ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ଶିକ୍ଷା ଭିତ୍ତିଭୂମିକୁ ବ୍ୟାପକ କରାଯାଉଛି-ମୁଖ୍ୟମନ୍ତ୍ରୀ

MAP-2
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଲୋକମାନେ ଆମ ଜନ ସଂଖ୍ୟାର ୪୦ପ୍ରତିଶତରୁ ଅଧିକ । ସେମାନଙ୍କ ବିକାଶ ପାଇଁ ଶିକ୍ଷା ହେଉଛି ଏକମାତ୍ର ରାସ୍ତା । ଏଥିପାଇଁ ବ୍ୟାପକ ଶିକ୍ଷା ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ଵ ଦେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗୁରୁ ଦିବସ ଅବସରରେ ସ୍ଥାନୀୟ ଆଦିବାସୀ ପଡିଆଠାରେ ଅନୁସୂଚିତ ଜନଜାତି ଓ ଜାତି ବିଭାଗ ଦ୍ଵାରା ମାଟ୍ରିକ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢା ସୁବିଧା ପାଇଁ ସରକାର ୪୭୦୦ରୁ ଅଧିକ ହଷ୍ଟେଲ ନିର୍ମାଣ ସଂପୂର୍ଣ୍ଣ କରିଛନ୍ତି । ଆହୁରି ୧୬୦୦ ହଷ୍ଟେଲ ନିର୍ମାଣଧୀନ ରହିଛି । ୧୦ଟି କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଶିକ୍ଷକ ପ୍ରଶିକ୍ଷଣ ପାଇଁ କନ୍ଧମାଳରେ ଏକ ବି.ଇଡି କଲେଜ ଖୋଲାଯାଇଛି । ଆହୁରି ୫ଟି ବି.ଇଡି କଲେଜ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୨୨ଟି ହାଇସ୍କୁଲକୁ ଯୁକ୍ତ ୨ ବିଜ୍ଞାନ କଲେଜରେ ପରିଣତ କରାଯାଇଛି ଆହୁରି ୨୮ଟି ହାଇସ୍କୁଲକୁ ଉନ୍ନୀତ କରାଯାଇ ହାଇଅର ସେକେଣ୍ଡାରୀ ସ୍କୁଲରେ ପରିଣତ କରାଯିବ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ st-sc ଛାତ୍ରଛାତ୍ରୀ ମାନଙ୍କ ବ୍ୟକ୍ତିତ୍ଵର ବିକାଶ ପାଇଁ କ୍ୟାରିଅର କାଉନସେଲିଂ ଡେସ୍କ ପ୍ରତିଷ୍ଠା କରାଯାଇଛି । ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ଏହି ସ୍କୁଲର ଶିକ୍ଷକ ମାନେ ମିଶନ ମୋଡରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଜାତି ବିଭାଗ ମନ୍ତ୍ରୀ ଶ୍ରୀ ଲାଲ ବିହାରୀ ହିମିରୀକା,କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ଶ୍ରୀ ସୁଦାମ ମାରଣ୍ଡୀ ଓ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିଣୀ ଛୁରୀଆ ପ୍ରମୁଖ ଉଦବୋଧନ ଦେଇଥିଲେ । ବିଭାଗୀୟ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ସ୍ଵାଗତ ଭାଷଣ ଦେଇଥିଲେ । ମାଟ୍ରିକ ପରୀକ୍ଷାର କୃତୀ ୧୦୫ଜଣ ଛାତ୍ରଛାତ୍ରୀ ଓ ଉତ୍ତମ ପ୍ରଦର୍ଶନ କରିଥିବା ୫୧ଟି ସ୍କୁଲକୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Share in top social networks!