ଓଡିଆ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବର୍ଦ୍ଧନା

lakra ଏସିୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜୟୀ ଭାରତୀୟ ହକି ଦଳର ସଦସ୍ୟ ତଥା ଉଦୀୟମାନ ଓଡିଆ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଆଜି ଭୁବନେଶ୍ୱରଠାରେ ଏକ ସମାବେଶରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ହକି ତାରକା ଲାକ୍ରାଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ବର୍ଦ୍ଧନା ଦେଇଛନ୍ତି ।
ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିରେନ୍ଦ୍ର ଲାକ୍ରାଙ୍କ ଗ୍ରାମ ସୁନ୍ଦରଗଡ ଜିଲ୍ଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକର ଲଛଡାକୁ ଆଦର୍ଶ ଗ୍ରାମରେ ପରିଣତ କରାଯିବ । ରାଷ୍ଟ୍ରାୟତ ତୈଳ ସଂସ୍ଥା ବିପିସିଏଲ ଏହି ଗ୍ରାମକୁ ପୋଷ୍ୟ ଗ୍ରାମଭାବେ ଗ୍ରହଣ କରି ସଂପୂର୍ଣ୍ଣ ବିକାଶ ଲାଗି ପଦକ୍ଷେପ ନେବ । ଲଛଡା ଗ୍ରାମରେ ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟସେବା,ଦୂର ସଂଚାର ସେବାର ବିକାଶ ସାଧନା କରାଯିବ । ବିପିସିଏଲ ସଂସ୍ଥା ବିରେନ୍ଦ୍ର ଲାକ୍ରାଙ୍କ ସହ ଆଲୋଚନା କରି ବିକାଶ ଲାଗି ଆବଶ୍ୟକ ପଦକ୍ଷେପ ନେବେ । ଉଦୀୟମାନ କ୍ରୀଡାବିତ୍ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ତାଙ୍କ ମନ୍ତ୍ରଣାଳୟ ଏବଂ କେନ୍ଦ୍ର ସରକାର ସବୁମନ୍ତେ ଉଦ୍ୟମ କରିବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିରେନ୍ଦ୍ର ଲାକ୍ରା ଭାରତୀୟ ହକି ଦଳର ଜଣେ ନିରନ୍ତର ଉତମ କ୍ରୀଡା ପ୍ରଦର୍ଶକ । ବିପକ୍ଷ ଦଳର ବହୁ ଫରୱାର୍ଡ ଖେଳାଳିଙ୍କର ଗୋଲ ଅଭିପ୍ରାୟକୁ ପ୍ରତିହତ କରି ସେମାନଙ୍କୁ ନିରାଶ କରିବାର କ୍ଷମତା ରଖିଛନ୍ତି । ଭାରତୀୟ ହକି ଦଳର ରକ୍ଷାପନ୍ଥୀରେ ସେ ହେଉଛନ୍ତି ସତେ ଯେମିତି ଜିବ୍ରାଲ୍ଗରର ଏକ ଦୃଢ ସ୍ତମ୍ଭ ସଦୃଶ । ଶ୍ରୀ ଲାକ୍ରା ପ୍ରଥମତଃ ସେଲ,( ଝଇଓଖ ) ରାଉରକେଲା ଷ୍ଟିଲ୍ ପ୍ଲାଂଟ ଅଧିନସ୍ଥ ହକି ଏକାଡେମିରୁ ପ୍ରଶିକ୍ଷିତ ହୋଇ ପ୍ରଥମେ ଭାରତୀୟ ଜୁନିୟର ହକି ଦଳର ସିଙ୍ଗାପୁର ଅଭିଯାନରେ ୨୦୦୭ ରେ ସ୍ଥାନ ପାଇଥିଲେ । ତା ପରଠାରୁ ତାଙ୍କର ଖେଳ ଅଭିଯାନରେ କେବେ ହେଲେ ବିରାମ ଲାଗିନାହିଁ । ସେ ଭାରତର ପ୍ରତିନିଧିତ୍ୱ କରି ଆହୁରି ଅନେକ ଆନ୍ତର୍ଜାତିକ ହକି ପ୍ରତିଯୋଗିତାରେ ସଫଳତା ଆଣିଛନ୍ତି । ଏହାମଧ୍ୟରେ ବିଶ୍ୱକପ୍ ହକି, ଚାମ୍ପିୟାନ୍ସ ଟ୍ରଫି, ଏସୀୟ କ୍ରୀଡା, ରାଜ୍ୟଗୋଷ୍ଠୀ କ୍ରୀଡା ଏବଂ ଲଣ୍ଡନ ଅଲମ୍ପିକ୍ ୨୦୧୨ ରେ ଲାକ୍ରାଙ୍କର କ୍ରୀଡା ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ । ଏହି ସମ୍ବର୍ଦ୍ଧନା ସମାରୋହରେ ବିପିସିଏଲର ବରିଷ୍ଠ କର୍ମକର୍ତାମାନେ ଉପସ୍ଥିତ ଥିଲେ । ଏଠାରେ ସୂଚନା ଦିଆଯାଇପାରେ ଯେ, ବିରେନ୍ଦ୍ର ଲାକ୍ରା ଏବେ ଭାରତୀୟ ପେଟ୍ରୋଲିୟମ ନିଗମ (ବିପିସିଏଲ)ରେ କାର୍ଯ୍ୟରତ ଅଛନ୍ତି ।

Share in top social networks!