ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଅନ୍ତିମ ସଂଧ୍ୟାରେ ଓଡ଼ିଶୀର ନୂତନ ପରିବେଷଣ କୁବ୍‍ଜା

srijan2ସୃଜନ ଦ୍ୱାରା ଆୟୋଜିତ ୨୦ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଅନ୍ତିମ ସଂଧ୍ୟା । ୧୯୯୫ରୁ ଏହି ପୁରସ୍କାର ସଙ୍ଗୀତ, ନୃତ୍ୟ, ନାଟକ ଏବଂ ଚଳଚ୍ଚିତ୍ର କ୍ଷେତ୍ରରେ ଆଜୀବନ ସାଧନା କରି ଯେଉଁମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ସୃଜନ ସେହି ପ୍ରତିଭାମାନଙ୍କୁ ପ୍ରତିବର୍ଷ ସମ୍ମାନିତ କରିଆସୁଅଛି । ଗୁରୁ କେଳୁ ଚରଣ ମହାପାତ୍ରଙ୍କ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଓଡ଼ିଶୀ ନୃତ୍ୟର ଶୁଦ୍ଧତା ଓ ଶାସ୍ତ୍ରୀୟତାକୁ ନେଇ ଦୀର୍ଘ ଦୁଇ ଦଶନ୍ଧି ଧରି ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିଆସୁଅଛି ।

ଏ ବର୍ଷ ନୃତ୍ୟ ଓ ନାଟକ କ୍ଷେତ୍ରରେ ବର୍ଷୀୟାନ ଓଡ଼ିଶୀ ନୃତୁ୍ୟ ଗୁରୁ ସୁଧାକର ସାହୁ, ପ୍ରଖ୍ୟାତ ତବଲା ବାଦକ ପଣ୍ଡିତ୍‍ ଉମେଶ କର; ଓଡ଼ିଆ ସିନେମାରେ ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ ଏବଂ ଥେଟର ଜଗତରେ ବିଖ୍ୟାତ କଳାକାର ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀଙ୍କୁ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମ୍ମାନିତ କରିଥିଲେ ।

ସୃଜନର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟକୁ ଦୁଇଟି ପର୍ଯ୍ୟାୟରେ ପ୍ରସ୍ତୁତ କରିଥିଲେ । ପ୍ରଥମ ପର୍ଯ୍ୟୟରେ ଓଡ଼ିଶୀ ନୃତ୍ୟ ଆଧାରରେ ଶିଳ୍ପୀମାନେ ପ୍ରସ୍ତୁତ କରିଥିଲେ ସିନ୍ଥେସିସ୍‍ । ସିନ୍ଥେସିସ୍‍ର ଅର୍ଥ ହେଉଛି ସମ୍ମନ୍ୱୟ ବା ସମିଶ୍ରଣ । ଓଡ଼ିଶୀ ନୃତ୍ୟକୁ ମୁଳଭିତ୍ତି କରି ପ୍ରୟୋଗାତ୍ମକ ଢଙ୍ଗରେ ଏମାନେ ପରିବେଷଣ କରିଥିଲେ ରୂଗ୍‍ ବେଦର ଶ୍ରଦ୍ଧାଶୁକ୍ତ । ପରେ ପରେ ପ୍ରସ୍ତୁତ ହୋଇଥିଲା ନୃତ୍ୟାଭିନୟ କୁବ୍‍ଜା । ପୌରାଣିକ ଚରିତ୍ର କୁବ୍‍ଜା ମାଧ୍ୟମରେ ଲୀଳାମୟ କୃଷ୍ଣଙ୍କର ଅନବଦ୍ୟକୁ ବଖାଣିଥିଲେ ନୃତ୍ୟଶିଳ୍ପୀ । ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ୍‍ । ନୃତ୍ୟ ରଚନା କରିଥିଲେ ଶ୍ରୀ ନିତ୍ୟାନନ୍ଦ ମିଶ୍ର ଏବଂ ନୃତ୍ୟାଭିନୟକୁ ସଂଯୋଜନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର । ନିଖୁଣ ଏବଂ ଛନ୍ଦମୟ ସଂରଚନାରେ ସୁନ୍ଦର ଓ ଚମକ୍ରାର ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଭାବୋଦ୍ଦୀପକ ଥିଲା ଯାହାକୁ ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ ।

ଉତ୍ସବର ଅତିଥିମାନେ ଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ; ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ର; ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା; ଗୋପବନ୍ଧୁ ଏକାଡ଼େମୀର ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଆଶୋକ କୁମାର ତ୍ରିପାଠୀ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ ।

Share in top social networks!