ଓଡିଶାକୁ ସମସ୍ତ ପ୍ରକାର ବାତ୍ୟା ସହାୟତା ଦେବା ଲାଗି କେନ୍ଦ୍ର ପ୍ରସ୍ତୁତ; ସମ୍ଭାବ୍ୟ ପରିସ୍ଥିତି, ପେଟ୍ରୋଲିୟମ ସାମଗ୍ରୀ ଯୋଗାଣ ନେଇ ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

met ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ସଂପର୍କରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରଠାରେ ସମୀକ୍ଷା କରିଛନ୍ତି । ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ପ୍ରଧାନ ରାଷ୍ଟ୍ରୀୟ ବିପର୍ଯ୍ୟୟ ତ୍ୱରିତ କ୍ରୀୟନୁଷ୍ଠାନ ବାହିନୀର ଡିଆଇଜି ଶ୍ରୀ ଏସ୍.ପି.ଶିଳବମ୍ , କମାଣ୍ଡେଣ୍ଟ ଶ୍ରୀ ଏମ୍.କେ ଯାଦବ ଏବଂ ଭାରତୀୟ ପାଣିପାଗ ବିଭାଗ ଆଂଚଳିକ କାର୍ଯ୍ୟାଳୟର ନିର୍ଦ୍ଧେଶକ ଡକ୍ଟର ଶରତ ସାହୁଙ୍କ ସହ ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଏବଂ ଏହାର ମୁକାବିଲା ନେଇ ବିସୃତ ଆଲୋଚନା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ଲାଗି ଓଡିଶା ସରକାର ଯେଉଁ ପ୍ରକାର ସହାୟତା ମାଗିବେ ସେସବୁ ପ୍ରଦାନ କରାଯିବ । ଏଥିଲାଗି କେନ୍ଦ୍ର ସରକାର ପ୍ରସ୍ତୁତ ହୋଇ ରହିଛନ୍ତି । ସେ ନିଜେ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀଙ୍କ ସହ କଥାବାର୍ତା କରିଛନ୍ତି । ଆନ୍ଧ୍ର ପ୍ରଦେଶ ଏବଂ ଓଡିଶା ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ଅହରହ ନଜର ରଖିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଜେଟଲୀ ମଧ୍ୟ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି । ଦରକାର ପଡିଲେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଚଳାଇବା ପାଇଁ କେନ୍ଦ୍ରର ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ହୋଇ ରହିଛି ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ମୋଟ ୧୬ଟି ଏନ୍ଡିଆରଏଫ୍ ଟିମ୍ କୁ ବିଭିନ୍ନ ଜିଲ୍ଲାରେ ମୁତୟନ କରାଯାଇଛି । ମୁଣ୍ଡଳୀରୁ ୧୨ ଟି ଏବଂ କଲିକତାର ୪ ଟି ଟିମ୍ କୁ ମୁତୟନ କରାଯାଇଛି । ଗଂଜାମ ଜିଲ୍ଳାର ଛତ୍ରପୁର, ବ୍ରହ୍ମପୁର ଏବଂ ଆସିକାରେ ୩ ଟି ଟିମ୍ ରହିଛନ୍ତି । ସେହିପରି ମାଲକାନଗିରି, କୋରାପୁଟ, କନ୍ଧମାଳ, ପୁରୀ, ଗଜପତି, ବାଲେଶ୍ୱର, ମୟୁରଭଂଜ,ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡାରେ ଗୋଟିଏ ଲେଖାଏଁ ଏନ୍ଡିଆରଏଫ୍ ଟିମ୍ ରହିଛନ୍ତି । ଖୋର୍ଦ୍ଧାରେ ୨ ଟି ଟିମ୍ ମୁତୟନ କରାଯାଇ ଥିବା ବେଳେ ଆଉ ଗୋଟିଏ ଟିମ୍ ନୟାଗଡ ଯିବାର କାର୍ଯ୍ୟକ୍ରମ ରହିଛି । ଏନ୍ଡିଆରଏଫ୍ ଦଳ ଓଡ୍ରାଫ୍ ଟିମ୍ ସହ ମିଶି ଜିଲ୍ଲା ପ୍ରଶାସନର ସହଯୋଗରେ ଆବଶ୍ୟକ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚଳାଇବେ ।
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦେଖି ସେ ପେଟ୍ରୋଲ୍ , ଡିଜେଲ୍, କିରୋସିନି ଓ ରନ୍ଧନଗ୍ୟାସର ଯୋଗାଣ ନେଇ ସମୀକ୍ଷା କରିଛନ୍ତି । ଓଡିଶା ଏବଂ ଆନ୍ଧ୍ର ପ୍ରଦେଶରେ ପେଟ୍ରୋଲିୟମ ସାମଗ୍ରୀର କୌଣସି ଅଭାବ ନାହିଁ ବୋଲି ସେ କହିଛନ୍ତି । ଆସନ୍ତା ଦୁଇ – ତିନି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ତାଙ୍କ ମନ୍ତ୍ରଣାଳୟ ତଥା କେନ୍ଦ୍ର ସରକାର ପରିସ୍ଥିତି ଉପରେ ତୀକ୍ଷଣ୍ ନଜର ରଖିଛନ୍ତି । ଯେ କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଗଣମାଧ୍ୟମ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବେ ବୋଲି ସେ ଆଶ ପ୍ରକାଶ କରିଥିଲେ । ଆଜିର ବୈଠକରେ ବିଧାୟକ ଶ୍ରୀ ଦିଲ୍ଳୀପ ରାୟ ମଧ୍ୟ ଯୋଗ ଦେଇଥିଲେ ।
ଏଠାରେ ସୂଚନା ଦିଆଯାଇପାରେ ଯେ, ବେଙ୍ଗାପସାଗରରେ ସୃଷ୍ଟିହୋଇଥିବା ତୀବ୍ର ସାମୂଦ୍ରିକ ଝଡ-ହୁଦ୍ହୁଦ୍ ଆନ୍ଧ୍ର ପ୍ରଦେଶ ଅଭିମୂଖେ ମୁହାଁଇଛି । ଭୁବନେଶ୍ୱର ପାଣିପାଗ ଅଫିସର କହିବା ଅନୁସାରେ ଏହି ଝଡ ଗୋପାଳପୁର ଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୬୧୦ କିଲୋମିଟର ଦୂରରେ ରହିଛି । ଆସନ୍ତା ୧୨ ତାରିଖ ରବିବାର ପୂର୍ବାହ୍ନରେ ବିଶାଖାପାଟଣା ନିକଟ ଦେଇ ଉତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ଆନ୍ଧ୍ର ପ୍ରଦେଶର ଅନେକ ଭାଗ ଏବଂ ଦକ୍ଷିଣ ଓଡିଶା ଓ ଉପକୂଳ ଅଂଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡିଶା ବିଶେଷ କରି ଗଂଜାମ, ଗଜପତି, ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ । ଘଂଟାକୁ ୭୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ସହ ମହାନଦୀର ଉପରମୁଣ୍ଡ ତଥା ଛତିଶଗଡ ଅବବାହିକା , ଋଷିକୁଲ୍ୟା ଓ ବଂଶଧାରା ଅବବାହିକାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ, ପାରାଦୀପ, ଚାନ୍ଦବାଲି ଓ ଗୋପାଳପୁରରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି ବୋଲି ପାଣିପାଗ ବିଭାଗର ଆଂଚଳିକ ନିର୍ଦ୍ଧେଶକ ଶ୍ରୀ ଶରତ ସାହୁ କହିଛନ୍ତି ।

Share in top social networks!