ଶିଶୁ ମାନଙ୍କର ଖାଦ୍ୟ ଅଧିକାର ଉପରେ ରାଜ୍ୟସ୍ତରୀୟ ସମାବେଶ; ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ପ୍ରବର୍ତ୍ତନ ପାଇଁ ଦାବି

ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଆଇନ୍ ପ୍ରବର୍ତ୍ତନ କରିବାକୁ ଦେଇଥିବା ତାଙ୍କର ପ୍ରତିଶ୍ରୁତିକୁ ରକ୍ଷା କରିନାହାନ୍ତି, ତେବେ ରାଜ୍ୟ ସରକାର ଛତିଶଗଡ ଢାଞ୍ଚାରେ ଖାଦ୍ୟ ସୁରକ୍ଷା ଆଇନ୍ ତୁରନ୍ତ ପ୍ରବର୍ତ୍ତନ କରିବା ଉଚିତ | ଏଥିରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସାର୍ବଜନୀନ ହେବା ଦରକାର | ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମୋଟା ଚାଉଳ, ମାଣ୍ଡିଆ, ବାଜରା ଜାତୀୟ ମିଲେଟ୍ ଓ ତେଲ ସାମିଲ ହେବା ଆବଶ୍ୟକ | ଏପରି ଦାବି ଉଠାଇଥିଲେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ରାଜ୍ୟ ରାଜଧାନୀ ଭୁବନେଶ୍ଵର ଠାରେ ସମବେତ ହୋଇଥିବା ସାଧାରଣ ଜନତା |
DSC00809
ଶିଶୁମାନଙ୍କ ର ଖାଦ୍ୟ ଅଧିକାର ଉପରେ ରାଜ୍ୟସ୍ତରୀୟ ସମାବେଶ (ସି.ଆର୍.ଟି.ଏଫ୍) ଭୁବନେଶ୍ଵର ଠାରେ ୨୭, ୨୮ ଓ ୨୯ ତାରିଖ ଡିସେମ୍ବର ୨୦୧୨ ରେ ଆୟୋଜନ କରାଯାଇଥିଲା | ଓଡିଶାର ୨୦ ଗୋଟି ଜିଲ୍ଲାରୁ ପ୍ରାୟ ୫୦୦ଜଣ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ | ଏସବୁ ଅଂଶଗ୍ରହଣକାରୀ ଏନକେ ବ୍ୟତୀତ ଓଡିଶାର କୋଣ ଅନୁକୋଣରୁ ପ୍ରାୟ ୫୦ ଜଣ ଶିଶୁ ଏହି ସମାବେଶରେ ଗୋଟିଏ ଦିନ ପାଇଁ ଅଂଶଗ୍ରହଣ କରିବା ସହିତ ଶିଶୁମାନଙ୍କ ର ଖାଦ୍ୟ ଅଧିକାର ଉପରେ ସେମାନଙ୍କର ମତାମତ ରଖିଥିଲେ | ଓଡିଶାରେ କାର୍ଯ୍ୟରତ ୧୫ଗୋଟି ନେଟୱାର୍କ, ହାତରେ ହାତ ମିଳାଇ ଏହି ସମାବେଶକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ |

ଖାଦ୍ୟ ଅଧିକାର ଆଇନ ଖାଦ୍ୟ ସମ୍ପର୍କିତ ଅନ୍ୟାନ୍ୟ ଅଧିକାର ଯଥା ଜଳ, ଜମି, ଜଙ୍ଗଲ ଏବଂ ଜୀବିକା ଓ ଖାଦ୍ୟ ନିରାପତ୍ତା ପାଇ ଥିବା ଅନ୍ୟ ପ୍ରାକୃତିକ ସମ୍ବଳ ଉପରେ ଲୋକମାନଙ୍କର ଅଧିକାରକୁ ସ୍ବୀକୃତି ଦେବା ଆବଶ୍ୟକ | ଖାଦ୍ୟ ଶସ୍ୟ ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ କ୍ରୟ ହେବା ଆବଶ୍ୟକ |

ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବୃତ୍ତି ଆଦି କ୍ଷେତ୍ରରେ ନଗଦ ଅର୍ଥ ହସ୍ତାନ୍ତରକୁ ଲୋକୋମାନେ ସମର୍ଥନ କରିଥିବା ବେଳେ,ଅଭିନବ ପରିଚୟ ପତ୍ର ମାଧ୍ୟମରେ ବ୍ୟାପକ ଭାବେ ଜନମଙ୍ଗଳ ଯୋଜନା (ଉଦାହରଣ: ସାଧାରଣ ବଣ୍ଟନ ବ୍ୟବସ୍ଥା) ଗୁଡିକରେ ନଗଦ ଅର୍ଥ ହସ୍ତାନ୍ତର ପାଇଁ ସରକାରଙ୍କ ଯୋଜନା କୁ ବିରୋଧ କରିଥିଲେ | ଏହି ଯୋଜନା ବ୍ୟାପକ ରୂପେ ସାମାଜିକ ବଞ୍ଚିତ ବର୍ଗ ସୃଷ୍ଟି କରିବା ସହିତ ଲୋକମାନଙ୍କ ଅର୍ଥନୈତିକ ବିନାଶର କାରଣ ହେବ ବୋଲି ସତର୍କ କରାଇଥିଲେ |

ବାଧ୍ୟ ପଳାଯନ (ଦେଶାନ୍ତରୀ) କୁ ରୋକିବା ପାଇଁ, ଦେଶାନ୍ତରୀ ପ୍ରବଣ ଅଞ୍ଚଳରେ ‘ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା’ ଅଧୀନରେ ବର୍ଷକୁ ୨୦୦ ଦିନର କର୍ମ ଯୋଗାଣ ବ୍ୟବସ୍ଥା ଏବଂ କାମଗୁଡିକର ମଜୁରି ଯଥା ସମୟରେ ପ୍ରଦାନ ପାଇଁ ଦାବି କରିଥିଲେ | ଇଟା ଭାଟି ଓ ନିର୍ମାଣ କାର୍ଯ୍ୟରେ ଶିଶୁ ଶ୍ରମିକ ଉଛେଦକୁ କଡାକଡି ଭାବେ ଲାଗୁ କରିବାକୁ ଦାବି କରିଥିଲେ | ରାଜ୍ୟ ଓ ଜିଲ୍ଲାସ୍ତରରେ ‘ଟ୍ରାକିଂ ସେଲ୍’ ସ୍ଥାପନ କରି ନିୟମିତଭାବେ ଅଙ୍ଗନୱାଡି କେନ୍ଦ୍ର ତଦାରଖ ବ୍ୟବସ୍ଥାକୁ ରାଜ୍ୟରେ ଶକ୍ତିଶାଳୀ କରିବା | ଯାଞ୍ଚ କମିଟି ସଦସ୍ୟ/ସଦସ୍ୟ ମାନଙ୍କୁ ନିୟମିତ ବ୍ୟବଧାନରେ ତାଲିମ୍ ଓ ଦକ୍ଷତାବୃଦ୍ଧି ତାଲିମ୍ ପ୍ରଦାନ କରି ଶକ୍ତିଶାଳୀ କରି ଗଢି ତୋଳିବା | ଅଙ୍ଗନୱାଡି କେନ୍ଦ୍ର ସ୍ତରରେ ନିୟମିତ ପାଣ୍ଠି ପହଞ୍ଚାଇବା ଏବଂ ଆଗତୁରା ଚାଉଳ ପହଞ୍ଚାଇବାକୁ ସୁନିଶ୍ଚିତ କରାଇବା | ଷଠିକ୍ ସମୟଅବଧି ଭିତରେ ଅଭିଯୋଗ ଶୁଣାଣି ବ୍ୟବସ୍ଥା କରିବା ଆଦି ଦାବି କରିଥିଲେ |

ବ୍ୟବସାୟିକ ଗୋଷ୍ଠୀଙ୍କ ଲବିକୁ ଆଖିଆଗରେ ରଖି ଅଂଶଗ୍ରହଣକାରୀ ମାନେ ସମାଜ ମଙ୍ଗଳ ଯୋଜନା ବିଶେଷକରି ପୁଷ୍ଟି ସମ୍ବଦ୍ଧୀତ ଯୋଜନା ଯଥା ସମନ୍ଵିତ ଶିଶୁ ବିକାଶ ସେବା ଯୋଜୋନା ଓ ମଧ୍ୟାନ୍ନ ଭୋଜନ ଯୋଜନାରେ ବ୍ୟବସାୟୀ ମାନଙ୍କୁ ସାମିଲ ନକରିବାକୁ ଦାବି କରିଥିଲେ |

ଅତି କୁ-ପୋଷିତ ଶିଶୁମାନଙ୍କ ପୁଷ୍ଟିର ଉନ୍ନତି ପାଇଁ ପ୍ରତ୍ୟେକ ବ୍ଲକସ୍ତରରେ ପୁଷ୍ଟି ଥଇଥାନ କେନ୍ଦ୍ର ପ୍ରତିଷ୍ଠା ହେବା ସହିତ ଅତି କୁ-ପୋଷିତ ଶିଶୁମାନଙ୍କୁ ସେଠାରେ ଥଇଥାନ କରିବାକୁ ଦାବି କରିଥିଲେ |

ଶେଷରେ ସମାବେଶର ଏକ ପ୍ରତିନିଧି ଦଳ ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ଶ୍ରୀ ମଧୁସୂଦନ ପଢିଙ୍କୁ ସାକ୍ଷାତ କରି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଧେଶ୍ୟରେ ଲିଖିତ ସମାବେଶ ର ରିଜ୍ୟୁଲେସନ୍ ପ୍ରଦାନ କରିଥିଲେ |

Share in top social networks!