ସମ୍ବଲପୁରରେ କାମଳ ରୋଗ କ୍ରମଶଃ ନିୟନ୍ତ୍ରଧୀନ ହେଉଛି

ସମ୍ବଲପୁର ସହରରେ ଦେଖା ଦେଇଥିବା ଜଣ୍ଡିସ୍ ବା କାମଳରୋଗ କ୍ରମଶଃ ନିୟନ୍ତ୍ରଧୀନ ହେଉଛି । ପରିସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସତର୍କ ଦୃଷ୍ଟି ରଖାଯାଇଛି । ଭି.ଏସ୍.ଏସ୍.ମେଡିକାଲ କଲେଜ ଓ ହସପିଟାଲ ଏବଂ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ କାମଳରୋଗୀଙ୍କର ମାଗଣାରେ ସମସ୍ତ ପ୍ରକାର ଆବଶ୍ୟକ ପରୀକ୍ଷା ଓ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଆରତୀ ଆହୁଜା କହିଛିନ୍ତି ।
ଶ୍ରୀମତୀ ଆହୁଜା ଆଜି ଗଣମାନଧ୍ୟମକୁ ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ସମ୍ବଲପୁରରେ କାମଳରୋଗ ଦେଖା ଦେବା ଦିନଠାରୁ ଏ ପର୍ଯ୍ୟନ୍ତ ୧୨୭୦ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କର କାମଳ ସମେତ ଅନ୍ୟାନ୍ୟ ରୋଗ ଯୋଗୁଁ ମୃତ୍ୟୁ ଘଟିଛି । ସମ୍ବଲପୁରେ କାମଳରୋଗ ବ୍ୟାପୁଥିବା ଖବର ମିଳିବା ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପଷ୍ପେନ୍ଦ୍ର ସିଂହଦେଓ ଏବଂ ସେ ସମ୍ବଲପୁର ଗସ୍ତ କରି ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ସହ ନିୟନ୍ତ୍ରଣ ନେଇ ଜିଲ୍ଲା ପ୍ରଶାସନ , ସଂପୃକ୍ତ ବିଭାଗୀୟ ପଦାଧିକାରୀ ଏବଂ ଜନସାଧାରଣଙ୍କ ସହ ଆଲୋଚନା କରିଛନ୍ତି । ଦୁସିତ ପାନୀୟ ଜଳ ବ୍ୟବହାର କରି ଲୋକମାନେ ଆକ୍ରାନ୍ତ ହେଉଥିବାରୁ ସଂପୃକ୍ତ ବିଭାଗ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ , ଫୁଡ୍ସେଫ୍ଟି କମିଶନର , ଅତିରିକ୍ତ ନିଦେ୍ର୍ଧଶକ ଜନସ୍ୱାସ୍ଥ୍ୟ ପ୍ରମୁଖ ବରିଷ୍ଠ ପଦାଧିକାରୀମାନେ ସମ୍ବଲପୁର ଯାଇ କାମଳରୋଗ ନିୟନ୍ତ୍ରଣ ପାଇଁ ଆବ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗତକାଲି ସୁଦ୍ଧା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ବର୍ହିବିଭାଗକୁ ୭୮୭ ଜଣ ଲୋକ ଚିକିତ୍ସା ପାଇଁ ଆସିଛନ୍ତି ଏବଂ ଜଣେ କାମଳ ଆକ୍ରାନ୍ତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ୮୫ ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଛି ଏବଂ ୨୦ ଜଣ ଙ୍କ ରକ୍ତ ନମୂନାରୁ ୨୦ଜଣ ଆକ୍ରାନ୍ତ ଥିବା ଜଣା ପଡିଛି । ଆଗରୁ ପ୍ରାୟ ୫୦ ପ୍ରତିଶତରୁ ଅଧିକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଏହା ୩୦ ପ୍ରତିଶତକୁ ହ୍ରାସ ପାଇଛି ବୋଲି ଶ୍ରୀମତୀ ଆହୁଜା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ କର୍ମୀ , ଆଶା କର୍ମୀ ଏବଂ ଅଙ୍ଗନବାଡି କର୍ମୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ସେମାନେ ଘରକୁ ଘର ଯାଇ ଲୋକଙ୍କୁ ପାଣିକୁ ସିଜାଇ ପିଇବା , ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବା , ଖାଇବା ପୂର୍ବରୁ ଭଲଭାବେ ହାତ ଧୋଇ ଖାଇବା ଏବଂ ବ୍ୟକ୍ତିଗତ ଭାବେ କିପରି ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣି କାମଳରୋଗରୁ ଆକ୍ରାନ୍ତ ନହେବା ଆଦି ସଂପର୍କରେ ସଚେତନ କରୁଛନ୍ତି । ସମ୍ବଲପୁର ପୌରପରିଷଦ ତରଫରୁ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ନିୟମିତ ଭାବରେ ଖାଦ୍ୟପଦାର୍ଥ ବିକ୍ରିର ମଧ୍ୟ ଯାନ୍ଚ କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ନଳକୂପ ଗୁଡିକୁ ବିଶୋଧନ କରାଯାଉଛି । ତେବେ ସମ୍ବଲପୁର ସହରରେ ଦେଖା ଦେଇଥିବା କାମଳରୋଗ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ସହ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଶ୍ରୀମତୀ ଆହୁଜା ପ୍ରକାଶ କରିଛନ୍ତି ।

Share in top social networks!