ଓଡ଼ିଶାରେ ସେଲ୍ କରିବ ଦ୍ୱିତୀୟ ଇସ୍ପାତ କାରଖାନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଲେ କନକବର୍ଦ୍ଧନ ସିଂହଦେଓ

10402905_789417707765341_2469208642329322920_nଓଡ଼ିଶାରେ ସେଲ୍ ପକ୍ଷରୁ ଆଉ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ । ଗତକାଲି ରାଉରକେଲାରେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏହି ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତିକୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରାଯାଇଛି । ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର କିଭଳି ପ୍ରତିଶ୍ରୁତିବଦ୍ଧ ଏଥିରୁ ତାହା ସ୍ପଷ୍ଟ ଅନୁମେୟ ବୋଲି ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟଯେ, ଗତକାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାର ରାଉରକେଲା ଗସ୍ତରେ ଆସିଥିଲେ । ଏହି ଅବସରରେ ଭାରତର ୪ଟି ରାଜ୍ୟରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି ବୋଲି ସେ ସୂଚନା ଦେଇଥିଲେ । ଛତିଶଗଡ଼, କର୍ଣ୍ଣାଟକ ଓ ଝାଡ଼ଖଣ୍ଡ ଭଳି ଓଡ଼ିଶାରେ ମଧ୍ୟ ସେଲ୍ ଏକ ଇସ୍ପାତ କାରଖାନା କରିବ । ଯାହାଦ୍ୱାରା ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସେହିପରି ଖଣି ଅଧ୍ୟାଦେଶ ଯୋଗୁଁ ଖଣି ଲିଜ୍ ଆବଂଟନ ଓ ଖଣି ଖନନ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରାଯାଇପାରିବ ସହ କଳାବଜାରୀ ଓ ଦୁର୍ନୀତିକୁ ରୋକାଯାଇପାରିବ । ଏଥିରେ ରାଜ୍ୟ ସରକାରମାନଙ୍କୁ ପର୍ଯ୍ୟାପ୍ତ କ୍ଷମତା ଦିଆଯାଇଥିବାବେଳେ ଏହାଦ୍ୱାରା ଓଡ଼ିଶା ସରକାର ବିପୁଳ ରାଜସ୍ୱ ପାଇବେ ।

ଓଡ଼ିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି ଧିରେଧିରେ କାର୍ଯ୍ୟରେ ପ୍ରତିଫଳିତ ହେଉଛି । ଆଗାମୀ ଦିନରେ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ଅନେକ ଅଭିନବ ଯୋଜନା ମାନ ପ୍ରଣୟନ କରିବାକୁ ଯାଉଛନ୍ତି ବୋଲି ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି ।

Share in top social networks!