ଦିଲ୍ଲୀରେ ଓଡିଆ ମହିଳାଙ୍କ ମୃତୁ୍ୟ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି

justiceଦିଲ୍ଲୀରେ ଓଡିଶାର ଜଣେ ମହିଳା ଚିକିତ୍ସା ଅବହେଳାରୁ ପ୍ରାଣ ହରାଇଥିବା ବେଳେ ଦିଲ୍ଲୀ ପୁଲିସ୍ ଓ ପ୍ରଶାସନ ଏନେଇ କୌଣସି କାର୍ଯାନୁଷ୍ଠାନ କରୁନଥିବାରୁ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ତୁରନ୍ତ ମୁଖ୍ୟମନ୍ତ୍ରୀ ଏହି ଘଟଣା ଉପରେ ଦିଲ୍ଲୀ ସରକାରଙ୍କ ସହ ଆଲୋଚନା କରି ଉପଯୁକ୍ତ ନ୍ୟାୟ ଦେବାକୁ ସେମାନେ ଭୁବନେଶ୍ୱରରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି ।

ଏହି ଘଟଣା ମାନବାଧିକାରକୁ ଖୋଲାଖୋଲି ଉଲଂଘନ କରୁଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମାନବାଧିକାର କର୍ମୀମାନେ ଦାବି କରିଛନ୍ତି ।କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଇସାଣିପାଳ ଗାଁର ଗୀତାଂଜଳୀ ନାୟକ(୪୬) ପରିବାର ସହ ପୂର୍ବ ଦିଲ୍ଲୀରେ ଦିଲ୍ସାଦ୍ ଗାର୍ଡେନ୍ରେ ରହି ଆସୁଥିଲେ । ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଗତ ନଭେମ୍ବର ୨୦ ତାରିଖରେ ସ୍ଥାନୀୟ ଜୀବନ ଜ୍ୟୋତି କ୍ଲିନିକ୍ ଓ ହସ୍ପିଟାଲ୍କୁ ଯାଇଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ସେ ରାତି ୭ଟାରେ ଡାକ୍ତରଖାନାରେ ଆଡମିଶନ ହୋଇଥିଲେ । ଡାକ୍ତର ତାଙ୍କ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ ଯେ ପେଟ ଯନ୍ତ୍ରଣା ଅଛି, କୌଣସି ସମସ୍ୟା ନାହିଁ ।

ତେଣୁ ରୋଗୀଙ୍କ ପାଖରେ ରହିବାର ଆବଶ୍ୟକତା ନାହିଁ । ଦରକାର ପଡିଲେ ଫୋନ୍ କରି ଡାକିଦିଆ ଯିବ । ଡାକ୍ତରଙ୍କ କଥା ଶୁଣି ଗୀତାଂଜଳୀଙ୍କ ପୁଅ ସତ୍ୟସିଦ୍ଧି ରାତି ୯ଟା ୩୦ରେ ଘରକୁ ଫେରିଆସିଥିଲେ । ୨୧ ତାରିଖ ଭୋର ପ୍ରାୟ ୫ଟା ବେଳେ ଡାକ୍ତରଖାନାରୁ ସତ୍ୟସିଦ୍ଧିଙ୍କ ପାଖକୁ ଫୋନ୍ ଆସିଲା । ସେ ଡାକ୍ତରଖାନାକୁ ଯାଇ ଦେଖିଲେ ଯେ ତାଙ୍କ ମାଙ୍କ ଦେହରେ କୌଣସି ମନିଟରିଂ କିମ୍ବା ଲାଇଫ୍ ସୋପୋର୍ଟିଂ ବ୍ୟବସ୍ଥା ନାହିଁ । ଅଧଘଂଟାଏ ପରେ ତାଙ୍କୁ ମୃତ ବୋଲି ଡାକ୍ତରମାନେ ଘୋଷୋଣା କରିଥିଲେ । କିନ୍ତୁ ମୃତୁ୍ୟର କାରଣ କହିଲେ ନାହିଁ । ତାଙ୍କୁ ପୋଷ୍ଟମର୍ଟମ ମଧ୍ୟ କରାଗଲା ନାହିଁ ।

ଗୀତାଂଜଳୀଙ୍କ ସ୍ୱାମୀ ସର୍ବେଶ୍ୱର ନାୟକ ହଂଗ୍କଂଗ୍ରେ ରହି କାମ କରୁଥିବାରୁ ସେ ସେହି ରାତି ୨ଟାରେ ଘରକୁ ଆସିଲେ । ଗୀତାଜଂଳୀଙ୍କ ସଂସ୍କାର କରିବା ପରେ ୨୩ ତାରିଖରେ ଡାକ୍ତରଖାନାକୁ ଯାଇ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ । କିନ୍ତୁ ଡାକ୍ତର କିଛି କହିବାକୁ ରାଜି ହେଲେ ନାହିଁ । ଗୀତାଂଜଳୀ ଏକ ସାମାନ୍ୟ ଯନ୍ତ୍ରଣା ଯୋଗୁ ଡାକ୍ତରଖାନାରେ ଭର୍ତି ହୋଇଥିଲେ । କିନ୍ତୁ ତାଙ୍କର ମୃତୁ୍ୟ ଚିକିତ୍ସା ଓ ଡାକ୍ତରଙ୍କ ଅବହେଳା ଜନିତ ବୋଲି ସନେ୍ଦହ ପ୍ରକାଶ ପାଇଥିଲା ।

ସେ ଜିଟିବି ଏନକ୍ଲେଭ୍ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ୍ ଏ ପର୍ଯ୍ୟନ୍ତ କେସ୍ ରୁଜୁ କରିନାହିଁ । ଏ ସମ୍ପର୍କରେ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କୁ ମଧ୍ୟ କରାଯାଇଛି । କିନ୍ତୁ କୌଣସି ଫଳ ମିଳିନାହିଁ । ଏ ସମ୍ପର୍କରେ ପରିବାର ଲୋକେ ମାନବାଧିକାର କର୍ମୀ ଅଖଣ୍ଡଙ୍କୁ ଜଣାଇବା ପରେ ଦିଲ୍ଲୀରେ ରହୁଥିବା ସମାଜସେବୀ ଭଜମନ ବିଶ୍ୱାଳଙ୍କୁ ଶ୍ରୀ ଅଖଣ୍ଡ ଅବଗତ କରାଇଥିଲେ । ଭଜମନ ପରିବାର ଲୋକଙ୍କୁ ଭେଟିବା ସହ ସଂପୃକ୍ତ ଥାନାକୁ ମଧ୍ୟ ଯାଇଥିଲେ । ଥାନା ଅଧିକାରୀ ଏତଲା ରୁଜୁ କରିବେ ବୋଲି କହିଥିଲେ ମଧ୍ୟ ଏ ପର୍ଯନ୍ତ ତାହା ହୋଇନାହିଁ । ତେବେ ଏହା ଏକ ସଂଗୀନ ମାମଲା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଶ୍ରୀ ଅଖଣ୍ଡ ଓ ଭଜମନ ଦାବି କରିଛନ୍ତି । ଖୁବ୍ ଶୀଘ୍ର ଜାତୀୟ ମାନବାଧିକାର କମିଶନରେ ଏ ନେଇ ମାମଲା ରୁଜୁ ହେବ ବୋଲି ସେମାନେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମୃତକଙ୍କ ଭାଇ ମନୋଜ ମୁଦୁଲି ଓ ଭାଉଜ ବନିତା ମୁଦୁଲି ଉପସ୍ଥିତ ଥିଲେ ।

Share in top social networks!