ଉଡ୍ଡୟନ…!!!

10649453_580950015347536_1832167321164084098_n୧୪ ଜୁଲାଇରେ ଅଣ୍ଡଦଳର ବାହାରକୁ ଆସିଥିଲେ, ସୁନ୍ଦରୀ ଆଉ ମୋଟୁର ପୁତ୍ରଟିଏ ଆଉ କନ୍ୟାଟିଏ। ମୁଁ ବିଶ୍ୱକପ୍‌ ଫୁଟ୍‌ବଲ୍‌ର ନିର୍ଣ୍ଣାୟକ ଖେଳ ଦିନ ସେମାନଙ୍କର ଜନ୍ମ ହୋଇଥିବାରୁ, ସେ ଦୁହିଙ୍କ ନାମ ରଖିଥିଲି ଫି ଆଉ ଫା। ଏ ଦୁହିଁଙ୍କୁ ମୋ ଆଗରେ ମୁଦି ହୋଇ ରହିଥିବା ଆଖି ସହ ଚୁପ୍‌ଚାପ୍‌ ବସିବା ଦିନଠାରୁ ଆଖି ଫୁଟିଲା ପରେ କିଚିରି ମିଚିରି ହେବା ମଧ୍ୟ ଦେଖିଛି। ଆଉ ଦେଖିଛି ମୋଟୁର ପିତୃତ୍ୱର ଗୁରୁଦାୟିତ୍ୱ ସମ୍ପର୍ଣ୍ଣ କରିବା ଆଉ ମମତାମୟୀ ସୁନ୍ଦରୀର ଲାଳନ ପାଳନ।

ଅନେକ କିଛି ପଢ଼ିଥିଲି ଏଇ ପକ୍ଷୀ ମାନଙ୍କ ବିଷୟରେ ଜଣେ ସମ୍ମାନିତ ପ୍ରାଣୀ ବିଜ୍ଞାନୀ ଛାତ୍ର ହିସାବରେ। ଆଉ କିଛି ବୁଝିଥିଲି ଛାତ୍ର ସ୍ନାତକ ଛାତ୍ରଛାତ୍ରୀଙ୍କୁ ପଢ଼ାବା ସମୟରେ । ହେଲେ ଏବେ ଯାହା ଏଇ କିଛି ଦିନ ଭିତରେ ଦେଖି ଆସିଛି ତାହା ଅଦ୍ଭୁତପୂର୍ବ। ଏଣୁ ପରା କଥା ଅଛି,

ଯାହା ନ ଦେଖିବ ବେନି ନୟନେ,
ପରତେ ନ ଯିବ ଗୁରୁ ବଚନେ।।

ଏଇ ଗଲା ପଅରଦିନ ଲେଖାଲେଖି ସାରି ଅଣ୍ଟାଟା ସଳଖିବାକୁ ବାହାରକୁ ଆସିଲି। ମୋର ଘର ବାହାରୁ ଭାଙ୍କୁଭରକୁ ଘେରି ରହିଥିବା ପର୍ବତମାଳା ଅତି ସୁନ୍ଦର ଦିଶନ୍ତି। ବାସ୍‌ ଆଖି ଆଉ ମନଟାକୁ ଟିକେ ତାଜା କରିବାକୁ ମୋର ଏଇଟା ଗୋଟିଏ ମଉକା। ଧୂଆଁ ଆଉ ରଙ୍ଗପାଣି ପିଇ ବିଜାରିଆ ମନଟାକୁ ପୁଣି ଖାପଚକୁ ଆଣିବା କଳା ଜଣା ନାହିଁ। ଏଣୁ ଏଇ ପ୍ରକୃତିର ବୈଚିତ୍ର୍ୟ ହିଁ ମୋ ପାଇଁ କାହିଁରୁ କେତେ । ଅସରନ୍ତି ଆଉ ଅନନ୍ତ ଏଇ ପ୍ରକୃତି। ହେଲେ ବେଳକୁ ବେଳ ଏହାର ବିନଷ୍ଟ କରି ଚାଲିଛନ୍ତି ଆମ ଜାତିର ମନୁଷ୍ୟ ମାନେ। କାରଣ ଅନେକ ଦେବେ ସେମାନେ; ହେଲେ ନଷ୍ଟ ହେଉଛି ଏଇ ପ୍ରକୃତି ନା…!!!

ହଠାତ୍‌ ଦେଖିଲି ଫି ନିଷ୍କାସ ଧାରରେ ଚାଲୁଥିଲା ବେଳେ ମୋର ଏଇ ଅଚାନକ ବାହାରକୁ ଆସିବା ଦେଖି ତା ଗୋଡ଼ ଖସିଗଲା। ହା…ରେ..କହି ଝପଟି ଦେଖିଲି ତଳକୁ। ମନରେ ଅନେକ ଅଶୁଭ ଚିନ୍ତା। ହେଲେ ବି ଗୁଣକୁ ସୁମରିଲି। କଣ ଦେଖିଲି ତାପରେ! ଫି ଉଡ଼ୁଛି। ହେ ପ୍ରଭୁ, ଆଜି ଯାଏଁ ତାକୁ ଚାଲିବାର ଆଉ ମା-ବାପା ପାଟିରୁ ଖାଇବାର ଦେଖିଥିଲି। ହଠାତ୍‌ ତାର ଏଇ ଉଡ଼ିବାର ଦେଖି ମୋର ଖୁସି କହିଲେ ନସରେ । ଘର ଭିତରକୁ ଧାଇଁ ଯାଇଁ ଛବି ଉତ୍ତୋଳକ ଯନ୍ତ୍ରଟି ଆଣି ଛବିଟିଏ ଉଠାଇଲି।

ଏଡ଼େ ସୁନ୍ଦର ଦିଶୁଥାଏ ସେ। ପ୍ରଥମ ଥର ଉଡ଼ୁଥିଲା, ଏଣୁ ତା ଖୁସି ବି କହିଲେ ନସରେ। ଏପଟ ଘରକୁ ଆଉ ସେପଟ ପଡ଼ୋଶୀ ଘରର ଛାତ ଉପରକୁ ଉଡ଼ୁଥାଏ ସେ। ସେ ତାର ଡେଣା ଯେତେବେଳେ ଖୋଲା ରଖିଥିଲା ସେତେବେଳେ ସେ ଡାଳି କାମ କରା କେଉଁ ଚିତ୍ରଟିଏ ଭଳି ଦିଶୁଥାଏ।

ଈଶ୍ୱରଙ୍କ ସୃଷ୍ଟିର ଆଉ ଏକ ବୈଚିତ୍ର୍ୟ ଏଇ ପକ୍ଷୀମାନେ। ଅଳଙ୍କାର ପ୍ରାୟେକ ଶୋଭା ଦିଶୁଥିବାରୁ ଇଂରାଜୀରେ ପକ୍ଷୀ ବିଜ୍ଞାନକୁ “ଅର୍‌ନିଥୋଲୋଜି” ବୋଲି କୁହାଯାଏ । ଏମାନଙ୍କ ପର ସବୁ ତଳ ଉପର ହୋଇ ଏତେ ସୁନ୍ଦର ଦିଶେ । ବର୍ଣ୍ଣରେ କଳା ଅବା ମାଟିଆ ହେଉ; ଆକାରରେ କ୍ଷୁଦ୍ର ଅବା ବୃହତ୍‌ ହେଉ ସଭିଏଁ ସୁନ୍ଦର ଏଇ ପ୍ରଜାତିର। କେବଳ ଦେଖିବାରେ ନୁହଁ ଏମାନଙ୍କର ଗୁଣାବଳୀ ସବୁ ଆହୁରି ସୁନ୍ଦର ପ୍ରେରଣାଦାୟୀ। କେତେବେଳେ ଲେଖି ବସିବି କେତେ ବିଚିତ୍ର କଥା ଏଇ ମାନଙ୍କର।

ଜ୍ଞାତାର୍ଥ :
୧. ଉଡ୍ଡୟନ – ଶୂନ୍ୟବିହାର, ଉଡ଼ିବା

[ ମୋଟୁ(ଗୁଟୁରୁଗୁଁ) ଆଉ ସୁନ୍ଦରୀର କନ୍ୟା “ଫା”; ଜନ୍ମର ୩୭ଦିନ ପରେ ସମ୍ପୂର୍ଣ୍ଣ ରୂପେ ଉଡ଼ିବାର ଚିତ୍ର]

[ପାଠକମାନଙ୍କ ଅବଗତି ନିମନ୍ତେ ଶବ୍ଦାର୍ଥ ଗୁଡ଼ିକ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରୁ ସଂଗ୍ରହ କରି ଦିଆଯାଇଅଛି ]

Share in top social networks!
Powered By Indic IME