ଅଗଷ୍ଟ ୨୨,୨୩ ଜାତୀୟ ସ୍ତରୀୟ ଶିଳ୍ପଭିତ୍ତିକ କର୍ମଶାଳା

52806ଆସନ୍ତାକାଲିଠାରୁ ଦୁଇଦିନ ପାଇଁ ଭୁବନେଶ୍ଵର ଠାରେ ବାଣିଜ୍ୟ ଓ ଶିଳ୍ପଭିତ୍ତିକ ଜାତୀୟସ୍ତରୀୟ କାର୍ମଶାଳା ହୋଟେଲ ମେ ଫେୟାର ଠାରେ ଅନୁଷ୍ଠିତ ହେଉଛି । ‘ଉତ୍ପାଦନ ଓ ବ୍ୟବସାୟିକ ପରିବେଶର ଉନ୍ନତିକରଣ ପାଇଁ ସର୍ବୋତ୍ତମ ଉପାୟ’ଶୀର୍ଷକ ଏହି ଦୁଇଦିନିଆ କର୍ମଶାଳାରେ ସମସ୍ତ ରାଜ୍ୟର ଶିଳ୍ପ ସଚିବ ଓ ଶିଳ୍ପ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ମାନେ ଯୋଗଦେବେ । ମହରାଷ୍ଟ୍ର,ଗୁଜୁରାଟ,ପଞ୍ଜାବ,ରାଜସ୍ଥାନ ଓ କର୍ଣ୍ଣାଟକରେ ଶିଳ୍ପ ଓ ଉନ୍ନୟନ ପାଇଁ ଅନୁସୃତ ସର୍ବଶ୍ରେଷ୍ଠ ପନ୍ଥାଗୁଡିକ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରାଯିବ । ଶିଳ୍ପ ପାଇଁ ବ୍ୟବସାୟ ପରିବେଶର ଉନ୍ନତି କରଣ,ଭିତ୍ତିଭୂମିର ବିକାଶ,ଭାରତରେ ଉତ୍ପାଦନ ପ୍ରତିଯୋଗିତାର ଉନ୍ନତି,ଇ-ଗଭର୍ନାନ୍ସ ଓ ଶ୍ରମ ନିୟମର ପ୍ରୟୋଗ,ଭୂମି ଅଧିଗ୍ରହଣ ସମ୍ପର୍କିତ ଅନୁମୋଦନ,କର୍ଣ୍ଣାଟକର ପରୋକ୍ଷ ଟ୍ୟାକ୍ସ ପରିଚାଳନା ପାଇଁ ସମନ୍ଵିତ ଓ ବିସ୍ତ୍ରୁତ ପ୍ରକ୍ରିୟା,ମହାରାଷ୍ଟ୍ରର ମୈତ୍ରୀ ଦ୍ଵାରା ଶ୍ରମ ପରିଚାଳନା ସମାଧାନ ପନ୍ଥା ,ଗୁଜୁରାଟର ପ୍ରଦୂଷଣ ନିୟନ୍ତ୍ରଣରେ ଇ-ଗଭର୍ନାନ୍ସର ପ୍ରୟୋଗ ଓ ପଞ୍ଜାବର ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପଦ୍ଧତି ସମ୍ପର୍କରେ ଆଲୋଚନା ହେବ । ଟାଟା ଷ୍ଟିଲ ପରିଚାଳନା ନିର୍ଦ୍ଦେଶକ,ନାଲକୋର ସିଏମଡି,ଇସାର ଷ୍ଟିଲର ଉପାଧ୍ୟକ୍ଷ,ଏଲ୍ ଏଣ୍ଡ ଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପ୍ରଭୃତି ଅଗ୍ରଣୀ ଶିଳ୍ପ ସଂସ୍ଥାର ନେତୃମଣ୍ଡଳୀ ସେମାନଙ୍କ ମତ ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ,କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉଦଘାଟନ କରିବେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିଳ୍ପ ସଚିବ ପ୍ରମୁଖ ଅଂଶଗ୍ରହଣ କରିବେ । ଉଲ୍ଲେଖ ଯୋଗ୍ୟଯେ,ଗତ ଜୁଲାଇ ମାସରେ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର,ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରି ଓଡିଶାରେ ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ ଓ ଓଡିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ ।

Share in top social networks!