ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ନପାଇବା ରାଜ୍ୟ ସରକାରଙ୍କ ଅପାରଗତା

10426081_1565290850354593_847995318443872860_nନୂଆଦିଲ୍ଲୀରୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼୍ ଅବଲୋକନ କରୁଥିବା ପ୍ରତ୍ୟେକ ଓଡ଼ିଆବାସୀ ଗତକାଲି ନିରାଶ ହୋଇଛନ୍ତି । ପ୍ୟାରେଡ଼୍ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ନପାଇବା ରାଜ୍ୟ ସରକାରଙ୍କର ଅପାରଗତା ବୋଲି ଶିଳ୍ପୀଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି । ଚଳିତ ବର୍ଷ ଆମେରିକାର ରାଷ୍ଟ୍ରପତି ବାରାକ ଓବାମ୍ଙ୍କ ଭଳି ଜଣେ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ ଭାରତ ଆସିଥିଲେ ମଧ୍ୟ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ଝଲକ ଦେଖିବାରୁ ବଂଚିତ ହୋଇଛନ୍ତି । ସବୁଠାରୁ ଦୁଃଖ ଓ ପରିତାପର ବିଷୟ ହେଉଛି ନିଜ ଅପାରଗତାକୁ ଘୋଡ଼ାଇବା ପାଇଁ ପୁଣି ରାଜ୍ୟ ସରକାର କେନ୍ଦ୍ର ଅବହେଳା କଥା ଉଠାଇଛନ୍ତି । କିନ୍ତୁ ବାସ୍ତବ କଥା ଅଲଗା । ରାଜ୍ୟ ସରକାର ପ୍ରଜ୍ଞାପନ ମେଢ଼ ପାଇଁ ଆଦୌ ମନପ୍ରାଣ ଦେଇ ଚେଷ୍ଟା କରିନଥିଲେ । ଏମିତିକି ଜଣେ ସରକାରୀ ଅଧିକାରୀ କହିଛନ୍ତିଯେ, ଭଲ ପ୍ରସ୍ତାବ, ଭଲ ଥିମ୍ ପଠାଇବାରେ ଆମେ ବିଫଳ ହୋଇଛୁ । ଏଥିରୁ ସରକାର କେତେ ଅପାରଗ ତାହା ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି ।

ଏଠାରେ ସୂଚନା ଦିଆଯାଇପାରେଯେ, ପ୍ରଜ୍ଞାପନ ମେଢ଼ ସ୍ଥାନୀତ ହେବା ପାଇଁ କେନ୍ଦ୍ର ସରକାରଙ୍କର କେତେକ ଗାଇଡ଼ଲାଇନ୍ ରହିଛି । ପ୍ରାୟ ମାସକ ପୂର୍ବରୁ ରାଜ୍ୟ ସରକାରଙ୍କୁ ଥିମ୍, ପ୍ରସ୍ତାବ ସହ ବଜେଟ୍ ଅଟକଳ ଆଦି ଦାଖଲ କରିବାକୁ ପଡ଼ିଥାଏ । ଅତିକମ୍ରେ ତିନୋଟି ଥିମ୍ ଦେବାକୁ ପଡ଼ୁଥିବାବେଳେ ସେଥିରୁ କୌଣସି ଏକ ଥିମ୍ ଉପରେ କେନ୍ଦ୍ର ସରକାର ମୋହର ଲଗାଇଥା’ନ୍ତି । ତା’ପରେ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ ହେବା ସହ ଜାନୁଆରୀ ୨୬ ପ୍ୟାରେଡ଼୍ ବେଳେ ତାହା ପ୍ରଦର୍ଶିତ ହୋଇଥାଏ । ଅର୍ଥାତ୍ ରାଜ୍ୟ ସରକାର ଏବର୍ଷ ଓଡ଼ିଶାର ମେଢ଼ ସ୍ଥାନୀତ ହେବନାହିଁ ବୋଲି ବହୁ ପୂର୍ବରୁ ଜାଣିଥିଲେ । କିନ୍ତୁ ଲୁଚେଇ ରଖିଥିଲେ । ସାଧାରଣ ଲୋକ ଏନେଇ ସରକାରଙ୍କୁ ସମାଲୋଚନା କରିବା ପରେ କିଛି ବାଟ ନପାଇ ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି । ରାଜ୍ୟ ସରକାର ନିଜର ଭୁଲ୍କୁ ସ୍ୱୀକାର କରିବା ଦରକାର । ଗଲା ଦୁଇବର୍ଷ ଧରି ଆମେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରିବାରେ ବଂଚିତ ହୋଇଥିବାବେଳେ ଆଗକୁ ଯେପରି ସେଭଳି ଭୁଲ୍ ନହେବ ସେନେଇ ରାଜ୍ୟ ସରକାର ଚିନ୍ତା କରିବା ଦରକାର । ଜନମାନସକୁ ବିଭ୍ରାନ୍ତ କରିବାକୁ ବିଜେଡ଼ି ବିତଣ୍ଡା ଯୁକ୍ତି ନକରୁ ବୋଲି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ପ୍ରକାଶ କରିଛନ୍ତି । ନଚେତ୍ ସାଧାରଣରେ ବିଜେଡ଼ି ‘ବିତଣ୍ଡା ଯୁକ୍ତି ଦଳ’ ଭାବେ ହିଁ ବିବେଚିତ ହେବ ।

Share in top social networks!