ମୂଲ୍ୟ ହ୍ରାସର ପ୍ରକୃତ ସୁଫଳ ପାଇପାରୁନାହାନ୍ତି । ରାଜ୍ୟ ସରକାର ବସଭଡ଼ା ଆହୁରି ହ୍ରାସ କରିବା ପାଇଁ ବିଜେପି ଗୃହରେ ଦାବି କରିବ ବୋଲି ବିଧାୟକ ଦଳ ନେତା ବସନ୍ତ ପଣ୍ଡା bjplspପ୍ରକାଶ କରିଛନ୍ତି ।

Share in top social networks!