ଆସନ୍ତାକାଲି ଠାରୁ ବିଜେପିର ବୁଥ୍ ଚାଲ ଅଭିଯାନ; ବୁଥ୍ର ସବୁ ପରିବାର ନିକଟରେ ପହଁଚିବାକୁ କାର୍ଯ୍ୟକର୍ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

dpppଆସନ୍ତାକାଲିଠାରୁ ବିଜେପି ବୁଥ୍ ଚାଲ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ନେତାଜୀ ଜୟନ୍ତୀ ଠାରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ବିଶେଷକରି ଆଗାମୀ ୨୩, ୨୪ ଓ ୨୫ରେ ବିଜେପି ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ ଅଭିଯାନ କରୁଥିବାବେଳେ ରାଜ୍ୟର ସମସ୍ତ ବୁଥ୍ର ପ୍ରତ୍ୟେକ ପରିବାର ନିକଟରେ ପହଁଚିବାକୁ କାର୍ଯ୍ୟକର୍ତାମାନଙ୍କୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି ।
ଦଳୀୟ କାର୍ଯ୍ୟାଳୟରେ ଭୁବନେଶ୍ୱର ଜିଲା ପକ୍ଷରୁ ଆହୂତ ବୁଥ୍ ପ୍ରମୁଖମାନଙ୍କର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତିଯେ, ସାରା ଦେଶରେ ମୋଦିଙ୍କ ପ୍ରତି ଲୋକମାନଙ୍କ ଭଲପାଇବା ବଢ଼ିଚାଲିଛି । କମ୍ ସମୟର ଶାସନ କାଳରେ ମୋଦିଜୀ ଯେଉଁ ଜନମଙ୍ଗଳକାରୀ ପଦକ୍ଷେପ ନେଇଛନ୍ତି ତାହା ସମସ୍ତଙ୍କୁ ଆକର୍ଷିତ କରିପାରିଛି । ଛାତ୍ରଠୁ ନେଇ ଯୁବକ, ମହିଳାଙ୍କ ଠାରୁ ନେଇ ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତେ ମୋଦିଜୀ ଓ ବିଜେପି ପ୍ରତି ଆକର୍ଷିତ ହେଉଛନ୍ତି । କାର୍ଯ୍ୟକର୍ତାମାନେ ଆଗାମୀ ଦୁଇ ମାସ ଯଦି କଠିନ ପରିଶ୍ରମ କରିବେ ତେବେ ସଭ୍ୟ ସଂଗ୍ରହରେ ନୂଆ ରେକର୍ଡ଼ ସୃଷ୍ଟି ହୋଇପାରିବ । ପ୍ରତି ବୁଥ୍ରେ ସଭ୍ୟ ସଂଗ୍ରହ ଅଭିଯାନର ଆହ୍ୱାନ ଦେଇ ବୋର୍ଡ଼ ଲଗାଇବା ସହ ବୁଥ୍ର ସମସ୍ତ ପରିବାର ନିକଟରେ ପହଁଚିଲେ ଖୁବ୍ ସହଜରେ ସଭ୍ୟ ସଂଗ୍ରହ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସେ କହିଥିଲେ । ‘ନୂଆ ଓଡ଼ିଶା ଗଢ଼ିବା, ବିଜେପିରେ ମିଶିବା’ର ନାରା ଦେଇ ଆମେ ଲୋକମାନଙ୍କ ପାଖକୁ ଯିବା ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ।
ଏହି ଅବସରରେ ସାଧାରଣ ସମ୍ପାଦକ (ସଂଗଠନ) ପ୍ରସନ୍ନ ମିଶ୍ର, ସହସଂଗଠନ ମନ୍ତ୍ରୀ ଶାରଦା ପ୍ରସାଦ ଶତପଥୀ, ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ, ମୁଖପାତ୍ର ସମୀର ମହାନ୍ତି, ଭୁବନେଶ୍ୱର ଜିଲା ସଭାପତି ଅମୀୟ ଦାସ, ଜଗନ୍ନାଥ ପ୍ରଧାନ, ଖୋର୍ଦ୍ଧା ଜିଲା ବିଜେପି ସଭାପତି ସୁଦୀପ୍ତ ରାୟ, ନିୟତି ଗିରି, ଛୋଟେଲାଲ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଭୁବନେଶ୍ୱର ଜିଲାର ୧୮୨ ବୁଥ୍ ପ୍ରମୁଖମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Share in top social networks!