ଉପାନ୍ତ ଅଞ୍ଚଳରେ ଅଧିକ ସଂଖ୍ୟାରେ ପାଲା,ଦାସକାଠିଆ ଆୟୋଜନ ହେବ

untitled
ଲୁପ୍ତପ୍ରାୟ ଲୋକକଳା ତଥା ପାଲା,ଦାସକାଠିଆ ,ଘଣ୍ଟାବାଦ୍ୟ,ରାବଣ ଛାୟା,ଦଣ୍ଡ ନୃତ୍ୟ,ଓଡିଶୀ କୀର୍ତ୍ତନ,ଢାପ,ଚଢେଇଆ ଚଢେଇଆଣୀ,ରସେରକଲି,ଦୁଲୁଦୁଲି,ଖଞ୍ଜଣି,କୃଷ୍ଣାଲୀଳା,ଲଉଡି ଆଦି ପାରମ୍ପରିକ ଲୋକକଳା ଗୁଡିକର ପୁନରୁଦ୍ଧାର କରି ଏହାକୁ ଜନାଦୃତ କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଉପାନ୍ତ ଅଞ୍ଚଳରେ ଏହି ସବୁ ଲୋକନୃତ୍ୟ ଓ ଲୋକ ପରମ୍ପରାଗୁଡ଼ିକର ଆଦର ଥିବାରୁ ସେଠାରେ ଅଧିକ ସଂଖ୍ୟାରେ ପରିବେଷଣ କରିବା ପାଇଁ ସରକାର ନୀତିଗତ ଭାବେ ନିଷ୍ପତ୍ତି ନେଇଛନ୍ତି । ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ମର୍ମରେ ନିଷ୍ପତ୍ତି ନିଆଯାଇଛି । ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ବିଗତ ବର୍ଷ ଗୁଡିକ ପରି ରାଜ୍ୟର ବିଭିନ୍ନ ସ୍ଥାନରେ ପାଲା ,ଦାଶକାଠିଆ ମହୋତ୍ସବ ଆୟୋଜନ କରାଯିବା ସହ ପାଲା ଓ ଦାସକାଠିଆ ସମ୍ପର୍କରେ ଗବେଷକମାନଙ୍କୁ ନେଇ ଗବେଷଣା କରାଯିବ । ଏହା ଦ୍ଵାରା ପାରମ୍ପରିକ ଶୈଳୀରେ ଉନ୍ନତି ଆସିବା ସହ ନୂତନ ଶୈଳୀ ଉଦ୍ଭବ ହେବ । ପାଲା ଓ ଦାସକାଠିଆ ଓ ଅନ୍ୟାନ୍ୟ ଲୋକକଳାର କଳାକାରଙ୍କୁ ଆର୍ଥିକ ସହାୟତା ପାଇଁ ଜିଲ୍ଲାସ୍ତରରେ ୪ ଲକ୍ଷ ଟଙ୍କାର ପୁନଃପୌନିକ ବୃଦ୍ଧି ପାଣ୍ଠି ର ବ୍ୟବସ୍ଥା ସହ ପ୍ରତି ବ୍ଲକକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି ବୋଲି ସୂଚନା ଦେଇ ସଂସ୍କୃତି ସଚିବ ଡଃ ଅରବିନ୍ଦ ପାଢୀ କହିଥିଲେ ଯେ ଦୁଃସ୍ଥ କଳାକାରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପେନସନ ଦିଆଯିବ ପାଇଁ ସରକାର ନୀତିଗତ ଭାବେ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକକଳାକୁ ପ୍ରାଧାନ୍ୟ ଦିଆଯିବା ସହ ଜନହିତକର କାର୍ଯ୍ୟକ୍ରମରେ ଲୋକକଳା ମାଧ୍ୟମରେ ପ୍ରଚାର ଓ ପ୍ରସାର କରାଯିବ ବୋଲି ସେ ସୂଚନା ଦେଇଥିଲେ । ରାଜ୍ୟର ସମସ୍ତ ଜିଲ୍ଲାଗୁଡିକରେ ୭୨୭୬ଟି ଗ୍ରୁପ ରହିଥିବାବେଳେ ପାଖାପାଖି ୮୦ହଜାର କଳାକାର ରହିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ନିର୍ଦ୍ଦେସକ ସୁଶୀଲ କୁମାର ଦାସ,ଓଡିଶା ସାହିତ୍ୟ ଏକାଡେମି ସଚିବ ବିଜୟ କୁମାର ନାୟକ ,ଓଡିଶା ସଂଗୀତ ନାଟକ ଏକାଡ଼େମୀର ସମ୍ପାଦକ ଚିତ୍ତରଞ୍ଜନ ମଲିଆ ,ଲୋକକଳା ସଂଘର ପ୍ରତିନିଧୀମାନେ ଉପସ୍ଥିତ ଥିଲେ ।

Share in top social networks!