ପଲସ୍ ପୋଲିଓ ଅଭିଯାନ ଶୁଭାରମ୍ଭ; ୧୮୮୨୮ ଟିକାଦାନ କେନ୍ଦ୍ରରେ ୪୬ ଲକ୍ଷରୁ ଉଦ୍ଧ୍ୱର୍ ଶିଶୁଙ୍କୁ ପୋଲିଓ ବୁନ୍ଦା ଖାଇବାକୁ ଦିଆଯିବ

polioଆଜିଠାରୁ ରାଜ୍ୟରେ ପଲସ୍ ପୋଲିଓ ଅଭିଯାନ ଅରମ୍ଭ ହୋଇଛି । ଆଇ.ଆର୍ ସି ଭିଲେଜ ,ନୟାପଲ୍ଲୀ ଡିସପେନ୍ସାରୀ ଠାରେ ଆୟୋଜିତ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା ପୋଲିଓ ବୁନ୍ଦା ପ୍ରଦାନକରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୪୬ ଲକ୍ଷରୁ ଉଦ୍ଧ୍ୱର୍ ଶିଶୁଙ୍କୁ ପୋଲିଓ ବୁନ୍ଦା ଖାଇବାକୁ ଦିଆଯିବ ।
ଏଥି ପାଇଁ ୧୮.୮୨୮ ଟି ପୋଲିଓ ଖୁଆଇବା କେନ୍ଦ୍ର ଖୋଲାଯାଇଛି । ପୋଲିଓ ବୁନ୍ଦା ଖାଇବାକୁ ଦେବା ନିମନ୍ତେ ୭୫୩୧୨ ଜଣ କର୍ମୀ ଏବଂ ୩୭୬୫ ଜଣ ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି । ଖୋଲା ଯାଇଥିବା ପ୍ରତ୍ୟେକ କେନ୍ଦ୍ରରେ ସକାଳ ୮ ଘଣ୍ଟାରୁ ଅପରାହ୍ନ ୪ଘଣ୍ଟା ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ଖାଇବାକୁ ଦିଆଯିବ । ପରବର୍ତ୍ତି ଦୁଇଦିନ ( ୧୯ ଓ ୨୦ ତାରିଖ ) ନିୟୋଜିତ କର୍ମୀମାନେ ଘରକୁ ଘର ପରିଦର୍ଶନ କରି ପୋଲିଓ ବୁନ୍ଦା ଖାଇ ପାରିନଥିବା ଶିଶୁଙ୍କୁ ପୋଲିଓ ବୁନ୍ଦା ଖାଇବାକୁ ଦେବେ ବୋଲି ଶ୍ରୀମତୀ ଆହୁଜା ସୂଚନା ଦେଇଛନ୍ତି ।

ଶ୍ରୀମତୀ ଆହୁଜା କହିଛନ୍ତି ଯେ ଦୀର୍ଘଦିନର ପ୍ରଚେଷ୍ଟା ଫଳରେ ଭାରତ ବର୍ଷ ୨୦୧୧ ମସିହା ଜାନୁୟାରୀ ମାସରୁ ପୋଲିଓ ମୁକ୍ତ ହୋଇପାରିଛି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଏହି ଘୋଷଣାକରିଛି । ଓଡିଶାରେ ୨୦୦୯ ମସିହାକୁ କୌଣସି ପୋଲିଓ ଆକ୍ରାନ୍ତ ଚିହ୍ନଟ ହୋଇ ନାହିଁ । ତେବେ ପାକିସ୍ଥାନ , ଇରାକ୍ , କାମେରୁନ୍ , ସୋମାଲିଆ , ସିରିଆ , ଇଥୋପିଆ , କେନିଆ ଏବଂ ନାଇଜେରିଆ ଭଳି ଦେଶରେ ପୋଲିଓ ସଂକ୍ରମଣ ରହିଥିବାରୁ ଭାରତରେ ଏହାର ପୁନଃସଂକ୍ରମଣର ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ । ସେଥିପାଇଁ ଆମକୁ ସତର୍କ ରହିବା ସହ ପଲସ୍ ପୋଲିଓ ଟିକାଦାନ କାର୍ଯ୍ୟକ୍ରମକୁ ଜାରି ରଖିବାକୁ ପଡିବ । ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ଏହି ଅଭିଯାନ ମାଧ୍ୟମରେ ପୋଲିଓ ବୁନ୍ଦା ଖାଇବାକୁ ଦେବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି । ମାତ୍ର ଦୁଇବୁନ୍ଦା ପୋଲିଓ ଟିକା ଖୁଆଇ ନିଜ ନିଜର ଶିଶୁମାନଙ୍କୁ ପୋଲିଓ ଭଳି ରୋଗରୁ ଆକ୍ରାନ୍ତ ହେବାରୁ ମୁକ୍ତ ରଖିବାକୁ ଶ୍ରୀମତୀ ଆହୁଜା ଏହି ଅବସରରେ ପରାମର୍ଶ ଦେଇଛନ୍ତି ।

Share in top social networks!