କେନ୍ଦ୍ର ବୟନ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା,ବୁଣାକାର ଓ କାରିଗରମାନଙ୍କ ନିକଟରେ ପହଞ୍ଚିବାକୁ ଅଧିକାରୀଙ୍କୁ ପରାମର୍ଶ

odisha-map23ରାଜ୍ୟରେ ଥିବା ପ୍ରାଥମିକ ବୁଣାକାର ସମବାୟ ସମିତି ଗୁଡିକ ଜରିଆରେ ବୁଣାକାର ମାନଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କର ସମସ୍ୟାର ସମାଧାନ କରିବା ସହ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧିର ତ୍ୱରାନ୍ୱିତ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ କେନ୍ଦ୍ର ବୟନ ସଚିବ ଡାଃ ସଞ୍ଜୟ କୁମାର ପଣ୍ଡା ପରାମର୍ଶ ଦେଇଛନ୍ତି । ଏକ ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ଡାଃ ପଣ୍ଡା ଆଜି ପୂର୍ବାହ୍ନରେ ରାଜ୍ୟ ବୟନ ଶିଳ୍ପ ନିର୍ଦ୍ଦେଶାଳୟଠାରେ ବୟନ,ହସ୍ତତନ୍ତ ଏବଂ ସେରିକଲଚର କ୍ଷେତ୍ର ଅଧିକାରୀମାନଙ୍କ ସହ ଏକ ବୈଠକରେ ରାଜ୍ୟର ବୟନ ଓ ହସ୍ତତନ୍ତ କ୍ଷେତ୍ରର ବିକାଶ ଏବଂ ବୁଣାକାରମାନଙ୍କ ଉନ୍ନତି କଳ୍ପେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକରିତା ଏବଂ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ବୈଠକରେ ଡାଃ ପଣ୍ଡା କହିଥିଲେ ଯେ ୨୦୦୯ ବୁଣାକାର ଗଣନା ଅନୁଯାୟୀ କ୍ଷେତ୍ର ଅଧିକାରୀମାନେ ପ୍ରତ୍ୟେକ ବୁଣାକାର ପରିବାର ଏବଂ ହସ୍ତତନ୍ତ ପୁଞ୍ଜଗୁଡିକୁ ଅନୁଧ୍ୟାନ କରି ପ୍ରତ୍ୟେକ ପରିବାରରେ ଏଇ ବୃତ୍ତି ଆଗ୍ରହୀ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରନ୍ତୁ । ତନ୍ମଧ୍ୟରୁ ଶିକ୍ଷିତ ବୁଣାକାର ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଜଣେଜଣେ ଉଦ୍ୟୋଗୀରେ ପରିଣତ କରିବାକୁ ଉଦ୍ୟମ କରାଯିବ । ରାଜ୍ୟ ବୟନ ଓ ହସ୍ତତନ୍ତ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ କେନ୍ଦ୍ରସରକାରଙ୍କ ନିକଟରେ ଓଡିଶାର ବୟନ ଓ ହସ୍ତତନ୍ତ କ୍ଷେତ୍ରର ବିକାଶ ପାଇଁ ଦିଆଯାଇଥିବା ପ୍ରସ୍ତାବଗୁଡିକୁ ତୁରନ୍ତ ପାରିତ କରାଇବାକୁ କେନ୍ଦ୍ର ସଚିବଙ୍କୁ ଅନୁରୋଧ କରିଥିଲେ । ତେଣୁ ରାଜ୍ୟରେ ବୟନ ଶିଳ୍ପର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇଦିଆଯିବ ବୋଲି କେନ୍ଦ୍ର ବୟନ ସଚିବ ପ୍ରତିଶ୍ରୁତି ଦେଇଥିଲେ । ପୂର୍ବରୁ ଡାଃ ପଣ୍ଡା ନୂଆପାଟଣା ତନ୍ତୁବାୟ ସହଯୋଗ ସମିତି,ଏବଂ ପୁରୀଜିଲ୍ଲା ରଘୁରାଜପୁର ଗ୍ରାମ ପରିଦର୍ଶନ କରିବା ସହ ବୁଣାକାର ଓ ପଟ୍ଟଚିତ୍ର କାରିଗରମାନଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ ପ୍ରାଥମିକ ସମବାୟ ସମିତିଗୁଡିକ ଉତ୍ତମ ପ୍ରଦର୍ଶନ କରୁଥିବାରୁ ସେମାନଙ୍କର କାର୍ଯ୍ୟକାରିତାକୁ ସେ ଉଚ୍ଚପ୍ରଶଂସା କରିଥିଲେ । ସେହିଭଳି ପୁରୀରେ ରାଜ୍ୟ ବୟନ ସଚିବ,ପର୍ଯ୍ୟଟନ ବିଭାଗର ଅଧିକାରୀ ଏବଂ ପୁରୀ ଜିଲ୍ଲାପାଳଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ପୁରୀ କୋଣାର୍କ ଏବଂ ଭୁବନେଶ୍ଵର ସ୍ଵର୍ଣ୍ଣ ତ୍ରିଭୁଜ ମଧ୍ୟରେ କିଭଳି ଏକ ହସ୍ତତନ୍ତ ଏବଂ ହସ୍ତଶିଳ୍ପ କରିଡର ସ୍ଥାପନ କରାଯାଇପାରିବ ସେ ସମ୍ପର୍କରେ ବିଷଦ ଆଲୋଚନା କରି ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆଜି ଅପରାହ୍ନରେ ରାଜ୍ୟ ମୁଖ୍ୟଶାସନ ସଚିବ ଙ୍କ ସହ ସାକ୍ଷାତକାର ରେ ଓଡିଶାରେ ଏକ ଟେକ୍ସଷ୍ଟାଇଲ ପାର୍କ ସ୍ଥାପନ,ବୟନଶିଳ୍ପ ର ଅଭିବୃଦ୍ଧି ,ରପ୍ତାନି ଓ ବିଶେଷ ତାଲିମ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ଡାଃ ପଣ୍ଡାଙ୍କ ସହ ଭାରତ ସରକାରଙ୍କ ହସ୍ତଶିଳ୍ପମନ୍ତ୍ରାଳୟର ଅତିରିକ୍ତ ଉନ୍ନୟନ କମିଶନର ନବରାଜ ଗୋୟଲ ଏହି ଗସ୍ତରେ ଆସିବା ସହ ରାଜ୍ୟରେ ହସ୍ତଶିଳ୍ପ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ଉପରେ ଗୁରୁତ୍ଵ ଆରୋପ କରିଥିଲେ ।

Share in top social networks!