ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ନୂତନ ‘ଗତି’ ଗ୍ୟାଲେରୀ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦ୍ଘାଟିତ

tn_23-8-2014=1ଭୁବନେଶ୍ଵର ଆଞ୍ଚଳିକ ବିଜ୍ଞାନକେନ୍ଦ୍ର ର ନୂତନ ‘ଗତି’ ଗ୍ୟାଲେରୀ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ଅନୁସନ୍ଧିତ୍ମା ର ବିକାଶ ଉପରେ ଗୁରୁତ୍ଵ ଆରୋପ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀ କରିବାକୁ ହେଲେ ଆମକୁ ବିଜ୍ଞାନ ଓ ବୈଷୟିକ ବିଦ୍ୟା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାକୁ ହେବ ତେଣୁ ବିଜ୍ଞାନ ପ୍ରତି ଛାତ୍ରଛାତ୍ରୀ ଙ୍କ ମଧ୍ୟ ଆଗ୍ରାହ ବୃଦ୍ଧି ପାଇଁ ଉଦ୍ୟମ ସ୍ଵାଗତଯୋଗ୍ୟ । ଏ ଦିଗରେ ବିଜ୍ଞାନ କେନ୍ଦ୍ରର ପଦକ୍ଷେପର ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିବା ସହିତ କେନ୍ଦ୍ରର କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପାଠ୍ୟକ୍ରମ ର ବିଷୟ ବସ୍ତୁକୁ ଭଲଭାବରେ ହୃଦୟଙ୍ଗମ କରିବା ଏବଂ ବିଜ୍ଞାନ ସଚେତନତା ବୃଦ୍ଧିରେ ସହାୟକ ହୋଇଛି ବୋଲି କହିଥିଲେ । ନୂତନ ‘ଗତି’ ଗ୍ୟାଲେରୀ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦର ମହାନିର୍ଦ୍ଦେଶକ ଶ୍ରୀ ଜି.ଏସ ରାଉତେଲା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଳ୍ପ,ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦେବିପ୍ରସାଦ ମିଶ୍ର ,ଉଚ୍ଚଶିକ୍ଷା,ବିଜ୍ଞାନ ଓ ବୈଷୟିକ ବିଦ୍ୟାମନ୍ତ୍ରୀ ଡଃ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଉଦବୋଧନ ଦେଇଥିଲେ । କୋଲକତାସ୍ଥିତ ବିରଳା ଶିଳ୍ପ ଓ ବୈଷୟିକ ବିଦ୍ୟା ସଂଗ୍ରହାଳୟର ନିର୍ଦ୍ଦେଶକ ଶେକ୍ ଉସଲାମ ସ୍ଵାଗତ ଭାଷଣ ଦେଇଥିଲେ ।

Share in top social networks!