ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲାଙ୍ଗୁଏଜ ଆଣ୍ଡ କଲଚରାଲ ଡାଇଭରସିଟି ପୁସ୍ତକ ଉନ୍ମୋଚିତ

cmbookଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କଦ୍ୱାରା ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କଦ୍ୱାରା ରଚିତ ଲାଙ୍ଗୁଏଜ ଆଣ୍ଡ କଲଚରାଲ ଡାଇଭରସିଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି । ୧୫୦୦ପୃଷ୍ଟା ବିଶିଷ୍ଟ ୨ଖଣ୍ଡରେ ପ୍ରକାଶିତ ଏହି ବହି ଡଃ ପଟ୍ଟନାୟକଙ୍କଦ୍ୱାରା ୫୦ବର୍ଷ ଧରି ବିଭିନ୍ନ ସେମିନାର ଆଦିପାଇଁ ଭାଷାବିଜ୍ଞାନ ସମ୍ବନ୍ଧୀତ ଲେଖିଥିବା

ପ୍ରବନ୍ଧଗୁଡିକର ସମାହାର । ବହୁଭାଷିକତା ସ୍ବୀକୃତିପାଇଁ ଦୀର୍ଘ ବର୍ଷଧରି କାର୍ଯ୍ୟ କରୁଥିବା ଡଃ ପଟ୍ଟନାୟକ ଉକ୍ତ ପୁସ୍ତକରେ ଶିକ୍ଷା କ୍ଷେତ୍ରରେ ଭାଷା, ସମାଜ ଗଢଣରେ ଭାଷା, ସରକାରି କାମ ଓ ସାରରେ ଭାଷା, ସାକ୍ଷରତା ଓ ଭାଷା ଆଦି ଶିରୋନାମାରେ ଏହି ସବୁ ପ୍ରବନ୍ଧ ସ୍ଥାନିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉଦବୋଧନ ଦେଇ କହିଛନ୍ତି ଯେ, ତାଙ୍କ ସରକାର ଓଡିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ସତତ ପ୍ରଚେଷ୍ଟାରତ ।
ପ୍ରସ୍ତାବିତ ଓଡିଆ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ତଥା ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆଲୋଚନା ପର୍ବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବହୁ ପୂର୍ବରୁ ଜ୍ଞାନର ଗନ୍ତାଘର ଥିବା ଓଡିଶାର ପ୍ରାଚୀନତା ମୂଲ୍ୟବୋଧ ସମ୍ପର୍କରେ ନିଜର ମତ ରଖିଥିଲେ । ଇଂରେଜ ଶାସନ ପ୍ରଭାବରେ ଅପଭ୍ରଂଶିତ ହୋଇ ବର୍ମାନ ଏହା ସ୍ଥାଣୁ ପାଲଟିଯାଇଥିବାରୁ ପୋଥି ରୂପରେ ଥିବା ଅତୀତର ଜ୍ଞାନକୁ ପ୍ରଚାର ଓ ପ୍ରସାର କରାଯିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ଶିକ୍ଷା ଓ ଗବେଷଣାରେ ଓଡିଆ ଭାଷା ଶୀର୍ଷକ ବିତର୍କରେ ସର୍ବଶ୍ରୀ ଡଃ ଦେବଦାସ ଛୋଟରାୟ, ବିବେକାନନ୍ଦ ଦାସ, ଧନଦା ମିଶ୍ର, ଅସିତ ମହାନ୍ତି, ଡଃ ବାସୁଦେବ ସାହୁ, ସୁଦର୍ଶନ ଦାସ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ବିଭିନ୍ନ ଦୃଷ୍ଟିକୋଣରୁ ଓଡିଆ ଭାଷାରେ ଗବେଷଣା ଓ ଶିକ୍ଷାର ଆବଶ୍ୟକତା ବିଷୟରେ
ମତ ରଖିଥିଲେ । ପ୍ରସ୍ତାବିତ ଓଡିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର ବ୍ରଜେନ୍ଦ୍ରପ୍ରସାଦ ଦାସ, ଡଃ ସୁବ୍ରତ ପୃଷ୍ଟି, କ୍ରାନ୍ତି କୁମାର ସାକ୍ସେନା, ଭରତ ଚନ୍ଦ୍ର ବେହେରା, ଅରୁଣ ସ୍ବାଇଁ, ଜ୍ଞାନେନ୍ଦ୍ର ତ୍ରିପାଠୀ ଓ ଲିପିନା ସାହୁ ପ୍ରମୁଖ ବିବିଧ କାର୍ଯ୍ୟ ପରିଚାଳନା କରିଥିଲେ । ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା କ୍ଷେତ୍ରରେ ରାଜ୍ୟ ସରକାର ଅନ୍ୟତମ ଭୂମିକା ତୁଲାଇଥିବା ପରିପ୍ରେକ୍ଷୀରେ ପ୍ରସ୍ତାବିତ ଓଡିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଉକ୍ତ ଗ୍ରନ୍ଥର ପ୍ରକାଶନ ସଂସ୍ଥା ଓରିଏ ବ୍ଲାକସ୍ବାନର ଅଧ୍ୟକ୍ଷ ଉଦୟ ରାଓ ସ୍ବାଗତ ଭାଷଣ ଦେଇଥିବାବେଳେ ବିଶିଷ୍ଟ ସାହିତି୍ୟକ ଶ୍ରୀଯୁକ୍ତ ହରପ୍ରସାଦ ଦାସ ଓ ଐତିହାସିକ ଡଃ ନିବେଦିତା ମହାନ୍ତି ପୁସ୍ତକ ସମୀକ୍ଷା କରିଥିଲେ । ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!