ଭୁବନେଶ୍ଵର –ବୋଧଗୟା-ବାରଣାସୀ ମଧ୍ୟରେ ବିମାନ ଚଳାଚଳ ପାଇଁ ସଂସ୍କୃତି ମନ୍ତ୍ରୀ କେନ୍ଦ୍ର ନିକଟରେ ଦାବି ଜଣାଇଲେ

unnamed
ରାଜ୍ୟର ବୌଦ୍ଧ କୀର୍ତ୍ତିରାଜିର ସମ୍ଭାର ବହନ କରୁଥିବା ରତ୍ନଗିରି,ଉଦୟଗିରୀ,ଲଳିତଗିରି ଓ ଲାଙ୍ଗୁଡିକୁ ନେଇ ହୀରକ ତ୍ରିଭୁଜ ଆଖ୍ୟା ଦିଆଯାଇଛି । ନାଳନ୍ଦା ଓ ବୋଧଗୟା ପରି ବୌଦ୍ଧ ଚୈତ୍ୟ,ସ୍ତୂପ ଓ ବୌଦ୍ଧ ଧର୍ମର ସଂକେତ ବହନକରୁଥିବା ବିଭିନ୍ନ ଅଂଶବିଶେଷକୁ ମିଶାଇ ୨୦୦ଟି ବୌଦ୍ଧ ପୀଠ ରହିଛି । ସେଥିପାଇଁ ସବୁସମୟରେ ଏହା ବୌଦ୍ଧ ସନ୍ୟାସୀ,ଗବେଷକ ତଥା ପର୍ଯ୍ୟଟକଙ୍କୁ ଆକ୍ରୁଷ୍ଟ କରିବା ପାଇଁ ୨୦୧୨ମସିହାରେ ଓଡିଶା ପର୍ଯ୍ୟଟନ ବିଭାଗ ଭାରତୀୟ ରେଳର ସହଯୋଗରେ ବାରଣାସୀ ଓ ବୋଧଗୟା ମଧ୍ୟରେ ମହାପରିନିର୍ବାଣ ଏକ୍ସପ୍ରେସ୍ ର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସରକାର ଆଉ ଦିପାଦ ଆଗକୁଯାଇ ଭୁବନେଶ୍ଵର –ବୋଧଗୟା-ବାରଣାସୀ ମଧ୍ୟରେ ବିମାନ ଚଳାଚଳ ପାଇଁ କେନ୍ଦ୍ର ନିକଟରେ ଦାବି ଜଣାଇଛନ୍ତି । ଆଜି ନୂଆଦିଲ୍ଲୀ ଠାରେ ଭାରତୀୟ ଟୁର୍ ଅପରେଟର ମହାସଂଘ ସମ୍ମିଳନୀରେ ଯୋଗଦେଇ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଦାବି ଉପସ୍ଥାପନ କରିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡିଶା ଭାରତର ଭୂସ୍ଵର୍ଗ । ଜୈନ,ବୌଦ୍ଧ,ଶୈବ ଓ ବୈଷ୍ଣବ ଧର୍ମର ସମନ୍ଵୟ ପୀଠ ଓଡିଶାରେ ପ୍ରାକୃତିକ ସମ୍ପଦ ସହ ଏହି ସବୁ ସାଂସ୍କୃତିର ସ୍ମାରକୀ ଦେଖିବାକୁ ମିଳେ । ସେଥିପାଇଁ ପ୍ରତିବର୍ଷ ଭାରତ ତଥା ବିଦେଶରୁ ପର୍ଯ୍ୟଟକଙ୍କ ଆଗମନ ଲାଗିରହିଥାଏ । ଘରୋଇ ବା ଦେଶୀୟ ପର୍ଯ୍ୟଟକଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଆଗରେ ଥିବାବେଳେ ଆନ୍ଧ୍ରପ୍ରଦେଶ ଦ୍ଵିତୀୟରେ ରହିଛି । ସେହିପରି ବ୍ରିଟିଶ ପର୍ଯ୍ୟଟକ ସର୍ବାଧିକ ସଂଖ୍ୟାରେ ଆସିଥିବାବେଳେ ଆମେରିକାରୁ ମଧ୍ୟ ପର୍ଯ୍ୟଟକ ଆସୁଛନ୍ତି । ଓଡିଶାର ହୋଟେଲ ସମ୍ପର୍କରେ ସୁଚାନା ଦେଇ ଶ୍ରୀ ପଣ୍ଡା କହିଥିଲେ ଯେ ଗତ ଆର୍ଥିକ ବର୍ଷ ସୁଦ୍ଧା ଓଡିଶାରେ ୧,୫୮୫ଟି ହୋଟେଲ ରହିଛି । ବାହାର ରାଜ୍ୟର ପର୍ଯ୍ୟଟକ ଓ ଟୁର୍ ଅପରେଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୮ଟି ରୋଡ୍ ସୋ’ର ଆୟୋଜନ କରାଯାଉଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ସମସ୍ତ ପ୍ରମୁଖ ଟୁର୍ ଅପରେଟରମାନଙ୍କୁ ଓଡିଶାର ପର୍ଯ୍ୟଟନ ସ୍ଥାଳିଗୁଡ଼ିକର ପ୍ରଚାର ଓ ପ୍ରସାର ନିମନ୍ତେ ଅନୁରୋଧ କରିଛନ୍ତି । ଏହି ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ଶ୍ରୀ ଲାଲକୃଷ୍ଣ ଆଡଭାନୀ , ଭାରତୀୟ ଟୁର୍ ଅପରେଟର ସଂଘ ର ଅଧ୍ୟକ୍ଷ ରାଜୀବ କୋହଲି ,ପର୍ଯ୍ୟଟନ ସଚିବ ଡଃ ଅରବିନ୍ଦ ପାଢି ଓ ଭାରତର ପ୍ରମୁଖ ଟୁର୍ ଅପରେଟରମାନେ ଅଂଶଗ୍ରହଣ କରିଥିଲେ ।

Share in top social networks!