ସୁରକ୍ଷିତ ତଥା ନିରାପଦ ଗର୍ଭପାତ ସଂପର୍କରେ କର୍ମଶାଳା; ୨୦୧୭ ମସିହା ସୁଦ୍ଧା ୩୭୪ ଏମ୍.ଟି.ପି କେନ୍ଦ୍ର ଉପଲବ୍ଧ ହେବ

unicefreviewଓଡିଶା ସମେତ ସମଗ୍ର ଦେଶରେ ମାତୃମୃତ୍ୟୁହାର ହ୍ରାସ ଦିଗରେ ପ୍ରୟାସ ଜାରି ରହିଛି । ଏ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ଫଳରେ ବର୍ତ୍ତମାନ ଦେଶରେ ମାତୃମୃତ୍ୟୁହାର ପ୍ରତି ଏକଲକ୍ଷ ମା’ଙ୍କ କ୍ଷେତ୍ରରେ ୧୭୬ ହୋଇଥିବା ବେଳେ ଓଡିଶାରେ ଏହା ୨୩୭ ରୁ ୨୨୨ କୁ ହ୍ରାସ ପାଇଛି । ଅସୁରକ୍ଷିତ ତଥା ବିପଦଜନକଭାବେ ଗର୍ଭପାତ ଯୋଗୁ ମୋଟ ମାତୃମୃତ୍ୟୁର ଏକ ତୃତୀଆଂଶ ମୃତ୍ୟୁ ବରଣ କରୁଛନ୍ତି । ଏଣୁ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ସମେତ ବିଭିନ୍ନ ଏମ୍.ଟି.ପି କେନ୍ଦ୍ର ମାନଙ୍କରେ ସୁରକ୍ଷିତ ତଥା ନିରାପଦ ଗର୍ଭପାତ ମାଧ୍ୟମରେ ଏହି ମୃତ୍ୟୁହାରକୁ ହ୍ରାସ କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା ପ୍ରକାଶ କରିଛନ୍ତି ।
ଆଜି ଏଠାରେ ଆୟୋଜିତ ସୁରକ୍ଷିତ ତଥା ନିରାପଦ ଗର୍ଭପାତ ସଂପର୍କରେ ଏକ କର୍ମଶାଳାରେ ଉଦ୍ବୋଧନ ଦେଇ ଶ୍ରୀମତୀ ଆହୁଜା କହିଛନ୍ତି ଯେ ମାତୃମୃତ୍ୟୁହାରକୁ ହ୍ରାସ କରାଯିବା ଜରୁରି । ବର୍ତମାନ ରାଜ୍ୟର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ୧୫୫ ଟି ଏମ୍.ଟି.ପି କେନ୍ଦ୍ର ରହିଛି । ଆସନ୍ତା ୨୦୧୭ ମସିହା ସୁଦ୍ଧା ଏହାକୁ ୩୭୪ ଟି କରିବାର ଲକ୍ଷ୍ୟ ରହିଛି । ସେଥିପାଇଁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ସୁବିଧା ସୁଯୋଗ ସଂପର୍କରେ ସମୀକ୍ଷା କରାଯାଇଛି । ୧୩ଟି ଆନ୍ଚଳିକ କେନ୍ଦ୍ରରେ ମାନବ ସମ୍ବଳ ତାଲିମ୍ ବ୍ୟବସ୍ଥା କରାଯାଇଛି । ଅଣ-ତାଲିମ୍ ପ୍ରାପ୍ତ ଲୋକଙ୍କ ଦ୍ୱାରା ଗର୍ଭପାତ ଉପରେ ସତର୍କ ଦୃଷ୍ଟି ରଖି ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀମତୀ ଆହୁଜା ପ୍ରକାଶ କରିଛନ୍ତି । ରାଜ୍ୟରେ ସୁରକ୍ଷିତ ତଥା ନିରାପଦ ଗର୍ଭପାତ ବ୍ୟବସ୍ଥାକୁ ଅଧିକ ସୁଦୃଢ ତଥା ଲୋକମାନଙ୍କୁ ସଚେତନ ପାଇଁ ଆଇ-ପାସ୍ ସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ସଂସ୍ଥା ତାଲିମ୍ ଆଦିର ବ୍ୟବସ୍ଥା କରୁଛି । ଆଶା କର୍ମୀ ମାନଙ୍କ ମାଧ୍ୟମରେ ମହିଳା ମାନଙ୍କୁ ନିରାପଦ ଓ ସୁରକ୍ଷିତ ଗର୍ଭପାତ ସଂପର୍କରେ ଅବଗତ କରାଯିବା ସହ ପରିବାର କଲ୍ୟାଣ ବ୍ୟବସ୍ଥା ମଧ୍ୟ କରାଯାଉଛି । ଏହା ପରିସ୍ଥିତିର ସୁଧାର ଆଣିରେ ଯଥେଷ୍ଟ ସହାୟକ ହୋଇଛି ବୋଲି ସେ କହିଥିଲେ ।
ଯଦି ଦମ୍ପତିଙ୍କର ଗର୍ଭନିରୋଧକ ପ୍ରଣାଳୀ ବିଫଳ ହୋଇ ଥାଏ , ଗର୍ଭସ୍ଥ ସନ୍ତାନ ବିକଳାଙ୍ଗ ହେବାର ଆଶଙ୍କା ଥାଏ , ଗର୍ଭବତୀଙ୍କର ମାନସିକ , ଶାରିରୀକ ସ୍ୱାସ୍ଥ୍ୟପ୍ରତି ବା ଜୀବନ ପ୍ରତି ବିପଦ ଥାଏ କିମ୍ବା ବଳପୂର୍ବକ ସମ୍ପର୍କ ଯୋଗୁ ଗର୍ଭଧାରଣ କରିଥିଲେ ତାହା ହେଲେ ଆଇନ ସମ୍ମତ ଭାବେ ଗର୍ଭପାତ କରାଯାଇ ପରିବ । କେବଳ ପ୍ରଶିକ୍ଷିତ ଡାକ୍ତର , ସରକାରୀ ବା ସ୍ୱୀକୃତିପ୍ରାପ୍ତ ଘରୋଇ ଡାକ୍ତରଖାନାରେ କରାଯିବା ବାନ୍ଛନିୟ । କିନ୍ତୁ କୌଣସି ପରିସ୍ଥିତିରେ ଭୃଣଲିଙ୍ଗ ତିହ୍ନଟ କରି , ଗର୍ଭଧାରଣ ସମୟ ୪ମାସ ୧୫ ଦିନରୁ ଅଧିକ ହୋଇଥିଲେ , ଚେରମୂଳୀ କିମ୍ବା ଅନଧିକୃତ ବ୍ୟକ୍ତି ବା ଘରୋଇ ଉପାୟରେ ଗର୍ଭପାତ କରାଇବା ଅନୁଚିତ ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଡାଃ ରାକେଶ କୁମାର ଦେଶରେ ମାତୃମୃତ୍ୟୁହାର ହ୍ରାସ ଦିଗରେ ଗ୍ରହଣ କରାଯାଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରି ଏ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ସୂଚନା ଶିକ୍ଷା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । କେନ୍ଦ୍ର ମାତୃ ସ୍ୱାସ୍ଥ୍ୟ ଡେପୁଟି କମିଶନର ଡାଃ ମନିଶା ମଲହୋତ୍ରା ଗର୍ଭପାତ ଜନିତ ସ୍ଥିତି , ସୁରକ୍ଷିତ ତଥା ନିରାପଦ ଗର୍ଭପାତ ପାଇଁ ରହିଥିବା ପ୍ରତିବନ୍ଧକ ଆଦି ସଂପର୍କରେ ଆଲୋକପାତ କରି ତାକୁ ଦୁର କରାଯିବା ଉପରେ ଗୁରୁତ୍ୱ ଆରୋପ କରି ବର୍ତମାନ କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଗର୍ଭପାତ ଯତ୍ନ ସେବା ଉପରେ ଆଲୋଚନା କରିଥିଲେ ।
ଏହି ଅବସରରେ ପ୍ରମୁଖ ସଚିବ ଶ୍ରୀମତୀ ଆହୁଜା ସୁରକ୍ଷିତ ଗର୍ଭପାତ ସଂପର୍କରେ ପ୍ରସ୍ତୁତ ସୂଚନା ପତ୍ର ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ପରିବାର କଲ୍ୟାଣ ନିର୍ଦ୍ଧଶିକା ଡାଃ ନିର୍ମଳା ଦେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଇ-ପାସ୍ ନିର୍ବାହୀ ନିଦେ୍ର୍ଧଶକ ଭିନୋଜ ମାନିଂ ଓଡିଶାରେ ତାଙ୍କ ସଂସ୍ଥା ତରଫରୁ ଏହି ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଶେଷରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅତିରିକ୍ତ ନିଦେ୍ର୍ଧଶକ ସରୋଜ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!