ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକୁ ତମାଖୁ ମୁକ୍ତ କରାଯିବା ଉପରେ ଗୁରୁତ୍ୱ

ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକୁ ତମାଖୁ ମୁକ୍ତ ଅଞ୍ଚଳ କରାଯିବ । ଡାକ୍ତରଖାନାରେ କୌଣସି ପରିଦର୍ଶକ , ରୋଗୀଙ୍କ ସହାୟକଙ୍କ ଠାରୁ ଆରମ୍ଭକରି ଡାକ୍ତର ଏବଂ କର୍ମଚାରୀମାନେ ତମାଖୁ ବ୍ୟବହାର କରିପାରିବେ ନାହିଁ । ଏ ନେଇ ତମାଖୁ ନିୟନ୍ତ୍ରଣ ଆଇନକୁ କଡାକଡି ଭାବେ ପାଳନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।
ରାଜ୍ୟରେ ତମାଖୁ ବ୍ୟବହାର ନିୟନ୍ତ୍ରଣ କରିବା ନିମନ୍ତେ କୋପ୍ଟା ୨୦୦୩ ଏବଂ ଫୁଡ୍ସେପ୍ଟି ଷ୍ଟାଣ୍ଡାର୍ଡ ଆକ୍ଟ ୨୦୦୬ ପ୍ରଚଳନ କରାଯାଇଛି । ରାଜ୍ୟର ତଥା ରାଜ୍ୟବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ଦୁଇ ଆଇନକୁ କଡାକଡି ଭାବେ ଲାଗୁକରି ତମାଖୁ ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗୁରୁତ୍ୱ ଆରୋପ କକରି ବିଭାଗକୁ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ନାୟକଙ୍କ ପରାମର୍ଶ ଅନୁଯାୟୀ ବିଭାଗୀୟ କମିଶନର ତଥା ଶାସନ ସଚିବ ଆରତୀ ଆହୁଜା ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀମାନଙ୍କୁ ପତ୍ର ଲେଖି ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକୁ ତମାଖୁ ମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି । ଶ୍ରୀମତୀ ଆହୁଜା ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ ତମାଖୁ ବ୍ୟବହାର ଯୋଗୁଁ ମାରାତ୍ମକ କର୍କଟ ଠାରୁ ଆରମ୍ଭକରି କାର୍ଡିଓଭାସ୍କୁଲାର ଭଳି ଅନେକ ଅଣସଂକ୍ରାମକ ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି ଯାହାକି ସମୁଦାୟ ରୋଗର ଦୁଇତୃତୀୟାଂଶ । ଦେଶରେ ବର୍ଷକୁ ପ୍ରାୟ ୮ ରୁ ୯ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ରାଜ୍ୟରେ ଏହି ଆଇନର କାର୍ଯ୍ୟକାରୀତା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସମନ୍ୱୟ କମିଟି ବୈଠକରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଛି ବୋଲି ଶ୍ରୀମତୀ ଆହୁଜା ତାଙ୍କ ପତ୍ରରେ ଦର୍ଶାଇ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀମାନେ ଏ ଦିଗରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।
ଗ୍ଲୋବାଲ ଆଡଲ୍ଟ ଟବାକୋ ସର୍ଭେ ଅନୁଯାୟୀ ଓଡିଶାରେ ୪୩ ପ୍ରତିଶତରୁ ଅଧିକ ଲୋକ ତମାଖୁ ବ୍ୟବହାର କରନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଖୁବ୍ କମ୍ ବୟସରୁ ହିଁ ତମାଖୁ ସେବନରେ ଅଭ୍ୟସ୍ତ ହେଉଛନ୍ତି । ସେହିପରି ମହିଳା ମାନଙ୍କ କ୍ଷେତ୍ରରେ ୩୫ ପ୍ରତିଶତ ମହିଳା ମଧ୍ୟ ତମାଖୁ ବ୍ୟବହାର କରନ୍ତି । ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ପଡୁଛି । ବିହାର ପରେ ଓଡିଶାରେ ଅଧିକ ମୁଖଗହ୍ୱର , ବେକ ଓ ମୁଣ୍ଡ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ତମାଖୁ ବ୍ୟବହାର ଯୋଗୁଁ ଆକ୍ରାନ୍ତ ହେଉଛନ୍ତି ବୋଲି ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ରାଜ୍ୟ ନୋଡାଲ ଅଫିସର ଡାଃ ପି.କେ.ବି ପଟ୍ଟନାୟକଙ୍କ ଠାରୁ ପ୍ରକାଶ ।

Share in top social networks!