‘ନିର୍ଭୟ’ର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ: ‘ଗଣମାଧ୍ୟମ ସତ୍ୟଖବର ଉପରେ ଗୁରୁତ୍ୱ ଦେଉ’

nirbhayଗଣମାଧ୍ୟମ ସତ୍ୟ ଖବର ଉପରେ ଗୁରୁତ୍ୱ ଦେଉ । ଯାହା ପରିବେଷଣ କରୁଛି ତାହା ସଠିକ୍‍ ଓ ତଥ୍ୟ ଭିତ୍ତିକ ହେଉ । ପ୍ରଚାର ପ୍ରସାର ଓ ବ୍ୟକ୍ତିଗତ
ସ୍ବାର୍ଥ ପାଇଁ ଏହାକୁ ଭୁଲ ବାଟରେ ବିନିଯୋଗ କରାନଯାଉ । ବାସ୍ତବିକତା ଭିତ୍ତିରେ ସାମ୍ବାଦିକତା ହେବା ଅବଶ୍ୟକ ଅର୍ଥାତ୍‍ ଗଣମାଧ୍ୟମ ବାସ୍ତବତାକୁ
ଉପଲବ୍ଧ କରୁ । ଦୈନିକ ‘ନିର୍ଭୟ’ର ପ୍ରଥମ ସ୍ବନକ୍ଷତ୍ର ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହା କହିଛନ୍ତି ବିଶିଷ୍ଟ ସାମ୍ବାଦିକ ତଥା ଭାଜପାର
ମୁଖପାତ୍ର ଏମ୍‍ଜେ ଆକବର ।
ହୋଟେଲ ମେ ଫେୟାରରେ ଆଜି ପାଳିତ ହୋଇଥିଲା ଦୈନିକ ‘ନିର୍ଭୟ’ର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ । ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ
ଓ ପ୍ରକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶିଷ୍ଟ ସାମ୍ବାଦିକ ଏମ୍‍ ଜେ ଆକବର ମୁଖ୍ୟବକ୍ତା ଓ ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ମାନିତ
ଅତିଥିଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଗଣମାଧ୍ୟମ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସଂପର୍କରେ
ଅବତାରଣ କରିଥିଲେ । ଗଣମାଧ୍ୟମ ୪ର୍ଥ ସ୍ତମ୍ଭ ହେବାକୁ ଚେଷ୍ଟା ନକରୁ । ବରଂ ଏହା ବିଗିଡି ଯାଇଥିବା ବ୍ୟବସ୍ଥାକୁ ସଜାଡିବାରେ ପ୍ରମୁଖ ଭୂମିକା ଗ୍ରହଣ
କରୁ । ଯେଉଁଠି ବିଚାରପତି ଗୋଟିଏ ଚାକିରି ଛାଡି ଆଉ ଏକ ଚାକିରି ଖୋଜୁଛନ୍ତି ସେତେବେଳେ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ହେବାକୁ ଉଦ୍ୟମ ନକରିବା
ଭଲ । ଅର୍ଥାତ୍‍ ସଠିକ୍‍ ଭୂମିକା ନିର୍ବାହ କଲେ ଆପେଆପେ ଏହାକୁ ସ୍ତମ୍ଭ ଭାବେ ଗଣନା କରାଯିବ । ଶାସକ ଓ କର୍ପୋରେଟ ଜଗତ ଖବର ଲୁଚାଇବାକୁ
ପ୍ରବଳ ଉଦ୍ୟମ କରୁଛନ୍ତି । ପାଠକ କିନ୍ତୁ ଚାହୁଁଛନ୍ତି ସଠିକ୍‍ ତଥ୍ୟ । ଏପରିସ୍ଥିତିରେ ଖବରକାଗଜର ଭୂମିକା ଗୁରୁତ୍ୱପୂର୍ଣ୍ଣ । “ନିର୍ଭୟ” ନିର୍ଭିକତାର ସହ ଏହି
ଭୂମିକା ନିର୍ବାହ କରିପାରିବ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ । ମାତ୍ର ବର୍ଷକରେ ନିର୍ଭୟ ତା’ର ନାଁକୁ ସାର୍ଥକ କରିଛି । ଆଗକୁ ଏହି ଧାରା
ଜାରି ରଖିବାର ସଂକଳ୍ପ ନେଉ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ଏହାସହ ଭାଷା କାଗଜକୁ ମାରିବା ପାଇଁ ଯେଉଁ ହୀନ ଚକ୍ରାନ୍ତ ଚାଲିଛି
ତାହା ବିରୁଦ୍ଧରେ ସଂଗ୍ରାମ ପାଇଁ ସେ ଆହ୍ୱାନ ଦେଇଥିଲେ ।
ଯେଉଁ ସମାଜ ତା ଜନପ୍ରତିନିଧିଙ୍କ କାର୍ଯ୍ୟକଳାପକୁ ଯେତେ ଆଲୋଚନା, ସମାଲୋଚନା ଓ ପର୍ଯ୍ୟାଲୋଚନା କରେ ସେ ସମାଜ ସେତେ ସମୃଦ୍ଧ ।
ଏହି ଦାୟିତ୍ୱ ଗଣମାଧ୍ୟମ ନେବା ଆବଶ୍ୟକ । ଏହି ଦାୟିତ୍ୱ ତୁଲାଇବାକୁ ‘ନିର୍ଭୟ’ ସକ୍ଷମ ହେବ ବୋଲି ବୋଲି ମୁଖ୍ୟ ଅତିଥି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କହିଥିଲେ । ଯେଉଁ ସଂସ୍କାର, ଉତ୍ତରଦାୟିତ୍ୱ ନେଇ ‘ନିର୍ଭୟ’ ଯାତ୍ରା କରୁଛି ସବୁ ଆହ୍ୱାନକୁ ଅତିକ୍ରମ କରି ଏହା ଲୋକଙ୍କ ଆଶାପୂରଣ କରିପାରିବ ।
ଲୋକଙ୍କ ବୌଦ୍ଧିକ ବିକାଶ ଦିଗରେ ମଧ୍ୟ ଗଣମାଧ୍ୟମର ବଡ ଭୂମିକା ରହିଥିବା ସେ କହିଥିଲେ । ଓଡ଼ିଶାରେ ଅନେକ ସମ୍ଭାବନା ରହିଛି । ଆମ ରାଜ୍ୟରୁ
ଯାଇ ବାହାରେ ଅନେକ ନିଜର ପ୍ରତିଭା ଦେଖାଇଛନ୍ତି । ହେଲେ ଆମେ ସେମାନଙ୍କୁ ସଠିକ୍‍ ମାର୍ଗରେ ଉପଯୋଗ କରିନପାରିବାରୁ ରାଜ୍ୟ ପଛରେ
ପଡିଯାଇଛି । ପରୋକ୍ଷରେ ସେ ଏଥିପାଇଁ ରାଜ୍ୟ ଶାସନ ବ୍ୟବସ୍ଥା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ।
ନବାଗତଙ୍କ ପାଇଁ ଗଣମାଧ୍ୟମରେ ଯେତିକି ଚ୍ୟାଲେଞ୍ଚ ରହିଛି ସୁଯୋଗ ମଧ୍ୟ ସେତିକି ରହିଛି । ଚ୍ୟାଲେଂଜକୁ ସମ୍ମୁଖୀନ ହେବା ସହ ସୁଯୋଗର
ସଦୁପଯୋଗ କରି ନିଷ୍ଠାର ସହ କାର୍ଯ୍ୟ କଲେ ଜଣେ ଆଗକୁ ବଢିପାରିବ । କୌଣସି ଖବର ପ୍ରକାଶନ ପୂର୍ବରୁ ତାହା କେତେ ସଠିକ୍‍ ଅନୁସନ୍ଧାନ କରିବା
ଆବଶ୍ୟକ । ଏଥିପାଇଁ ଘଟଣାସ୍ଥଳକୁ ଯିବାକୁ ପଡିବ । ଅଫିସରେ ବସି ଖବର ଲେଖିଦେଲେ ଚଳିବ ନାହିଁ । ଜଣେ ଭଲ ସାମ୍ବାଦିକ ହେବାକୁ ହେଲେ
ଆଗକୁ ଚିନ୍ତା କରିବାକୁ ପଡିବ । ‘ଗଣମାଧ୍ୟମରେ ନବାଗତଙ୍କ ସମ୍ମୁଖରେ ଆହ୍ୱାନ’ ଉପରେ ବକ୍ତବ୍ୟ ରଖି ଏହା କହିଥିଲେ ମୁଖ୍ୟ ବକ୍ତା ଏମ୍‍ଜେ
ଆକବର । ଉଦାହରଣ ଛଳରେ ସେ କହିଥିଲେ ଯେ ସଂପାଦକ ହୋଇ ମଧ୍ୟ ସେ କିପରି ଖବର ସଂଗ୍ରହ ପାଇଁ ଫିଲ୍ଡକୁ ଯାଉଥିଲେ । ସମୟ ଥିଲା
ଯେତେବେଳେ ଓଡ଼ିଶା ପାଇଁ ପଶ୍ଚିମବଙ୍ଗରୁ ଖବର ଲେଖାଯାଉଥିଲା । ଓଡ଼ିଆ ଲୋକଙ୍କ ମଧ୍ୟରେ ଏଥିପ୍ରତି ଆଗ୍ରହ ସୃଷ୍ଟି ହୋଇନଥିଲା । ଏବେ କିନ୍ତୁ ଏହି
ଧାରାରେ ଅଭୁତପୂର୍ବ ପରିବର୍ତ୍ତନ ଆସି ଓଡ଼ିଶା ବହୁ ଆଗକୁ ଉଠି ଯାଇଛି । ଏହି ଧାରାକୁ ବଢାଇବାକୁ ହେଲେ ପଛୁଆ ଚିନ୍ତାଛାଡି ଆଗକୁ ଚିନ୍ତା କରିବାକୁ
ପଡିବ ବୋଲି ସେ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଆକବର ‘ନିର୍ଭୟ’ କୁ ପ୍ରଶଂସା କରିଥିଲେ । ଇଂରାଜୀରେ ଏପରି ନାଁରେ କୌଣସି
ଖବରକାଗଜ ପ୍ରକାଶ ନପାଇବା ଆଶ୍ଚର୍ଯ୍ୟଜନକ ବୋଲି ସେ କହିଥିଲେ ।
ସଭାରେ ପୌରହିତ୍ୟ କରି ‘ନିର୍ଭୟ’ର ସଂପାଦକ ନବୀନ ଦାସ କହିଥିଲେ ଯେ ପରୀକ୍ଷାନିରୀକ୍ଷା, ସାହାସ ଓ ରିସ୍କ୍‍ ଗଣମାଧ୍ୟମ ପାଇଁ ତିନୋଟି
ଗୁରୁତ୍ୱପୂର୍ଣ୍ଣ ଦିଗ । ଏହାକୁ ପୁଞ୍ଜି କରି ‘ନିର୍ଭୟ’ ଗତି କରୁଛି । ପାଠକ ପାଠିକା, ଶୁଭେଚ୍ଛୁଙ୍କ ସ୍ନେହ, ଶ୍ରଦ୍ଧାକୁ ପାଥେୟ କରି ‘ନିର୍ଭୟ’ର ଯାତ୍ରା ଜାରି ରଖିବ
ବୋଲି ସେ କହିଥିଲେ । ସଭା ସଞ୍ଚାଳନ କରିଥିଲେ ‘ନିର୍ଭୟ’ର ବାର୍ତ୍ତା ସଂପାଦକ ସମ୍ବିତ ମହାପାତ୍ର । ଏହି ଅବସରରେ ଧର୍ମଗଡ ଗମ୍ଭାରୀଗୁଡାର ଶ୍ୟାମ
ସୁନ୍ଦର ଜାଲଙ୍କୁ ନିର୍ଭୟ ଗୌରବ, ଗୁରୁଦ୍ୱାର ସିଂହ ସଭା ଭୁବନେଶ୍ୱରକୁ ଓଡ଼ିଶା ଲୋକ ଗୌରବ ଓ ଟାଟା ଷ୍ଟିଲକୁ ଓଡ଼ିଶା ଶିଳ୍ପ ଗୌରବ ସମ୍ମାନ ପ୍ରଦାନ
କରାଯାଇଥିଲା । ସେହିପରି ଶ୍ରେଷ୍ଠ ରାଜନୈତିକ ରିପୋର୍ଟ ପାଇଁ ବାରିପଦାର ଖବରଦାତା କଲ୍ୟାଣ ସିହ୍ନା, ଅନୁସନ୍ଧାନମୂଳକ ରିପୋର୍ଟ ପାଇଁ କଳିଙ୍ଗନଗର
ଖବରଦାତା ପ୍ରଦୀପ ଚାନ୍ଦ ଓ ସାମାଜିକ ରିପୋର୍ଟ ପାଇଁ ଧର୍ମଗଡ ଖବରଦାତା ଚନ୍ଦ୍ରଧ୍ୱଜ ଲହଜଲଙ୍କୁ ସମ୍ମାନିତ କରାଯାଇଥିଲା ।
‘ନିର୍ଭୟ’ର ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବରେ ରାଜନେତା, ମିଡିଆ, ସାହିତ୍ୟ, ଖେଳ, ସଂସ୍କୃତି ଏବଂ ବ୍ୟବସାୟ ଜଗତରୁ ବହୁ ନାମୀ ବ୍ୟକ୍ତିତ୍ୱ ଯୋଗଦେବା
ଏକ ନିଆରା ପରିବେଶ ସୃଷ୍ଟି କରିଥିଲା । ପ୍ରତିକୂଳ ପାଗ ସତ୍ତ୍ୱେ ‘ନିର୍ଭୟ’କୁ ଶୁଭେଚ୍ଛା ଜଣାଇବା ତଥା ବିଶିଷ୍ଟ ଅତିଥି ମାନଙ୍କୁ ଶୁଣିବାକୁ ବେଶ ଭିଡ
ଜମିଥିଲା । ବର୍ଷ ପୂର୍ତ୍ତି ଉତ୍ସବର ଉଦ୍‍ଘାଟନ କଲମରେ ଅଟୋଗ୍ରାଫ କରାଯିବା ସହ ସଭା ଆରମ୍ଭ ହେବାକୁ ତାରିଫ କରିଥିଲେ ସମସ୍ତେ ।

Share in top social networks!