ସୁବାସ ବୋଷଙ୍କ ଜୟନ୍ତୀ ଠାରୁ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି ପର୍ଯ୍ୟନ୍ତ ବିଜେପିର ମହାସଦସ୍ୟତା ଅଭିଯାନ

bjpmembersଆଗାମୀ ଜାନୁଆରୀ ୨୩ ଅର୍ଥାତ୍ ସୁବାସ ବୋଷଙ୍କ ଜନ୍ମଜୟନ୍ତୀ ଠାରୁ ଫେବୃଆରୀ ୧୧ ଦୀନଦୟାଲ ଉପାଧ୍ୟାୟଙ୍କ ପୂଣ୍ୟତିଥି ପର୍ଯ୍ୟନ୍ତ ରାଜ୍ୟ ବିଜେପି ପକ୍ଷରୁ ମହାସଦସ୍ୟତା ଅଭିଯାନ କରାଯିବ । ଜାନୁଆରୀ ୨୩, ୨୪ ଓ ୨୫ରେ ସ୍ୱତନ୍ତ୍ର ମହା ସଭ୍ୟସଂଗ୍ରହ କାର୍ଯ୍ୟକ୍ରମ ରହିଥିବାବେଳେ ଏହା ଫେବୃଆରୀ ୧୧ ପର୍ଯ୍ୟନ୍ତ ଜାରିରହିବ । ଏଥିପାଇଁ ରାଜ୍ୟର ୪୪୪ ମଣ୍ଡଳରେ ବିସ୍ତାରକ ଭାବେ କାର୍ଯ୍ୟକର୍ତାଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରତି ମଣ୍ଡଳରେ ଅତି କମ୍ରେ ୧୦୦ ସକ୍ରିୟ ସଭ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟ ବିଜେପି ସଭାପତି କନକବର୍ଦ୍ଧନ ସିଂହଦେଓ, ଜାତୀୟ ସହସଂଗଠନ ମନ୍ତ୍ରୀ ଶିବପ୍ରକାଶଜୀ, ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଦସ୍ୟତା ପ୍ରଭାରୀ ରଞ୍ଜନ ପଟେଲ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ପ୍ରସନ୍ନ ମିଶ୍ର ଆହ୍ୱାନ ଦେଇଛନ୍ତି ।
ସଭ୍ୟ ସଂଗ୍ରହ ଅଭିଯାନ ତ୍ୱରାନ୍ୱିତ ପାଇଁ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସଦସ୍ୟତା ସହ ପ୍ରଭାରୀ ପ୍ରତାପଚନ୍ଦ୍ର ଷଡଙ୍ଗୀ ଓ ଭୃଗୁ ବକ୍ସିପାତ୍ର, ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା ସଦସ୍ୟତା ପ୍ରଭାରୀ ଓ ସହପ୍ରଭାରୀ, ରାଜ୍ୟର ବିଭିନ୍ନ ମଣ୍ଡଳର କାର୍ଯ୍ୟକର୍ତା, ରାଜ୍ୟ ଏବଂ ଜିଲ୍ଲା ପଦାଧିକାରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ସିଂହଦେଓ କହିଲେଯେ, ଆସନ୍ତା ଜାନୁଆରୀ ୨୩ରୁ ୨୫ ପର୍ଯ୍ୟନ୍ତ ବୁଥ୍ ଚାଲ ଅଭିଯାନ କରାଯିବ । ବିଜେପି ପ୍ରତି ଜନସାଧାରଣଙ୍କ ଆଗ୍ରହ ବୃଦ୍ଧି ପାଉଥିବାବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ବ୍ୟକ୍ତି ବିଜେପିରେ ସାମିଲ୍ ହେଉଛନ୍ତି । ୪୦ ଲକ୍ଷ ସଭ୍ୟ ସଂଗ୍ରହ ଟାର୍ଗେଟ ପୂରଣ ପାଇଁ କର୍ମୀମାନେ କଠିନ ପରିଶ୍ରମ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ସେହିପରି ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ଶିବପ୍ରକାଶଜୀ କହିଲେଯେ, ଜାନୁଆରୀ ୨୩ରୁ ଫେବୃଆରୀ ୧୧ ପର୍ଯ୍ୟନ୍ତ ମହାସଦସ୍ୟତା ସଂଗ୍ରହ ଅଭିଯାନ ହେବ । ଏହି ସମୟ ମଧ୍ୟରେ କାର୍ଯ୍ୟକର୍ତାମାନଙ୍କୁ ମାତ୍ର ୨୦ ଦିନ ସମୟ ମିଳିବ । ଯେଉଁ ମଣ୍ଡଳରେ ଦଳର ସଭ୍ୟ ସଂଖ୍ୟା କମ୍ ରହିଛନ୍ତି ସେହି ମଣ୍ଡଳଗୁଡ଼ିକ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରତି ମଣ୍ଡଳରେ ଅତିକମ୍ରେ ୧୦୦ ସକ୍ରିୟ ସଭ୍ୟ ହେଲେ ଆମେ ଟାର୍ଗେଟ୍ ପୂରଣ କରିପାରିବା ବୋଲି ସେ କହିବା ସହ ମିଳିମିଶି ଦଳକୁ ମଜବୁତ୍ କରିବା ପାଇଁ ଲାଗି ପଡ଼ିବାକୁ କହିଥିଲେ । ସୋସିଆଲ୍ ମିଡ଼ିଆର ବହୁଳ ଉପଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ । କମ୍ ସଭା, କମ୍ କଥା କହିବା ସହ କାମରେ ଅଧିକ ଧ୍ୟାନ ଦେବାକୁ ଶିବପ୍ରକାଶଜୀ ପରାମର୍ଶ ଦେଇଥିଲେ ।
ସାଧାରଣ ସମ୍ପାଦକ ଶ୍ରୀ ମିଶ୍ର କାର୍ଯ୍ୟକର୍ତାମାନଙ୍କୁ କିଭଳି ସଭ୍ୟ ସଂଗ୍ରହ କରାଯିବ, କେଉଁ କେଉଁ ଅଂଚଳ ଉପରେ ଧ୍ୟାନ ଦିଆଯିବ ଆଦି ସମ୍ପର୍କରେ ବିଶଦ ଭାବେ ବୁଝାଇଥିଲେ । ଏହି କର୍ମଶାଳାରେ ସହ ସଂଗଠନ ମନ୍ତ୍ରୀ ଶାରଦା ପ୍ରସାଦ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!