ଦ୍ରେନିକ ‘ଶ୍ରୁତି’ର ଚତୁର୍ଥ ସ୍ବନକ୍ଷେତ୍ର ଉତ୍ସବରେ ବକ୍ତାମାନଙ୍କ ମତ ଗଣମାଧ୍ୟମ ସମାଜକୁ ସତ୍‍ମାର୍ଗରେ ପରିଚାଳିତ କରୁ

srutimediaସମାଜ ଉପରେ ସମ୍ବାଦ ପତ୍ର ତଥା ଗଣମାଧ୍ୟମର ପ୍ରଭାବ ପ୍ରତ୍ୟେକ କ୍ଷେତ୍ରରେ ଉପଲବ୍ଧ କରି ହେଉଛି । ରାଜନୀତି ଠାରୁ ଆରମ୍ଭ
କରି ସାଧାରଣ ଜୀବନରେ ଗଣମାଧ୍ୟମର ପ୍ରଭାବ ପରିଲକ୍ଷିତ ହେଉଛି । ସମାଜକୁ ଗଣମାଧ୍ୟମ ଯେଉଁ ବାଟରେ କଢାଇ ନେବ, ସମାଜ ସେହି ମାର୍ଗରେ ପରିଚାଳିତ ହେବ । ଲୋକମାନଙ୍କ ଚିନ୍ତାଧାରାରେ ସକରାତ୍ମକ ପରିବର୍ତ୍ତନ ଆଣି ଆଦର୍ଶ ସମାଜ ଗଠନ କରିବା ଓ ବିକାଶ ମାର୍ଗରେ ଆଗକୁ ବଢିବା ପାଇଁ ସମାଜକୁ ଉଚିତ ଦିଗଦର୍ଶନ ଦେବା ସମ୍ବାଦପତ୍ରର କର୍ତ୍ତବ୍ୟ । ଏହି କର୍ତ୍ତବ୍ୟ ସଂପାଦନରେ ଗଣମାଧ୍ୟମଗୁଡିକ ବ୍ରତୀ ହେବା ଉଚିତ । ‘ଶ୍ରୁତି’ର ଚତୁର୍ଥ ସ୍ବନକ୍ଷତ୍ର ଉତ୍ସବର ସ୍ବର୍ଣ୍ଣିମ ସନ୍ଧ୍ୟାରେ ପ୍ରମୁଖ ବକ୍ତାମାନେ ଏଭଳି ମତପୋଷଣ କରିଛନ୍ତି ।

ସ୍ଥାନୀୟ ‘ଭାରତୀୟ ବିଦ୍ୟା ମନ୍ଦିର’ରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଥିବା ଏହି ଉତ୍ସବରେ ଯୋଗ ଦେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ ଏବେ ‘ୱେବ ଗଣମାଧ୍ୟମ’ ଯୋଗୁଁ ବୈଦୁ୍ୟତିକ ଓ ମୁଦ୍ରିତ ଗଣମାଧ୍ୟମ ଚାପରେ ଅଛନ୍ତି । କିନ୍ତୁ ସମ୍ବାଦ ପରିବେଷଣରେ ଅଭିନବ ଶୈଳୀ , ପାଠକମାନଙ୍କ ରୁଚି ଅନୁସାରେ ଖବର ପରିବେଷଣ, ଖବରକାଗଜର ପ୍ରାସଙ୍ଗିକତା ଓ ଆବଶ୍ୟକତା ବଜାୟ ରହିଛି । ଏହି ଉତ୍ସବରେ ରାଜ୍ୟ ପରିବାର କଲ୍ୟାଣ ଓ ସୂଚନା ତଥା ଲୋକସମ୍ପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ ଯୋଗ ଦେଇ କହିଥିଲେ ଯେ, ଖବର ପରିବେଷଣରେ ନିର୍ଭୀକତା , ସ୍ବଚ୍ଛତା ଓ ସ୍ପଷ୍ଟବାଦିତା ଗୋଟିଏ ଗଣମାଧ୍ୟମକୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥାଏ । ଦୀର୍ଘ ଚାରିବର୍ଷ ହେଲା ‘ଶ୍ରୁତି’ ଏହି ମାର୍ଗରେ ପରିଚାଳିତ ହୋଇ ସାମ୍ବାଦିକତା କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଘାତ ପ୍ରତିଘାତ ମଧ୍ୟରେ ସମାଜର ନଗ୍ନ ସତ୍ୟକୁ ନିଖୁଣ ତଥା ଗଠନମୂଳକ ଭାବେ ପରିବେଷଣ କରିବାରେ ‘ଶ୍ରୁତି’ର ଅନନ୍ୟ ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଥିଲେ ।

ଏହି ସନ୍ଧ୍ୟାରେ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିବା ବିଶିଷ୍ଟ ସାହିତି୍ୟକ ତଥା ପ୍ରାଧ୍ୟାପକ ଡ଼ଃ ଶାନ୍ତନୁ ଆଚାର୍ଯ୍ୟ କହିଥିଲେ ଯେ, ଗଣମାଧ୍ୟମ ସମାଜକୁ ଉଚିତ ମାର୍ଗରେ ଆନ୍ଦୋଳିତ କରିବା ଉଚିତ । ବିଶେଷ କରି ଓଡିଶା ଭଳି ଗୋଟିଏ ରାଜ୍ୟରେ ଲୋକମାନଙ୍କୁ ସେମାନଙ୍କ ସ୍ବାଭିମାନ ସହିତ ପରିଚୟ କରାଇବା ସମ୍ବାଦପତ୍ରର ଧର୍ମ । ଓଡିଶାବାସୀଙ୍କ ସଂସ୍କୃତି, ପରମ୍ପରା ଓ ଇତିହାସ ‘ପାଇକ ସଂସ୍କୃତି ସର୍ବସ୍ବ’ । ଓଡିଶାର ମାଟି ସବୁଠାରୁ ଉର୍ବର । କିନ୍ତୁ ସବୁଜ ବିପ୍ଲବ ସତ୍ତ୍ୱେ ଏଠାରେ କୃଷି ସଫଳ ନହେବା ପଛରେ କାରଣ ହେଉଛି ଓଡିଶାବାସୀଙ୍କ ଧମନୀରେ ବୀରତ୍ୱର ରକ୍ତ ପ୍ରବାହିତ ହେଉଛି । ସେମାନେ ପୂର୍ବରୁ ବାଲି, ଇଣ୍ଡୋନେସିଆ, ସୁମାତ୍ରା ପ୍ରଭୃତି ଦେଶକୁ ଯାଇ ବାଣିଜ୍ୟ କରୁଥିଲେ । ଅଥବା ବୀରତ୍ୱ ବଳରେ ବିଭିନ୍ନ ରାଜ୍ୟ ଜୟ କରି ଓଡିଶାକୁ ସମୃଦ୍ଧିଶାଳୀ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ହାତରେ ଲଙ୍ଗଳ ଧରାଇ ଦେବାରୁ ସେମାନେ ଏତେ ସଫଳ ହେଉ ନାହାଁନ୍ତି । ଓଡିଶାର ମାଟି ସ୍ବର୍ଣ୍ଣଫଳା । ଓଡିଶାର ଖଣି, ଖାଦାନର ସଦୁପଯୋଗ ହେବା ଉଚିତ । ଶିଳ୍ପ ମାଧ୍ୟମରେ ଖଣିଜ ପଦାର୍ଥକୁ ଏହି ଠାରେ ହିଁ ଧାତୁ ଓ ଧାତବ ପଦାର୍ଥରେ ପରିଣତ କରି ବିଦେଶକୁ ରପ୍ତାନୀ କରାଯାଉ । ଏଭଳି ଶିଳ୍ପାୟନ ପାଇଁ ଏକଦା ବିଜୁ ବାବୁ ସ୍ବପ୍ନ ଦେଖିଥିଲେ । ବିକାଶର ଏହି ସ୍ବପ୍ନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଖୁଛନ୍ତି । ସେମାନଙ୍କ ସ୍ବପ୍ନକୁ ଫଳପ୍ରସୂ କରିବା ପାଇଁ ଓଡିଶାବାସୀଙ୍କ ଚିନ୍ତା ଓ କାର୍ଯ୍ୟଧାରାରେ ପରିବର୍ତ୍ତନ ଆବଶ୍ୟକ । ଏହି ପରିବର୍ତ୍ତନ ପାଇଁ ସମ୍ବାଦପତ୍ର ତଥା ଗଣମାଧ୍ୟମ ଗୁଡିକ କାର୍ଯ୍ୟ କରିବା ଉଚିତ । ଜନମାନସକୁ ସେହି ମାର୍ଗରେ ବାଟ କଢାଇ ନେବା ସେମାନଙ୍କ କର୍ତ୍ତବ୍ୟ ହେବା ଉଚିତ । ଶିଳ୍ପର ଅଭିବୃଦ୍ଧି ଘଟିଲେ ଓଡିଶାର ବିକାଶ ଘଟିବ । ତେଣୁ ଓଡିଶା ପାଇଁ ଏକ ଶୃଙ୍ଖଳିତ ସମାଜ ଓ ବିକଶିତ ରାଜ୍ୟ ଗଠନ କରିବା କ୍ଷେତ୍ରରେ ଲୋକମାନଙ୍କୁ ସଚେତନ କରାଇବା ହେଉଛି ଗଣମାଧ୍ୟମର ମୁଖ୍ୟ କର୍ତ୍ତବ୍ୟ ।

ଏହି ସଭାରେ ସମ୍ମାନିୀତ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟ ପଞ୍ଚାୟତିରାଜ ଓ ବିଧି ମନ୍ତ୍ରୀ ଅରୁଣ କୁମାର ସାହୁ କହିଥିଲେ ବୈଦୁ୍ୟତିକ ଓ ମୁଦ୍ରିତ ଗଣମାଧ୍ୟମ ମଧ୍ୟରେ ଏକ ଶୀତଳ ଯୁଦ୍ଧ ସୃଷ୍ଟି ହୋଇଛି । ତଥାପି ପାଠକମାନଙ୍କ ରୁଚିକୁ ଧ୍ୟାନରେ ରଖି ଖବର କାଗଜ ଗୁଡିକ ଯେଭଳି ଖବର ପରିବେଷଣ କରୁଛନ୍ତି ତାହା ସମାଜ ଉପରେ କି ପ୍ରଭାବ ପକାଉଛି ତାହା ସମୀକ୍ଷା କରାଯାଉ । କେବଳ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ଖବର ପରିବେଷଣ କରାଗଲେ ତାହାର ନକରାତ୍ମକ ପ୍ରଭାବ ସମାଜ ଉପରେ ପଡେ । ବ୍ୟବସାୟିକ ହିତକୁ ଦୃଷ୍ଟିରେ ରଖି ଖବର କାଗଜ ଚାଲିଲେ ହୁଏତ ଖବରକାଗଜ ସଂସ୍ଥାକୁ ସାମୟିକ ଫାଇଦା ମିଳିପାରେ । କିନ୍ତୁ ଏହାଦ୍ୱାରା ସମାଜର ଅପୂରଣୀୟ କ୍ଷତି ହୁଏ ।

ମୂଲ୍ୟବୋଧ ଓ ନୈତିକତା ଠାରୁ ଗଣମାଧ୍ୟମ ଦୂରେଇ ଯାଏ । ଗଣମାଧ୍ୟମର ପ୍ରଭାବ ଏବେ ସମାଜ ଉପରେ ଏତେ ଅଧିକ ହୋଇଯାଇଛି ଯେ, ସମାଜ ନିକଟରେ ଏକ ଆଦର୍ଶ ଉପସ୍ଥାପନ କରୁଥିବା ରାଜନେତାମାନେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ମୁହଁ ଖୋଲିବାକୁ ଡରୁଛନ୍ତି । ‘ସନସନି ଖବର’ ପରିବେଷଣ କରିବା ପାଇଁ ଯେଭଳି ଉପାୟ ଅବଲମ୍ବନ କରାଯାଉଛି ତାହା ସ୍ଫୃହଣୀୟ ନୁହେଁ । ସମାଜର ସ୍ବାର୍ଥ, ହିତ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ଭୀକ ଭାବେ ନିରପେକ୍ଷ ଓ ସ୍ପଷ୍ଟ ଖବର ପରିବେଷଣ ହେବା ଆବଶ୍ୟକ । ଏହି ସଭାରେ ‘ଶ୍ରୁତି’ର ସଂପାଦକ ଶ୍ରୀଯୁକ୍ତ ସର୍ବେଶ୍ୱର ମିଶ୍ର ସଭା ଆରମ୍ଭରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ ବକ୍ତାଙ୍କ ଅଭିଭାଷଣ ପରେ ସେମାନଙ୍କ ମତାମତ ସହିତ ସେ ସହମତି ପ୍ରକାଶ କରି କହିଥିଲେ ଯେ, ନୈତିକ ଓ ସିଦ୍ଧାନ୍ତଭିତ୍ତିକ ଖବର ପରିବେଷଣ କରିବା ପାଇଁ ‘ଶ୍ରୁତି’ ପ୍ରତିଶ୍ରୁତିବଦ୍ଧ । ଯେତେ ଅସୁବିଧା ପଡିଲେ ମଧ୍ୟ ସାମ୍ବାଦିକତାର ସ୍ବଧର୍ମରୁ ‘ଶ୍ରୁତି’ର ବିଚୁ୍ୟତି ହେବ ନାହିଁ ବୋଲି ସେ ଆଶ୍ୱାସନା ଦେଇଥିଲେ ।

ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନୀତ କରାଯାଇଥିଲା । ସାମ୍ବାଦିକତା କ୍ଷେତ୍ରରେ ଶ୍ରେଷ୍ଠ ଉଦ୍ୟମ ଯୋଗୁଁ ‘ଶ୍ରୁତି’ର ସାମ୍ବାଦିକମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ‘ଶ୍ରୁତି’ର ନିର୍ବାହୀ ସଂପାଦକ କିଶୋର ଚନ୍ଦ୍ର ଗଡତିଆ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Share in top social networks!