‘ମୃତ୍ୟୁ ଘୋଷଣା ପୂର୍ବରୁ କରାଯାଇଥିଲା ପ୍ରସୂତିଙ୍କ ଅନ୍ତିମ ସଂସ୍କାର’ ; ସାନି ତଦନ୍ତ ନିର୍ଦ୍ଦେଶ ଦେଲେ ମାନବାଧିକାର କମିଶନ

Odishan-MAP-2
ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁଘଟଣା ପଛରେ ଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଗୁରୁତର ଅବହେଳା ପାଦକୁ ଆସିଛି । ପ୍ରସୂତିଙ୍କ ଅବସ୍ଥା ଗୁରୁତର ଥିବାରୁ ଏକ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବ୍ରହ୍ମପୁର ମେଡିକାଲ କଲେଜ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା । କିନ୍ତୁ ବାଟରେ ରୋଗୀଙ୍କ ସାଥିରେ ଥିବା ଲୋକେ ଭାବିଲେ ପ୍ରସୂତିଙ୍କ ମୃତ୍ୟୁ ଘଟିଛି । ତେଣୁ ସେମାନେ ତାଙ୍କୁ ଡାକ୍ତରଖାନା ନେଲେ ନାହିଁ । ମୃତ୍ୟୁ ସମ୍ପର୍କରେ ଡାକ୍ତରଙ୍କୁ ମଧ୍ୟ ପଚାରିଲେ ନାହିଁ । ସିଧା ଗାଁକୁ ନେଇ ତାଙ୍କର ଅନ୍ତିମ ସଂସ୍କାର କରିଦେଲେ । ଏକ ମାମଲାର ଶୁଣାଣୀ ସମୟରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ । ଏହାପରେ କମିଶନ ଏହି ଘଟଣାର ସାନି ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଅଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ମା ଧଉଳା ଗାଁର ଗର୍ଭବତୀ ମହିଳା ସ୍ମିତା ବଡରଇତ ୨୦୧୩ ମସିହା ଫେବୃୟାରୀ୨୫ରେ ଗୁମା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ୨୬ତାରିଖରେ ସେ କନ୍ୟା ସନ୍ତାନଟିକୁ ଜନ୍ମ ଦେବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲେ ମଧ୍ୟ ଚିକିତ୍ସାର ଅବହେଳା କରାଯାଇଥିଲା । ତାଙ୍କୁ ଏମକେସିଜି ମେଡିକାଲ ଆଣିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏଭଳି ଘଟଣା ମାନବାଧିକାରର ଉଲଂଘନ ବୋଲି ଦର୍ଶାଇ ମାନବାଧିକାରକର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ ଦାୟର କରିଥିଲେ । ଏହାର ବିଚାର କରି କମିଶନ ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ ଜାରି କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଥିଲେ । ସ୍ୱାସ୍ଥ୍ୟ ବିଭାଗ ସଚିବ ମାନବାଧିକାର କମିଶନଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟରେ କୁହାଯାଇଛି ଯେ, ସ୍ମିତାଙ୍କ ଚିକିତ୍ସା ରେ କୌଣସି ଅବହେଳା ହୋଇନାହିଁ । ତାଙ୍କୁ ପ୍ରାଥମିକ ଚିକିତ୍ସା କେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ୨୬ତାରିଖ ସକାଳ ୮ଟା ୨୦ରେ ସେ ସେଠାରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ଏମକେସିଜି ମେଡିକାଲ ପଠାଯିବା ବାଟରେ ପୂର୍ବାହ୍ନ ୧୧ଟା ୧୦ରେ ତାଙ୍କ ସହ ଥିବା ସହାୟକ ଦେଖିଥିଲେ ଯେ ସ୍ମିତାଙ୍କ ଶ୍ଵାସକ୍ରିୟା ବନ୍ଦ ହୋଇଯାଇଛି ଓ ଭାବିନେଇଥିଲେ ଯେ ତାଙ୍କର ମୃତ୍ୟୁ ଘଟିଛି । ସ୍ମିତାଙ୍କୁ କୌଣସି ଡାକ୍ତର ମୃତ୍ୟୁ ଘୋଷଣା କରିନଥିଲେ ମଧ୍ୟ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଏ ସମ୍ପର୍କରେ କୌଣସି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇନଥିଲା । ସ୍ୱାସ୍ଥ୍ୟ ବିଭାଗଙ୍କ ଏହି ରିପୋର୍ଟ ଉପରେ ଆବେଦନକାରୀ ଅଖଣ୍ଡ ମାନବାଧିକାର କମିଶନଙ୍କ ନିକଟରେ ନିଜର ଯୁକ୍ତି ରଖିଛନ୍ତି । ସେ ଦର୍ଶାଇଛନ୍ତି ଯେ ଆମ୍ବୁଲାନ୍ସ ସେବା ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ପରିଚାଳିତ । ତେଣୁ ଏହାର ଚଳାଚଳ ମଧ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନେ ନିୟନ୍ତ୍ରଣ କରିବା କଥା । ତେଣୁ ରୋଗୀଙ୍କ ସହାୟକ ଙ୍କ କଥାରେ ଆମ୍ବୁଲାନ୍ସଟି ରୋଗୀଙ୍କୁ ହସ୍ପିଟାଲ ନନେଇ କିପରି ତାଙ୍କ ଗାଁକୁ ନେଇଥିଲା ? ପ୍ରସୂତିଙ୍କ ଅଧିକ ରକ୍ତସ୍ରାବ ହେଉଥିଲେ ମଧ୍ୟ ରକ୍ତ ଦିଆଗଲା ନାହିଁ । ସେହିଭଳି ପ୍ରସୂତି ମହିଳାଙ୍କ ଚିକିତ୍ସା ରେକର୍ଡ ରଖିବାକୁ ବ୍ୟବହୃତ ଫଟୋଗ୍ରାଫ ମଧ୍ୟ କରାଯାଇନଥିଲା । ଆବେଦନକାରୀଙ୍କ ଏସବୁ ଯୁକ୍ତି ପରେ କମିଶନ ଏହି ଘଟଣାର ସାନି ତଦନ୍ତ କରିବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶନାମାରେ କୁହାଯାଇଛି ।

Share in top social networks!