ଆମେରିକାରେ ପହଞ୍ଚିଛି ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀ

unnamedକାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପରିଦର୍ଶନ ଏବଂ ୧୨,୮୪୩ ଟଙ୍କାର ସାମଗ୍ରୀ କ୍ରୟ ପ୍ରବାସୀ ଓଡିଶା ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେଙ୍କର ତତ୍ତ୍ଵାବଧାନରେ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଏକ ୧୨ ଜଣିଆ ଛାତ୍ରଛାତ୍ରୀ ଦଳ ଆଜି ପୂର୍ବାହ୍ନରେ ସ୍ଥାନୀୟ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ବୋର୍ଡର ସଭାପତି ଶ୍ରୀଯୁକ୍ତ ତେଜେଶ୍ଵର ପରିଡାଙ୍କ ଦ୍ଵାରା ଆମନ୍ତ୍ରିତ ଏହି ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ପରିଡା ଔଷଧୀୟ ଗୁଳ୍ମଚାରା ଉପହାର ଦେଇ ସ୍ଵାଗତ କରିଥିଲେ । ଏହି ଅବସରରେ ‘ଗାନ୍ଧୀ : ଜଣେ ଅର୍ଥନୀତିଜ୍ଞ” ଶୀର୍ଷକରେ ଏକ ମତବିନିମୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଗାନ୍ଧୀଜୀଙ୍କର ଖଦି ଓ ଗ୍ରାମୋଦ୍ୟୋଗ ମାଧ୍ୟମରେ ଗ୍ରାମାଞ୍ଚଳ ଅର୍ଥନୀତିର ସାମୁହିକ ବିକାଶ,ରୋଜଗାର ସୃଷ୍ଟି ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ଆମେରିକୀୟ ଛାତ୍ରଛାତ୍ରୀମାନେ ବୋର୍ଡଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅପ୍ରତିମ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବୋର୍ଡର ବିଭାଗୀୟ ବିକ୍ରୟ ଭଣ୍ଡାର ପରିଦର୍ଶନ କରିଥିଲେ । ସେଠାରେ ବୋର୍ଡ ତରଫରୁ ସେମାନଙ୍କୁ ଖଦି ପ୍ରସ୍ତୁତ ଗାନ୍ଧୀ ଟୋପି ଉପହାର ଦିଆଯାଇଥିଲା । ବିକ୍ରୟ ଭଣ୍ଡାରରେ ପ୍ରଦର୍ଶିତ ହେଉଥିବା ଖଦି ଗ୍ରାମୋଦ୍ୟୋଗ ସାମଗ୍ରୀ ଗୁଡିକୁ ଆମେରିକୀୟ ଛାତ୍ରଛାତ୍ରୀମାନେ ଉଚ୍ଚ ପ୍ରଶଂସା କରିଥିଲେ ଓ ଏସବୁ ସାମଗ୍ରୀକୁ ଯୁକ୍ତରାଷ୍ଟ୍ର ପଠାଇ ଏକ ପ୍ରଦର୍ଶନୀ ତଥା ବିକିବାକୁ ଅନୁରୋଧ କରିଥିଲେ । ସେମାନେ ବିକ୍ରୟ ଭଣ୍ଡାରରୁ ୩୦% ରିହାତି ଦର(୧୨ଅଗଷ୍ଟରୁ ୧୭ଅଗଷ୍ଟ ପର୍ଯ୍ୟନ୍ତ) ରେ ୧୨,୮୪୩ଟଙ୍କା ର ସାମଗ୍ରୀ କ୍ରୟ କରିଥିଲେ । ଏଠି ମଧ୍ୟରେ ମହିଳା କୁର୍ତ୍ତୀ,ଖଦି,ସାର୍ଟ,ଦରି,ଲୁଙ୍ଗୀ,ବିଛଣା ଚାଦର,ବେତ ଫ୍ରେମ ଦିଆ ପଟ୍ଟଚିତ୍ର,ଅଗରବତୀ,ଗାମୁଛା,ତଉଲିଆ,ମହୁ,ଜାତୀୟ ପତାକା,ତକିଆଖୋଳ, ଓ ସିଲକ୍ ପ୍ରସ୍ତୁତ ପୋଷାକ ପରିଛଦ ଅନ୍ତର୍ଭୁକ୍ତ । ଏସବୁ ସାମଗ୍ରୀ ସେମନେ ଆସନ୍ତା କାଲି ନିଜ ସହିତ ଆମେରିକା ନେଇଯିବେ । ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ନିଆଯାଇଥିବା ଏହି ଅନନ୍ୟ ଉଦ୍ୟମ ଫଳରେ ଆଗାମୀ ଦିନରେ ଓଡିଶାର ଖଦି ଗ୍ରାମୋଦ୍ୟୋଗ ସାମଗ୍ରୀ ପ୍ରତି ଆନ୍ତର୍ଜାତୀୟ ସ୍ତରରେ ଆଦର ଓ ଆଗ୍ରହ ବୃଦ୍ଧି ପାଇବ । ସଙ୍ଗେସଙ୍ଗେ ଏସବୁର ବିଦେଶକୁ ରପ୍ତାନି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେବ ।

Share in top social networks!