ଆମେ ଓଡ଼ିଆ…ଆମ ଓଡ଼ିଶା…!!!

1912333_583183921790812_8844427224668843306_nସେଦିନ ଦୁଇଜଣ ବିଦେଶୀ ବନ୍ଧୁ ଓ ତାଙ୍କ ପତ୍ନୀଙ୍କ ସହ ଡାନ୍‌ଫୋର୍ଥ୍‌ରେ ଥିବା ଏକ ପ୍ରସିଦ୍ଧ ଗ୍ରୀକ୍‌ ହୋଟେଲ୍‌ “ମେଜିନି”କୁ ଯାଇଥିଲୁ । ଆମକୁ ଗୋଟିଏ ଟେବୁଲ୍‌ ପାଇବା ପାଇଁ ୪୫ମିନିଟ୍‌ ଲାଗିଥିଲା । ଏହା ଭିତରେ ଆମ ଚାରିଜଣଙ୍କ ଭିତରେ ସାହିତ୍ୟ, କଳା, ଦର୍ଶନ, ବିଜ୍ଞାନ, ପ୍ରଭୃତିର ଆଲୋଚନା ଚାଲିଥିଲା । ସେ
ପାଶ୍ଚାତ୍ୟ ସଂସ୍କୃତି ବିଷୟରେ କହୁଥିଲେ ଆଉ ମୁଁ ଓଡ଼ିଶାର ସଂସ୍କୃତି ।

ଆମ ଆଲୋଚନାର ପ୍ରସଙ୍ଗ ମୁଁ ଏଠାରେ ଲେଖିବିନି, କିନ୍ତୁ ସେହି ଆଲୋଚନା ସମୟରେ ମୁଁ ଅନୁଧ୍ୟାନ କରିଥିବା ଗୋଟିଏ କଥା ଲେଖିବି । ଏମାନଙ୍କ ଇଂରାଜୀ ଭାଷା କହିବାର ଶୈଳୀ ଅତି ପରିମାର୍ଜ୍ଜିତ ଆଉ ବାଗ୍ମିତା ଅନନ୍ୟ। ଇଂରାଜୀ ଭାଷାର ତତ୍ତ୍ୱ ନିରୂପଣାର୍ଥ ଅନୁସନ୍ଧାନ ସହ ଏମାନେ ନିଜର କହିବା ଶୈଳୀକୁ ଅତ୍ୟନ୍ତ ଉଚ୍ଚକୋଟିର କରିପାରିଛନ୍ତି । କଥା କହିଲା ବେଳେ ଏମାନଙ୍କର ମୁଖଭଙ୍ଗୀ ଆଉ ଉଦାତ୍ତ, ଅନୁଦାତ୍ତ ଆଉ ସ୍ୱରିତ ଅତି ପ୍ରଶଂସନୀୟ । ନିଜ ଭାଷା ପ୍ରତି ଏହି ସମ୍ମାନ ଆଉ ଐକାନ୍ତିକ ପ୍ରଚେଷ୍ଟା ବଳରେ ଏମାନେ ଏହି ଭାଷାକୁ ବିଶ୍ୱପ୍ରସିଦ୍ଧ କରାଇ ପାରିଛନ୍ତି ।

ଆମେ ବୋଧହୁଏ ଆମ ଓଡ଼ିଆ ଭାଷାକୁ ଅତି ଅନ୍ତରଙ୍ଗ ଭାବି ଦେଉଅଛୁ; ଏଣୁ କିଏ ଯେ କଣ କହୁଛନ୍ତି ଆଉ ଲେଖୁଛନ୍ତି ତାର ଇୟତ୍ତା ନାହିଁ । ମାଡ଼ି ମକୁଚି ଆମ ମାତୃଭାଷାକୁ ଆମେ ଅତ୍ୟନ୍ତ ଦୟନୀୟ ସ୍ଥିତିକୁ ଆଣି ସାରିଲୁଣି । କେତେଜଣ ସାହିତ୍ୟ ଜଗତର ପୃଷ୍ଠପୋଷକ ଏହାର ଚିରସ୍ଥାୟୀତା ପ୍ରତି ସନ୍ଦିହାନ ହେଲେଣି ।
ଏପଟେ ଓଡ଼ିଆ ଭାଷାକୁ ପ୍ରାଚୀନ ଭାଷାର ମର୍ଯ୍ୟଦା ଦେବା ପାଇଁ ଗୋଟିଏ ଗୋଷ୍ଠୀ ଜାତୀୟ ସ୍ତରରେ ଅହରହ ସଂଗ୍ରାମ ଚଲାଇବା ବେଳେ, ଅଧିକାଂଶ ଓଡ଼ିଆ ଇଂରାଜୀ କହିବା ଆଉ ଲେଖିବାକୁ ଫେସନ୍‌ ବୋଲି ଭାବି ସାରିଲେଣି । ସବୁ ପ୍ରକାର ଭାଷା ଶିଖିବା ଗୋଟିଏ ଭଲ ଗୁଣ । ଏହା ଆନ୍ତର୍ଜାତୀୟ ସ୍ତରରେ ଆମକୁ
ଅନେକ ସୁଯୋଗ ଆଉ ଖ୍ୟାତି ଆଣିଦିଏ; ହେଲେ ନିଜ ମାତୃଭାଷାକୁ ଭୂଲିଯିବାଟା କଣ ସମୀଚିନ ହେବ କି ?

ଆମ ଓଡ଼ିଆ ଭାଷାର ଏକ ଗୌରବମୟ ପରମ୍ପରା ଆଉ ସମୃଦ୍ଧଶାଳୀ ଐତିହ୍ୟ ରହିଆସିଛି । ଅନେକ କାବ୍ୟ ଓ ଗ୍ରନ୍ଥାବଳୀରେ ସ୍ୱୟଂସମ୍ପୂର୍ଣ୍ଣ ଆମ ଭାଷା । ଏଣୁ ଏହି ଭାଷା ଉପରେ ଆହୁରି ଜ୍ଞାନବର୍ଦ୍ଧକ ଅନୁଧ୍ୟାନ କରି ଏହି ଭାଷାକୁ ସମସ୍ତେ ମର୍ଯ୍ୟଦା ଦେଇ ପାରିଲେ ଏହା ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟୀ ହୋଇପାରନ୍ତା ।

ଅତ୍ୟନ୍ତ ଗର୍ବ ଓ ଗୌରବର ସହ ମୁଁ ଓଡ଼ିଆଙ୍କ ସହ ଓଡ଼ିଆରେ କଥା ହୁଏ;
ଓଡ଼ିଆ ଭାଷାକୁ ଓଡ଼ିଆରେ ଲେଖେ ଆଉ ଜଣେ ଓଡ଼ିଶାବାସୀ ରୂପେ ନିଜକୁ ପରିଚିତ କରାଇଥାଏ ।

ଧନ୍ୟବାଦ..!!

ସାହିତ୍ୟ ସର୍ବଦା ସମୃଦ୍ଧିଶାଳୀ ରହୁ … ସାହିତ୍ୟର ଜୟଯାତ୍ରା ଜାରୀ ରହୁ…!!!

ଜୟ ଓଡ଼ିଆ…ଜୟ ଓଡ଼ିଶା…ଜୟ ଜଗନ୍ନାଥ…!!!

- ପ୍ରଭୂ

[ ଆମେ ଓଡ଼ିଆ...ଆମ ଓଡ଼ିଶା...!!! ପ୍ରବନ୍ଧର କିୟଦଂଶ ]

Share in top social networks!