ରାଜଧାନୀରେ ଗଛ ଲଗେଇବାର ଅଭିନବ ସଚେତନତା

bakulରାଜରାସ୍ତାରେ ଚାଲୁଥିଲା ସୁସଜ୍ଜିତ ଶଗଡ ଗାଡି । ତା ଉପରେ ବସଥିଲେ କିଛି ଯୁବ ସ୍ବେଚ୍ଛାସେବୀ । ତଳେ ଆଉ କଛି ସ୍ବେଚ୍ଛାସେବୀ ନାରା ଦଉଥିଲେ “ଗଛ ନବ ଗଛ” । ପଥଚାରୀଙ୍କୁ ଗଛ ଲଗେଇବା ପାଇଁ ପ୍ରବର୍ତେଇବା ସହ ସେମାନଙ୍କୁ ମାଗଣାରେ ଚାରା ମଧ୍ୟ ବାଂଟୁଥିଲେ ଏମାନେ । ଏପରି ଏକ ଅଭିଦବ ରୋଡ ଶୋ ଦେଖିବାକୁ ମିଳିଥିଲା ଆଜି ରାଜଧାନୀ ରାଜରାସ୍ତାରେ । ସ୍ଥାନୀୟ ବକୁଳ ଫାଉଣ୍ଡେସନର ଯୁବ ସ୍ବେଚ୍ଛାସେବୀମାନେ ଗଛ ଲଗେଇବାର ବର୍ତାକୁ ଏପରି ଅଭିନବ ଢ଼ଙ୍ଗରେ ନେଇଆସିଥିଲେ ରାଜଧାନୀ ବାସୀଙ୍କ ପାଖକୁ । ସତ୍ୟନଗର ସ୍ଥିତ ବକୁଳ ଶିଶୁ ପାଠାଗାର ପାଖରୁ ବାହାରି ଏହି ଶଗଡ ଗାଡି ମାଷ୍ଟର କ୍ୟାଂଟିନ୍ ଛକ ପରିକ୍ରମା କରିଥିଲା ।
ଆଜି ଏହି କାର୍ଯ୍ୟକ୍ରମରେ ବକୁଳ ତରଫରୁ ପ୍ରାୟ ୨୦ ଜଣ ସ୍ବେଚ୍ଛାସେବୀ ଯୋଗ ଦେଇଥିବା ବେଳେ କାଂଚନ, ଜାମୁଁ, ଅଁଳା, ତୁଳସୀ, ବ୍ରାହ୍ମୀ ଆଦି ବିଭନ୍ନ ପ୍ରକାରର ୫୦୦ରୁ ଅଧିକ ଚାରା ଲୋକଙ୍କ ମଧ୍ୟରେ ବଂଟା ଯାଇଥିଲା । ୯୨.୭ ବିଗ୍ ଏଫ୍ ଏମ୍ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାମ୍ରବନ ତରଫରୁ ଚାରା ସବୁ ଯୋଗାଇ ଦିଆଯାଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ ଆଜିର ଏହି କାର୍ଯ୍ୟକ୍ରମଟି ବକୁଳର “ମାଇ ଟ୍ରି କ୍ୟାମ୍ପେନ୍” ବା “ମୋ ଗଛ ଅଭିଯାନ”ର ଏକ ଛୋଟ ପ୍ରୟାସ । ଏହି ଅଭିଯାନରେ ଗଛ ସହିତ ମଣିଷ ଜୀବନକୁ ଯୋଡିବାକୁ ପ୍ରୟାସ ଆରମ୍ଭ କରାଯାଇଛି । ଯାହା ଫଳରେ ସର୍ବସାଧାରଣରେ ଗଛ ପାଇଁ ଅଙ୍ଗୀକାରବଦ୍ଧତା ସୃଷ୍ଟି ହବ । ଏହି ଅଭିଯାନରେ ବିଭିନ୍ନ ସମୟରେ ଆମେ ଦେଉଥିବା ଦାମୀ ଉପହାର ବଦଳରେ ଏକ ଗଛ ଚାରା ଟିଏ ଉପହାର ଦେବାର ଅଭ୍ୟାସକୁ ସମସ୍ତେ ଆଦରି ନେବାକୁ ସଚେତନତା ସୃଷ୍ଟି କରୁଛନ୍ତି ସ୍ବେଚ୍ଛାସେବୀମାନେ । ଅଦ୍ୟାବଧୀ ୮୦୦୦ରୁ ଅଧିକ ଚାରା ବଂଟନ ସରିଛି ବକୁଳ ଦ୍ୱାରା ଏବଂ ଅନେକ ପୁନର୍ବାର
ଆସୁଛନ୍ତି ଚାରା ନେଇ ବୃକ୍ଷରୋପଣ କରିବାକୁ ।
୨୦୦୯ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଇଂଟରନେଟର ଫେସ୍ବୁକ ଭଳି ସାଇଟରେ ଏକ ସ୍ବତନ୍ତ୍ର ପରିଚିତି ହାସଲ କରିଛି । ଏହା ଛଡା ରାଜଧାନୀର ବିଭିନ୍ନ ବିଦ୍ୟାଳୟ, କଲେଜ ତଥା ଆପାର୍ଟମେଂଟ ମାନଙ୍କରେ ପରିବେଶ ସମ୍ବନ୍ଧୀୟ ଭ୍ରାମ୍ୟମାନ ଚଳଚିତ୍ର ଉତ୍ସବ ଆୟୋଜନ କରାଯାଉଛି । “୨୦୧୪ ନଭେମ୍ବର ରୁ ଜୁନ୍ ୨୦୧୫ ମଧ୍ୟରେ ନୁ୍ୟୟର୍କରେ ଆୟୋଜିତ ମୁ୍ୟଜିୟମ ଅଫ ମର୍ଡନ ଆର୍ଟରେ ମଧ୍ୟ ଏହି ଅଭିଯାନକୁ ସ୍ବତନ୍ତ୍ର ସ୍ଥାନ ମିଳିଥିଲା । ଆମେ ଆମ ତରଫରୁ
ଆବେଦନ କରିନଥିଲେ ମଧ୍ୟ ଏହି ସମ୍ମାନଜନକ ସମାରୋହର ଆୟୋଜକ ତାଙ୍କ ତରଫରୁ ଏହାକୁ ଗ୍ରହଣ କରିଥିଲେ ।” ଏହା କହିଛନ୍ତି ବକୁଳ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ସୁଜିତ ମହାପାତ୍ର ।

Share in top social networks!