ଅଧ୍ୟାଦେଶକୁ ନେଇ ରାଜନୀତି ନକରୁ କଂଗ୍ରେସ ମୋଦିଜୀଙ୍କ ଲକ୍ଷ୍ୟ ତ୍ୱରିତ ବିକାଶ

bjppp ସାତ ମାସର ସରକାର କାଳରେ ଏଯାଏଁ ଗୋଟିଏ ବି ଦୁର୍ନୀତି ଅଭିଯୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆସିନାହିଁ । ସାତ ମାସ କାଳରେ ଦେଶରେ ମୁଦ୍ରାସ୍ଫୀତି, ଖାଦ୍ୟ ମୂଲ୍ୟସ୍ଫୀତି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ମଧ୍ୟ ବହୁ ହ୍ରାସ ପରିଲକ୍ଷିତ ହୋଇଛି । ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦି ରାଜ୍ୟ ସରକାରଙ୍କୁ ସାଙ୍ଗରେ ନେଇ କାର୍ଯ୍ୟକରିବା ପାଇଁ ନୀତି ଆୟୋଗ ଗଠନ କରିଛନ୍ତି । ସାରା ଦେଶରେ ଓ ବିଶ୍ୱରେ ମୋଦିଙ୍କ ଶାସନ ପ୍ରଶଂସିତ ହେଉଥିବାବେଳେ ବିଜେପି ପ୍ରତି ଜନାଧାର କିଭଳି ବୃଦ୍ଧି ପାଉଛି ତାହା ସଦ୍ୟ ସମାପ୍ତ ରାଜ୍ୟ ବିଧାନସଭା ନିର୍ବାଚନମାନଙ୍କରୁ ସ୍ପଷ୍ଟ ଅନୁମେୟ । ଏଭଳି କ୍ଷେତ୍ରରେ ବିରୋଧୀ କଂଗ୍ରେସ ମୋଦିଙ୍କୁ ଟାର୍ଗେଟ୍ କରିବା ପାଇଁ ବାଟ ପାଉନଥିବାରୁ ଅଧ୍ୟାଦେଶକୁ ନେଇ ରାଜନୀତି ଆରମ୍ଭ କରିଦେଇଛି । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଏହା କହିବା ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ଏହି ଅଧ୍ୟାଦେଶକୁ ନେଇ ମୋଦି ସରକାରଙ୍କୁ ଯେଉଁ ଟାର୍ଗେଟ୍ କରିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତଯେ, ପିସିିସି ସଭାପତି ଥରେ ଇତିହାସ ପୃଷ୍ଠା ଖୋଲି ଦେଖନ୍ତୁ । ଯେଉଁ ଦଳର ସେ ରାଜ୍ୟର ନେତୃତ୍ୱ ନେଉଛନ୍ତି ସେହି ଦଳ ଅନେକ ବର୍ଷ ଧରି କେନ୍ଦ୍ରରେ ଶାସନ କରି ଆସୁଥିଲା । ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ନିଜ କାର୍ଯ୍ୟକାଳ ମଧ୍ୟରେ ୭୦ଟି ଅଧ୍ୟାଦେଶ ଆଣିଥିବାବେଳେ ଇନ୍ଦିରା ଗାନ୍ଧୀ ୧୯୫ଟି ଅଧ୍ୟାଦେଶ ଆଣିଥିଲେ । ଏମିତିକି କେବଳ ୧୯୭୧ରୁ ୧୯୭୭ ମଧ୍ୟରେ ସେ ୯୯ଟି ଅଧ୍ୟାଦେଶ ଆଣିଥିଲେ । ରାଜୀବ ଗାନ୍ଧୀଙ୍କ ଶାସନ ଅମଳରେ ୩୫ଟି ଅଧ୍ୟାଦେଶ ଆସିଥିଲା । ସେହିପରି ପିଭି ନରସିଂହ ସରକାର ଅମଳରେ ୭୭ଟି ଅଧ୍ୟାଦେଶ ଆସିଥିବାବେଳେ ମନମୋହନ ସିଂହଙ୍କ ସରକାର ଅମଳରେ ୬୧ଟି ଅଧ୍ୟାଦେଶ ଆସିଛି । ଆଉ ସବୁଠାରୁ ବିଡ଼ମ୍ବନାର କଥା ହେଉଛି ଖୋଦ୍ କଂଗ୍ରେସର ଉପସଭାପତି ରାହୁଲ ଗାନ୍ଧୀ ସରକାରଙ୍କର ଏକ ଅଧ୍ୟାଦେଶ ଚିରି ଦେଇଥିବାବେଳେ ତାଙ୍କରି ଚାପରେ କେନ୍ଦ୍ର ସରକାର ତାହାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ । ଏହାଠାରୁ ବିଡ଼ମ୍ବନାର ବିଷୟ କ’ଣ ଥାଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସଂସଦର ଅଧିବେଶନ ନଥିବାବେଳେ ଅଧ୍ୟାଦେଶ ଆଣିବା ପାଇଁ ସମ୍ବିଧାନ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ୍ଙ୍କୁ କ୍ଷମତା ଦେଇଛି । ଘର ଜଳିଯାଉଥିବାବେଳେ ଅଗ୍ନିଶମ ଗାଡ଼ି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାନଯାଇ ପାଣି ଢ଼ଳାଯାଏ । ଅଗ୍ନିଶମ ଗାଡ଼ିକୁ ଅପେକ୍ଷା କଲେ ଘରର ସବୁକିଛି ଜଳି ସର୍ବସ୍ୱାନ୍ତ ହୋଇଯିବାର ଆଶଙ୍କା ରହିଥାଏ । ଉପା ସରକାର ଅମଳରେ ଦୁର୍ନୀତି ଏତେ ବଢ଼ିଯାଇଥିଲାଯେ, ସାରା ଦେଶର ଆର୍ଥିକ ସଂସ୍କାର ଠାରୁ ଆରମ୍ଭ କରି ଯୁଗପୋଯୋଗୀ ନୀତି ସବୁ ଠପ୍ ହୋଇଯାଇଥିଲା । ଦେଶର ଅର୍ଥନୀତି ଓ ସାମାଜିକ ସ୍ଥିତି ବିପନ୍ନ ହୋଇଯାଇଥିଲା । ଜଣେ ଅର୍ଥନୀତିଜ୍ଞଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଶ ପାଇବା ପରେ ବି ଅବସ୍ଥାରେ ସୁଧାର ଆସିବା ବଦଳରେ ଦେଶ ଦୁର୍ଦ୍ଧିନ ଦେଇ ଗତି କରିଥିଲା । ଯେଉଁଥିପାଇଁ ଦେଶର ଶହେ ପଚିଶ କୋଟି ଜନସାଧାରଣ ମୋଦିଜୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଦେଶର ଜନତାଙ୍କ ଆସ୍ଥାକୁ ସମ୍ମାନ ଦେଇ ମୋଦିଜୀ ତ୍ୱରିତ ବିକାଶ ପାଇଁ ଅଧ୍ୟାଦେଶ ଆଣିଛନ୍ତି । ଏହି ଅଧ୍ୟାଦେଶ ସମ୍ପର୍କରେ ସଂସଦରେ ଆଲୋଚନା ହେବା ସହ ଆଇନ୍ରେ ମଧ୍ୟ ପରିଣତ ହେବ । ମୋଦି ସରକାର ଅଧ୍ୟାଦେଶ ଆଣିଛନ୍ତି ଲୋକଙ୍କ ବିକାଶ ପାଇଁ । କଂଗ୍ରେସ ଭଳି ଦୁର୍ନୀତି କରିବା ପାଇଁ ନୁହେଁ ବୋଲି ଶ୍ରୀ ଶର୍ମା କହିଛନ୍ତି । ଏହି ଅଧ୍ୟାଦେଶରେ କେଉଁ ପ୍ରସଙ୍ଗଗୁଡ଼ିକ ଦେଶ ଓ ରାଜ୍ୟର ବିକାଶ ପାଇଁ ଉଦ୍ଧିଷ୍ଟ ନୁହେଁ ସେନେଇ ଗଠନମୂଳକ ସମାଲୋଚନା କଲେ ଦେଶ ଓ ରାଜ୍ୟର ପ୍ରଗତି ହୋଇପାରନ୍ତା ।
କଂଗ୍ରେସ ଅଧ୍ୟାଦେଶକୁ ଅଗଣତାନ୍ତ୍ରିକ ବୋଲି କହୁଛି । ହେଲେ ନେହେରୁ ଏଭଳି ପ୍ରଶ୍ନର ଉତର ଦେଇ ଅତୀତରେ କହିଛନ୍ତିଯେ, ଅଧ୍ୟାଦେଶ ସାମ୍ବିଧାନିକ ବିଧି ସ୍ୱୀକୃତ କାର୍ଯ୍ୟ । ଏହା ଅଗଣତାନ୍ତ୍ରିକ କିଭଳି ହେବ ? ନେହେରୁ ଠିକ୍ କହୁଥିଲେ କି ଭୁଲ୍ ତାହାର ଉତର କଂଗ୍ରେସ ଦେବା ଦରକାର । ସେହିପରି ମୋଦି ସରକାର ଅଧ୍ୟାଦେଶ ଆଣି ଏକଛତ୍ରବାଦ ନୀତି ଆପଣାଉଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଉଛି । ଯଦି ଅଧ୍ୟାଦେଶ ଆଣିବା ଏକଛତ୍ରବାଦ ନୀତି ତେବେ ନେହେରୁ, ଇନ୍ଦିରା, ରାଜୀବ, ପିଭି ନରସିଂହ ରାଓ ଓ ମନମୋହନ ସରକାର ସମସ୍ତଙ୍କୁ କଂଗ୍ରେସ କେଉଁ ମାପଦଣ୍ଡରେ ତଉଲିବ ବୋଲି ସଜ୍ଜନ ଶର୍ମା ପ୍ରଶ୍ନ କରିଛନ୍ତି ।

Share in top social networks!