ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ : କେନ୍ଦ୍ର ଦେଉଛି ୪ ହଜାର କୋଟିର ସହାୟତା, ଯୋଜନାକୁ ହାଇଜାକ୍ କରିବା ପାଇଁ ବିଜେଡ଼ି କରିଛି ମସୁଧା

10911395_1566089623608049_4400392832951242650_oଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ ସମଗ୍ର ଦେଶରେ ସହରାଂଚଳର ୫୦% ଓ ଗ୍ରାମାଂଚଳର ୭୫% ସାଧାରଣ ଜନସାଧାରଣ ରିହାତି ଦରରେ ଖାଦ୍ୟ ଶସ୍ୟ ପାଇବାର ପ୍ରାବଧାନ କରାଯାଇଛି । ମୁଣ୍ଡପିଛା ୫ କିଲୋ ଖାଦ୍ୟଶସ୍ୟ ରିହାତି ଦରରେ ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଏହି ଯୋଜନାରେ ରାଜ୍ୟର ପ୍ରାୟ ୩ କୋଟି ୨୬ ଲକ୍ଷ ୪୧୮୦୦ ବ୍ୟକ୍ତି ଉପକୃତ ହେବେ । ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟକୁ ମାସିକ ପ୍ରାୟ ୧୬ ଲକ୍ଷ ୨୩ ହଜାର କ୍ୱିଂଟାଲରୁ ଅଧିକ ଖାଦ୍ୟଶସ୍ୟ ଯୋଗାଇଦେବେ । ବାର୍ଷିକ ଭାବେ କେନ୍ଦ୍ର ରାଜ୍ୟକୁ ୧୯୫୮୫୦୮୦ କ୍ୱିଂଟାଲ ଚାଉଳ ଓ ଅନ୍ୟ ଖାଦ୍ୟଶସ୍ୟ ଯୋଗାଇବାର ବ୍ୟବସ୍ଥା ରହିଛି । ଏଠାରେ ସୂଚାଇ ଦିଆଯାଇପାରେଯେ, ପୂର୍ବଭଳି ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ହିତାଧିକାରୀମାନେ ପାଉଥିବା ୩୫ କିଲୋ ଚାଉଳ ମଧ୍ୟ ଯୋଗାଣ କରାଯିବ । ଏହାକୁ ହିସାବକୁ ନେଲେ କେନ୍ଦ୍ର ସରକାରଙ୍କ ଠାରୁ ଆହୁରି ଅଧିକ ଖାଦ୍ୟଶସ୍ୟ ମିଳିବ । ଏହିସବୁ ବାବଦରେ ରାଜ୍ୟ ସରକାର ବର୍ଷକୁ ପ୍ରାୟ ୪ ହଜାର କୋଟି ଟଙ୍କାରୁ ଅଧିକ ସହାୟତା କେନ୍ଦ୍ର ସରକାରଙ୍କ ଠାରୁ ପାଇବେ ବୋଲି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଓ ସମୀର ମହାନ୍ତି ପ୍ରକାଶ କରିଛନ୍ତି ।

ଏହି ଯୋଜନା ପାଇଁ ଚାଉଳ ଠାରୁ ଆରମ୍ଭ କରି ଆବଶ୍ୟକ ପଡ଼ିଲେ ଅର୍ଥ ମଧ୍ୟ କେନ୍ଦ୍ର ସରକାର ପ୍ରଦାନ କରିବେ । ରାଜ୍ୟ ସରକାର କେବଳ ନୋଡ଼ାଲ ଏଜେନ୍ସୀ ଭଳି କାର୍ଯ୍ୟ କରିବେ । ଅର୍ଥାତ୍ ହିତାଧିକାରୀ ଚୟନ ଓ ରାସନ୍ କାର୍ଡ଼ ପ୍ରସ୍ତୁତି ଭଳି କାର୍ଯ୍ୟ ରାଜ୍ୟ ସରକାର କରିବାର ଥିବାବେଳେ ବାକି ଚାଉଳ ଠାରୁ ନେଇ ଅର୍ଥ ପର୍ଯ୍ୟନ୍ତ ସବୁ କେନ୍ଦ୍ର ସରକାର ବହନ କରିବେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଯୋଜନାକୁ ହାଇଜାକ୍ କରିବା ପାଇଁ ବିଜେଡ଼ି ସରକାର ମସୁଧା କରିଛି । ସରକାରଙ୍କ ପକ୍ଷରୁ ଏନେଇ ବିଜେଡ଼ି ବିଧାୟକ ଓ ମନ୍ତ୍ରୀଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ଗାଁ ଗାଁରେ ବିଜେଡ଼ି ବିଧାୟକ, ନେତା ଓ ମନ୍ତ୍ରୀମାନେ ନବୀନବାବୁଙ୍କ ସହ ନିଜ ନିଜ ପୋଷ୍ଟର ମାରି ଏହି ଯୋଜନା ସମ୍ପର୍କରେ ପ୍ରଚାର ଚଲାଇଛନ୍ତି । ଏମିତି ଏକ ମାହୋଲ ସୃଷ୍ଟି କରାଯାଉଛି ସତେ ଯେମିତି ରାଜ୍ୟ ସରକାରଙ୍କର ଏହା ହେଉଛି ନିଜସ୍ୱ ଯୋଜନା । ବୋଧହୁଏ ଭାରତର ଅନ୍ୟ କୌଣସି ରାଜ୍ୟରେ ଏମିତି ଯୋଜନା କାର୍ଯ୍ୟକାରୀ ହେଉନାହିଁ । କେନ୍ଦ୍ରର ସମ୍ବଳରେ ରାଜ୍ୟ ସରକାର ବାହାବା ନେବାର ଅନେକ ନଜିର ରହିଛି । ତେବେ ସରକାର ଏହା ଭଲ ଭାବେ ଜାଣିରଖିବା ଦରକାର, କିଛି ଲୋକଙ୍କୁ କିଛି ସମୟ ବୋକା ବନେଇହୁଏ ହେଲେ ସବୁ ଲୋକଙ୍କୁ ସବୁ ସମୟ ପାଇଁ ବୋକା ବନାଇ ହୁଏନାହିଁ । ୧୦୮ ଆମ୍ବୁଲାନ୍ସକୁ ନିଜର ବୋଲି କହି ପ୍ରଚାର କରୁଥିବା ରାଜ୍ୟ ସରକାର ଏବେ କେନ୍ଦ୍ରର ନିଦେ୍ର୍ଧଶକ୍ରମେ ବାଧ୍ୟହୋଇ କେନ୍ଦ୍ର ସରକାରଙ୍କର ଲୋଗୋ ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି । ଅନୁରୂପ ଭାବେ ରାଜ୍ୟ ସରକାର ଏବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଆଧାରରେ ହିତାଧିକାରୀଙ୍କୁ ମିଳିବାକୁ ଥିବା ସୁଫଳକୁ ନିଜର ବୋଲି ଦାବି କରିବା ଆରମ୍ଭ କରିଛନ୍ତି । ଏଭଳି ସଂକୀର୍ଣ୍ଣ ମନୋବୃତି ପ୍ରତ୍ୟାହାର କରି ରାଜ୍ୟ ସରକାରଙ୍କ ପକ୍ଷରୁ ଜନସଚେତନତା ପାଇଁ ଲଗାଯାଉଥିବା ପୋଷ୍ଟର, ଲିଫ୍ଲେଟ ଓ ବିଜ୍ଞାପନମାନଙ୍କରେ ଭାରତ ସରକାରଙ୍କ ନାମ, ଲୋଗୋ ଉଲ୍ଲେଖ କରିବାକୁ ରାଜ୍ୟ ବିଜେପି ପକ୍ଷରୁ ଦାବି କରାଯାଇଛି । ଏକ ପ୍ରେସ ବିବୃତିରେ ଜରିଆରେ ମୁଖପାତ୍ର ସଜ୍ଜନ ଶର୍ମା ଓ ସମୀର ମହାନ୍ତି ଏହି ଦାବି କରିଛନ୍ତି ।

Share in top social networks!