ଅନ୍ଧ ଦେଶକୁ ଗଲି ଦର୍ପଣ ବିକି…

ଡଃ. ସୁବ୍ରତ କୁମାର ପୃଷ୍ଟି
ମହାଭାରତର ଧୃତରାଷ୍ଟ୍ର ଜନ୍ମାନ୍ଧ; ଚକ୍ଷୁଗତ ଓ ପୁତ୍ରଗତ । ଧରାପୃଷ୍ଠରେ ନିତିଦିନ କଣ ଘଟିଯାଉଥିଲା, ତାହା ସେ କାଳ୍ପନିକ ଭାବରେ ଅନୁଭବ
କରୁଥିଲେ । ଏପରିକି ଶହେପୁଅ ସମେତ ନିଜ ବଂଶ ଲୋପର ବିଭତ୍ସ ଦୃଶ୍ୟ କେବଳ ଶ୍ରୁତି ମାଧ୍ୟମରେ ଅନୁଭବ କରିପାରିଲେ ତାଙ୍କର ସହଯୋଗୀ ସଂଜୟଙ୍କଦ୍ୱାରା । ଜଣେ ଅସହାୟ ରାଜାକୁ ସହାୟତା କରିବାର ମାନସିକତା ଭିତରେ ତାଙ୍କୁ କିପରି ଉପହାସିତ କରାଯାଉଥିଲା, ତାହା ଭାରତୀୟ ସାହିତ୍ୟ ଇତିହାସରେ ଏକ ବିରଳତମ ଦୃଷ୍ଟାନ୍ତ । ସଂଜୟଙ୍କ ସମେତ ପିତାମହ ଭୀଷ୍ମ, ବିଚକ୍ଷଣ ମନ୍ତ୍ରୀ ବିଦୁର, ଗୁରୁଦେବ ଦ୍ରୋଣ, କୁଳଗୁରୁ କୃପ ଆଦି ଅନ୍ଧଧୃତରାଷ୍ଟ୍ରର ଅସହାୟତା ବୁଝିବା ପରିବର୍ତ୍ତେ ସମସ୍ତେ ଆଖି ଥାଇ ଅନ୍ଧ ପାଲଟି ଗଲେ ।
ଏବେ ଓଡିଆ ଭାଷା ଓ ସାହିତ୍ୟକୁ ଭଲ ପାଉଥିବା ଆମ ବୁଦ୍ଧିଜୀବୀଗଣ ମହାଭାରତର ଧ୍ରୁତରାଷ୍ଟ୍ର ଭଳି ଅନ୍ଧ ପାଲଟି ଯାଇଛନ୍ତି । ତାହା ହୋଇ ନ ଥିଲେ ମହାଭାରତର କାହାଣୀ ଆଧାରରେ ଓଡିଆ ସାହିତ୍ୟାକାଶରେ ଘଟୁଥିବା କିଛି କାନ କୁହା କଥାକୁ ସାହିତ୍ୟ ମହାଭାରତ ଶିରୋନାମାରେ ଆତ୍ମ ଘୋଷିତ “ସଂଜୟ” ମାଆ ତୁଲ୍ୟ ମାତୃଭାଷା ଓଡିଆକୁ ଦ୍ରୌପଦୀ ସହ ତୁଳନା କରି ୨ଟି ଶଯ୍ୟାର ନାୟିକା ଭାବରେ ଉପସ୍ଥାପିତ କରୁଥିବାବେଳେ ଏମାନେ ଏହାର ପ୍ରତିବାଦ କରିବା ବଦଳରେ ପୁଲକିତ ହେଉ ନ ଥାନ୍ତେ । ଏମାନଙ୍କ ଅନ୍ଧତ୍ୱ ଯୋଗୁଁ ଆମ ସୃଜନଶୀଳ ସମାଜ ଉପରେ ଖରାପ ପ୍ରଭାବ ପଡିବା ସହ ଏହି କୃତୀତ୍ୱ କିପରି ଓଡିଆଜାତିକୁ ମିଳିଲା, ଏହା ପଛରେ ଥିବା ବାସ୍ତବ ଓ ନିଷ୍ଠୁର ସତ୍ୟ ଲୁଚି ଯାଉଛି । ଓଡିଆ ଏକ ପ୍ରାଚୀନ ତଥା ଐତିହ୍ୟ ସମ୍ପନ୍ନ ଭାଷା ଭାବରେ କେନ୍ଦ୍ର ସରକାର ଗ୍ରହଣ କରି ଶାସ୍ତ୍ରୀୟମାନ୍ୟତା ପ୍ରଦାନ କରିବାଦ୍ୱାରା ୧୯୩୬ର ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପରେ ସର୍ବଭାରତୀୟ ସ୍ତରରେ ଓଡିଆମାନଙ୍କୁ ଆଉ ଏକ ଐତିହାସିକ ସମ୍ମାନ ମିଳିଲା ।

ତେବେ ଏହାକୁ ଜାତିର ବିଜୟ ଭାବରେ ଉପସ୍ଥାପନ ନ କରି ଏହି ସଫଳତା ଆଣିଥିବା ବ୍ୟକ୍ତିମାନଙ୍କୁ ବିବାଦୀୟ କରି ସମ୍ମାନ ହାନୀ କରିବାପାଇଁ ୨ଟି ଦୈନିକ ଖବରକାଗଜ ଲାଗିପଡିଲେ । ଏହାବ୍ୟତୀତ ଗତବର୍ଷର ପୂଜାସଂଖ୍ୟା ଓ ଚଳିତବର୍ଷର ବିଷୁବସଂଖ୍ୟାରେ ପ୍ରକାଶିତ କିଛି ପତ୍ରପତ୍ରିକା ଏମାନଙ୍କ ଭୁଲ ତଥ୍ୟକୁ ଆଧାର କରି ଶାସ୍ତ୍ରୀୟମାନ୍ୟତା ସଂପର୍କୀତ ସମ୍ପାଦକୀୟ ଓ ପ୍ରବନ୍ଧମାନ ରଚନା କରାଗଲା । ଏସବୁ ପଢି ମନେହେଲା ଏହାର ଲେଖକମାନେ ଶାସ୍ତ୍ରୀୟମାନ୍ୟତା ବିଷୟରେ ତଥ୍ୟ ସଂଗ୍ରହ ନ କରି ଏସବୁ ଲେଖିଛନ୍ତି କିମ୍ବା ଜାଣିଶୁଣି ପ୍ରକୃତ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଛନ୍ତି । ଯଦି ସତ କଥା ବଖାଣିବାକୁ ଏମାନେ ଆଗ୍ରହୀ ଥାନ୍ତେ, ତେବେ ସେ ନିଶ୍ଚିତ ଭାବରେ ସରକାରି ବା
ବେସରକାରି କମିଟିର ସଦସ୍ୟମାନଙ୍କ ମତାମତ ନିଜର ଆଲେଖ୍ୟରେ ଉପସ୍ଥାପନ କରିଥାନ୍ତେ । ମାତ୍ର ତାହା ନ କରି ଶାସ୍ତ୍ରୀୟମାନ୍ୟତା ପାଇବାର ତର୍ଜମା ନାମରେ ବିଭିନ୍ନ ମନଗଢା କାହାଣୀ କୁହାଯାଇ ସାଧାରଣ ଜନତାଙ୍କ ମନରେ ଭାଷା ପ୍ରତି ଶ୍ରଦ୍ଧା ବଦଳରେ ବିଦ୍ୱେଷ ସୃଷ୍ଟି କରାଗଲା । ତଥାପି ଏହି ନିନ୍ଦୁକ ବର୍ଗ ସନ୍ତୁଷ୍ଟ ନ ହେବାରୁ ପୁଣି ସେହି ଛଦ୍ମନାମରେ ଓଡିଆବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାପାଇଁ ଆୟୋଜିତ ବିଭିନ୍ନ ଆଲୋଚନାଚକ୍ରର ବିଷୟବସ୍ତୁକୁ ଭିତ୍ତିକରି ଅଯଥା ବିତର୍କ ସୃଷ୍ଟି କରି ଓଡିଶାବାସୀଙ୍କ ମନରେ ବିଷ ସୃଷ୍ଟି କରିଚାଲିଛନ୍ତି । ସେମାନଙ୍କର ଏଭଳି ହୀନକାର୍ଯ୍ୟ ଶାସ୍ତ୍ରୀୟ ପରବର୍ତ୍ତୀ କାମକୁ ଯଥେଷ୍ଟ ପ୍ରଭାବିତ କରୁଥିବାବେଳେ ଓଡିଶାର ବୁଦ୍ଧିଜୀବୀଙ୍କ ନୀରବତା ସାଧାରଣ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ।

ଶାସ୍ତ୍ରୀୟମାନ୍ୟତା ସୁପାରିଶ ପରଠାରୁ କି ପ୍ରକାରର ଗବେଷଣାକାର୍ଯ୍ୟ ହାତକୁ ନିଆଯିବ, କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟମାନଙ୍କରେ ଶାସ୍ତ୍ରୀୟ ଓଡିଆ ଚେୟାର କିପରି ପ୍ରତିଷ୍ଠା କରାଯିବ, ସେ ବିଷୟରେ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ବିଭିନ୍ନ ଜାତୀୟ ଆଲୋଚନାଚକ୍ର, ଜାତୀୟ ଭାଷା ସମ୍ମିଳନୀ ଆୟୋଜନ କରିଥିଲା । ଏହା ମାଧ୍ୟମରେ ଓଡିଶା ଓ ଭାରତର ବିଶିଷ୍ଟ ଭାଷାବିତ, ଶିକ୍ଷାବିତ, ଭାଷାଶିକ୍ଷା ଅନୁଷ୍ଠାନ ସହିତ ବାରମ୍ବାର ଆଲୋଚନା ପରେ ଓଡିଶାରେ ଦେଖାଦେଇଥିବା ଓଡିଆଭାଷା ପ୍ରତି ନକରାତ୍ମକ ଓ ଶିକ୍ଷା ପ୍ରତି ନିରୁତ୍ସାହ ମନୋଭାବର ତ୍ୱରିତ ପରିବର୍ତ୍ତନପାଇଁ କ୍ଲାସିକାଲ ତାମିଲ ଇନ୍ଷ୍ଟିଚ୍ୟୁଟ ଢାଞ୍ଚାରେ କେନ୍ଦ୍ରିୟ କ୍ଲାସିକାଲ ଓଡିଆ ସଂସ୍ଥା ଗଠନ କରିବାପାଇଁ ନିଷ୍ପତ୍ତି ନିଆଗଲା । ଏ ସଂସ୍ଥା ଗଠନର ଉଦେ୍ଧଶ୍ୟ ଓ ପ୍ରଣାଳୀ ସମ୍ପର୍କରେ ବିସ୍ତୃତ ବିବରଣୀ ସମ୍ବଳିତ ଏକ ଚିଠି ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ମାନ୍ୟବର ମୁଖ୍ୟନ୍ତ୍ରୀଙ୍କୁ ପ୍ରଦାନ କରାଗଲା । ତେବେ ପତ୍ର ଦେବାର ଦୀର୍ଘ ଦିନ ବିତିଗଲା ପରେ ସରକାରଙ୍କଠାରୁ କୌଣସି ଉତ୍ତର ଆସି ନ ଥିଲା । ଆମର ବାରମ୍ବାର ଦାବି ଫଳରେ ସଂସ୍କୃତି ସଚିବ ଅଗଷ୍ଟ୨୦ ତାରିଖରେ କେତେକ ସାହିତି୍ୟକଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରି ଘୋଷଣା କଲେ ଯେ, ଏଣିକି ଶାସ୍ତ୍ରୀୟମାନ୍ୟତାପ୍ରାପ୍ତ ଆମ ଓଡିଆଭାଷାପାଇଁ ଯେଉଁସବୁ କାମ କରାଯିବ, ସେ ବାବଦରେ ସମସ୍ତ ପରାମର୍ଶ ଏହି ନବଗଠି ପରାମର୍ଶଦାତା କମିଟି ହିଁ ଦେବ । ଏହା ହୋଇଥାନ୍ତା ଯଦି କମିଟି ଭାଷାବିତମାନଙ୍କୁ ନେଇ ଗଠିତ ହୋଇଥାନ୍ତା । ଓଡିଶାର ଦୁର୍ଭାଗ୍ୟ ଭାଷା ଶିକ୍ଷା ଏଠି ଖେଳ କିମ୍ବା ସଂସ୍କୃତ ଶିକ୍ଷକ ଦେଉଥିବାବେଳେ ଭାଷାକୁ ବୁଡାଉଥିବା ବର୍ତ୍ତମାନର ସାହିତି୍ୟକମାନେ ସାଧାରଣ ସଭାରେ ଭାଷାଚର୍ଚ୍ଚା କରିଥାନ୍ତି । ତେଣୁ ଫଳ ଯାହା ହେବାକଥା ତାହା ହେଲା । ଶାସ୍ତ୍ରୀୟ ଓଡିଆର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ବଦଳରେ
ଶାସ୍ତ୍ରୀୟଭାଷା କଣ ଓ ଓଡିଆକୁ କାହିଁକି ମିଳିଲା, ସେ ବିଷୟରେ ଚର୍ଚ୍ଚା ଚାଲିଲା । ଶେଷରେ ୫ଜଣିଆ ସବକମିଟି ଗଠନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହେଲା । କିନ୍ତୁ ଏହି ରିପୋର୍ଟ ଜଣେ ମାତ୍ର ବ୍ୟକ୍ତି ପ୍ରସ୍ତୁତ କରିବାରେ ସମର୍ଥ ହୋଇଥିଲେ ମଧ୍ୟ ଏହାକୁ ଉପସ୍ଥାପିତ କରିବାପାଇଁ ଏପର୍ଯ୍ୟନ୍ତ ବୈଠକ ଡକାଯାଉନାହିଁ । ସବୁଠାରୁ କୌତୁହଳର କଥା ହେଲା ୨୩ଜୁଲାଇ୨୦୧୩ ପରଠାରୁ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଏ ବିଷୟରେ ବିଭିନ୍ନ ଆଲୋଚନାଚକ୍ର ମାଧ୍ୟମରେ ଯେଉଁ ନିର୍ଯ୍ୟାସରେ ପହଞ୍ଚô ରାଜ୍ୟ ସରକାରଙ୍କୁ ପରାମର୍ଶ ସୂଚକ ପତ୍ର ଲେଖିଥିଲା, କମିଟି ଏବେ ସେହି ସମାନ ପରାମର୍ଶ ଦେବାକୁ ଯାଉଛି । ଏଠାରେ ପ୍ରଶ୍ନ ଉଠୁଛି ଏହି ପରାମର୍ଶ ଗ୍ରହଣ କରିବାପାଇଁ ଏକବର୍ଷ ବିଳମ୍ବ କଲେ କାହିଁକି? ଏଥିରୁ ଅନୁମିତ ହୁଏ ସରକାର ଶିକ୍ଷା ଓ ପ୍ରଶାସନିକ କାର୍ଯ୍ୟ ଓଡିଆରେ ନ କରିବା ଭଳି ଓଡିଆ ଭାଷା ବିଷୟକ ଗବେଷଣା ଓ ଶିକ୍ଷା ବ୍ୟବସ୍ଥାକୁ ପ୍ରୋତ୍ସାହନ କରିବାକୁ ଆଗ୍ରହୀ ନୁହଁନ୍ତି ।

ଓଡିଆଭାଷା ପ୍ରତି ଅନାଗ୍ରହ କିଛି ନୂଆ କଥା ନୁହେଁ । ଭାଷାଭିତ୍ତିରେ ରାଜ୍ୟ ଗଠନର ୭୮ବର୍ଷ ବିତି ଯାଇଥିବାବେଳେ କୌଣସି ସରକାରି ବା
ବେସରକାରି ଅନୁଷ୍ଠାନ ଆଜି ପର୍ଯ୍ୟନ୍ତ ଓଡିଆଭାଷାର ସ୍ଥିତି ରକ୍ଷାପାଇଁ ଆନ୍ତରିକ ଉଦ୍ୟମ କରିନାହାଁନ୍ତି । ବିଦ୍ୟାଳୟ ସ୍ତରରେ ସଂସ୍କୃତ, ଇଂରାଜୀ, ହିନ୍ଦୀ, ତେଲୁଗୁ, ବଙ୍ଗଳା ପଢାଇବାପାଇଁ ଏହି ଭାଷା ଶିକ୍ଷକ ନିଯୁକ୍ତି ରାଜ୍ୟ ସରକାର କରୁଥିବାବେଳେ ଓଡିଆ ପଢାଇବାପାଇଁ ଓଡିଆ ଶିକ୍ଷକ ନିଯୁକ୍ତି କରାଯାଉ ନାହିଁ । ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଖିଲେ ଜଣାଯିବ ଯେ, ଦୀର୍ଘକାଳ ଧରି ଓଡିଆ ବିଭାଗ ସଂସ୍କୃତ ଅଧ୍ୟାପକଙ୍କଦ୍ୱାରା ପରିଚାଳିତ ହେଉଥିଲା । ଉକôଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ୨୪ବର୍ଷ ପରେ ଓଡିଆ ବିଭାଗ ଖୋଲାଗଲା, ମାତ୍ର ଆଜିପର୍ଯ୍ୟନ୍ତ ଓଡିଆଭାଷା ବିଷୟରେ ପଢାଗଲା ନାହିିଁ । ଫକିରମୋହନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର୧୪ବର୍ଷ ପରେ ଓଡିଆ ବିଭାଗ ଖୋଲାଗଲା, ତାହା ପୁଣି ଟଙ୍କାଦେଇ ପଢିବାପାଇଁ । ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ଓଡିଆଭାଷା ଓ ସଂସ୍କୃତି ବିଭାଗ ଉଠେଇ ଦିଆଗଲା । ଓଡିଶାର କୈାଣସି ସରକାରି ମହାବିଦ୍ୟାଳୟରେ ଗୋଟିଏ ସୁଦ୍ଧା ପ୍ରଫେସର ପଦ ନାହିଁ । ଓଡିଶାର କୌଣସି ବିଶ୍ୱବିଦ୍ୟାଳୟରେ ଓଡିଆ ଭାଷା ସମ୍ପର୍କୀତ ଅଧ୍ୟୟନ କିମ୍ବା ଗବେଷଣା କରାଯାଏନାହିଁ । କେବଳ ସାହିତ୍ୟ ଅଧ୍ୟୟନ ହେଉଛି ଓଡିଶାର ହାତଗଣତି ବିଶ୍ୱବିଦ୍ୟାଳୟମାନଙ୍କର ମୁଖ୍ୟ ଅଧ୍ୟୟନ ସାମଗ୍ରୀ, ତାହା ପୁଣି ଆଧୁନିକ କବିତା, ନାଟକ ଓ ଗପକୁ ନେଇ । ବେସରକାରି ବିଶ୍ୱବିଦ୍ୟାଳୟ ଓଡିଆ ଭାଷାସଂସ୍କୃତି ଛାଡ ଓଡିଆଙ୍କ ବିଷୟରେ ଆଜି ପର୍ଯ୍ୟନ୍ତ କୌଣସି ଚିନ୍ତା କରିନାହାନ୍ତି । ଅଥଚ ସେମାନେ ରାଜ୍ୟ ସରକାରଙ୍କଠାରୁ ବିଭିନ୍ନ ଭାବରେ ଉପକୃତ ହେଉଛନ୍ତି । ତେଣୁ ଭାଷା ବିଷୟରେ ଆଲୋଚନା କରିବାର ପରିବେଶ ଓଡିଶାରେ ନାହିଁ କହିଲେ ଭୁଲ ହେବନାହିଁ । ସେହିଭଳି ଓଡିଶା ସାହିତ୍ୟ ଏକାଡେମୀ
ପୁରସ୍କାର ପ୍ରଦାନ କରିବାରେ ବ୍ୟସ୍ତ ଥିବାବେଳେ ଭାଷା ବିଷୟକ କେତେକ ଭଲ ବହିର ପୁନଃମୁଦ୍ରଣ କରିବାକୁ ଆଗ୍ରହୀ ନୁହେଁ । ସରକାରଙ୍କ କୌଣସି ଅର୍ଥ ଖର୍ଚ୍ଚ ନ କରି ମାତ୍ର ୪ଟି ବୈଠକରେ ଶାସ୍ତ୍ରୀୟମାନ୍ୟତାପାଇଁ ଭିତ୍ତିପତ୍ର ପ୍ରସ୍ତୁତ କରିବାର ଦାବି କରୁଥିବା ଓଡିଆ ଭାଷା ପ୍ରତିଷ୍ଠାନ ଉକ୍ତ ଭିତ୍ତିପତ୍ରର ଏକ ଅଂଶ ଥିବା ଓଡିଆଭାଷାର ଇତିହାସ ରଚନାପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ କରିସାରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିପାରି ନାହିଁ । ବରଂ ଶାସ୍ତ୍ରୀୟଗ୍ରନ୍ଥ ବର୍ଣ୍ଣବୋଧର ସୁରକ୍ଷା ବଦଳରେ ଏହାକୁ ଏଭଳି ବିକୃତ କରି ପ୍ରକାଶ କଲା ଯେ, ସମଗ୍ର ଓଡିଶାବାସୀ ଏହାର ପ୍ରତିବାଦ କରିବାକୁ ବାହାରି ଆସିଲେ ।
ସେହିଭଳି ରାଜ୍ୟ ସଂସ୍କୃତି ବିଭାଗର ସବୁଠାରୁ ବଡ ଦାୟିତ୍ୱ ହେଉଛି ପ୍ରାଚୀନ ଓଡିଆ ସଂସ୍କୃତିର ସୁରକ୍ଷା, ସମୃଦ୍ଧି ଓ ପୁନରୁଦ୍ଧାର କରିବା । ଏହାରଅଂଶବିଶେଷ ଭାବରେ ଆମର ମନ୍ଦିର ଓ ଦୁର୍ଗ କିପରି ଅବହେଳିତ ହୋଇ ପଡିଛି, ସେ ବିଷୟରେ ନ କହିବା ଭଲ । ଭାଷା ବିଷୟରେ କାମ କରିବାପାଇଁ ଓଡିଶା ବହୁତ କମ ଅନୁଷ୍ଠାନ ଅଛି । ଭାଷାପାଇଁ କିଛି କାମ ହେଉ ନ ଥିବାରୁ ଆଜି ଓଡିଆଭାଷା ସଂକଟରେ ଅଛି ବୋଲି ସମସ୍ତେ ଉଣା ଅଧିକେ ଅନୁଭବ କରୁଛନ୍ତି ।
ରାଜ୍ୟ ସରକାରଙ୍କ ଭାଷା ଗବେଷଣା ପ୍ରତି ଉଦାସୀନତା ଏବେ ଓଡିଆଜାତିକୁ ବହୁ ମୂଲ୍ୟ ଦେବାକୁ ପଡିଛି । ଏପର୍ଯ୍ୟନ୍ତ କୌଣସି କେନ୍ଦ୍ରିୟ
ବିଶ୍ୱବିଦ୍ୟାଳୟରେ ଓଡିଆଭାଷା ଚେୟାର ପ୍ରତିଷ୍ଠା ହୋଇପାରିଲାନାହିଁ । ୨ଜଣ ଓଡିଆ ଭାଷା ଗବେଷକ ଆନ୍ତର୍ଜାତିକ ସମ୍ମାନରୁ ବଞ୍ଚôତ ହେଲେ । ଭାଷା ଗବେଷଣାପାଇଁ ଦାବି କରାଯାଉଥିବା କେନ୍ଦ୍ରିୟ କ୍ଲାସିକାଲ ଓଡିଆ ସଂସ୍ଥା ପ୍ରତିଷ୍ଠାପାଇଁ ରାଜ୍ୟ ସରକାର ଭୂମି ଦେବାପାଇଁ ରାଜି ଅଛନ୍ତି ବୋଲି ଚିଠି ନ ଦେବାରୁ ଏଠାରେ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ଆଉ କୌଣସି କେନ୍ଦ୍ର ସ୍ଥାପିତ ହେବ ନାହିଁ । ଭାଷା ଗବେଷଣାପାଇଁ ଏବେ ମହୀଶୂର ସ୍ଥିତ କେନ୍ଦ୍ରିୟ ଭାରତୀୟ ଭାଷା ସଂସ୍ଥାନ ଉପରେ ନିର୍ଭର କରିବାକୁ ପଡିବ । ଏହି ସଂସ୍ଥାର ବାପା-ମାଆ ନ ଥିବାରୁ ମୌନ ଓଡିଆଙ୍କ ପ୍ରତି ଏହି ଅନୁଷ୍ଠାନଠାରୁ ନ୍ୟାୟ ଆଶା କରିବା ବୃଥା । ଓଡିଆଙ୍କ ତୁଷ୍ଟିକରଣପାଇଁ ଯଦି ଏହାର ଶାଖା କାର୍ଯ୍ୟାଳୟ ଭାବରେ ଭୁବନେଶ୍ୱରସ୍ଥ ଆଞ୍ଚଳିକ କେନ୍ଦ୍ରକୁ ଦାୟିତ୍ୱ ଦିଆଗଲା, ତେବେ କଥା ସରିଲା ।
ରାତାରାତି ଆମ ସାହିତ୍ୟ ମାଫିଆମାନେ ଭାଷାବିତ ପାଲଟିବାକୁ ବିଳମ୍ବ ହେବନାହିଁ । ଏଭଳି ସ୍ଥିତିରେ ଆମ ବୁଦ୍ଧିଜୀବୀମାନଙ୍କ ନୀରବତା ଆଉ ଏକ ଜଟିଳ ପ୍ରଶ୍ନ ଠିଆ କରାଉଛି । ଏମାନଙ୍କ ଦାବୀ କେବଳ ମୁଖ୍ୟମନ୍ତ୍ରୀ ଓଡିଆ ଶିଖିବା ଓ ସରକାରି କାର୍ଯ୍ୟ ଓଡିଆରେ ହେବା ମଧ୍ୟରେ ସିମୀତ । ୭୮ବର୍ଷର ଘୋଷରା ଦାବିକୁ ଦୋହରାଇବା ବଦଳରେ ଗବେଷଣାଦ୍ୱାରା ଓଡିଆଜାତିର ମହନୀୟତା ଲୋକସମ୍ମୁଖକୁ ଆଣିବାପାଇଁ ଆସିଥିବା ସୁଯୋଗର ସଦବ୍ୟବହାରପାଇଁ କଣ୍ଠ ଫଟାଇ ଚିକ୍ରାର କରିବାକୁ କାହା ଜିଭ ଲେଉଟୁ ନାହିଁ । ଏମାନଙ୍କ ନିରବତା ଯୋଗୁଁ ଓଡିଆଭାଷାର ଶାସ୍ତ୍ରୀୟମାନ୍ୟତାପାଇଁ ଯେଉଁ କେତେଜଣ ଅକ୍ଳାନ୍ତ ଉଦ୍ୟମ କରିଥିଲେ, ସେମାନଙ୍କ ପରିଶ୍ରମ ଏବେ ବୃଥା ହେବାକୁ ଯାଉଛି । ଏଭଳି ସ୍ଥିତିରେ ମନେପଡେ ଓଡିଆ କବିର ସେହି ମହାନ ବାଣୀ- ଅନ୍ଧ ଦେଶକୁ ଗଲି……. । ଭାଷା ପ୍ରତି ମମତା ଓ ଓଡିଆଭାଷାକୁ ବିଶ୍ୱସ୍ତରରେ ପହଞ୍ଚାଇବାର କ୍ଷମତାକୁ ପୁନର୍ଜୀବିତ କରିବାପାଇଁ ସବୁ ଓଡିଆ ଏବେ ପାଟି ଫିଟାଇବାର ବେଳ ଆସି ପହଞ୍ଚôଛି । ତାହା ନ ହେଲେ ଆମେ ପୁଣି ସେହି ଅଣଓଡିଆଙ୍କ କବଳରେ ପେଶି ହୋଇ ଛଟପଟ ହେଉଥିବା ।

ଏନ୪/୧୭, ନୂଆପଲ୍ଲୀ, ଭୁବନେଶ୍ୱର
ଦୂରଭାଷା: ୯୦୯୦୪୬୫୭୫୮,
ଇମେଲ-ଗ୍ଦଙ୍କଭକ୍ସବଗ୍ଧକ୍ଟୟସବଅଶଜ୍ଞବସକ୍ଷ.ମକ୍ଟଜ୍ଞ

Share in top social networks!