ସଚିବାଳୟରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର; ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା “ଓୟୁଜେ”

oujଶାସନର ପ୍ରାଣକେନ୍ଦ୍ର ସଚିବାଳୟରେ ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ କର୍ବ୍ୟରତ ସାମ୍ବାଦିକଙ୍କୁ ମାଡ଼ ମାରିବା ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାକୁ ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ତୀବ୍ର ନିନ୍ଦା କରିଛି । ତୁରନ୍ତ ଏଥିରେ ହସ୍ତକ୍ଷେପ କରି ମୁଖ୍ୟମନ୍ତ୍ରୀ ସଂପୃକ୍ତ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ଓୟୁଜେ ପକ୍ଷରୁ ଦାବି କରାଯାଇଛି ।

ସୋମବାର ଓୟୁଜେ ଭବନରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ସଚିବାଳୟରେ ରାଜସ୍ବମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ତାଙ୍କ ପ୍ରକୋଷ୍ଠରେ ଯେଭଳି ଫୋକସ୍ ଟିଭିର ପ୍ରତିନିଧି ସ୍ମୃତିରଂଜନ ବେହେରାଙ୍କୁ ଧକ୍କାମାରିବା ସହ କ୍ୟାମେରା ଭାଙ୍ଗି ଦେବାର ଉଦ୍ୟମ କରିଥିଲେ ଓ ଏଥିସହ ଅନ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ସେନେଇ ଘୋର ଉଦ୍ବେଗ ପ୍ରକାଶ କରାଯାଇଥିଲା । ଓୟୁଜେ ସଭାପତି ଶଙ୍କର ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜାତୀୟ ସାମ୍ବାଦିକ ୟୁନିଅନ୍ (ଏନ୍ୟୁଜେ) ମହାସଚିବ ପ୍ରସନ୍ନ ମହାନ୍ତି, ପୂର୍ବତନ ସଭାପତି ନିମାଇଁ ଚରଣ ମହାନ୍ତି, ପ୍ରମୋଦ ସାମନ୍ତରାୟ, ଭାସ୍କର ଚନ୍ଦ୍ର ବେହେରା, ସୁଧାଂଶୁ ଶେଖର ପରିଡ଼ା, ସୁବ୍ରତ ନାୟକଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ସାମ୍ବାଦିକ ଯୋଗ ଦେଇ ଘଟଣାର ତୀବ୍ର ନିନ୍ଦା କରି ରାଜସ୍ବ ମନ୍ତ୍ରୀଙ୍କ ଏଭଳି ଅସୌଜନ୍ୟ ବ୍ୟବହାର ସାମ୍ବାଦିମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅସୂୟା ମନୋଭାବର ପରିଚୟ ବୋଲି ମତବ୍ୟକ୍ତ କରିଥିଲେ । ତୁରନ୍ତ ସଂପୃକ୍ତ ମନ୍ତ୍ରୀଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ପାଇଁ ବୈଠକରେ ଦାବି କରାଯାଇଥିଲା । ଏ ସଂକ୍ରାନ୍ତରେ ଓୟୁଜେର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବା ସହ ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ବିପନ୍ନ ହୋଇ ପଡ଼ିଥିବା ସଂପର୍କରେ ଅବଗତ କରାଇବାକୁ ନିଷ୍ପି ନିଆଯାଇଛି । ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ଓୟୁଜେ ଦୀର୍ଘଦିନ ଧରି କରି ଆସୁଥିବା ଦାବିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା ।

Share in top social networks!