ଭାରତ-ଭିଏତ୍ନାମ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ; ୧୦୦ ନିୟୁତ ଡଲାରର ସାମରିକ ସରଂଜାମ ଯୋଗାଇବ ଭାରତ

s2014102858269ଭିଏତନାମର ପ୍ରଧାନମନ୍ତ୍ରୀ ଶ୍ରୀ ନାଗୁଏନ୍ ତାନ୍ ଦୁଙ୍ଗ୍ ସପତ୍ନୀକ ଅକ୍ଟୋବର ୨୭ ଓ ୨୮ ତାରିଖ ଦିନ ଦୁଇଦିନିଆ ଭାରତ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆମନ୍ତ୍ରଣକ୍ରମେ ସେ ଏହି ଗସ୍ତରେ ଆସିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ଦୁଙ୍ଗ୍ଙ୍କୁ ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେ ଏହି ଅବସରରେ ରାଜଘାଟ ଯାଇ ମାହତ୍ମା ଗାନ୍ଧିଙ୍କ ସମାଧୀପୀଠରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଭିଏତନାମ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆନୁଷ୍ଠାନିକ କଥାବାର୍ତା ହୋଇଛି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଅତିଥିଙ୍କ ସମ୍ମାନାର୍ଥେ ଏକ ଭୋଜିସଭାର ଆୟୋଜନ କରିଥିଲେ । ଭାରତ ଗସ୍ତ ଅବସରରେ ଶ୍ରୀ ଦୁଙ୍ଗ୍ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ, ଉପରାଷ୍ଟ୍ରମନ୍ତ୍ରୀ ଶ୍ରୀ ହମିଦ ଆନସାରୀ, ଲୋକସଭା ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି । ଶ୍ରୀ ଦୁଙ୍ଗ୍ ଏହି ଅବସରରେ ପବିତ୍ର ବୋଧଗୟା ସହର ପରିଦର୍ଶନ କରିବା ସହ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ଜିତନରାମ ମାଝୀଙ୍କୁ ସାକ୍ଷାତ କରିଥିଲେ । ଶ୍ରୀ ଦୁଙ୍ଗ୍ଙ୍କ ଗସ୍ତ କାଳରେ ଦୁଇଦେଶର ବାଣିଜ୍ୟ ପ୍ରତିନିଧିମଣ୍ଡଳଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।
ନିକଟ ଅତୀତରେ ଭାରତ ଓ ଭିଏତନାମ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଘଟିଥିବା ନୀରବଚ୍ଛିନ୍ନ ସହଯୋଗ ବୃଦ୍ଧିକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଶଂସା କରିଥିଲେ । ଉଭୟଦେଶ ମଧ୍ୟରେ ଏହି ସହଯୋଗ ଆଗାମୀ ଦିନରେ ଜାରି ରହିବ ବୋଲି ସେ ଆସ୍ଥାପ୍ରକଟ କରିଥିଲେ । ଭାରତ ଓ ଭିଏତନାମ ମଧ୍ୟରେ ସଂପର୍କ ସୁଦୃଢ ହେଲେ ଏହା ଉଭୟ ରାଷ୍ଟ୍ର ଏବଂ ଏସିଆ କ୍ଷେତ୍ରରେ ଶାନ୍ତି, ସମୃଦ୍ଧ୍ି ଓ ସ୍ଥ୍ିରତା ବଜାୟ ରଖିବାରେ ସହାୟକ ହେବ । ଭିଏତନାମ ଭାରତର ପ୍ରାଚ୍ୟ-ଦୃଷ୍ଟି ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସୂଚାଇଥିଲେ । କ୍ଷେତ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭିଏତନାମ ପ୍ରଧାନମନ୍ତ୍ରୀ ଶ୍ରୀ ଦୁଙ୍ଗ୍ ଭୂୟସୀ ପ୍ରଶଂସା କରିଥିଲେ ।
ଉଭୟ ଦେଶର ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ ଯେ ଦୁଇଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଘଟିଥିବା ସହଯୋଗ ପାରମ୍ପରିକ ବନ୍ଧୁତା, ପାରସ୍ପରିକ ବୁଝାମଣା, ଦୃଢ ଆସ୍ଥା, ସହଯୋଗ ବଜାୟ ରଖିବା ଓ କ୍ଷେତ୍ରୀୟ ଏବଂ ଆନ୍ତର୍ଜାତୀୟ ସମସ୍ୟା ସମାଧାନ ଦିଗରେ ସହାୟକ ହେବ । ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଚଳିତବର୍ଷ ସେପ୍ଟେମ୍ବର ମାସରେ ଭିଏତନାମ ଗସ୍ତରେ ଯାଇଥିବାରୁ ଶ୍ରୀ ଦୁଙ୍ଗ୍ ସନ୍ତୋଷ ବ୍ୟକ୍ତ କରିଥିଲେ । ସେହିଭଳି ଚଳିତବର୍ଷ ଅଗଷ୍ଟ ମାସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କ ହାନୋଇ ଗସ୍ତକୁ ଏକ ସଫଳ ଗସ୍ତଭାବେ ସେ ଅଭିହିତ କରିଥିଲେ । ଦୁଇଦେଶର ପ୍ରଧାନମନ୍ତ୍ରୀ ଉଭୟ ରାଷ୍ଟ୍ର ମଧ୍ୟରେ ସବୁକ୍ଷେତ୍ରରେ ଦ୍ୱିପାକ୍ଷିକ ଆଦାନପ୍ରଦାନ ଏବଂ ସ୍ୱାକ୍ଷରିତ ରାଜିନାମାଗୁଡ଼ିକର ସଫଳ ରୂପାୟନ ପାଇଁ ପ୍ରତିବଦ୍ଧତା ପ୍ରକଟ କରିଥିଲେ ।
ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ, ଉଭୟ ରାଷ୍ଟ୍ର ନେତୃବର୍ଗଙ୍କ ଗସ୍ତ, ବାର୍ଷିକ ସୁରକ୍ଷା କଥାବାର୍ତା, ବିଭିନ୍ନ ସେବା କ୍ଷେତ୍ରରେ ସହଯୋଗ, ଜାହାଜ ପରିଭ୍ରମଣ, ତାଲିମ, ଦକ୍ଷତାବୃଦ୍ଧି ଏବଂ କ୍ଷେତ୍ରୀୟ ସ୍ତରରେ ସହଯୋଗ ଏବଂ ଏଡିଏମ୍ଏମ୍-ପ୍ଲସ୍ ଚୁକ୍ତି ଅନୁସାରେ ମାନବୀୟ ମାଇନ୍ ଆକ୍ସନକୁ ଜାରି ରଖିବା ଲାଗି ଉଭୟ ଦେଶର ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ । ଭିଏତ୍ନାମକୁ ଭାରତ ୧୦୦ ନିୟୁତ ଡଲାରର ପ୍ରତିରକ୍ଷା ସରଂଜାମ ଯୋଗାଇ ଦେବା ଲାଗି ଯେଉଁ ଚୁକ୍ତିନାମ ହୋଇଛି ତାହା ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଛନ୍ତି ।
ସେହିଭଳି ଆର୍ଥିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ବିଗତ କିଛିବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରରେ ବୃଦ୍ଧ୍ି ଏ ଦିଗରେ ଏକ ଅନୁକୂଳ ପଦକ୍ଷେପ । ଭାରତ-ଆସିଆନ୍ ବାଣିଜ୍ୟ ରାଜିନାମା କାର୍ଯ୍ୟକାରୀ ହେବା ପରେ ଏଭଳି କାରବାର ବୃଦ୍ଧି ପାଇଛି । ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ଭାରତ-ଆସିଆନ ସେବା ଓ ପୁଂଜି ନିବେଶ ରାଜିନାମା କାର୍ଯ୍ୟକାରୀ ହେଲେ ଏହି ସହଯୋଗ ଆହୁରି ବୃଦ୍ଧି ପାଇବ । ଏଥିପାଇଁ କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ସହଯୋଗ ରାଜିନାମା (ଆରସିଇପି) କୁ ସାକାର କରିବା ପାଇଁ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ହୋଇଛି ।
ଭାରତ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଦୁଙ୍ଗ୍ଙ୍କ ସହ ସେ ଦେଶର ଏକ ବଡ଼ ବାଣିଜ୍ୟ ପ୍ରତିନିଧିମଣ୍ଡଳ ଆସିଛନ୍ତି । ସେମାନେ ସିଆଇଆଇ, ଫିକି ଏବଂ ଆସୋଚାମ୍ ଭଳି ଭାରତର ଶୀର୍ଷ ବାଣିଜ୍ୟ ଓ ଶିଳ୍ପ ପ୍ରତିନିଧିମଣ୍ଡଳଙ୍କ ସହ ଆଲୋଚନା କରିଛନ୍ତି । ଉଭୟପକ୍ଷଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର କିଭଳି ବୃଦ୍ଧି ପାଇବ ଏଥିଲାଗି ଉପାୟ ସ୍ଥିର କରିବା ନିମନ୍ତେ ଉଭୟ ନେତା ଏହି ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି । ଉଭୟ ଦେଶର ଅର୍ଥନୀତିର ବିକାଶ ପାଇଁ ପୁଂଜିନିବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଦୁଇଦେଶର ପ୍ରଧାନମନ୍ତ୍ରୀ ସହମତ ହୋଇଛନ୍ତି । ଏଥିପାଇଁ ଆବଶ୍ୟକ ବାତାବରଣ ସୃଷ୍ଟି କରାଯିବ । ଭାରତୀୟ କଂପାନୀମାନେ ଭିଏତନାମରେ ପୁଞ୍ଜିନିବେଶ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ଦୁଙ୍ଗ୍ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏଥିପାଇଁ ସବୁପ୍ରକାର ଅନୁକୂଳ ବାତାବରଣ ସୃଷ୍ଟି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିଭଳି ଭାରତର ଆର୍ଥିକ ବିକାଶ କାର୍ଯ୍ୟକ୍ରମ “ମେକ୍-ଇନ୍-ଇଣ୍ଡିଆ”ରେ ଭିଏତ୍ନାମର କମ୍ପାନୀମାନେ ସହଯୋଗ ପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆହ୍ୱାନ ଜଣାଇଥିଲେ ।
ଭିଏତ୍ନାମରେ ନୂଆ ତୈଳ ଓ ଗ୍ୟାସ୍ ଅନୁସନ୍ଧାନ ପ୍ରକଳ୍ପ ପାଇଁ ଓଏନ୍ଜିସି ବିଦେଶ ଲିମିଟେଡ୍ ଓ ପେଟ୍ରୋ ଭିଏତ୍ନାମଙ୍କ ମଧ୍ୟରେ ସ୍ୱାକ୍ଷରିତ ରାଜିନାମାକୁ ଉଭୟ ନେତା ସ୍ୱାଗତ କରିଛନ୍ତି । ଭିଏତନାମରେ ତୈଳ ଓ ପ୍ରାକୃତିକ ବାଷ୍ପ ଅନୁସନ୍ଧାନ ତଥା ଉତୋଳନ ପାଇଁ ଭାରତୀୟ କମ୍ପାନୀମାନଙ୍କ ସହଯୋଗକୁ ପ୍ରଧାନମନ୍ତ୍ରୀ ଶ୍ରୀ ଦୁଙ୍ଗ୍ ସାଧୁବାଦ ଜଣାଇଛନ୍ତି । ସେହିଭଳି ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ଭିଏତନାମର ଚାମ୍ କୀର୍ତିସ୍ଥଳର ସଂରକ୍ଷଣ ପାଇଁ ହୋଇଥିବା ରାଜିନାମାକୁ ଉଭୟ ନେତା ସ୍ୱାଗତ କରିଥିଲେ ।
ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ଓ ବନ୍ଧୁତାର ବାତାବରଣ ମଧ୍ୟରେ ଏହି କଥାବାର୍ତା ହୋଇଥିଲା । ଭାରତରେ ଏଭଳି ଭବ୍ୟ ସମ୍ବର୍ଦ୍ଧନା ଓ ଆତିଥ୍ୟ ପାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ଦୁଙ୍ଗ୍ ଭାରତୀୟ ପ୍ରତିପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭିଏତନାମ ଗସ୍ତରେ ଆସିବା ପାଇଁ ସେ ତାଙ୍କୁ ଆମନ୍ତ୍ରଣ କରିଛନ୍ତି । ଶ୍ରୀ ମୋଦି ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ।

Share in top social networks!