ରାଜ୍ୟରେ ଦ୍ଵିତୀୟ କୃଷି ବିଶ୍ୱବିଦ୍ୟାଳୟ ଓ ପଶୁ ଚିକିତ୍ସା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ

untitled
୧୯୬୨ଅଗଷ୍ଟ ୨୪ତାରିଖରେ ଦେଶରେ ଦ୍ଵିତୀୟ ପୁରାତନ କୃଷି ବିଶ୍ଵବିଦ୍ୟଳୟ ଭାବେ ଜନ୍ମ ନେଇଥିଲା ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ । କୃଷି,ଶିକ୍ଷା,ଗବେଷଣା ଓ ସଂପ୍ରସାରଣ ଶିକ୍ଷା କାର୍ଯ୍ୟକ୍ରମ କ୍ଷେତ୍ରରେ ଅନନ୍ୟ ଅବଦାନ ଦେଇ ଏହା ସାରା ଦେଶରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଦୀର୍ଘ ୫୨ବର୍ଷ ମଧ୍ୟରେ ସଫଳତାର ସୋପାନ ପରେ ସୋପାନ ଚଢି ଚାଲିଥିବା ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ରାଜ୍ୟର ଏକମାତ୍ର କୃଷି ବିଶ୍ୱବିଦ୍ୟାଳୟ ହୋଇଥିବାରୁ ରାଜ୍ୟ ସରକାର ଆଉ ଏକ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଅଧିକ ସୁଯୋଗ ପ୍ରଦାନ କରିବାକୁ ମନସ୍ଥ କରିଛନ୍ତି ବୋଲି କୃଷି,ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ ପ୍ରକାଶ କରିଛନ୍ତି । ଓୟୁଏଟି ପରିସରରେ ଜୁନିୟର ରିସର୍ଚ୍ଚ ଫେଲୋସିପ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି ଯେ କୃଷି ସମ୍ପର୍କିତ ଶିକ୍ଷା ପାଇଁ ପ୍ରତିବର୍ଷ ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଆଗ୍ରହ ଦେଖାଉଥିବା ବେଳେ ମାତ୍ର ଏକ ହଜାର ୮୦୮ଜଣ ଛାତ୍ରଛାତ୍ରୀ ଏହା ପଢିବାର ସୁଯୋଗ ପାଉଛନ୍ତି । ଏହକୁ ଦୃଷ୍ଟିରେରଖି ସରକାର କେବିକେ ଅଞ୍ଚଳରେ ଦ୍ଵିତୀୟ କୃଷି ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯୋଜନା କରିଛି । ଏଥିପାଇଁ ଚଳିତ ବଜେଟରେ ସ୍ଵତନ୍ତ୍ର ବ୍ୟୟବରାଦ ମଧ୍ୟ କରାଯାଇଛି । କେବିକେ ଅଞ୍ଚକର କେଉଁ ସ୍ଥାନରେ ଦ୍ଵିତୀୟ କୃଷି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବ ତାହାର ଚୁଡାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନେବା ପରେ ଏହି ବିଶ୍ଵବିଦ୍ୟଳୟର ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ ହେବ । ସେହିପରି ମତ୍ସ୍ୟ ଓ ପଶୁସମ୍ପଦ ସମ୍ପର୍କିତ ଶିକ୍ଷଦାନର ଉତ୍କର୍ଷ ପାଇଁ ରାଜ୍ୟ ସରକାର ଏକ ଭେଟେରିନାରୀ ୟୁନିଭରସିଟି ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି । ସେହିପରି ଜାଭିୟର ବିଶ୍ୱବିଦ୍ୟାଳୟରେ ଏକ କୃଷି କଲେଜ ଖୋଲାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ସୂଚନା ଦେଇଛନ୍ତି । ଓୟୁଏଟିର ୩୭ଜଣ ଛାତ୍ରଛାତ୍ରୀ ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଦ୍ଵାରା ପରିଚାଳିତ ସର୍ବଭାରତୀୟ ବୃତ୍ତି ପରୀକ୍ଷାରେ ଚୟନ ହୋଇ ଦେଶର ବିଭିନ୍ନ କୃଷି ବିଶ୍ୱବିଦ୍ୟାଳୟରେ ସ୍ନାତ୍ତକୋତ୍ତର ପାଠ୍ୟକ୍ରମର ନାମ ଲେଖାଇଛନ୍ତି । ଏହି ପରୀକ୍ଷାରେ ୬୬ଟି କୃଷି ବିଶ୍ୱବିଦ୍ୟାଳୟ ଭାଗ ନେଇଥିବା ବେଳେ ଓୟୁଏଟି ପ୍ରଥମ ସ୍ଥାନ ଅଧିକାର କରିଛି । ଏଥିପାଇଁ ଜୁଲାଇ ୨୯ରେ କୁଳପତି ପ୍ରଫେସର ମନୋରଞ୍ଜନ କର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ପୁରସ୍କୃତ ହେବା ସହ ମାନପତ୍ର ପାଇଛନ୍ତି । ଏହାସହ ପରିଷଦ ପକ୍ଷରୁ ପ୍ରତି କୃତୀ ଛାତ୍ରଛାତ୍ରୀଙ୍କ ପିଛା ୨ଲକ୍ଷ ଟଙ୍କା ହିସାବରେ ବିଶ୍ୱବିଦ୍ୟାଳୟକୁ ୭୪ଲକ୍ଷ ଟଙ୍କା ମିଳିବ,ଯାହାକି ବିଶ୍ୱବିଦ୍ୟାଳୟର ଶିକ୍ଷା ଉତ୍କର୍ଷ ବୃଦ୍ଧି ଦିଗରେ
ଖର୍ଚ୍ଚ କରାଯିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ମନୋରଞ୍ଜନ କର,କୁଳ ସଚିବ ପ୍ରଭାକର ପ୍ରଧାନ,ପ୍ଲାନିଂ ଅଫିସର ସନ୍ତୋଷ କୁମାର ରୁଟ ଓ ଓୟୁଏଟି ଦ୍ଵାରା ପରିଚଳିତ ସମସ୍ତ କଲେଜର ଡିନ ମାନେ ଉପସ୍ଥିତ ଥିଲେ ।

Share in top social networks!