‘ଯାଯାବର’ ବ୍ରାଣ୍ଡରେ ବିଭିନ୍ନ ସ୍ଥାନରେ ନିର୍ମାଣ ହେବ ପାନ୍ଥିକା

Odishan-MAP-2ଗୋଟିଏ ପର୍ଯ୍ୟଟନ ସ୍ଥଳୀରୁ ଆଉ ଏକ ପର୍ଯ୍ୟଟନ ସ୍ଥଳୀ ବା ଦୂର-ଦୁରାନ୍ତରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ପହଞ୍ଚିବା ବାଟରେ ଚା,ପାନ,ମୃଦୁ ପାନୀୟ ଓ ଖାଦ୍ୟ ତଥା ସାମୟିକ ବିଶ୍ରାମର ସୁବିଧା ପାଇଁ ‘ଯାଯାବର’ ବ୍ରାଣ୍ଡରେ ୩୩ଟି ପାନ୍ଥିକା ନିର୍ମାଣ ହେବ । ଏଥି ମଧ୍ୟରୁ ଏପର୍ଯ୍ୟନ୍ତ ପିପିପି ମୋଡରେ ୧୧ଟି ପାନ୍ଥିକା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଓ ଆସନ୍ତା ୪ ମାସ ମଧ୍ୟରେ ଆଉ ୬ଟି ପାନ୍ଥିକା ର ନିର୍ମାଣ କାର୍ଯ୍ୟ ଶେଷ ହେବ । ଏହି ତାଲିକାରେ ସାକ୍ଷୀଗୋପାଳର ପଟ୍ଟନାୟିକା,ଭଦ୍ରକ,ବଅଂରପାଳ,ଖାଲିକୋଟ,ଅନୁଗୁଳ ଓ ରେଢାଖୋଲର ମଧ୍ୟସ୍ଥାନରେ,କୋଣାର୍କ-ପୁରୀ ମାରାଇନ ଡ୍ରାଇଭ ରାସ୍ତାରେ ୬ଟି ପାନ୍ଥିକା ନିର୍ମାଣର ଯୋଜନା ଥିବା ବେଳେ ପିପିଲି ଠାରେ ପୂର୍ବ ନିର୍ମିତ ପାନ୍ଥିକାକୁ ଆଧୁନିକୀକରଣ କରାଯିବ । ଏଥିପାଇଁ ୧୪୫କୋଟି ଟଙ୍କା ଆକଳନ କରାଯାଇଅଛି ବୋଲି ସଂସ୍କୃତି ସଚିବ ଡଃ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ତେବେ ସାକ୍ଷୀଗୋପାଳର ପଟ୍ଟନାୟିକା ଠାରେ ହେବାକୁ ଥିବା ପାନ୍ଥିକା ଡିସେମ୍ବର ସୁଦ୍ଧା ଶେଷ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନା ମୁତାବକ ଏଠାରେ ଲଘୁ ଖାଦ୍ୟ ,ମୃଦୁପାନୀୟ ସହ ମନ୍ଦିର ଭୋଗ ଓ ଓଡିଆ ଖାଦ୍ୟ ମିଳିପାରିବ । ଫୁଡ୍ କୋର୍ଟ ବ୍ୟତୀତ ପାନ୍ଥିକା ପରିସରରେ ଗାଲିଚା,ପିଲାମାନଙ୍କ ପାଇଁ ପାର୍କ ,ଖେଳ ପଡିଆ,ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗ ଉଜ୍ଜ୍ଵଳ ଆଲୋକ ବ୍ୟବସ୍ଥା ଆଦି କାର୍ଯ୍ୟକ୍ରମ ହାତକୁ ନିଆଯିବ । ଅନ୍ୟାନ୍ୟ ପାନ୍ଥିକା ପରିସରରେ ଲ୍ୟାଣ୍ଡସ୍କେପ୍,ଫୁଡ୍ କୋର୍ଟ ,ପାର୍କିଂପ୍ଲେସ୍,ଟୁରିଷ୍ଟ ହଲ ୱେବସାଇଟ୍ ସୁଯୋଗ ଓ ପୁଷ୍କରିଣୀ ଖନନ କରାଯିବ ।

Share in top social networks!