ଯୋଜନା ଆୟୋଗର ପରିବର୍ତନ ପାଇଁ ଆହୂତ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିମତ

cmpmବର୍ତମାନର ଯୋଜନା କମିଶନ ସ୍ଥାନରେ ଏକ ନୂତନ ଓ ଅଧିକ କାର୍ଯ୍ୟକ୍ଷମ ଅନୁଷ୍ଠାନ ଗଠନ କରିବା ସକାଶେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ବିଚାର କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଲେ ଯେ ଯୋଜନା କମିଶନ ସ୍ଥାନରେ ଏକ ଅଧିକ କାର୍ଯ୍ୟଦକ୍ଷ ଏବଂ ସକ୍ରିୟ ଅନୁଷ୍ଠାନ ଗଠନ କରିବାର ସମୟ ଆସିଛି । ଏଥିପାଇଁ ଟିମ୍ ଇଣ୍ଡିଆ ମିଳିତଭାବେ ବିଚାର ବିମର୍ଶ କରିବା ଆବଶ୍ୟକ । ଟିମ୍ ଇଣ୍ଡିଆ କହିଲେ, ପ୍ରଧାନମନ୍ତ୍ରୀ, ରାଜ୍ୟମାନଙ୍କ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରିମଣ୍ଡଳ ଏବଂ କେନ୍ଦ୍ର ତଥା ରାଜ୍ୟ ସରକାରମାନଙ୍କ ଅଧିକାରୀମାନଙ୍କୁ ବୁଝାଏ । ଏହାଦ୍ୱାରା ଏକ ସହଯୋଗ ଭିତିକ ସଂଘୀୟ ବ୍ୟବସ୍ଥାକୁ ଅଧିକ କାର୍ଯ୍ୟଦକ୍ଷ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ତାଙ୍କ ପ୍ରାରମ୍ଭିକ ଅଭିଭାଷଣରେ କହିଲେ ଯେ ବର୍ତମାନର ବିଶ୍ୱ ପରିସ୍ଥିତି ଭାରତକୁ ଆଗକୁ ଆଗେଇବା ଲାଗି ଏକ ବିରାଟ ସୁଯୋଗ ପ୍ରଦାନ କରିଛି । ତେଣୁ ଆମକୁ ପାରଂପରିକ ମନୋଭାବ ଛାଡ଼ି ସମୟର ଆବଶ୍ୟକତା ଅନୁସାରେ ନିଜକୁ ସଂଶୋଧିତ କରିବା ଆବଶ୍ୟକ । ତେଣୁ ଯୋଜନା କମିଶନର ପରିବର୍ତନ ସମୟର ଆବଶ୍ୟକତା । ଏହାଦ୍ୱାରା ଦେଶର ସାମର୍ଥ୍ୟକୁ ଉପଯୁକ୍ତଭାବେ ଉପଯୋଗ କରାଯାଇ ପାରିବ ।
ଯୋଜନା ଆୟୋଗଙ୍କ ଭୂମିକା, ଯଥାର୍ଥତା ଏବଂ ପୁର୍ନଗଠନ ସଂପର୍କରେ ଗତ ଦୁଇ ଦଶନ୍ଧି ଧରି ଲଗାତାର ଭାବେ ବିଭିନ୍ନ ସମୟରେ ପ୍ରଶ୍ନ ଉଠି ଆସୁଛି । ୧୯୯୨ ମସିହାରେ ଯେତେବେଳେ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ପ୍ରବର୍ତିତ ହୋଇଥିଲା, ସେତେବେଳେ ଏହାର ପୁନର୍ବିନ୍ୟାସ ପାଇଁ ମତ ପ୍ରକାଶ ପାଇଥିଲା । କାରଣ ସରକାରଙ୍କ ପରିବର୍ତିତ ନୀତି ପରିପ୍ରେକ୍ଷୀରେ ଏକ ପୃଥକ ଆଭିମୁଖ୍ୟର ଆବଶ୍ୟକତା ସେତେବେଳେ ଅନୁଭୂତ ହୋଇଥିଲା । ସେହିଭଳି ୨୦୧୨ ମସିହାରେ ସଂସଦୀୟ ପରାମର୍ଶ କମିଟି ଯୋଜନା ଆୟୋଗର ରୂପରେଖ ସଂପର୍କରେ ଗୁରୁତରଭାବେ ଚିନ୍ତା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏକ ନୂତନ ସଂସ୍ଥା ଗଠନର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ତାଙ୍କର କାର୍ଯ୍ୟ ଅବଧି ଶେଷ ବେଳକୁ ଯୋଜନା ଆୟୋଗର ପୁର୍ନଗଠନ ସଂପର୍କରେ ମଧ୍ୟ ମତ ପୋଷଣ କରିଥିବା କଥା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ ଏ ସଂପର୍କରେ ନିଜର ମତ ରଖି କହିଥିଲେ ଯେ ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ଯୋଜନା ଆୟୋଗର ଏକାଧିକ ବୈଠକରେ ସେ ଯୋଗ ଦେଇଥିଲେ । ରାଜ୍ୟମାନଙ୍କ ମତ ପରିପ୍ରକାଶ ପାଇଁ ଆଉ ଏକ ଉତମ ପ୍ଲାଟଫର୍ମର ଆବଶ୍ୟକତା ରହିଥିବା କଥା ସେତେବେଳେ ସେ ଅନୁଭବ କରିଥିଲେ । ଏବେ ବିକାଶ ସମସ୍ତଙ୍କ ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରେ ଏବଂ ସମୟ ଆସିଛି, ଯେତେବେଳେ ବିକାଶ ଓ ଉନ୍ନୟନ ଯେଭଳି ତ୍ୱରାନ୍ୱିତ ହୋଇପାରିବ, ସେଥିପାଇଁ ଏକ ନୂଆ ବ୍ୟବସ୍ଥାର ବିକାଶ ଘଟାଯିବା ଉଚିତ୍ ।
ଯଦି ରାଜ୍ୟମାନଙ୍କର ବିକାଶ ନ ଘଟେ, ତେବେ ଦେଶର ବିକାଶ ଘଟିବା ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ଦୃଢଭାବେ ମତ ପୋଷଣ କରିଥିଲେ । ସେ କହିଥିଲେ ଯେ ଯୋଜନା ପ୍ରଣୟନ ପ୍ରକ୍ରିୟା ତଳସ୍ତରରୁ ସର୍ବୋଚ୍ଚ ସ୍ତର ଏବଂ ସର୍ବୋଚ୍ଚ ସ୍ତରରୁ ତଳ ପର୍ଯ୍ୟନ୍ତ ପରିବର୍ତନ ହେବା ଆବଶ୍ୟକ । ଆମେରିକା ଓ ଅନ୍ୟ ଦେଶମାନଙ୍କରେ ସରକାରଙ୍କର ଯେଉଁସବୁ ଚିନ୍ତାଶୀଳ ଗୋଷ୍ଠୀ ସ୍ୱାଧୀନ ଭାବେ କାର୍ଯ୍ୟ କରୁଛନ୍ତି, ସେମାନଙ୍କର ଦେଶର ନୀତି ନିର୍ଦ୍ଧାରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତରେ ମଧ୍ୟ ଏପରି ଘଟିବା ଆବଶ୍ୟକ । ସରକାରୀ ବ୍ୟବସ୍ଥା ବାହାରେ ବର୍ତମାନ ପରିପ୍ରେକ୍ଷୀରେ ଯଥେଷ୍ଟ ଆର୍ଥିକ ଉନ୍ନୟନ କାର୍ଯ୍ୟ ଘଟୁଛି । ତେଣୁ ସମସ୍ତଙ୍କ ପାଇଁ ଏକ ନୀତି ପରିକଳ୍ପନାର ଆବଶ୍ୟକତା ରହିଛି ।
ଯୋଜନା ଆୟୋଗ ସ୍ଥାନରେ ଯେଉଁ ନୂତନ ସଂସ୍ଥାଟି ଗଠନ ହେବାକୁ ଯାଉଛି, ସେଥିରେ ରାଜ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସେ ଅନୁଭବ କରନ୍ତି । ବେଳେବେଳେ ରାଜ୍ୟମାନେ ଅନୁଭବ କରନ୍ତି ଯେ ସେମାନଙ୍କ ମତ ପରିପ୍ରକାଶ ଲାଗି କୌଣସି ପ୍ଲାଟଫର୍ମ ନାହିଁ । ସେହିଭଳି ରାଜ୍ୟ – ରାଜ୍ୟ ମଧ୍ୟରେ ଥିବା ବିବାଦ ସମାଧାନ ପାଇଁ ମଧ୍ୟ କୌଣସି ଦକ୍ଷ ବ୍ୟବସ୍ଥା ସୃଷ୍ଟି ହୋଇପାରି ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଭାରତର ସାମର୍ଥ୍ୟ ଅନୁସାରେ କଣ ଆମେ ଏକ ନୂତନ ବ୍ୟବସ୍ଥାର ବିକାଶ ଘଟାଇପାରିବା ନାହିଁ ବୋଲି ପ୍ରଶ୍ନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନୂତନ ସଂସ୍ଥା ରାଜ୍ୟମାନଙ୍କୁ ସଶକ୍ତ କରିବା ଦିଗରେ ସହାୟକ ହେବ । ଏହା ବ୍ୟତୀତ ସବୁ ପ୍ରକାର ଆର୍ଥିକ କାର୍ଯ୍ୟକ୍ରମକୁ ଏହି ସଂସ୍ଥା ଦିିଗ-ନିଦେ୍ର୍ଧଶ କରିବ । ଏପରିକି ସରକାରଙ୍କ ବାହାରେ ଯେଉଁ କାର୍ଯ୍ୟକ୍ରମମାନ ଘଟୁଛି ତାହା ଉପରେ ମଧ୍ୟ ଏହାର ନିୟନ୍ତ୍ରଣ ରହିବ । ଏଥିପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ନିର୍ଭିକ ଭାବେ ସେମାନଙ୍କର ସୁଚିନ୍ତିତ ମତ ପ୍ରଦାନ କରିବାକୁ ସେ ଆହ୍ୱାନ ଜଣାଇଥିଲେ । ଏହା ନବଗଠିତ ନୀତି ଆୟୋଗର ଭୂମିକା ଓ କାର୍ଯ୍ୟାବଳୀକୁ ନିର୍ଦ୍ଧାରଣ କରିବା ଦିଗରେ ସହାୟକ ହେବ ବୋଲି ସେ କହିଥିଲେ ।
ଆଜିର ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ହରିଆନା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରାରାଜେ ସିନ୍ଧିଆ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ, ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାୱତ, କେରଳ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି, ଯୋଜନା ସଚିବ ସିନ୍ଧ୍ୁଶ୍ରୀ ଖୋଲର ପ୍ରମୁଖ ଯୋଗ ଦେଇଥିଲେ । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଅମର ଅବଦୁଲ୍ଲା ଯୋଗ ଦେଇନଥିଲେ ।

Share in top social networks!