କଥକର ଅପୁର୍ବ ଲୟକାରୀ ସହିତ ସୀତାର ବାଦନରେ ଦର୍ଶକ ମନ୍ତ୍ରମୁଗ୍ଧ

gkcm ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟା ଥିଲା ବିଶିଷ୍ଟ ନୃତ୍ୟ ଶିଳ୍ପୀ ପ୍ରଶାନ୍ତ ସାହାଙ୍କ ଦ୍ୱାରା କଥକ ନୃତ୍ୟ ଏବଂ ନିଳାଦ୍ରୀ କୁମାରଙ୍କ ଦ୍ୱାରା ସୀତାର ବାଦନ ।

ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ପ୍ରଶାନ୍ତ ସାହାଙ୍କ ପରିବେଷଣରୁ । ସେ ପ୍ରଥମେ ମିରାବାଇଙ୍କର ଭଜନ ମହାରୋ ପ୍ରଣାମ ପରିବେଷଣ କରିଥିଲେ ପରେ ପରେ ଶୁଦ୍ଧ ନୃତ୍ୟରେ ତିନ୍‍ ତାଲ ୧୬ ମାତ୍ରାରେ ଆକାର ଏବଂ ଗଜଲ ହମାରା ଦିଲ୍‍ ସବେରେ କେ ସୁନ୍‍ହାରା ଜାମ୍‍ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ । ଶେଷରେ ଯୁଗଳବନ୍ଦୀ ଦୃତ୍‍ ଲୟ ପରିବେଷଣ କରିଥିଲେ ତୋଡ଼ା, ଟୁକ୍‍ଡ଼ା, ପରନ୍‍ ଓ ତ୍ୟାହି ଇତ୍ୟାଦି । ତାଳ, ଲୟ ଓ ଛନ୍ଦରେ ଅପୁର୍ବ କଳା କୌଶଳ ସହିତ ପଦପାତ ହିଁ ଥିଲା ତାଙ୍କ ପ୍ରଦର୍ଶନର ଆକର୍ଷଣୀୟ ଅଧ୍ୟାୟ । ତାଙ୍କୁ ତବଲାରେ ସହଯୋଗ କରିଥିଲେ ଯବି ଜୟ ଏବଂ କଣ୍ଠ ସଙ୍ଗୀତ ଓ ହାରମୋନିୟମ୍‍ରେ ସହଯୋଗ କରିଥିଲେ ପ୍ରହର୍‍ ଭୋରା ।

ସଂଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ନିଳାଦ୍ରୀ କୁମାରଙ୍କ ସୀତାର ବାଦନ । ତାଙ୍କ ପ୍ରସ୍ତୁତିରେ ରହିଥିଲା ରାଗ-ଆନନ୍ଦିକଲ୍ୟାଣ, ତାଳ-ରୂପକ୍‍, ଦୃତ୍‍-ତିନ୍‍ ତାଲ, ମଧ୍ୟଲୟ-ଏକ୍‍ତାଲ, ଗତ୍‍-ଆଳାପ, ଜୋଡ଼୍‍, ଝାଲା, ଗତ୍‍ ଇତ୍ୟାଦି । ନିଖୁଣ ଓ ଅତି ଚମକ୍ରାର ଥିଲା ତାଙ୍କର ସୀତାର ବାଦନ ଯାହା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ତାଙ୍କୁ ତବଲାରେ ସହଯୋଗ କରିଥିଲେ ବିଶିଷ୍ଟ ତବଲା ବାଦକ ଗୁରୁ ସତ୍ୟଜୀତ୍‍ ତଲ୍‍ୱାଲ୍‍କର୍‍ ।

ଉତ୍ସବର ଅତିଥି ଥିଲେ ନାଲ୍‍କୋର ମାନବ ସମ୍ବଳ ବିକାଶ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶ୍ୟାମା ଚରଣ ପାଢୀ; ପ୍ରଖ୍ୟାତ ଭରତନାଟ୍ୟମ୍‍ ଗୁରୁ ବୈଭବ ଅରେକର ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ ।

Share in top social networks!