ଆଳୁ ଉତ୍ପାଦନ ପାଇଁ ଦୀର୍ଘ ମିଆଦୀ ଆକ୍ସନ ପ୍ଲାନ୍ ; ରାଜ୍ୟରେ ୪ ଲକ୍ଷ କ୍ଵିଣ୍ଟାଲ ବଫର ଷ୍ଟକ୍ ଭାବେ ରଖାଯିବ

52620
ରାଜ୍ୟରେ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରାଇବା ଲକ୍ଷ୍ୟରେ ଏକ ଦୀର୍ଘ ମିଆଦୀ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯିବ । ଏଠି ନିମନ୍ତେ ସମବାୟ ବିଭାଗ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବଙ୍କୁ ନେଇ କୃଷି ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାକ୍ସଫୋର୍ସ ଗଠନ କରାଯିବ । ଏହି ଟାକ୍ସଫୋର୍ସ ୩୦ ଦିନ ମଧ୍ୟରେ ଦୀର୍ଘ ମିଆଦୀ ଆକ୍ସନ ପ୍ଲାନ ପ୍ରଦାନ କରିବେ ବୋଲି ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଆଜି ମନ୍ତ୍ରୀ ଶ୍ରୀ ଦାସବର୍ମା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ରାଜ୍ୟରେ ଦେଖାଯାଇଥିବା ଆଳୁ ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଛି । ଏବେ ରାଜ୍ୟରେ ଆବଶ୍ୟକ ପରିମାଣର ଆଳୁ ମହଜୁଦ ରହିଥିବା ଏବଂ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟକୁ ପ୍ରାୟ ୧୫୦ଟି ଟ୍ରକ ରୁ ଉର୍ଦ୍ଧ୍ଵ ଆଳୁ ଆସିଥିବା ଜଣାପଡିଛି । ତେବେ ଭବିଷ୍ୟତରେ ଆଳୁଜନିତ ସମସ୍ୟାକୁ ଏଡାଇବା ଲକ୍ଷ୍ୟରେ ରାଜ୍ୟରେ ୪ ଲକ୍ଷ କ୍ଵିଣ୍ଟାଲ ଆଳୁ ବଫର ଷ୍ଟକ୍ ଭାବେ ରଖାଯିବ । ସମବାୟ ଅଧୀନରେ ଥିବା ୬ଟି ଶୀତଳ ଭଣ୍ଡାର ରେ ୨ଲକ୍ଷ କ୍ଵିଣ୍ଟାଲ ଆଳୁ ରଖାଯିବ ଓ ଅବଶିଷ୍ଟ ୨ଲକ୍ଷ କ୍ଵିଣ୍ଟାଲ ଆଳୁ ଘରୋଇ ଶୀତଳ ଭଣ୍ଡାରରେ ରଖାଯିବାର ନିଷ୍ପତ୍ତି ହୋଇଛି । ସମବାୟ ଅଧୀନରେ ଥିବା ଅଚଳ ଥିବା ଆଉ ୧୨ଟି ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ନିଆଯିବ । ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଏଥିନିମନ୍ତେ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରି ୧୦ ଦିନ ମଧ୍ୟରେ ଦେବେ । ମାର୍କଫେଡ୍ ଓ ନାଫେଡ୍ ଅମଳ ସମୟରେ ଆଳୁ ସଂଗ୍ରହ କରିବେ ଓ ଏଥିପାଇଁ ଆବଶ୍ୟକ ପ୍ରସ୍ତାବ ଯୋଗାଣ ବିଭାଗକୁ ଦେବାକୁ ପଡିବ । ରାଜ୍ୟରେ ଆଳୁ ଉତ୍ପାଦନ,ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥାକୁ ସମନ୍ଵିତ ଭାବେ ପରିଚାଳନା କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ କୃଷିବିଭାଗର ପ୍ରମୁଖ ସଚିବ ରାଜେଶ ବର୍ମା,ଯୋଗାଣ ବିଭାଗର ଶାସନ ସଚିବ ମଧୁସୂଦନ ପାଢି,ସମବାୟ ବିଭାଗର ଶାସନ ସଚିବ ବିଷ୍ଣୁପଦ ସେଠୀ,ଉଦ୍ୟାନ କୃଷି ନିର୍ଦ୍ଦେଶକ ସଂଜୀବ କୁମାର ଚଢା,ଖାଉଟି ବ୍ୟାପାର ନିର୍ଦ୍ଦେଶକ ରତ୍ନାକର ରାଉତ,ମାର୍କଫେଡ୍ ର ପରିଚାଳନା ନିର୍ଦ୍ଦେଶକ ଓ ନାଫେଡ଼ର ସାଧାରଣ ପରିଚାଳକ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Share in top social networks!