ରାଜ୍ୟ ସରକାର ଏବଂ ଘରୋଇ ବିଦୁ୍ୟତ ବିତରକ ସଂସ୍ଥାର ଭିତିରିଆ ସମ୍ପର୍କରେ ବଳି ପଡିବେ ବିଦୁ୍ୟତ ଉପଭୋକ୍ତା : ବିଜୟ ମହାପାତ୍ର

bijayରାଜ୍ୟ ସରକାର ବିଦୁ୍ୟତ୍ ବିତରକ କମ୍ପାନୀ ମାନଙ୍କ ସହିତ ସଲାସୁତୁରା କରି ଜାଣିଶୁଣି ପରୋକ୍ଷରେ ବିଦୁ୍ୟତ ଦର ବୃଦ୍ଧିପାଇଁ ଚକ୍ରାନ୍ତ କରୁଛନ୍ତି ବୋଲି ବିଜେପି ଦଳର ବରିଷ୍ଠ ନେତା ଶ୍ରୀ ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି ।
ବିଦୁ୍ୟତ ଟ୍ରିବୁନାଲ୍ ରାୟ ବିରୋଧରେ ସୁପ୍ରିମ୍କୋର୍ଟକୁ ଯିବାପାଇଁ ରାଜ୍ୟ ସରକାର ସ୍ଥିର କରିଥିବା ଲୋକ ଦେଖାଣିଆ ମାତ୍ର । କେନ୍ଦ୍ର ବିଦୁ୍ୟତ ଟ୍ରିବୁନାଲ ୩୦.୦୯.୨୦୧୪ ରେ ବର୍ଦ୍ଧିତ ବିଦୁ୍ୟତ ଦର ବୃଦ୍ଧି ସମ୍ପର୍କିୟ ଅପିଲ ନଂ ୧୫୪, ୧୫୬ ଏବଂ ୧୫୭ ର ଶୁଣାଣି କରିଥିଲେ । ସେତେବେଳେ ଅନିଲ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ ନେସ୍କୋ, ସାଉଥକୋ ଏବଂ ୱେସ୍କୋ ତଥା ସେସୁ ପ୍ରଭୃତି ବିଦୁ୍ୟତ ବିତରକ ସଂସ୍ଥା କେନ୍ଦ୍ର ବିଦୁ୍ୟତ ଟ୍ରିବୁନାଲ ପାଖରେ ନିଜ ମତାମତ ଦାଖଲ କରିଥିଲେ ଏବଂ ବର୍ଦ୍ଧିତ ବିଦୁ୍ୟତ ଦର ସମ୍ପର୍କରେ ଯୁକ୍ତି ବାଢିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ବିଦୁ୍ୟତ୍ ବିଭାଗ ସଚିବ ଏହି ଶୁଣାଣି ବେଳେ ତିନୋଟି ନୋଟିସ ପାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ମତାମତ କେନ୍ଦ୍ର ଟ୍ରିବୁନାଲ ଆଗରେ ଉପସ୍ଥାପିତ କରିନଥିଲେ । ଫଳରେ ବର୍ଦ୍ଧିତ ଦର ବିରୁଦ୍ଧରେ ରାଜ୍ୟ ସରକାରଙ୍କ ଅପିଲ କରିବାର ଯଥାର୍ଥତା ଉପରେ ସୁପ୍ରିମ କୋର୍ଟ ନିଶ୍ଚିତ ଭାବରେ ପ୍ରଶ୍ନ କରିବେ । ରାଜ୍ୟ ସରକାର ଟ୍ରିବୁନାଲ୍ ରେ ନିଜର ମତାମତ ନଦେବା କାରଣରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟ ସରକାର ଏବଂ ଘରୋଇ ବିଦୁ୍ୟତ କମ୍ପାନୀ ମାନଙ୍କ ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି । ରାଜ୍ୟ ସରକାରଙ୍କର ଏହି ଦାୟିତ୍ୱହୀନ କାର୍ଯ୍ୟ ହେତୁ ଉପଭୋକ୍ତାମାନେ ବିଦୁ୍ୟତ ଦର ବୃଦ୍ଧିର ଶିକାର ହେବେ ବୋଲି ଶ୍ରୀ ମହାପାତ୍ର କହିଥିଲେ । ରାଜ୍ୟ ସରକାରଙ୍କ ଏହି ଚରମ ଅବହେଳା ଯୋଗୁଁ ରାଜ୍ୟର ଗରିବ ଉପଭୋକ୍ତାମାନେ ଅଧିକ ଦେୟର ଶିକାର ହୋଇ ଅସୁବିଧା ଭୋଗ କରିବେ । ଏହି ସାମ୍ବାଦିକ ସମ୍ମୀଳନୀରେ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!