ଓଡ଼ିଶାରେ ବିଜେପି ସଭ୍ୟ ସଂଖ୍ୟା ୧୦ ଲକ୍ଷ ଛୁଇଁଲା

arunsinghସାରା ଭାରତରେ ବିଜେପି ସଭ୍ୟ ସଂଖ୍ୟା ୪ କୋଟିରେ ପହଁଚିବାକୁ ଯାଉଛି । ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ପାଇଁ ହାତରେ ଆହୁରି ୨ ମାସ ୧୧ ଦିନ ଥିବାବେଳେ ବିଜେପି ବିଶ୍ୱର ବୃହତମ ରାଜନୈତିକ ଦଳ ଭାବେ ଉଭା ହେବାକୁ ଯାଉଛି । ଓଡ଼ିଶାରେ ବିଜେପି ସଭ୍ୟ ସଂଖ୍ୟା ୧୦ ଲକ୍ଷ ଛୁଇଁ ସାରିଥିବାବେଳେ ଏହାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ଜାନୁଆରୀ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ବୁଥ୍ ଚାଲନ୍ତୁ, ସଦସ୍ୟତା ବନାନ୍ତୁ ଅଭିଯାନ କରାଯିବ ବୋଲି ରାଜ୍ୟ ପ୍ରଭାରୀ ତଥା ବିଜେପିର ଜାତୀୟ ସମ୍ପାଦକ ଅରୁଣ ସିଂହ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଶ୍ରୀ ସିଂହ କହିଛନ୍ତିଯେ, ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତ ବେଳଠାରୁ ରାଜ୍ୟ ବିଜେପିର ସଭ୍ୟ ସଂଖ୍ୟାରେ ବହୁ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । କେବଳ ଅମିତ୍ଜୀଙ୍କ ସଭା ଦିନ ହିଁ ରାଜ୍ୟରେ ବିଜେପିର ସଭ୍ୟ ସଂଖ୍ୟା ୫୨୨୦୦ରେ ପହଁଚିଥିଲା । ପୂର୍ବରୁ ରାଜ୍ୟରେ ବିଜେପିର ସଭ୍ୟ ସଂଖ୍ୟା ୩ ଲକ୍ଷ ଥିବାବେଳେ ଏବେ ତାହା ୧୦ ଲକ୍ଷରେ ପହଁଚିଲାଣି । ଅର୍ଥାତ୍ ପୂର୍ବାପେକ୍ଷା ଦଳର ଶକ୍ତି ୩ ଗୁଣା ବୃଦ୍ଧି ପାଇଛି । ସେହିପରି ଜାନୁଆରୀ ୨୩, ୨୪ ଓ ୨୫ରେ ବିଜେପି ପକ୍ଷରୁ ବୁଥ୍ ଚାଲନ୍ତୁ, ସଦସ୍ୟତା ବନାନ୍ତୁ ଅଭିଯାନ ହେବ । ଏହି ଅବସରରେ ଦଳର ସଭ୍ୟ ସଂଖ୍ୟା ୨୦ ଲକ୍ଷକୁ ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ମାର୍ଚ୍ଚ ୩୧ ସୁଦ୍ଧା ଦଳର ଶକ୍ତି ପୂର୍ବାପେକ୍ଷା ୧୩ ଗୁଣା ବୃଦ୍ଧି ପାଇବ । ରାଜ୍ୟରେ ବିଜେପି ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିଥିବାବେଳେ ଲକ୍ଷ ଲକ୍ଷ ଯୁବକ ଦଳ ପ୍ରତି ଆସ୍ଥା ପ୍ରକଟ କରୁଛନ୍ତି । ବିଜେଡ଼ିକୁ ହଟାଇ ବିଜେପି ସରକାର ଗଠନ କରିବାକୁ ଲୋକମାନେ ଚାହୁଁଛନ୍ତି ।
ମାର୍ଚ୍ଚରେ ସଭ୍ୟ ସଂଗ୍ରହ ପରେ ଅପ୍ରେଲ ଓ ମେ’ରେ ଦଳ ସଭ୍ୟ ଭେରିଫିକେସନ୍ କାର୍ଯ୍ୟ କରିବ । ଜୁନ୍, ଜୁଲାଇ ଓ ଅଗଷ୍ଟରେ ୫ ହଜାରରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତାଙ୍କୁ ଦଳ ପ୍ରଶିକ୍ଷଣ ପ୍ରଦାନ କରିବ । ସଭ୍ୟ ସଂଗ୍ରହ ସହ ଦଳକୁ ସୁଦୃଢ଼ କରିବା ଓ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିବା ପାଇଁ ବିଜେପି କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।
ବିଜେପିର ଲୋକପ୍ରିୟତା ଦେଖି ବିଜେଡ଼ି ଭୟଭୀତ ହୋଇଯାଇଛି । ସେଇଥିପାଇଁ ବିଜେପି ରାଲିକୁ ଆସୁଥିବା ବା ବିଜେପିରେ ସାମିଲ୍ ହେଉଥିବା ନେତା ଓ କର୍ମୀଙ୍କ ଉପରେ ବିଜେଡ଼ି ଆକ୍ରମଣ କରୁଛି । ବିଜେଡ଼ି ହତାଶ ହୋଇଯାଇଥିବାରୁ ଏଭଳି ହିଂସାତ୍ମକ କାର୍ଯ୍ୟକୁ ଆପଣାଉଛି । ଧର୍ମଶାଳାର ଜଣେ ବ୍ୟକ୍ତି ବିଜେପି ରାଲିକୁ ଆସିଥିବାରୁ ତାଙ୍କ ଘରର ଜଣେ ମହିଳା ସୁଲକ୍ଷଣା ଦଳେଇଙ୍କୁ ବିଜେଡ଼ି ନେତାମାନେ ପିଟିପିଟି ହତ୍ୟା କରି ଦେଇଛନ୍ତି । ଅଭିଯୁକ୍ତ ରୂପ ଦଳେଇକୁ ଗିରଫ କରିବା ପରେ ପୁଲିସ୍ ଛାଡ଼ି ଦେଇଛି । ଘଟଗାଁରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତା ହେମରଂଜନ ବାରିକଙ୍କୁ ବିଜେଡ଼ି ଛାତ୍ରମାନେ ଆକ୍ରମଣ କରିଥିବାବେଳେ ଆନନ୍ଦପୁରର ଛାତ୍ର ନେତା ସିପୁନ୍ ଦାସଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ମାଡ଼ ମାରି ଲହୁଲୁହାଣ କରିଦେଇଛନ୍ତି । ସେହିପରି ବାଣୀବିହାରର ଛାତ୍ର ନେତା ମାନସ ସାହୁଙ୍କୁ ମଧ୍ୟ ବିଜେଡ଼ି ନେତାମାନେ ମାଡ଼ ମାରିଛନ୍ତି । ସରକାର ଅଭିଯୁକ୍ତମାନଙ୍କ ବିରୋଧରେ ତୁରନ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।
ଏଥିପାଇଁ ବିଜେପି ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓଙ୍କ ନିଦେ୍ର୍ଧଶ କ୍ରମେ ଏକ କମିଟି ଗଠନ କରାଯାଇଛି । ବରିଷ୍ଠ ନେତା ତଥା ମୁଖପାତ୍ର ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିନୋଦ ଦାସ, ଭ୍ରୁଗୁ ବକ୍ସି ପାତ୍ର, ପ୍ରଭାତୀ ପରିଡ଼ା, ସତ୍ୟବ୍ରତ ପଣ୍ଡା, ଠାକୁର ରଣଜିତ୍ ଦାସ, ଟଙ୍କଧର ତ୍ରିପାଠୀ ପ୍ରମୁଖ ସଭ୍ୟ ରହିଛନ୍ତି । ଏହି କମିଟି ଧର୍ମଶାଳା, ଘଟଗାଁ, ଆନନ୍ଦପୁର ଓ ବାଣୀବିହାର ଯାଇ କାହିଁକି ବିଜେପି ସମର୍ଥକଙ୍କ ଉପରେ ଆକ୍ରମଣ କରାଯାଉଛି ସେନେଇ ଅନୁଧ୍ୟାନ କରିବେ । ସେମାନଙ୍କ ରିପୋର୍ଟ ଅନୁଯାୟୀ ଦଳ ଆଗାମୀ ରଣନୀତି ଗ୍ରହଣ କରିବ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସଜ୍ଜନ ଶର୍ମା ଓ ସମୀର ମହାନ୍ତି ଉପସ୍ଥିତ ଥିଲେ ।

Share in top social networks!