ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଡଃ ଅଭିନ୍ନଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନ

homeopathyଡାଃ ଅଭିନ୍ନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଦେଶର ପ୍ରଥମ ସରକାରୀ ହୋମିଓପାଥିକ୍ ମେଡିକାଲ କଲେଜ । ରାଜ୍ୟ ସରକାରଙ୍କ ଦ୍ୱାରା ୧୯୬୯ ମସିହାରେ ପ୍ରତିଷ୍ଠିତ ଏହି ମେଡିକାଲ କଲେଜକୁ କେନ୍ଦ୍ର ଆୟୁଷ୍ ବିଭାଗ ଦେଶର ଅନ୍ୟତମ ମଡେଲ ହୋମିଓ ପାଥିକ ମେଡିକାଲ କଲେଜ ଭାବେ ଚିହ୍ନଟ କରିଛି । ରାଜ୍ୟର ଏହି ଭଳି ଏକ ମର୍ଯ୍ୟାଦା ଜନକ ଅନୁଷ୍ଠାନର ସାମଗ୍ରୀକ ବିକାଶ ତଥା ମର୍ଯ୍ୟାଦା ବଜାୟ ରଖିବା ଦିଗରେ ଯତ୍ନବାନ ହେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପରାମର୍ଶ ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ନାୟକ ଆଜି ଡଃ ଅଭିନ୍ନଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ କାଳରେ ଆୟୁଷ ୍ ନିର୍ଦ୍ଦେଶକ ବାସୁଦେବ ବାହିନୀପତି , କଲେଜର ଅଧ୍ୟକ୍ଷ ଡାଃ ଏସ୍.ଏନ୍.ମିଶ୍ରୋ ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ନାୟକ କଲେଜର ଫାର୍ମାସି ବିଭାଗ ଠାରୁ ଆରମ୍ଭ କରି ଲେକ୍ଚର ଥିଏଟର , ଚିକିତ୍ସା ବ୍ୟବସ୍ଥା ଆଦି ବୁଲି ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରିଥିଲେ । ବୁଲି ଦେଖି ସାରିବା ପରେ କଲେଜର ଅଧ୍ୟକ୍ଷ ଏବଂ ଅଧ୍ୟାପକ ତଥା କର୍ମଚାରୀ ମାନଙ୍କ ସହ କଲେଜର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରି ତୁରନ୍ତ ସେ ସବୁର ପ୍ରତିକାର ତଥା ସମାଧାନ କରିବାକୁ କହିଛନ୍ତି । କଲେଜରେ ପାଠ ପଢା ବ୍ୟବସ୍ଥାରେ ଉନ୍ନତି ଆଣିବା , ପାଠାଗାରରେ ଥିବା ପୁରାତନ ଅମୂଲ୍ୟ ବହି ଗୁଡିକର ସୁରକ୍ଷା ତଥା ବ୍ୟବହାର , ପ୍ରସ୍ତୁତ କରାଯାଉଥିବା ହୋମିଓ ପାଥିକ୍ ଔଷଧର ମାନ ବଜାୟ ରଖାଯିବା , ଏହି ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କ ଚିକିତ୍ସା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଆଦି ସଂପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ଆୟୁଷ୍ ନିର୍ଦ୍ଦେଶକ ନିୟମିତ ଭାବେ ଏହି ଅନୁଷ୍ଠାନ ପରିଦର୍ଶନ କରି ଏହାର ବିକାଶ ଦିଗରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।
କଲେଜର ଛାତ୍ରୀମାନେ ଛାତ୍ରୀ ନିବାସର ଅସୁବିଧା ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀ ଶ୍ରୀ ନାୟକ ଏ ନେଇ ହଷ୍ଟେଲ ଅଧିକ୍ଷକ ଏବଂ କଲେଜର ଅଧ୍ୟକ୍ଷଙ୍କୁ ତୁରନ୍ତ ସେହି ସମସ୍ୟାର ସମାଧାନ କରିବା ସହିତ ଛାତ୍ରୀ ନିବାସର ପରିମଳ ବ୍ୟବସ୍ଥାର ଉନ୍ନତି ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ବ୍ୟତିତ ଛାତ୍ରୀ ଛାତ୍ରୀ ମାନଙ୍କର ଷ୍ଟାଇପେଣ୍ଡ ଏବଂ ଅନ୍ୟାନ୍ୟ ସମସ୍ୟା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି ।

Share in top social networks!