ନେତାଜୀଙ୍କ ଦୁଃସାହସିକ ବର୍ଲିନ ଯାତ୍ରା

netajiନେତାଜୀଙ୍କ ଦୁଃସାହସିକ ବର୍ଲିନ ଯାତ୍ରା
-ସମୀର କୁମାର ମହାନ୍ତି
(୭ ଡିସେମ୍ବର ନେତାଜୀଙ୍କ ବର୍ଲିନରେ ପ୍ରଥମ ବେତାର ଭାଷଣ ଉପଲକ୍ଷେ)
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ତାଙ୍କର ଆଜାଦ ହିନ୍ଦ୍ ଫୌଜ, ଦିଲ୍ଲୀ ଚଲୋ ଡାକରା, ମଣିପୁରର ରାଜଧାନୀ ଇଂଫାଲ ଦଖଲ ସମ୍ବନ୍ଧରେ କାହାକୁ ଅଜଣା ନାହିଁ । କିନ୍ତୁ କେଉଁ ପରିସ୍ଥତିରେ ଓ କିଭଳି ସେ ବର୍ଲିନରେ ପହଁଚି ଏହି ସଂଗ୍ରାମ ଚଳାଇଲେ, ସେ ସମ୍ବନ୍ଧରେ କିଛି କଥା, ଯୁବ ପୀଢିଙ୍କ ପାଇଁ ରଖିବାକୁ ଯାଉଛୁ । ଆଶା ଏହା ସେମାନଙ୍କୁ ଅନେକ ପ୍ରେରଣା ଯୋଗାଇବ ।
୧୯୨୮ ମସିହାରେ କଂଗ୍ରେସର କଲିକତା ଅଧିବେସନରେ ସୁଭାଷ ବୋଷ ଦେଶର ବହୁ କ୍ରାନ୍ତିକାରୀ ଅନୁଷ୍ଠାନକୁ ସ୍ୱାଧୀନତା ସଂଗ୍ରାମରେ କଂଗ୍ରେସର ଆନେ୍ଦାଳନକୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅଧିବେସନରେ ମୋତି ଲାଲ ନେହେରୁ ସଭାପତି ହୋଇଥିଲେ ଓ ସୁଭାଷ ବୋଷ ଥିଲେ କଂଗ୍ରେସ ସ୍ୱଚ୍ଛାସେବକ ବାହୀନିର ସର୍ବାଧିନାୟକ ବା ଜେନେରାଲ ଅଫିସର କମାଣ୍ଡିଂ । ଏହା ପରେ ପରେ ସୁଭାଷ ବୋଷଙ୍କ ନାମ ଭାରତ ସାରା ବ୍ୟାପିଗଲା । ଏବଂ ପରେ ୧୯୩୯ ମସିହା କଂଗ୍ରେସର ତ୍ରିପୁରା ଅଧିବେସନରେ ସୁଭାଷ ବୋଷ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେଲେ । ତାଙ୍କର ପ୍ରତିଦ୍ୱନ୍ଦୀ ଥିଲେ ଗାନ୍ଧିଜୀଙ୍କର ମନୋନୀତ ପ୍ରାର୍ଥô ପଟ୍ଟାଭି ସୀତାରାମାୟା । ଏହି ନିର୍ବାଚନରେ ସୁଭାଷ ବୋଷ ୧୫୩୫ଟି ଭୋଟ ପାଇଥିବା ବେଳେ ଶ୍ରୀଯୁକ୍ତ ସୀତାରାମାୟା ୧୩୪୬ଟି ଭୋଟ ପାଇଥିଲେ । ଏହାପରେ ସୁଭାଷ ବୋଷ ଗୋଟିଏ ସମାଧାନର ସୂତ୍ର ନେଇ ଫେବୃୟାରୀ ୧୫ ତାରିଖରେ ସେବା ଗ୍ରାମ ଠାରେ ଗାନ୍ଧିଜୀଙ୍କୁ ଭେଟି ଥିଲେ । ଗାନ୍ଧିଜୀଙ୍କର ଉପଦେଶ ଥିଲା ‘ ତୁମେ ତୁମର ମନମୁତାବକ କଂଗ୍ରେସ କାର୍ଯ୍ୟକାରୀ କମିଟି ଗଠନ କର’ । ଏଥିରେ ସୁଭାଷ ବୋଷଙ୍କୁ ଟିକେ ନିରାଶ ଲାଗିଲା । ଶେଷରେ ଏପ୍ରିଲ ୨୮ ତାରିଖରେ କଲିକତା ୱଏଲିଂଟନ ସ୍କୋୟାରରେ କଂଗ୍ରେସର ରାଷ୍ଟ୍ରୀୟ ସମିତି ବୈଠକରେ ସୁଭାଷ ବୋଷ ସଭାପତି ପଦରୁ ଇସ୍ତଫା ଦେଲେ । ସେ ଦେଖିଲେ କ୍ରାନ୍ତିକାରୀମାନଙ୍କୁ ନିକଟକୁ ଆଣିବାର ତାଙ୍କର ଯୋଜନା ସଫଳ ହୋଇ ପାରିଲା ନାହିଁ । ତାଙ୍କର ଏହି କାର୍ଯ୍ୟକୁ ଆଗେଇ ନେବା ପାଇଁ ସେ ଫରୱାଡ ବ୍ଲକ ଗଠନ କଲେ ।
ଇତି ମଧ୍ୟରେ ପୃଥିବୀରେ ଦ୍ୱିତୀୟ ବିଶ୍ୱଯୁ୍ଦ୍ଧ ଆରମ୍ଭ ହୋଇଗଲା । ବ୍ରିଟିଶ ସରକାର ଭାରତୀୟ ନେତାମାନଙ୍କ ବିନା ପରାମର୍ଶରେ ଭାରତ ମିତ୍ର ଶକ୍ତିରେ ଯୋଗଦେଲା ବୋଲି ଘୋଷଣା କଲେ । ଏଥିରେ ସୁଭାଷ ବୋଷଙ୍କ ସମେତ ଅନ୍ୟ ଭାରତୀୟ ନେତାମାନେ ଅସନ୍ତୁଷ୍ଟ ହେଲେ । ସୁଭାଷ ବୋଷ ହଲ ୱଏଲ ମନୁମେଣ୍ଟ ଆନେ୍ଦାଳନ ନାମରେ ବ୍ରିଟିଶ ସରକାର ବିରୁଦ୍ଧରେ ଏକ ପ୍ରତିବାଦ ଡାକରା ଦେଲେ । ଇଂରେଜ ସରକାର ତାଙ୍କୁ ଗିରଫ କରି ପ୍ରେସିଡେନ୍ସି ଜେଲରେ ରଖିଲେ । ସେହି ଜେଲରେ ସେ ବିପ୍ଲବୀ ହେମଚନ୍ଦ୍ର ଘୋଷ, ସତ୍ୟବକ୍ସି ଓ ମନିନ୍ଦ୍ର କିଶୋର ରାୟ ପ୍ରଭୂତି କ୍ରାନ୍ତିକାରୀ ନେତାମାନଙ୍କ ସହିତ ମନ୍ତ୍ରଣାକଲେ । ସୁଭାଷ ବୋଷ କିଭଳି ଜେଲରୁ ବାହାରିବେ ତାର ବିଚାର ଚାଲିଲା । ଏଥିରେ ପରେଶ ରାୟଙ୍କର ସହଯୋଗ ନିଆଗଲା । ଜଣେ ବ୍ରିଟିଶ ପୋଲିସ ଅଫିସରଙ୍କୁ ଲାଞ୍ଚ ଦେଇ ସେ ସୁଭାଷ ବୋଷଙ୍କ ଗୁପ୍ତ ଫାଇଲ୍ଟି ଆଣିଲେ, ଯାହାକୁ ନିଜେ ସୁଭାଷ ବୋଷ ପଢିଲେ । ଶେଷରେ ସେହି ଫିରିଙ୍ଗ ଅଫିସରଙ୍କ ମତାମତ ପରେ ପରେଶ ରାୟ ସୁଭାଷ ବୋଷଙ୍କୁ ଜେଲରେ ଅସୁସ୍ଥ ହେବାର ମିଥ୍ୟା ଅଭିନୟ କରିବାକୁ କହିଲେ । ସୁଭାଷ ବୋଷ ଅସୁସ୍ଥତାର ମିଥ୍ୟା ଅଭିନୟ ସହିତ ମୁକ୍ତି ପାଇଁ ଅନଶନ କଲେ । ଏ ଖବର ଶୁଣି ଦେଶ ସାରା ଅସନ୍ତୋଷର ବହ୍ମି ଜଳିଲା । ଶେଷରେ ୧୯୪୦ ମସିହା ଡିସେମ୍ବର ମାସରେ ସୁଭାଷଙ୍କୁ ମୁକ୍ତି ମିଳିଲା । ମଝିରେ ସୁଭାଷ ବୋଷ ବୀର ସାବରକଙ୍କୁ ମଧ୍ୟ ଭେଟିଥିଲେ । ସାବରକର ତାଙ୍କୁ ପରାମର୍ଶ ଦେଇଥିଲେ ଯେ ‘ କୌଣସି ଅଯଥା କାମରେ ତୁମେ ସମୟ ନଷ୍ଟ କରନାହିଁ । ବରଂ ଜଣେ ମିତ୍ର ଦେଶର ସାହାଯ୍ୟ ନିଅ’ । ସୁଭାଷ ପଚାରିଲେ ‘ମିତ୍ର ଦେଶ କିଏ ?’ ସାବର କର କହିଲେ, ‘ଆମ ଶତ୍ରୁର ଶତ୍ରୁ ହେଉଛି ଆମର ମିତ୍ର । ଅର୍ଥାତ୍ ବ୍ରିଟେନ୍ ଆମର ଶତ୍ରୁ ଏବଂ ଜର୍ମାନ ହେଉଛି ବ୍ରିଟେନର ଶତ୍ରୁ । ତେଣୁ ଜର୍ମାନ ଆମର ମିତ୍ର । ତେଣୁ ତୁମେ ଜର୍ମାନର ସାହାଯ୍ୟ ନେଇପାର । ସେ ମଧ୍ୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାତା ଡା.କେଶବ ବଳିରାମ ହେଡଗେୱାରଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ । କିନ୍ତୁ ଶ୍ରୀ ହେଡଗେୱାର ଏକ ଦୁରା ରୋଗରେ ପୀଡିତ ଥାଇ ଶଯ୍ୟାଶାୟୀ ଥିଲେ ଏବଂ ଜୀବନର ଅନ୍ତିମ ଅବସ୍ଥା ଦେଇ ଗତି କରୁଥିଲେ । ସୁଭାଷ ବୋଷ ଦେଖିଲେ ସେ ଗାଢ ନିଦରେ ଶୋଇଛନ୍ତି । ତେଣୁ ସେ ତାଙ୍କର ପାଦ ଛୁଇଁ ପ୍ରଣାମ କରି ଚାଲିଗଲେ । ଏହା ପରେ ସୁଭାଷ ଭାବିଲେ ସେ ଜର୍ମାନର ରାଜଧାନୀ ବର୍ଲିନ୍ରେ ପହଁଚିବେ କିପରି । ତାଙ୍କ ଘର ଚାରିପଟେ ୪୦/୫୦ ଜଣ ସାଧା ପୋଷାକଧାରୀ ପୋଲିସ ଘେରି ବୁଲୁଛନ୍ତି । ନିଜର ବିପ୍ଲବୀ ବନ୍ଧୁମାନଙ୍କ ସହିତ ପରାମର୍ଶରେ ଠିକ୍ ହେଲା ଯେ, ସୁଭାଷ କାବୁଲ ଯିବେ, ଯେଉଁଠି ବ୍ରିଟେନର କର୍ତ୍ତୃତ୍ୱ ପ୍ରାୟ ନାହିଁ । ସେଠାରୁ ଋଷ ବାଟ ଦେଇ ଯାଇ ବର୍ଲ୍ଲିନରେ ପହଁଚିବେ । ତାଙ୍କର ଏହି ଅପରିଚିତ ଯାଗାରେ ତାଙ୍କୁ ସାହାଯ୍ୟ କରିବେ ଭକତରାମ, ଯିଏ କି ଆଫଗାନିସ୍ତାନ ଓ ଉତ୍ତର ପଶ୍ଚିମ ପ୍ରାନ୍ତ ରାସ୍ତାଘାଟ ସହିତ ସଂପୂର୍ଣ୍ଣ ପରିଚିତ । ଆଉ ମଧ୍ୟ ତାଙ୍କୁ ସାହାଯ୍ୟ କରିବେ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶର ବିଶିଷ୍ଟ ପରୱାଡବ୍ଲକ ନେତା ପେଶୟାରର ଆକ୍ବର ସାହା । ୧୯୪୧ ମସିହା ଜାନୁଆରୀ ୧୭ ତାରିଖ ରାତି ୧ଟା ବାଜି ୨୫ ମିନିଟ । ସୁଭାଷ ବୋଷ ବେଶ ବଦଳାଇ ହୋଇଗଲେ ଗୋଟିଏ ଆଫ୍୍ଗାନ ପଠାଣ । ଭକତରାମଙ୍କ ସହିତ ସୁଭାଷ ବୋଷ ଏଲ୍ଗିନ୍ ରୋଡ ରାତି ଅଧରେ ଛାଡି ଆଗକୁ ଚାଲିଲେ । ଉଭୟ ଗୋଟିଏ କାରରେ ଯାଉଥାନ୍ତି । ରାତି ପାହିଲା ବେଳକୁ ସେମାନେ ଗୋମ ରେଲୱେ ଜଙ୍କ୍ସନରେ ପହଁଚିଲେ । ଗୋମ ଷ୍ଟେସନରୁ କାଲକାମେଲ ଧରି ଉଭୟ ପହଁଚିଲେ ପେଶୟାର ଷ୍ଟେସନରେ । ସେଠାରେ ଫରଓା୍ୱଡବ୍ଲକ ନେତା ଆକବର ସାହା ଗାଡିରେ ଚଢିଲେ ଓ ତାପର ଷ୍ଟେସନରେ ସୁଭାଷ ବୋଷଙ୍କ ସହିତ ଓହ୍ଲାଇଲେ । ସେମାନେ ଯାଇ ରହିଲେ ଗୋଟିଏ ଗୋପନୀୟ ସ୍ଥାନରେ । ଏଥିରେ ସହଯୋଗ କରିଥିଲେ ଅବଦୁଲ ମଜିଦ୍ ଖାନ୍ । ଜାନୁଆରୀ ୨୬ ତାରିଖରେ ସେଠାରୁ ଆରମ୍ଭ ହେଲା ଦୁଃସାହସିକ କାବୁଲ ଯାତ୍ରା । ସାଙ୍ଗରେ ଗଲେ ଭକତରାମ ଓ ଜଣେ ବିଶ୍ୱସ୍ତ ଗାଇଡ, ସ୍ଥାନୀୟ ନେତା ଆବାଦ ଖାଁ ଓ ଗାଡିଟିର ଡ୍ରାଇଭର । ପେଶୟାର ମିଲିଟାରୀ କ୍ୟାମ୍ପଠାରୁ ୧୧ ମାଇଲ ଦୁରରେ ହେଉଛି ଖାଜୁରୀ ମଇଦାନ । ସେଯାଏ ଗାଡିରେ ସମସ୍ତେ ଗଲେ । ସେଠାରୁ ଡ୍ରାଇଭର ଓ ଆବାଦ ଖାଁକୁ ବିଦାୟ ଦିଆଗଲା । ସୁଭାଷ ବୋଷଙ୍କ ସହିତ ଅନ୍ୟ ଦୁଇଜଣ ମିଶି କାବୁଲ ଅଭିମୁଖେ ପଦଯାତ୍ରାରେ ବାହାରିଲେ । ଦୁର୍ଦ୍ଧଷ ଉପଜାତି ଅଞ୍ଚଳ, ଖାଲି ରୁକ୍ଷ ଧୁସର ପଥର । ରାସ୍ତାବୋଲି କିଛି ନାହିଁ । ମଝିରେ ମଝିରେ ଲତାଗୁଡିକ ଛନ୍ଦି ହୋଇ ରାସ୍ତାକୁ ଦୁର୍ଭେଦ୍ୟ କରିଛନ୍ତି । ହଠାତ୍ ପାଗର ପରିବର୍ତ୍ତନ । ଘୂର୍ଣ୍ଣି ପବନକୁ ଧୂଳି ଝଡ । ମଝିରେ ମଝିରେ କଳାହାଣ୍ଡିଆ ମେଘକୁ ବିଜୁଳିର ବଜ୍ର ଶବ୍ଦ । ଚାହୁଁ ଚାହୁଁ ରାତି ଆସିଗଲା । ହାଡଭଙ୍ଗା ଶୀତକୁ ତୁଷାର ବୃଷ୍ଟି । କେଉଁଠି ମସଜିଦ୍ ଭିତରେ ଆଶ୍ରୟ ନିଅନ୍ତି, କେଉଁଠି ଭକତରାମର ଚିହ୍ନା ଲୋକର ଘରେ ଆଶ୍ରୟ ନିଅନ୍ତି । ସବୁଠାରେ ସୁଭାଷଙ୍କର ପରିଚୟ ହେଉଛି ‘ଚାଚା ଜିଆଉଦ୍ଧିନ’ ଓ ଭକତରାମ ପାଲଟି ଯାଆନ୍ତି ରହମତ ଖାନ୍ । ଶେଷରେ ସେମାନେ ଆସି ପହଁଚିଲେ ‘ଗାଡ୍ଡି’ ଗାଁରେ, ଯେଉଁଠାରେ ଦୁର୍ଗମ ପଥ ଶେଷ । ସେଠାରେ ଗାଇଡଙ୍କୁ ବିଦାୟ ଦିଆଗଲା । ସୁଭାଷ ଓ ଭକତରାମ ଚାଲିଲେ ଜଲାଲବାଗ ଆଡକୁ । ସ୍ୱାଧୀନ ଦେଶ ଆଫଗାନିସ୍ତାନ । ସ୍ୱାଧୀନତାରେ କେତେ ଶାନ୍ତି, କେତେ ଆନନ୍ଦ, ମର୍ମେ ମର୍ମେ ଅନୁଭବ କଲେ ସୁଭାଷ ବୋଷ । ଭକତରାମଙ୍କୁ ଆଫଗାନ ଭାଷା ଜଣା । କିନ୍ତୁ ସୁଭାଷ ବୋଷଙ୍କୁ ଜଣା ନାହିଁ । ସୁଭାଷ ବୋଷ ପୂର୍ବଭଳି ଭକତ ରାମଙ୍କର ଚାଚା ଜିଆଉଦ୍ଧିନ ରହିଲେ ସତ, କିନ୍ତୁ ସେ ହେଲେ ମୂକ ଓ ବଧିର ଚାଚା । ଯାହା କଥା ଲାଗିବେ ଭକତରାମ ଓରଫ ରହମତ ଖାନ । ରାତି ୧୦ଟାରେ ସେମାନେ ଜଲାଲବାଗରେ ପହଁଚିଲେ । କେଉଁଠି ପଦଯାତ୍ରା, କେତେବାଟକୁ ଟ୍ରକଟିଏ ମିଳିଲେ ଟ୍ରକରେ ଯାତ୍ରା । ଶେଷରେ ଜାନୁଆରି ୩୧ ତାରିଖରେ ସେମାନେ ଆସି କାବୁଲରେ ପହଁଚିଲେ । କାବୁଲରେ ଆସି ରେଡିଓରେ ଶୁଣିଲେ, ଇଂରେଜ ସରକାରଙ୍କ ଘୋଷଣା ଯେ, ‘ସୁଭାଷ ବୋଷ ଖସିଯାଇଛନ୍ତି । ସେଥିପାଇଁ ନର୍ଥୱଷ୍ଟେ ଫ୍ରଣ୍ଟୟର କ୍ୟାମ୍ପ, ପେଶୟାର ମିଲିଟାରୀ କ୍ୟାମ୍ପ, ସୁରମାଭାଲି ଲାଇଟ ହର୍ଷ ରାଇଫଲ୍ସ, ଇଷ୍ଟର୍ଣ୍ଣ ଫ୍ରଣ୍ଟିୟର ରାଇଫଲ୍ସ କୁ ଜଣାଇ ଦିଆଯାଇଛି, ସବୁ ଜାଗାରେ ତନତନ କରି ଛାପା ମାରି ସୁଭାଷକୁ ଗିରଫ କର’ । କିନ୍ତୁ ସୁଭାଷ ବର୍ତ୍ତମାନ ଏମାନଙ୍କ ଠାରୁ ବହୁ ଦୂରରେ ଅର୍ଥାତ କାବୁଲରେ ।
କାବୁଲରେ ସେମାନେ ଆଶ୍ରୟ ନେଲେ ଗୋଟିଏ ସରାଇଖାନାରେ । ଏବଂ ଋଷ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥାନ୍ତି । ଇଚ୍ଛା ଋଷ ଦେଇ ଜର୍ମାନରେ ପହଁଚିବେ । କାରଣ ସେତେବେଳ ଯାଏ ଜର୍ମାନ ଋଷ ଆକ୍ରମଣ କରିନଥାଏ । କିନ୍ତୁ ଯେତେ ଚେଷ୍ଟାକଲେ ମଧ୍ୟ ଋଷ ଦୂତାବାସର ନିରାପତ୍ତା ରକ୍ଷୀମାନେ ଦୂତାବାସର ଅଧିକାରୀଙ୍କ ସହିତ ଯୋଗା ଯୋଗ କରାଇଦେଲେ ନାହିଁ । ଶେଷକୁ କାବୁଲର ପୋଲିସ ଆସି ସନେ୍ଦହ କରି ସରାଇଖାନରେ ସୁଭାଷ ବୋଷଙ୍କ ପାଖରେ ପହଁଚିଲେ । ପ୍ରତ୍ୟେକ ଦିନ ଦୁଇଟଙ୍କା ହିସାବରେ ଲାଞ୍ଚ ଦେଇ, ଶେଷକୁ ସୁଭାଷ ବୋଷଙ୍କର ସୁନା ଘଣ୍ଟାଟି ସେମାନଙ୍କୁ ଦାନ ଦେଇ କାବୁଲ ପୋଲିସ କବଳରୁ ଉଭୟ ମୁକ୍ତି ପାଇଲେ । ଶେଷରେ ମଣିକାଞ୍ଚନ ଯୋଗଭଳି ଭକତରାମଙ୍କ ସହିତ ତାଙ୍କର ଜଣେ ବହୁ ପୁରାତନ ବନ୍ଧୁ ଉତ୍ତମଚାନ୍ଦଙ୍କର ଭେଟ ହେଲା । ତାଙ୍କର ଗୋଟିଏ ରେଡିଓ ଦୋକାନ ଥାଏ । ଶେଷକୁ ଉତ୍ତମଚାନ୍ଦ ସୁଭାଷ ବୋଷଙ୍କୁ ନେଇ ତାଙ୍କ ଘରେ ରଖିଲେ । ଇତି ମଧ୍ୟରେ ଋଷ ଦୂତାବାସରୁ କୌଣସି ପ୍ରକାର ସହଯୋଗ ମିଳିଲା ନାହିଁ । ତେଣୁ ବାଧ୍ୟ ହୋଇ ସୁଭାଷ ବୋଷ ଜର୍ମାନ ରାଷ୍ଟ୍ରଦୂତ ଅଫିସକୁ ଗଲେ । ଆଶ୍ଚର୍ଯ୍ୟର କଥା ତାଙ୍କୁ କେହି ବାଧା ଦେଲେ ନାହିଁ । ସେ ସିଧା ସଳଖ ଜର୍ମାନର ରାଷ୍ଟ୍ରଦୂତଙ୍କୁ ଭେଟି କଥା ହେଲେ । ସେ ସୁଭାଷଙ୍କୁ କହିଲେ ‘ବର୍ଲିନକୁ ଆମେ ଖବର ଦେବୁ । ସେଠାରୁ ଉତ୍ତର ନପାଇବା ଯାଏ ଆମେ କିଛି କରିପାରିବୁ ନାହିଁ’ । ବର୍ଲିନରୁ ଯେଉଁ ଉତ୍ତର ଆସିବ ତାହା ସୁଭାଷ ବୋଷ ସିମେନ୍ସ କମ୍ପାନୀର କାବୁଲ ପ୍ରତିନିଧି ହେର ଟମାସଙ୍କ ପାଖରୁ ପାଇପାରିବେ । ଶେଷକୁ ଫେବୃୟାରୀ ୨୩ ତାରିଖରେ ହେର ଟମାସଙ୍କ ପାଖରୁ ଖବର ମିଳିଲା ଯେ, ସୁଭାଷ ବୋଷ ଇଟାଲି ରାଷ୍ଟ୍ରଦୂତ ଆଲବଟ୍ କୋରାନିଙ୍କୁ ଦେଖା କରିବେ । ଦେଖାମଧ୍ୟ ହେଲା । ସେମାନେ କହିଲେ ଋଷ ଭିସା ଦେବାକୁ ସହଯୋଗ କରୁନାହିଁ । ତେଣୁ ସୁଭାଷ ବୋଷ ଆଉ କିଛି ଦିନ ଅପେକ୍ଷା କରନ୍ତୁ । ଶେଷକୁ ମାର୍ଚ୍ଚମାସ ୧୨ ତାରିଖରେ ଇଟାଲି ରାଷ୍ଟ୍ରଦୂତଙ୍କ ସ୍ତ୍ରୀ ମିସେସ୍ କୋରାନି ଆସି ପହଁଚିଲେ ଉତ୍ତମ ଚାନ୍ଦଙ୍କ ଦୋକାନରେ ଓ କହିଲେ ଯେ ଶୁଭ ଖବର, ଋଷ ସରକାରଙ୍କର ଅନୁମତି ମିଳି ଯାଇଛି । ସୁବାଷ ବୋଷ ଯିବେ ସିନର ବୋଷ ନାମରେ ଓ ଦୁଇ ଚାରିଦିନ ଭିତରେ ସେ ତାଙ୍କର ପାସପୋର୍ଟ, ଛବି ଓ ପୋଷାକ ପରିଚ୍ଛଦ ତିଆରି କରି ଦିଅନ୍ତୁ । ଶେଷକୁ ମାର୍ଚ୍ଚ ୧୬ ତାରିଖରେ ଅନ୍ତିମ ଖବର ଆସିଲା ସୁଭାଷ ବୋଷ ଯିବେ ଜଣେ ଇଟାଲିୟନ ବନ୍ଧୁ କ୍ରେସିନଙ୍କ ଘରକୁ ଏବଂ ମାର୍ଚ୍ଚ ୧୭ ତାରିଖରେ ବାହାରିଯିବେ ୟୁରୋପ । ମାର୍ଚ୍ଚ ୧୬ ତାରିଖ ରାତିରେ ଉତ୍ତମଚାନ୍ଦଙ୍କ ଘରୁ ବିଦାୟ ନେଲେ ସୁଭାଷ ବୋଷ । ରାତିରେ ଯାଇ ପହଁଚିଲେ ଇଟାଲିୟାନ ବନ୍ଧୁ କ୍ରେସିନଙ୍କ ଘରେ । ସଙ୍ଗରେ ଥିଲେ ଭକତରାମ । ରାତିରେ ମନ୍ତ୍ରଣାହେଲା କାବୁଲରେ ସୁଭାଷ ବୋଷ ଓରଫ ସିନର ବୋଷଙ୍କ ପ୍ରତିନିଧି ରୂପେ ଭକତରାମ ହିଁ ଇଟାଲି ଦୂତାବାସ ସହିତ ଯୋଗା ଯୋଗ ରକ୍ଷା କରିବେ । ମାର୍ଚ୍ଚ ୧୭ ତାରିଖ ଭୋରୁ ଇଟାଲି ଦୂତାବାସରୁ ଗୋଟିଏ ଗାଡି ଆସି ପହଁଚିଲା କ୍ରେସିନଙ୍କ ଘର ସାମନାରେ । ଗାଡିରେ ଗଲେ ୪ ଜଣ । ସେମାନେ ହେଲେ ଡକ୍ଟର ୱେଲଗାର,ଡାକ୍ହରକରା, ଗାଡିର ଡ୍ରାଇଭର ଓ ଚତୁର୍ଥ ଜଣଙ୍କ ହେଲେ ସିନର ଅରଲ୍ୟାଣ୍ଡୋ ମ୍ୟାଜୋଟ୍ଟା (ସୁଭାଷ ବୋଷଙ୍କର ନୂତନ ଇଟାଲିୟାନ ନାମ) । ସମସ୍ତଙ୍କ ଠାରୁ ବିଦାୟ ନେଲେ ସୁଭାଷ ଏବଂ କହିଲେ ପୁଣି ଦେଖାହେବ ସ୍ୱାଧୀନ ଭାରତରେ । ଭକତରାମ ରହିଲେ କାବୁଲରେ । ଆଉ ଚାହିଁ ରହିଲେ ସୁଭାଷଙ୍କର ସେହି ଦୁର୍ଗମ ଯାତ୍ରା ପଥକୁ ଓ ବର୍ଲିନ ପହଁଚିବାର ଖବରକୁ ।
ଶେଷକୁ ବହୁ ପ୍ରତିକ୍ଷିତ ଖବର ଆସି ପହଁଚିଲା, ସୁଭାଷ ବୋଷ ନିରାପଦରେ ମାର୍ଚ୍ଚ ୨୮ ତାରିଖରେ ବର୍ଲିନରେ ପହଁଞ୍ଚିଛନ୍ତି । ତାପରେ ପରେ ସୁଭାଷ ବୋଷଙ୍କ ଫୋନ ଆସିଲା ଇଟାଲି ଦୂତାବାସକୁ । ସେ ଭକତରାମ, ଉତ୍ତମଚାନ୍ଦଙ୍କ ସହିତ ସମସ୍ତ ବିପ୍ଲବୀମାନଙ୍କ ବିଷୟରେ ଖବର ନେଲେ । ଏବଂ ଗୋଟିଏ ଖବର ମଧ୍ୟ ଭକତରାମଙ୍କ ପାଇଁ ଥିଲା ଯେ, ଜର୍ମାନ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି କିନ୍ତୁ ଯେପର୍ଯ୍ୟନ୍ତ ଯାଏଁ ସେମାନେ ସୁଭାଷଙ୍କୁ ଭାରତର ପ୍ରତିନିଧିଭାବେ ସ୍ୱୀକାର କରିନାହାଁନ୍ତି ସେମାନଙ୍କ ଠାରୁ କୌଣସି ପ୍ରକାର ସାହାଯ୍ୟ ନେବା ସମ୍ଭବ ନୁହେଁ । ଜର୍ମାନ ସହିତ ଏ ସମ୍ବନ୍ଧରେ କଥା ଚାଲିଛି । ସେଥିପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।
ଶେଷକୁ ସେହି ପ୍ରତିକ୍ଷିତ ସମୟ ଆସିଲା । ସୁଭାଷ ବୋଷ ଜର୍ମାନ ସହିତ ଗୋଟିଏ ବୁଝାମଣାରେ ଉପନୀତ ହେଲେ । ଆଉ ୧୯୪୧ ମସିହା ଡିସେମ୍ବର ୭ ତାରିଖରେ ବର୍ଲ୍ଲିନରୁ ଆଜାଦ ହିନ୍ଦ ରେଡିଓରେ ଭାରତୀୟ ମାନଙ୍କ ପାଇଁ ସୁଭାଷ ବୋଷଙ୍କ ଘୋଷଣା ‘ ମୁଁ ସୁଭାଷ କହୁଛି । ବହୁତ ଦିନପରେ ମୁଁ ଆପଣମାନଙ୍କୁ କିଛି କହିବାର ସୁଯୋଗ ପାଇଛି । ମୋ ନାମରେ ଯିଏ ଯେତେ ଅପବାଦ ଦେଲେ ମଧ୍ୟ ଆପଣମାନେ କେବେ ଏହି ଅପବାଦକୁ ବିଶ୍ୱାସ କରିବେ ନାହିଁ । ଯଦି କେନ୍ଦ୍ର ଶକ୍ତିର ଆକ୍ରମଣରୁ ରକ୍ଷା ପାଇବା ପାଇଁ ବ୍ରିଟେନ୍ ଆମେରିକାର ଦ୍ୱାରସ୍ଥ ହେଲା, ତେବେ ଭାରତ ବର୍ଷର ସ୍ୱାଧୀନତା ପାଇଁ ଆମେ ଅନ୍ୟ କୌଣସି ଜାତିର ସାହାଯ୍ୟ ନେବାରେ କୌଣସି ଭୁଲ ନାହିଁ । ବ୍ରିଟିଶ ସରକାରକୁ ବିଭ୍ରାନ୍ତକରି ମୁଁ ଜର୍ମାନ ଚାଲି ଆସିଛିା ଆଜି ଯେଉଁ ସୁଯୋଗ ଆସିଛି ତାହାକୁ ଆମେ ସମ୍ପୂର୍ଣ୍ଣ ଭାବେ କାମରେ ଲଗାଇବା । ଆପଣମାନେ ଜାତି ଧର୍ମ ନିର୍ବିଶେଷରେ ସଂଘବଦ୍ଧ ହୁଅନ୍ତୁ’ । ତାଙ୍କପରେ ପରେ ଭାଷଣ ଦେଲେ ସାମ୍ବାଦିକ ଡ.ଗୀରିଜା ମୁଖାର୍ଜି ଓ ମିଷ୍ଟର ଶର୍ମା ।
ସମଗ୍ର ଭାରତୀୟ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ଏହା କିପରି ସମ୍ଭବ ହେଲା । ଏହା ଯେତିକି ଅବିଶ୍ୱାସନୀୟ ସେତିକି ଅକଳ୍ପନୀୟ । ସମସ୍ତଙ୍କର ଆଶା ଏ ଦେଶକୁ ସୁଭାଷ ହିଁ ରକ୍ଷା କରିବେ । ତାପରେ ପରେ ଯାହା ଘଟିଲା ତାହା ଉଣା ଅଧିକେ ସମସ୍ତେ ଜାଣନ୍ତି । ଆଜି ନେତାଜୀ ଆମ ପାଖରେ ନଥିଲେ ମଧ୍ୟ ତାଙ୍କର ଦୁଃସାହସିକ ବର୍ଲିନ ଯାତ୍ରା ପ୍ରତ୍ୟେକ ଭାରତୀୟ ବିଶେଷତଃ ଯୁବପୀଢିଙ୍କୁ ସବୁଦିନ ପାଇଁ ଦେଶ ପ୍ରେମର ମହାନ ବାର୍ତ୍ତା ଦେଉଥିବ ।
୧୨୫ ଧର୍ମବିହାର,ଭୁବନେଶ୍ୱର-୩୦
ମୋ-୯୪୩୯୮୭୬୩୩୨

Share in top social networks!