ରାଜ୍ୟରେ ୫୫୦୦ ବିଦ୍ୟଳୟରେ ୧୦ଲକ୍ଷ ରେଡକ୍ରସ ସ୍ଵେଚ୍ଛାସେବୀ କାର୍ଯ୍ୟରତ

53117
ଆଜି ରେଡକ୍ରସ ଭବନଠାରେ ଭାରତ ରେଡକ୍ରସ ସମାଜର ଓଡିଶା ରାଜ୍ୟ ଶାଖା ଜୁନିଅର ରେଡକ୍ରସର କାର୍ଯ୍ୟକାରୀ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ର ବୈଠକରେ ପୌରହିତ୍ୟ କରି କହିଲେ ଯେ ଉତ୍ସର୍ଗକୃତ ସେବା ମନୋଭାବ ନେଇ ରେଡକ୍ରସ ବାହିନୀ ପ୍ରତି ବିଦ୍ୟାଳୟରେ କାର୍ଯ୍ୟକରୁଛି । ଡେଙ୍ଗୁଜ୍ଵର,ଟିବି ସଂକ୍ରମଣ ନହେବା ଓ ସ୍ୱାସ୍ଥ୍ୟକର ପରିବେଶ ପାଇଁ ଜନସଚେତନା ସୃଷ୍ଟି କରିବାରେ ରେଡକ୍ରସ ବାହିନୀର ଉଦ୍ୟମ ପ୍ରଶଂସନୀୟ । ସ୍ଵତନ୍ତ୍ର କମିଟି ଗଠନ କରି ଖାଲିଥିବା ଜୁନିଅର ରେଡକ୍ରସ ପଦବିଗୁଡିକୁ ପୂରଣ ପାଇଁ ପଦକ୍ଷେପ ନେବା ସହ ନବକଳେବର ବର୍ଷରେ ସବୁ ସ୍କୁଲ ଚାରିପଟେ ବାଡ ତିଆରି କରିବା,କିଚେନ ଗାର୍ଡେନ ଓ ବୃକ୍ଷ ରୋପଣ ଉପରେ ଗୁରୁତ୍ଵ ଦେବାକୁ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ । ପ୍ରାରମ୍ଭରେ ରେଡକ୍ରସ ଆନ୍ଦୋଳନର ପ୍ରତିଷ୍ଠାତା ସାର ଜିନ୍ ହେନେରୀ ଦୁନାନ୍ତଙ୍କ ଫଟୋରେ ମନ୍ତ୍ରୀ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ବିଦ୍ୟାଳୟ ବିଭାଗର ଶାସନ ସଚିବ ଉଷା ପାଢୀ,ରେଡକ୍ରସ ସୋସାଇଟିର ସମ୍ପାଦକ ଡାକ୍ତର ଚକ୍ରଧର ପଣ୍ଡା ବକ୍ତବ୍ୟ ପ୍ରଦାନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ୫୫୦୦ବିଦ୍ୟାଳୟରେ ପ୍ରାୟ ୧୦ଲକ୍ଷ ସ୍ଵେଚ୍ଛାସେବୀ ରାଜ୍ୟ ରେଡକ୍ରସ ବାହିନୀରେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସନାତନ ମଲ୍ଲିକ,ବୋର୍ଡ ଅଫ୍ ସେକଣ୍ଡାରୀ ଏଜୁକେସନର ସଭାପତି ଶ୍ରୀ ଦକ୍ଷପ୍ରସାଦ ନନ୍ଦ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ବୈଠକରେ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମହନ୍ତ ଯୁଗ୍ମ ସମ୍ପାଦକ ଓଡିଶା ରେଡକ୍ରସ ସୋସାଇଟି ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!