ନାଲ୍‍କୋର ସ୍ୱଚ୍ଛ ଭାରତ ଅଭିଯାନରେ ଯୋଗଦାନ

nalcoଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ), ଦେଶବ୍ୟାପୀ ଚାଲୁଥିବା ‘ସ୍ୱଚ୍ଛ ଭାରତ ଅଭିଯାନ’ରେ ଅଂଶଗ୍ରହଣ କରିଛି । ଏହି କ୍ରମରେ, କମ୍ପାନୀ ପକ୍ଷରୁ ଗତ କାଲି ଭୁବନେଶ୍ୱର ସ୍ଥିତ ଏହାର ନିଗମ କାର୍ଯ୍ୟାଳୟ ଓ ଆବସିକ କଲୋନୀରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ନିଗମ କାର୍ଯ୍ୟାଳୟ ଏବଂ ଆବାସିକ କଲୋନୀ ଠାରେ କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ସ୍ୱଚ୍ଛତା ଶପଥ ପାଠ କରାଯିବା ପରେ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ପ୍ରସାର ନିମନ୍ତେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଅବସରରେ, ଏକ ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷିତ ହୋଇଥିଲା ।
ଏତଦ୍‍ବ୍ୟତୀତ, ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ ଅଧିନରେ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଧେଶକ ଶ୍ରୀ ଅଂଶୁମାନ ଦାସ ନିକଟସ୍ଥ ଡମଣା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ୟୁ.ଜି.ୟୁ.ପି ବିଦ୍ୟାଳୟରେ ଶୌଚାଳୟ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହି ଅବସରରେ, ନିର୍ଦ୍ଧେଶକ (ପି ଆଣ୍ଡ୍‍ ଟି), ନିର୍ଦ୍ଧେଶକ (ମାନବସମ୍ବଳ) ଶ୍ରୀ ଏସ୍‍.ସି. ପାଢୀ, ନିର୍ଦ୍ଧେଶକ (ଅର୍ଥ) ଶ୍ରୀ କେ.ସି. ସାମଲ, ନିର୍ଦ୍ଧେଶକ (ବାଣିଜ୍ୟ) ଶ୍ରୀମତୀ ସୋମା ମଣ୍ଡଳ, ନାଲ୍‍କୋର ବରିଷ୍ଠ ଅଧିକାରୀବୃନ୍ଦ, ନାଲ୍‍କୋ ଫାଉଣ୍ଡେସନ୍‍ର ଅଧିକାରୀ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଏବଂ ଅନ୍ୟାନ୍ୟ ଶିକ୍ଷକଶିକ୍ଷୟତ୍ରୀ ବୃନ୍ଦ ଉପସ୍ଥିତ ଥିଲେ । କମ୍ପାନୀ ପକ୍ଷରୁ ଗତ କାଲି ଅନଗୁଳ ଓ ଦାମନଯୋଡ଼ି ସ୍ଥିତ ପାରିପାଶ୍ୱିର୍କ ଗ୍ରାମରେ ବିଭିନ୍ନ ବିଦ୍ୟାଳୟରେ ଶୌଚାଳୟ ସ୍ଥାପନ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ନାଲ୍‍କୋ, ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବା ପାଇଁ ସହମତି ପ୍ରଦାନ କରିବା ସହ ୧୫୦ଟି ବିଦ୍ୟାଳୟକୁ ପରିମଳ ବ୍ୟବସ୍ଥା ସ୍ଥାପନ ନିମନ୍ତେ ଚିହ୍ନଟ କରିଛି ।

Share in top social networks!