ରାଜ୍ୟରେ ବର୍ଦ୍ଧିତ ବସଭଡା ସେପ୍ଟେମ୍ବର ୧ରୁ ଲାଗୁ ହେବ

52740
ତୈଳ ଓ ଆନୁଷଙ୍ଗିକ ଖର୍ଚ୍ଚ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ରାଜ୍ୟରେ ବସ ଭଡା ବୃଦ୍ଧି କରିଛନ୍ତି । ରାଜ୍ୟରେ ଚଳାଚଳ କରୁଥିବା ଟାଉନବସ୍ ବ୍ୟତୀତ ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ ବସ୍ ପାଇଁ ବର୍ଦ୍ଧିତ ଯାତ୍ରୀ ଓ ମାଲଭଡା ଆସନ୍ତା ସେପ୍ଟେମ୍ବର ୧ତାରିଖରୁ ଲାଗୁ କରାଯିବ । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସାଧାରଣ ବସରେ ଯାତ୍ରୀଭଡାକୁ କିଲୋମିଟର ପିଛା ୫ପଇସା ବୃଦ୍ଧି କରାଯାଇ ୫୯ପଇସାରୁ ୬୪ପଇସାକୁ ଧାର୍ଯ୍ୟ କରାଯାଇଛି । ଆର୍ଡିନାରୀ ବସରେ ସର୍ବନିମ୍ନ ଯାତ୍ରୀ ଭଡା ୫ଟଙ୍କା ରଖାଯାଇଛି । ସେହିପରି ଏକ୍ସପ୍ରେସ୍ ବସ ପାଇଁ ଯାତ୍ରୀଭଡା କିଲୋମିଟର ପିଛା ୫ପଇସା ବୃଦ୍ଧି କରାଯାଇ ୬୨ପଇସାରୁ ୬୭ପଇସା ,ଡିଲକ୍ସ ବସ ପାଇଁ କିଲୋମିଟର ପିଛା ୭ ପଇସା ବୃଦ୍ଧି କରାଯାଇ ୮୨ପଇସାରୁ୮୯ପଇସା ଓ ଏ.ସି ଡିଲକ୍ସ ବସ ପାଇଁ କିଲୋମିଟର ପିଛା ୮ ପଇସା ବୃଦ୍ଧି କରାଯାଇ ୧ଟଙ୍କାରୁ ୧ଟଙ୍କା ୮ ପଇସା ଧାର୍ଯ୍ୟ କରାଯାଇଛି । ଏକ୍ସପ୍ରେସ ବସରେ ସର୍ବନିମ୍ନ ଯାତ୍ରୀ ଭଡା ୫ ଟଙ୍କା,ଡିଲକ୍ସ ବସ ଓ ଏସି ଡିଲକ୍ସ ବସ ପାଇଁ ସର୍ବନିମ୍ନ ଯାତ୍ରୀ ଭଡା ୧୩ଟଙ୍କା ରଖାଯାଇଛି । ଏହି ବିଜ୍ଞପ୍ତି ଅନୁସାରେ ପ୍ରତ୍ୟେକ ଯାତ୍ରୀ ଯାତ୍ରା ସମୟରେ ସାଙ୍ଗରେ ୧୫ କେଜି ପର୍ଯ୍ୟନ୍ତ ଜିନିଷ ମାଗଣାରେ ନେଇପାରିବେ । ଅଧିକ ୨୦କେଜି ପର୍ଯ୍ୟନ୍ତ ମାଲ ପାଇଁ କିଲୋମିଟର ପିଛା ୭ ପଇସା ଦେବାକୁ ପଡିବ । ଏଡସ୍ ଆକ୍ରାନ୍ତ ବ୍ୟକ୍ତି ଯେକୌଣସି ସରକାରୀ ବା ଘରୋଇ ବସରେ ମାଗଣାରେ ଯାତ୍ରା କରିପାରିବେ । ସେହିପରି ଦୃଷ୍ଟିହୀନ ,ମାନସିକ ଅନଗ୍ରସର,୫୦-୧୦୦% ଭିନ୍ନକ୍ଷମ ବ୍ୟକ୍ତି ଯାତ୍ରୀଭଡାରେ ୧୦୦% ଓ ତାଙ୍କର ଜଣେ ସହଯୋଗୀ ୫୦% ରିହାତି ପାଇପାରିବେ । ୪୦%ରୁ ୪୯% ଭିନ୍ନକ୍ଷମ ବ୍ୟକ୍ତି ସରକାରୀ ବା ଘରୋଇ ବସରେ ୫୦%ରିହାତି ପାଇପାରିବେ । ଇତିମଧ୍ୟରେ ଡିଜେଲ ଦର ୬ ଟଙ୍କା ରୁ ଅଧିକ ବୃଦ୍ଧି ପାଇଥିବା ବେଳେ ଇନସୁରାନ୍ସ,ଲୁବ୍ରିକାଣ୍ଟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ମଧ୍ୟ ବୃଦ୍ଧିପାଇଛି ।

Share in top social networks!